Unknown

 

 

 

 

 

 

 

 

୧୫୬ତମ ସଂଖ୍ୟା କୋଣାର୍କ ୨୦୧୦

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ସମ୍ପାଦକ :

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

ଶ୍ରୀ ଚନ୍ଦ୍ରଶେଖର ଦାସବର୍ମା

ଡକ୍ଟର ବିଜୟାନନ୍ଦ ସିଂହ

 

ପ୍ରକାଶକ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ଭୁବନେଶ୍ୱର

 

ଏକାଡେମୀ କର୍ତ୍ତୃକ ସର୍ବସତ୍ତ୍ୱାଧିକାର ସଂରକ୍ଷିତ । ରଚନାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ

 

ସଂପାଦକୀୟ

ସୂଚୀ

୧.

ନାଟ୍ୟାଚାର୍ଯ୍ୟ ଗୋପାଳ ଦାଶ : ଜୀବନ ଓ ସାହିତ୍ୟ

 

ଡକ୍ଟର ବାସୁଦେବ ଦାସ

୨.

‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ : କୃପାସିନ୍ଧୁ

ମିଶ୍ରଙ୍କ ଦୁଷ୍ପ୍ରାପ୍ୟ ରଚନା

 

ଡକ୍ଟର ପ୍ରସନ୍ନ କୁମାର ସ୍ଵାଇଁ

୩.

ସମର ସାହିତ୍ୟ ଓ ଓଡ଼ିଶାର ଜାତୀୟ ଗୌରବ

 

ଡକ୍ଟର ପ୍ରକାଶ କୁମାର ପରିଡ଼ା

୪.

ଗାଳ୍ପିକ ରାମପ୍ରସାଦ ସିଂହ

 

ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ

୫.

ପୂର୍ବ ଭାରତୀୟ ସାହିତ୍ୟ ଓ ସଂସ୍କୃତିରେ

କୃଷିକାରୀ ଶିବ

 

ଡକ୍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ

୬.

ମୁକୁନ୍ଦ ଦେବଙ୍କ କୃଷ୍ଣ ଅଭିଳାଷ : ଏକ ସ୍ପର୍ଶକ ଚିନ୍ତା

 

ଡକ୍ଟର ତୀର୍ଥାନନ୍ଦ ମିଶ୍ର

୭.

କାର୍ବି ଜନଗୋଷ୍ଠୀର ସୃଷ୍ଟି ଇତିହାସ ଏବଂ ସଂସ୍କୃତିରେ ‘‘ଚ’ ଜୁନ୍‌ପୂଜା’’ ତଥା ‘ନଖା ମାଗା’

 

ଡକ୍ଟର ଜ୍ୟୋତ୍ସ୍ନା ବିଶ୍ଵାଳ ରାଉତ

୮.

ଜଗନ୍ନାଥପ୍ରସାଦ ଦାସଙ୍କ କବିତା : ଆଦ୍ୟ ଉନ୍ମେଷ ପର୍ବ

 

ଡକ୍ଟର ଶତ୍ରୁଘ୍ନ ପାଣ୍ଡବ

 

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/-

୬.

ପ୍ରକାଶକଙ୍କ ନାମ

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଜଗଦୀଶ ପଣ୍ଡା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ

୮.

ସମ୍ପାଦକଙ୍କ ନାମ

ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ

ଶ୍ରୀ ଚନ୍ଦ୍ରଶେଖର ଦାସବର୍ମା

ଡକ୍ଟର ବିଜୟାନନ୍ଦ ସିଂହ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଡକ୍ଟର ହରପ୍ରସାଦ ପରିଛା ପଟନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ-।

 

ଡକ୍ଟର ହରପ୍ରସାଦ ପରିଛା ପଟନାୟକ

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

 

ସଂପାଦକୀୟ

ଓଡ଼ିଆ ଭାଷାର ପ୍ରାଚୀନତା : ଶାସ୍ତ୍ରୀୟ ମାନ୍ୟତା

 

ଓଡ଼ିଆ ଭାଷା ଏକ ପ୍ରାଚୀନ ଭାଷା । ଏହାର ଐତିହ୍ୟ ଓ ପରମ୍ପରା ମହାନ୍‌ । ଶତାବ୍ଦୀ ପରେ ଶତାବ୍ଦୀ ଏହି ଭାଷା ବିସ୍ତାରିତ ହୋଇଛି । ପ୍ରାକୃତରୁ ଆରମ୍ଭ ହୋଇ ଏହା କ୍ରମଶଃ ବିକଶିତ ହେବାରେ ଲାଗିଛି । କଳିଙ୍ଗ ଉତ୍କଳ, କୋଶଳର ଇତିହାସ ମଧ୍ୟ ଗୌରବମୟ । ଗୌତମ ବୁଦ୍ଧତ୍ୱ ଲାଭ କଲା ପରେ ଯେଉଁ ଦୁଇଜଣ ଶିଷ୍ୟ ପ୍ରଥମେ ତାଙ୍କର ଧର୍ମ ଗ୍ରହଣ କରିଥିଲେ, ସେମାନେ ହେଲେ ପ୍ରାଚୀନ କଳିଙ୍ଗର ଅଧିବାସୀ ତପସ୍ୱୁ ଓ ଭଲ୍ଲୀକ । ବୌଦ୍ଧ ଧର୍ମ ପ୍ରସାରରେ ଓଡ଼ିଶାର ଭୂମିକା ମଧ୍ୟ ଉଲ୍ଲେଖଯୋଗ୍ୟ । ଚଣ୍ଡାଶୋକ ଧର୍ମାଶୋକରେ ପରିଣତ ହୋଇଥିଲେ ବୋଲି କୁହାଯାଏ ଏଇ ଭୂମିରେ । ଧଉଳିର ଶିଳାନୁଶାସନ ଓଡ଼ିଶାର ସମୃଦ୍ଧ ଇତିହାସର ସୂଚନା ଦିଏ । ଓଡ଼ିଶାର ଅଭିବୃଦ୍ଧିରେ ଜୈନ ଧର୍ମର ସହଯୋଗ ସ୍ମରଣୀୟ । ଖଣ୍ଡଗିରି ଉଦୟଗିରି ଆଜି ବି ଅତୀତର ଗୌରବଗାଥାକୁ ନିଜ ବକ୍ଷରେ ତୋଳି ଧରିଛି । ଓଡ଼ିଆ ଭାଷାର ପ୍ରାଚୀନତମ ପ୍ରତ୍ନରୂପର ସ୍ଵରୂପ ଉତ୍ତୀର୍ଣ୍ଣ ହୋଇଛି ହାତୀଗୁମ୍ଫା ଶିଳାଲେଖରେ । ନୌବାଣିଜ୍ୟ କ୍ଷେତ୍ରରେ ଓଡ଼ିଶା ପ୍ରଶଂସିତ ହୋଇଥିଲା ଆନ୍ତର୍ଜାତିକ କ୍ଷେତ୍ରରେ ।

 

ସଂସ୍କୃତି ଓ ଐତିହ୍ୟପୂର୍ଣ୍ଣ ଓଡ଼ିଶାର ଭାଷା ହେଉଛି ଓଡ଼ିଆ । ଏହି ଭାଷାର ଲିପି ମଧ୍ୟ ସୁନ୍ଦର ଓ ଆକର୍ଷଣୀୟ । ଓଡ଼ିଆ ଭାଷାର ଶବ୍ଦ ଓ ପ୍ରକାଶ ଶୈଳୀ ମାନବିକ ସଂପତିର ଅନ୍ୟତମ ଶ୍ରେଷ୍ଠ ସଂକେତ । ଏକଥା କହିବାର ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗ-

 

ଭାଷାକୁ ଭିତ୍ତିକରି ଓଡ଼ିଶା ପ୍ରଦେଶର ଜନ୍ମ । ଏହା ଭାରତ ବର୍ଷର ଭାଷାଭିତ୍ତିକ ପ୍ରଥମ ପ୍ରଦେଶ । ଏହି ନୀତି ମଧ୍ୟ ଅନୁସୃତ ହୋଇଛି ସ୍ଵାଧୀନ ଭାରତବର୍ଷରେ । ଏଣୁ ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ଓଡ଼ିଆ ଭାଷାର ଏକ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତୀୟ ଭାଷାର ଶାସ୍ତ୍ରୀୟ ମାନ୍ୟତା ବିଚାର କଲାବେଳେ ଓଡ଼ିଆ ଭାଷା ଯେ ଏ କ୍ଷେତ୍ରରେ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ଦାବି କରିବ, ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ଭାଷା ହେଉଛି ଭାବର ବାହକ । ହୃଦୟର ଉପଲବ୍‌ଧିର ଯଥାର୍ଥ ପରିପ୍ରକାଶ ଭାଷା ମାଧ୍ୟମରେ ପ୍ରତିଫଳିତ ହୋଇଥାଏ । ଏକ ହୃଦୟର ଭାବ ଅନ୍ୟ ଏକ ହୃଦୟକୁ ସଂପ୍ରସାରିତ ହୋଇଥାଏ ଭାଷା ମାଧ୍ୟମରେ । ତେଣୁ ମାନବିକ ଶକ୍ତିର ବିକାଶରେ ଭାଷାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ବିଶ୍ଵରେ ୬୦୦୦ରୁ ଅଧିକ ଭାଷା ରହିଛି । ସଂସ୍କୃତ, ଗ୍ରୀକ୍‌, ଚାଇନିଜ୍‌, ଲାଟିନ ଓ ଆରବିକ ଭାଷା ଶାସ୍ତ୍ରୀୟ ଭାଷା ବା କ୍ଲାସିକ୍‌ ଲାଙ୍ଗୁଏଜ୍‌ ଭାବରେ ପୃଥିବୀରେ ଜଣାଶୁଣା । ଏହି ଭାଷାଗୁଡ଼ିକ ଅତ୍ୟନ୍ତ ପ୍ରାଚୀନ, ଏହି ଭାଷାଗୁଡ଼ିକର ଲିପି, ଅକ୍ଷର, ଶବ୍ଦ, ବାକ୍ୟ, ସ୍ଵର, ଧ୍ଵନି ଏକାନ୍ତ ନିଜସ୍ଵ । ଏମାନଙ୍କର ରହିଛି ଏକ ସ୍ଵତନ୍ତ୍ର ପରିଚୟ ।

 

ବହୁଦିନ ଧରି ଭାରତରେ ଦାବି ହୋଇ ଆସୁଥିଲା ଯେ ତାମିଲକୁ ଶାସ୍ତ୍ରୀୟ ଭାଷା ଭାବରେ ଘୋଷଣା କରାଯାଉ । ଏଠାରେ ସୂଚନା ଦିଆଯାଇପାରେ ୧୯୨୧ରେ ଏଡ଼ଓ୍ୱାର୍ଡ଼ ସପିର୍‌ ଲାଙ୍ଗୁଏଜ୍‌ ନାମକ ଏକ ଗ୍ରନ୍ଥରେ ଗ୍ରୀକ୍‌ ଓ ଲାଟିନ୍‌ ସହ ଶାସ୍ତ୍ରୀୟ ଭାଷା ରୂପେ ଚାଇନିଜ୍‌, ଆରବିକ୍‌ ଓ ସଂସ୍କୃତକୁ ମାନ୍ୟତା ଦେଲେ । ୨୦୦୫ରେ ପ୍ରଥମେ ତାମିଲ ତା'ପରେ ସଂସ୍କୃତ କ୍ଲାସିକାଲ ଭାଷାର ମାନ୍ୟତା ଲାଭ କଲା । ସେମାନଙ୍କର ବହୁଦିନର ଦାବି ପୂରଣ ହେଲା । ତାମିଲକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଭାରତ ସରକାର ପ୍ରଦାନ କଲେ ଏବଂ କୁହାଗଲା କେତେକ ସର୍ତ୍ତ ପୂରଣ କଲେ ଗୋଟିଏ ଭାଷାକୁ କ୍ଲାସିକାଲ ବୋଲି ସ୍ଵୀକାର କରାଯିବ । ସର୍ତ୍ତଗୁଡ଼ିକ ହେଲା-

 

୧)

ଭାଷାର ଅନ୍ୟୁନ ୧୫୦୦-୨୦୦୦ ବର୍ଷର ଲିଖିତ ସାହିତ୍ୟ ଓ ପ୍ରାଚୀନ ଇତିହାସ ଥିବ ।

୨)

କାଳକାଳ ଧରି ଏହି ଭାଷାର ପ୍ରାଚୀନ ସାହିତ୍ୟ ଓ ଗ୍ରନ୍ଥ ରଚନାର ଏକ ପରମ୍ପରା ଥିବ ।

୩)

ଉକ୍ତ ଭାଷାର ସ୍ଵାତନ୍ତ୍ର୍ୟ ରହିଥିବ ଅର୍ଥାତ୍‌ ଭାଷା ଅନ୍ୟ ଏକ ଭାଷା ଦ୍ଵାରା ପ୍ରଭାବିତ ନ ହୋଇ ମୌଳିକ ସୃଷ୍ଟିରେ ଭାସ୍ଵର ହୋଇଥିବ ।

୪)

ଆଧୁନିକ ଭାଷାଠାରୁ ଏହା ସଂପୂର୍ଣ୍ଣ ଭାବରେ ଭିନ୍ନ ହୋଇଥିବ ଅର୍ଥାତ୍‌ ଭାଷାର ବିକାଶଧାରା ତତ୍‌ପରବର୍ତ୍ତୀ ଭାଷା ଓ ତା'ର ଉପଶାଖା ବା ଉପଭାଷାଠାରୁ ବିଚ୍ଛିନ୍ନ ହୋଇଥିବ ।

 

ଏଇ ମାପକାଠି ବିଚାରକୁ ନେଇ ୨୦୦୮ ମସିହାରେ ତେଲୁଗୁ ଓ କନ୍ନଡ଼ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି ।

 

କ୍ଲାସିକାଲ ମାନ୍ୟତା ପାଇଲେ ଗୋଟିଏ ଭାଷା ଯେପରି ଗର୍ବ ଓ ଗୌରବର ପ୍ରତୀକ ହେବ ସେହିପରି ଭାଷାର ବିକାଶରେ ମଧ୍ୟ ପ୍ରୋତ୍ସାହନ ଓ ଆର୍ଥିକ ସହଯୋଗ ସରକାରଙ୍କଠାରୁ ମିଳିପାରିବ । ଏବେ ବିଚାର କରିବା ସେହି ପ୍ରୋତ୍ସାହନ କ'ଣ ? ତା‘ହେଲା-

 

(କ)

ଶାସ୍ତ୍ରୀୟ ମାନ୍ୟତା ପାଉଥିବା ଭାଷାର ଗବେଷକମାନଙ୍କ ପାଇଁ ବର୍ଷକୁ ଦୁଇଟି ମର୍ଯ୍ୟାଦାପୂର୍ଣ୍ଣ ଆନ୍ତର୍ଜାତିକ ପୁରସ୍କାର ପ୍ରତିଷ୍ଠା ।

(ଖ)

ଉକ୍ତ ଭାଷାର ଅଧ୍ୟୟନ ସର୍ବୋପରି ଗବେଷଣା ପାଇଁ ସେଣ୍ଟର ଅଫ୍‌ ଏକ୍ରିଲେନ୍ସ ଅର୍ଥାତ୍‌ ଉଚ୍ଚମାନର ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହି କେନ୍ଦ୍ର ଭାରତବର୍ଷର ବିଭିନ୍ନ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ଖୋଲିବା ସହ ପଦବୀ ପ୍ରଭୃତି ସ୍ଥାନ ପାଇବା ପାଇଁ ବିଶ୍ଵବିଦ୍ୟାଳୟ ମଞ୍ଜୁରୀ କମିଶନକୁ ନିର୍ଦ୍ଦେଶ ଦିଆଯିବ ।

(ଗ)

ଉକ୍ତ ଭାଷାର ବିକାଶ, ପ୍ରଚାର ଓ ପ୍ରସାର ପାଇଁ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କା ଅନୁଦାନ ଭାବରେ ପ୍ରଦାନ କରିବେ ।

(ଘ)

କେନ୍ଦ୍ର ବଜେଟରୁ ପ୍ରତିବର୍ଷ ଉକ୍ତ ଭାଷାର ଉନ୍ନତି ପାଇଁ ଅନ୍ୟୂନ ଅତି କମ୍‌ରେ ୫ କୋଟି ଟଙ୍କା ସଂପୃକ୍ତ ରାଜ୍ୟ ପାଇବ ।

(ଙ)

ଆନ୍ତର୍ଜାତୀୟ କ୍ଷେତ୍ରରେ ଉକ୍ତ ଭାଷାର ପ୍ରସାର ପାଇଁ ଷ୍ଟଡ଼ି ସେଣ୍ଟରର ସ୍ଥାପନ ଓ ଦ୍ୱିଭାଷିକ ସଂପର୍କ ପାଇଁ ଉଦ୍ୟମ ହେବ ।

 

ଏତଦ୍‌ବ୍ୟତୀତ ରାଜ୍ୟ ଓ ଆଞ୍ଚଳିକ ସ୍ତରରେ ବହୁବିଧ କାର୍ଯ୍ୟର ଆୟୋଜନ ହେବ । ସଂପୃକ୍ତ ଭାଷା ସାହିତ୍ୟର ଇତିହାସ ଓ ଅଗ୍ରଗତି ସମ୍ପର୍କରେ ଗବେଷଣା ପାଇଁ ବିଭିନ୍ନ ପ୍ରକଳ୍ପର ବ୍ୟବସ୍ଥା ରହିବ ଏବଂ ଗବେଷକମାନେ ଏଥିପାଇଁ ଅନୁଦାନ ପାଇବେ ।

 

ଏହିସବୁ କଥା ବିଚାର କଲାବେଳେ ଓଡ଼ିଆ ଭାଷାର ଇତିହାସ ଓ ପ୍ରାଚୀନତା ଆମ ଦୃଷ୍ଟିକୁ ଆସେ । ଶାସ୍ତ୍ର ଥିବାରୁ ଶାସ୍ତ୍ରୀୟ । ଯାହାକୁ ଇଂରାଜୀରେ କ୍ଲାସିକାଲ ଲିଟେରଚର ବୋଲି କୁହାଯାଇଛି । ଯେଉଁ ଭାଷା ବିପୁଳ ଶାସ୍ତ୍ରର ଗନ୍ତାଘର ତାହା ଶାସ୍ତ୍ରୀୟ ଭାଷା । ଅର୍ଥାତ୍‌ ଏହି ଭାଷା ସୁପ୍ରାଚୀନ ବୋଲି ଏଥିରୁ ପ୍ରମାଣ ମିଳେ ।

 

ଆମ ବିଚାରରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବାର ଯୋଗ୍ୟତା ରହିଛି । ଦଶମ ଏକାଦଶ ଶତାବ୍ଦୀରେ ପୂର୍ବ ଭାରତୀୟ ଅନ୍ୟ ସବୁ ଭାଷା ପରି ଭାରତୀୟ ଆର୍ଯ୍ୟଭାଷା ପରିବାରରୁ ମାଗଧିପ୍ରାକୃତ ପଥଦେଇ ଓଡ଼ିଆ ଭାଷା ବିକଶିତ ହୋଇଛି ବୋଲି କୁହାଯାଉଛି । କିନ୍ତୁ ବାସ୍ତବ ଦୃଷ୍ଟିରୁ ବିଚାର କଲେ ଜଣାପଡ଼େ ଯେ ଏଇ ଭାଷାର ପ୍ରାଚୀନ ଭିତ୍ତିଭୂମି ସୁଦୃଢ଼ । ପ୍ରାଚୀନ କଳିଙ୍ଗ ବା ଉଡ଼୍ର ଭୂମିର ପ୍ରସଙ୍ଗ ବିଭିନ୍ନ ପୁରାଣ ଓ ଗ୍ରନ୍ଥମାନଙ୍କରେ ବର୍ଣ୍ଣିତ ହୋଇଛି । ଯଥା- ମହାଭାରତ ଓ ସ୍କନ୍ଧ ପୁରାଣ କଥା ବିଚାରକୁ ନିଆଯାଇପାରେ । ଏହି ଐତିହ୍ୟପୂର୍ଣ୍ଣ ରାଜ୍ୟର ଭାଷା ସେତେବେଳେ କ’ଣ ଥିଲା ? ଉଡ଼୍ର ବିଭାଷାର କଥା ଭରତମୁନିଙ୍କ ରଚିତ ନାଟ୍ୟ ଶାସ୍ତ୍ରରେ ସୂଚୀତ ହୋଇଛି । ସେହିପରି ପ୍ରାକୃତ ସର୍ବସ୍ଵ ଗ୍ରନ୍ଥରେ ମାର୍କଣ୍ଡେୟ ଦାସ ଯେଉଁ ସଙ୍କେତ ଦେଇଛନ୍ତି ତାହା ଓଡ଼ିଆ ଭାଷାର ପ୍ରତ୍ନ ରୂପର ଯଥାର୍ଥ ପରିଚୟ ।

 

କଳିଙ୍ଗ ଯୁଦ୍ଧ ପରେ ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସମ୍ରାଟ ଅଶୋକଙ୍କ ଦ୍ୱାରା ସ୍ଥାପିତ ଶିଳାନୁଶାସନ ଧଉଳି ଓ ଜଉଗଡ଼ଠାରେ ଏବେ ଶୋଭା ପାଉଛି । ତା’ର ଭାଷା ହେଉଛି ମାଗଧି ପ୍ରାକୃତ ଭାଷା । ଏହା ଓଡ଼ିଆ ଭାଷାର ଭିତ୍ତି ବୋଲି ନିଃସନ୍ଦେହରେ କୁହାଯାଇପାରେ । ଏହାକୁ ପ୍ରାଚୀନ କଳିଙ୍ଗ ରାଜ୍ୟର ପ୍ରାରମ୍ଭିକ ଲିଖିତ ସାହିତ୍ୟର ନିଦର୍ଶନ ବୋଲି କୁହାଯାଇପାରେ । ଏହି ଶିଳାଲେଖରେ ସମ୍ରାଟ ଅଶୋକ ନିଜର ଅମାତ୍ୟମାନଙ୍କୁ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେଥିରେ ମାନବିକ ଚେତନାର ପରିପୂର୍ଣ୍ଣ ଦୟା ଓ ଉଦାରତାର ପରିଚୟ ମିଳେ ।

 

ସେହିପରି ସମ୍ରାଟ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ଆମ ଦୃଷ୍ଟିକୁ ଆସେ । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀ ଏହାର ସମୟ । ଏହି ଶିଳାଲେଖର ଭାଷା ପାଲି ଥିଲା । ଯାହା ଓଡ଼ିଆ ଭାଷାର ଅତି ନିକଟତମ । ଭାରତବର୍ଷରେ ଖୋଦିତ ହାତୀଗୁମ୍ଫା ଶିଳାଲେଖ ଏକମାତ୍ର ପାଲି ଶିଳାଲିପି ହୋଇଥିବାରୁ କଳିଙ୍ଗ ଯେ ଏଇ ଭାଷାର ପ୍ରାଚୀନ ଭୂମି ବୋଲି ସ୍ଵୀକାର କରାଯାଇପାରେ-। ଏଣୁ ଓଡ଼ିଆ ଭାଷାର ପ୍ରତି ରୂପର ସଙ୍କେତ ଏହା ପ୍ରଦାନ କରେ । ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ଯେପରି ବୋଧି ଦ୍ରୁମର ଚାରା ବିଭିନ୍ନ ସ୍ଥାନକୁ ପ୍ରେରଣ କରାଯାଉଥିଲା ସେହିପରି ପାଲି ଭାଷା ମଧ୍ୟ କଳିଙ୍ଗରୁ ବିଭିନ୍ନ ଦେଶ ଏପରିକି ସିଂହଳକୁ ପ୍ରେରିତ ହୋଇଥିବାର ପ୍ରମାଣ ମିଳୁଛି ।

 

ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀ ବେଳକୁ ଗୁପ୍ତ ରାଜତ୍ୱ କାଳରେ ବ୍ରାହ୍ମଣ୍ୟ ମନ୍ଦିର ନିକଟରେ ବୌଦ୍ଧ ବିହାର ପ୍ରତିଷ୍ଠା ହୋଇଥିବା ପରି ସଂସ୍କୃତ ସହିତ ସମାନ୍ତରାଳଭାବେ ଯେଉଁ ଅପଭ୍ରଂଶ ଭାଷାର ପ୍ରଚଳନ କଳିଙ୍ଗରେ ହୋଇଥିଲା, ତା’ର ସୂଚନା ହୁଏନ୍‌ସାଂଙ୍କ ବିବରଣୀରୁ ମିଳେ । ସପ୍ତମ ଶତାବ୍ଦୀରେ କଳିଙ୍ଗରେ ଭୌମକର ରାଜାମାନଙ୍କର ଦାନପତ୍ରଗୁଡ଼ିକରେ ବ୍ୟବହୃତ ଦିବ୍ୟ ସଂସ୍କୃତ ଭାଷାର ଅନ୍ତକାଳରେ କେତେକ ସ୍ଥାନରେ ଉଡ଼୍ର ଉଚ୍ଚାରଣର ସଙ୍କେତ ମିଳିଥାଏ । ଦଶମ ଏକାଦଶ ଶତାବ୍ଦୀରେ ରଚିତ ବୌଦ୍ଧଗାନ ବା ଚର୍ଯ୍ୟାଗୀତିର ଭାଷା ଯାହାକୁ ସନ୍ଧା ଭାଷା ବୋଲି କୁହାଯାଏ ତାହା, ଓଡ଼ିଆ, ବଙ୍ଗଳା, ଅସମୀୟା ସମେତ ସମସ୍ତ ପୂର୍ବ ଭାରତୀୟ ଭାଷାର ଆଦିରୂପ ବୋଲି ଦାବି ହେଉଛି । ଦୁଃଖର କଥା ଭାଷା ବିଶେଷଜ୍ଞମାନେ ଏହାର ପୂର୍ବବର୍ତ୍ତୀ ସମୟକୁ ପର୍ଯ୍ୟାଲୋଚନା କରିନାହାନ୍ତି । ଆମର ବିଶ୍ଵାସ ଏହା ଅଧିକ ଗବେଷଣା ଓ ଆଲୋଚନା ହେଲେ ଓଡ଼ିଆ ଭାଷାର ଉତ୍ସ ଯେ ଏହାର ପୂର୍ବବର୍ତ୍ତୀ ସମୟରେ ଥିଲା ତାହା ପ୍ରମାଣିତ ହେବ ।

 

ଏହିସବୁ କଥାକୁ ବିଚାର କଲେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାର ଯଥେଷ୍ଟ କାରଣ ରହିଛି । କିନ୍ତୁ ଦୁଃଖର କଥା ଆମେ ଆମ ପରମ୍ପରା ଓ ଐତିହ୍ୟ ପ୍ରତି ସଚେତନ ହୋଇପାରୁ ନାହୁଁ । ଆମର ଗର୍ବ ଓ ଗୌରବର ଯଥାର୍ଥ କାରଣକୁ ଜାତୀୟ ସ୍ତରରେ ଠିକ୍‌ଭାବରେ ଉପସ୍ଥାପିତ କରିବାର ସୁଯୋଗରୁ ଆମେ ବଞ୍ଚିତ ହେଉଛୁ । ଏବେ ସମୟ ଆସିଛି ଆମେ ସମ୍ମିଳିତ ଭାବେ ଆମ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ନ୍ୟାଯ୍ୟ ଦାବି ଉପସ୍ଥାପନ ଦିଗରେ ଆନ୍ତରିକ ଭାବେ ଚେଷ୍ଟା କରିବା ।

 

ସଂସ୍କୃତି ଭବନ

ଭୁବନେଶ୍ଵର

ବିଜୟାନନ୍ଦ ସିଂହ

ସଂପାଦକ

 

 

ନାଟ୍ୟାଚାର୍ଯ୍ୟ ଗୋପାଳ ଦାଶ : ଜୀବନ ଓ ସାହିତ୍ୟ

ଡକ୍ଟର ବାସୁଦେବ ଦାସ

 

ଊନବିଂଶ ଶତାବ୍ଦୀର ଶେଷ ପାଦରେ ଓଡ଼ିଆ ସାହିତ୍ୟର ସର୍ବତୋମୁଖୀ ବିକାଶ ଘଟିଅଛି-। କବିବର ରାଧାନାଥଙ୍କର କାବ୍ୟଚେତନା ପରବର୍ତ୍ତୀ ସାରସ୍ୱତ ସ୍ରଷ୍ଟାମାନଙ୍କର ଆଦର୍ଶ ଭାବେ ବିବେଚିତ । ସତ୍ୟବାଦୀ ଭାବାଦର୍ଶ ଜାତୀୟତାର ଯେଉଁ ଶତଦଳ ବିକଶିତ ହେଲା ତାହାର ରାଧାନାଥୀ ଜାତୀୟ ଜାଗରଣର ଭାବଭୂମି । କାବ୍ୟ କବିତା କ୍ଷେତ୍ରରେ ଓଡ଼ିଆ ନିଜର ଆତ୍ମ ପରିଚୟ ଫେରି ପାଉଛି ତାହା ନୁହେଁ; ଓଡ଼ିଆ ନାଟକ ସୃଷ୍ଟିରେ ମଧ୍ୟ ଉତ୍କଳୀୟ ନିଜସ୍ଵ ସତ୍ତାକୁ ଉପଲବ୍‌ଧି କରିବାରେ ସମର୍ଥ ହୋଇଅଛି । ମୋହନ ଗୋସ୍ଵାମୀ ଜଗନ୍ନାଥ ପାଣି, ବୈଷ୍ଣବ ପାଣି, ଗୋପାଳଦାଶ ଓ ମୀର୍ଜା ଉଜୀରବେଗ୍‌ ଲୋକନାଟ୍ୟ ପରମ୍ପରାରେ ଅଭିନବ ପରିବର୍ତ୍ତନ ଆଣିଛନ୍ତି । ପୌରାଣିକ ବିଷୟବସ୍ତୁ ମଧ୍ୟରେ ଓଡ଼ିଆ ଜନ ଜୀବନର ତଥା ଓଡ଼ିଶା ମାଟିର ପ୍ରାଣସ୍ପନ୍ଦନ ଅନୁଭୂତ ହୋଇଛି । କିନ୍ତୁ ଏହି ନାଟ୍ୟକାର ତଥା ଗଣକବିମାନଙ୍କ ମଧ୍ୟରେ ଗୋପାଳ ଦାସ ଯେ ଓଡ଼ିଆ କାବ୍ୟ କୋଣାର୍କର ଦଧି ନଉତି ବସାଇ ପାରିଛନ୍ତି, ତାହାକୁ ବିଶେଷ ଧ୍ୟାନ ଦିଆଯାଇପାରି ନାହିଁ । ସ୍ଥୂଳତଃ ରାଧାନାଥ ପ୍ରମୁଖ ଅଭିଜାତ ଶିକ୍ଷିତ ଶ୍ରେଣୀ ବୌଦ୍ଧିକ ସାହିତ୍ୟ ସୃଷ୍ଟି, କରିଥିବାବେଳେ ଗୋପାଳଦାସ, ବୈଷ୍ଣବ ପାଣି ଲୋକ ସାହିତ୍ୟ ସୃଷ୍ଟିକରି ଅଗଣିତ ଦର୍ଶକ ଓ ଶ୍ରୋତାଙ୍କ ମନରେ ଆନନ୍ଦ, ଉଲ୍ଲାସ ଓ ଐକ୍ୟ ସଂହତିର ମହାମନ୍ତ୍ର ଦାନ କରିବାକୁ ସମର୍ଥ ହୋଇଥିଲେ । ଦୁଃଖ ଓ ନୈରାଶ୍ୟର କଥା ଗୋପାଳଦାସଙ୍କର ଚର୍ଚ୍ଚା ବିଶେଷ ହୋଇପାରି ନଥିବାରୁ ସେ ଅବହେଳିତ ପ୍ରତିଭା ହୋଇ ରହିଗଲେ ।

 

ଓଡ଼ିଆ ନାଟ୍ୟ ଜଗତ୍‌ର କିମ୍ବଦନ୍ତୀ ପୁରୁଷ ଗୋପାଳ ଦାଶଙ୍କର ଆବିର୍ଭାବ ୧୮୭୬ ମସିହା ମେ ମାସ ୩୦ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ପନ୍ଦସିଂହୀ ଗ୍ରାମରେ ଏକ ଦରିଦ୍ର ବ୍ରାହ୍ମଣ ପରିବାରରେ ଘଟିଥିଲା । କେନ୍ଦ୍ରାପଡ଼ାର ପ୍ରଖ୍ୟାତ ଦାନବୀର ଜମିଦାର ରାଧାଶ୍ୟାମ ନରେନ୍ଦ୍ର ପ୍ରତିଷ୍ଠା କରିଥିବା ଦେବତାଙ୍କର ସେବା ପୂଜା ନିମନ୍ତେ ଯାଜପୁରରୁ ଚାରିଜଣ ବ୍ରାହ୍ମଣ ଅଣାଇଥିଲେ-। ଗୋପାଳ ଦାଶଙ୍କର ପଣ ଜେଜବାପା ବେଣୁଧର ଦାସ ପଳସିଂହୀ ମଠର ବୃନ୍ଦାବନଚନ୍ଦ୍ର ଠାକୁରଙ୍କ ପୂଜକ ଭାବେ ନିଯୁକ୍ତି ପାଇ ଆସିଥିଲେ । ବେଣୁଧର ଦାଶ ସପରିବାର ବସବାସ କରି ରହିବା ପରେ ତାଙ୍କର ବଂଶଧରଙ୍କର ବୃନ୍ଦାବନ ଚନ୍ଦ୍ର କୁଳଦେବତା ରୂପେ ଆରାଧିତ ହେଲେ । ଗୋପାଳଦାସ ନିଜର ପରିଚୟ ଦେବାକୁ ଯାଇ କହିଛନ୍ତି :

 

“ବାହ୍ମୀ ନଦୀତଟ, ଚଉଦକୁଲାଟ

ନାଟକ ରଚିତ ପଳସିଂହାମଠ ।’’

 

ନିତ୍ୟାନନ୍ଦ ସଂପ୍ରଦାୟ କହେ ଗୋପାଳ ବ୍ରାହ୍ମଣର ଚାଟ । ଗୋପାଳଙ୍କ ବଂଶଧର ବିଶୁଦ୍ଧ ବୈଷ୍ଣବ ଧର୍ମାବଲମ୍ବୀ ଥିଲେ । ତାଙ୍କର ପିତା କହ୍ନେଇ ଲାଲ ଭକ୍ତିମାର୍ଗର ପୂଜକ ଏବଂ ଜଣେ ନାଟ୍ୟକାର ଥିଲେ । ମାତା ଜେମାଦେଈ ମଧ୍ୟ ଆଦର୍ଶ ଗୃହିଣୀ ଥିଲେ । ଗୋପାଳ ଥିଲେ ସେମାନଙ୍କର ଜ୍ୟେଷ୍ଠ ପୁତ୍ର । ଶାନ୍ତ, ସରଳ, ଭଦ୍ର ଓ ଅମାୟିକ ଚରିତ୍ରର । ଗୋପାଳଙ୍କର ଅନ୍ୟ ଭାଇ ଓ ଭଉଣୀଙ୍କ ଭିତରେ ସେ ବାରି ହୋଇ ପଡ଼ୁଥିଲେ । ପ୍ରତିଭା ଫୁଟି ଉଠେ । ତା’ର ଚହଟ ବାସ ନିଆରା । ତୁଳସୀ ଦୁଇ ପତ୍ରରୁ ବାସିବା ଭଳି ଗୋପାଳଙ୍କ କଣ୍ଠରେ ଅନୁରଣିତ ହୋଇଥିଲା କବିତା ଗୀତ ଓ ଭଜନାଦି । ସୁଲଳି, ମଧୁର ସ୍ଵର ଶୁଣି ଲୋକେ କହନ୍ତି ଏ ଟୋକାଟା ନିଶ୍ଚେ ନାଁ କରିବ । ଗୋପାଳ ଗ୍ରାମ ଚାଟଶାଳୀରେ ପ୍ରାର୍ଥନା/ ସ୍ତବ କଲାବେଳେ ତାଙ୍କ ସ୍ଵର ମୂର୍ଚ୍ଛନାରେ ସମସ୍ତେ ଭାବ ବିହ୍ୱଳ ହୋଇ ପଡ଼ୁଥିଲେ । ଗ୍ରାମ ଚାହାଳୀରେ ଗୋବିନ୍ଦ ଓଝା ଶିକ୍ଷାଦାନ ଛଳରେ ମଧ୍ୟ ଗୀତ ଗାଇବାର ପ୍ରେରଣା ସୃଷ୍ଟି କରିଥିଲେ । ସଂଗୀତ ଓ ବାଦ୍ୟଯନ୍ତ୍ର ଚାଳନାରେ ତାଙ୍କର ଅପୂର୍ବ ପାରଦର୍ଶିତା ପ୍ରମାଣିତ ହୋଇଥିଲା । ମାତ୍ର ଦର୍ଶବର୍ଷ ବୟସରେ ଗୀତବାନ୍ଧି ପାରୁଥିଲେ । ତାଙ୍କର ପିତା କହ୍ନେଇଲାଲଙ୍କୁ ସେ ଆଶ୍ଚର୍ଯ୍ୟାନ୍ୱିତ କରି ପାରିଥିଲେ । ପିତାଙ୍କର ନେତ୍ର ଛଳ ଛଳ ଅଶ୍ରୁ ଭିତରେ ଝରି ପଡ଼ିଥିଲା, ‘ମୋ ନାଁ ପାଣି ରଖିବୁରେ ଗୋପାଳ’ । ବାପାଙ୍କ ଉପଦେଶ ଅନୁସାରେ ଗୋପାଳ ବୃନ୍ଦାବନଜୀଙ୍କ ପାଖରେ ଧାରଣା ଦେଲେ । ସ୍ୱପ୍ନାବିଷ୍ଟ ହେଲା- ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ । ବଳଦ ମୁଣ୍ଡରେ ଶିଙ୍ଗରୋପ କରାଯାଏ ନାହିଁ, କି କୁମାରୀ ବକ୍ଷରେ ସ୍ତନ ସ୍ଥାପନ କରାହୁଏ ନାହଁ । ସମୟାନୁକ୍ରମେ ଏହା ଉଦ୍‌ଗମିତ ହେବା ପରି ପ୍ରତିଭାର ଉନ୍ମେଷ ଘଟେ । ଗୋପାଳଙ୍କ ପ୍ରତି ସ୍ନେହାଶିଷ ଓ ଶ୍ରଦ୍ଧା ତାଙ୍କୁ ଅନୁପ୍ରେରିତ କଲା । ଅଧ୍ୟବସାୟ ପ୍ରତିଭାକୁ ନବନବ ଉନ୍ମେଷଶାଳିନୀ ପ୍ରଜ୍ଞାରେ ରଞ୍ଜିତ କରେ । ଗୋପାଳଙ୍କ ପ୍ରାଣରେ ପିପଠ୍‌ଠିଷା ଉଦ୍ରେକ ହୁଏ । ସେ ପ୍ରାଚୀନ ପୁରାଣ, ଶାସ୍ତ୍ର ଓ ମଧ୍ୟଯୁଗୀୟ କାବ୍ୟମାନ ଅଧ୍ୟୟନ କରି ତାହାକୁ ଆୟତ୍ତ କରିଲେ । କହ୍ନେଇଲାଲ ପୁତ୍ରର ସାରସ୍ଵତ ସୁଗୁଣକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ନିଜର ନାଚଦଳରେ ଗୋପାଳଙ୍କୁ ନିୟୋଜନ କରିଲେ । ବିଭିନ୍ନ ସ୍ଥାନରେ ଯାତ୍ରାଦଳରେ ଗୀତାଭିନୟ କରିବାକୁ ଗୋପାଳ ସୁଯୋଗ ପାଇଲେ । ସେ ସମୟରେ ଯାତ୍ରା ଦୁନିଆରେ ଜଗନ୍ନାଥ ପାଣି ଓ ଶିବ ଘଢ଼େଇ ପ୍ରମୁଖଙ୍କର ବେଶ୍‌ ଖାତିର ଥିଲା । ସେମାନଙ୍କ ଯାତ୍ରାର ରୀତିନୀତି ସବୁ ନିରୀକ୍ଷଣ କରି ଗୋପାଳଙ୍କ ମନରେ ଦୁର୍ବାର ବାସନା ଜାଗିଲା, ସେ ଚାହିଁଲେ ନିଜେ କିପରି ଯାତ୍ରାଦଳଟିଏ ଗଠନ କରି ନୂତନରୂପ ଦେବେ ଓଡ଼ିଆ ଲୋକନାଟକକୁ ।

 

ପୁରାଣମାନ ଅଧ୍ୟୟନଲବ୍ଧ କାହାଣୀ, ଭଞ୍ଜ ଦୀନ କୃଷ୍ଣ, କବିସୂର୍ଯ୍ୟ ଓ ଅଭିମନ୍ୟୁଙ୍କର କାବ୍ୟ କବିତାର ରାଗ ରାଗିଣୀରୁ ଆବିଷ୍କାର କଲେ ସ୍ଵର ଓ ଲୟର କଳା କୌଶଳ । ପିତାଙ୍କର ଯାତ୍ରା ଦଳ ଭିତରେ ଥାଇ ଯେଉଁ ପରିକଳ୍ପନା ଜାତ ହେଲା, ତାହାକୁ ଓଡ଼ିଶାର ଗ୍ରାମ୍ୟଜନତାଙ୍କ ପାଖରେ ପରିବେଷଣ କରିବାର ଇଚ୍ଛା ଥିଲା ପ୍ରବଳ । ଗୋପାଳ ଗାଁ ମାଟିର ସ୍ପନ୍ଦନ ଅନୁଭବ କରିଥିଲେ । ଗାଁର ସାଧାରଣ ମଣିଷର ଚାଲି ଚଳଣି ଓ ସଂସ୍କୃତି ଭିତରେ ଗୋପାଳର ଅନୁଭବ ଥିଲା ଚିର ଜାଗ୍ରତ । ତେଣୁ ସେମାନଙ୍କ ଭାବ ଓ ଭାଷାକୁ ଆଧାର କରି ରଚନା କଲେ ନାଟକ, ସୁଆଙ୍ଗ ଓ ଗୀତାଭିନୟ । କହ୍ନେଇଲାଲଙ୍କ ଯାତ୍ରା ପାଟି ମଧ୍ୟରୁ ଗୋପାଳ ଦାଶଙ୍କ ଅଭିନୟ, ନିର୍ଦ୍ଦେଶନା ଓ କବିତ୍ୱର ସ୍ଫୁରଣ ହୋଇଥିଲା ।

 

ବିଂଶ ଶତାବ୍ଦୀର ଆଦ୍ୟ ପାଦରେ କେନ୍ଦ୍ରାପଡ଼ାର ବଡ଼କୋଠା ଥିଲା ସଂଗୀତ ଓ ନାଟକର ପ୍ରାଣକେନ୍ଦ୍ର । ଏହି ବଂଶକୁ ରାଧାଶ୍ୟାମ ନରେନ୍ଦ୍ର ଯାଜପୁରର ଅହୀୟାସ ସନ୍ନିକଟ ଦଧିବାମନ ସାଇରୁ ଆଣି ସ୍ଵ ଜମିଦାରୀରେ ପ୍ରତିଷ୍ଠିତ କରାଇଥିଲେ । ବେଣୁଧରଙ୍କର ପାଣ୍ଡିତ୍ୟ ଓ ପୂଜାରୀତି ନୀତି ଜନିତ ସର୍ବଜନ ପ୍ରଶଂସିତ । ଏଣୁ ବଡ଼କୋଠା ଜମିଦାରଙ୍କର ଆରାଧ୍ୟ ଦେବତା ରାଧା ଗୋବିନ୍ଦଙ୍କର କହ୍ନେଇଲାଲ ବଂଶ ପୂଜକ ଥିଲେ । ରାଧାଶାମ ନରେନ୍ଦ୍ରଙ୍କର ନୀତି ବଳରାମ ଭ୍ରମରବର ଅତି ଧର୍ମପ୍ରାଣ, ସଂସ୍କୃତି ସଂପନ୍ନ ଓ ସଂଗୀତ ନାଟକ ପ୍ରିୟ । ଏହି ବଂଶର ଜମିଦାର ଗୋକୁଳ ଚନ୍ଦ୍ର ଶ୍ରୀଚନ୍ଦନ ଭାରତ ବିଖ୍ୟାତ ସଂଗୀତଜ୍ଞ । ଏଣୁ କହ୍ନେଇଲାଲଙ୍କ ନାଟ୍ୟ ପ୍ରତିଭା ବଡ଼କୋଠା ଜମିଦାରଙ୍କର ଆଦର ଲାଭ କରିଥିଲା । ପୁତ୍ର ଗୋପାଳ ଯେ ପିତାଙ୍କଠାରୁ ଢେର୍‌ଗୁଣରେ ଉତ୍ତମ ଅଭିନେତା ଓ ନାଟ୍ୟକାର ତାହା ବଳରାମ ବାବୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲା-। ଗୋପାଳ ଜମିଦାରଙ୍କର ଖୁବ ନିକଟ ସଂପର୍କୀୟ ପରି ଆସ୍ଥାନ ଜମେଇ ଥିଲେ । ତେଣୁ ତାଙ୍କର ଆର୍ଥିକ ସହାୟତା ଓ ପ୍ରେରଣାରେ ଗୋପାଳ ଦାସଙ୍କର ଯାତ୍ରାଦଳ ସ୍ଵୀକୃତି ଲାଭ କଲା । ଓଡ଼ିଆ ଲୋକନାଟକର ନୂତନବାର୍ତ୍ତା ବହନ କରି ଠିଆହେଲା ଗୋପାଳଙ୍କର ମାନସପ୍ରସୂତ ସାରସ୍ଵତ ସନ୍ତାନ । ଅନ୍ୟ ପକ୍ଷରେ ବିଭିନ୍ନ ସ୍ଥାନରେ ଗଢ଼ି ଉଠିଥିବା ନାଚଦଳଗୁଡ଼ିକ କ୍ରମେ ନିଷ୍ପ୍ରଭ ହୋଇ ଆସିଥିଲେ । ମଣି କାଞ୍ଚନର ସଂଯୋଗରେ ନୂତନ ଦୀପ୍ତି ବିଛୁରିତ ହେଲା ପରି ବଳରାମ ବାବୁଙ୍କ ପୃଷ୍ଠପୋଷକତାରେ ଆତ୍ମପ୍ରତିଷ୍ଠା କରିଥିବା ଗୋପାଳ ଦାସଙ୍କ ଯାତ୍ରୀଦଳ ପ୍ରତି ଆସିଲା ଅଦ୍‌ଭୂତ ଜାଗରଣ । ଜନ ସମର୍ଥନ ଓ ଜନଙ୍କର ଅଂଶ ଗ୍ରହଣ ମାତ୍ର ଅଳ୍ପ କାଳ ମଧ୍ୟରେ ଗୋପାଳଙ୍କର କୀର୍ତ୍ତିର ସୁରଭି ମେଲିଗଲା ଓଡ଼ିଶା ଓ ଓଡ଼ିଶା ବାହାରକୁ ।

 

ବ୍ୟକ୍ତିତ୍ୱ : ଗୋପାଳ ଦାସ ସର୍ବଦା ରାଜାର ଅଭିନୟ କରୁଥିଲେ । ବାସ୍ତବରେ ତାଙ୍କର ରାଜକୀୟ ଠାଣୀ ତାଙ୍କୁ ବ୍ୟକ୍ତିତ୍ଵର ଅନ୍ୟତମ ପ୍ରଦୀପ୍ତ ଶିଖା । ସେ ଥିଲେ ସୌମ୍ୟ ଓ ରୂପବନ୍ତ । ଧୀର ଓ ପ୍ରଶାନ୍ତ ଗମ୍ଭୀର । କୌଣସି ଆକ୍ଷେପ ବା ସମାଲୋଚନାରେ ସେ ବିରକ୍ତି ପ୍ରକାଶ କରନ୍ତି ନାହିଁ । ଲୋକମତକୁ ସହାସ୍ୟ ବଦନରେ ଗ୍ରହଣ କରନ୍ତି । ପରିଚ୍ଛନ୍ନ ଚେହେରାକୁ ପରିଚ୍ଛନ୍ନ ବ୍ୟକ୍ତିତ୍ୱ-। ତାଙ୍କର ପୋଷାକ ପରିଚ୍ଛଦ ମଧ୍ୟ ଅଭିନବ । ଦକ୍ଷିଣ ହସ୍ତର ବାହୁରେ ମୋଡ଼ା ହୋଇଥିବା ସୁନାତଗ, ବାଜୁ, ଅଙ୍ଗୁଳିରେ ତିନୋଟି ସ୍ୱର୍ଣ୍ଣ ମୁଦ୍ରିକା, ବେକରେ ତିନିସରି ସୁନାର ଚେନ । ଅଣ୍ଟାରେ ସୁନାର ଅଣ୍ଟାସୁତା, କର୍ଣ୍ଣରେ ହଳେ ମକର କୁଣ୍ଡଳ ଓ କୁଣ୍ଡଳପରେ ଦୁଇଟି ସୁନାର ବାଉଳି । ମସରାଇଜ୍‌ଧୋତି, ମଠାପଞ୍ଜାବି ଓ ତା’ପରେ ଭାଙ୍ଗୁଣି ଚାଦର ! ଦୂରସ୍ଥାନକୁ ଯାତ୍ରା କରିବାକୁ ଯାଆନ୍ତି ଅଶ୍ଵାରୋହଣ କରି, ସାଥୀରେ ଥାନ୍ତି ଦୁଇଜଣ ବଳବାନ୍‌ ମୁସଲମାନ ବ୍ୟକ୍ତି । ତାଙ୍କର ଏଇ ସବୁଦିନିଆ ବେଶ ପୋଷାକ ବିସ୍ମୟ ସୃଷ୍ଟି କରିଥାଏ । ଜଣେ ଦରିଦ୍ର ବ୍ରାହ୍ମଣ ଏଇ ବେଶରେ ଆଭିଜାତ୍ୟ ରକ୍ଷା କରିବା କମ୍‌କଥା ନୁହେଁ । କଳାକାର କଳା ପାଇଁ ପାଗଳ । ଜୀବନଟା ଯେତେବେଳେ କଳା ବିଜଡ଼ିତ, ସେତେବେଳେ ତାହାର ସ୍ୱତନ୍ତ୍ର ପାରିବାରିକ ଜୀବନ ଅଦ୍ୟନ୍ତ ଗୌଣ । ଭେକ ଦେଖି ଲୋକେ ଭିକ ଦିଅନ୍ତି । ତେଣୁ ଯାତ୍ରାଲବ୍ଧ ଅର୍ଥ ଓ ପୁରସ୍କାର ଆଦିରେ ନିଜକୁ ରାଜକୀୟ ଥାଟରେ ସଜାଇ ରଖିଥିଲେ । ତଦ୍ଦ୍ୱାରା ସେ ଜଣାଇ ଦେଉଥିଲେ - ଜଣେ କଳାକାର କଳାର ପ୍ରତୀକ ଭାବେ ଠିଆ ହଉ । ଅତ୍ୟନ୍ତ ଭଦ୍ର ଓ ନମ୍ର ହେତୁ ତାଙ୍କୁ ସମାଜରେ ବେଶ୍‌ ଖାତିର୍‌ ମିଳୁଥିଲା । ସେ ସର୍ବତ୍ର ‘ଗୋସେଇଁ’ ଭାବେ ପରିଚିତ ଥିଲେ । ଗ୍ରାମ ଓ ଆଖ ପାଖ ମୌଜାର ମନୋମାଳିନୀ ନ୍ୟାୟ- ନିଶାପ ଦ୍ୱାରା ସମାଧାନ କରି ଦେଉଥିଲେ । ଗୋପାଳ ଦାଶ ଯାତ୍ରାଭିନୟରେ କେବଳ କ୍ରାନ୍ତି ଆଣି ନଥିଲେ; ‘ଯାତରା କରନ୍ତି ଛତରା’ ଏଭଳି ହୀନମନ୍ୟତାକୁ ସମୂଳ ପରିବର୍ତ୍ତନ କରି ଦେଇଥିଲେ । କଳା ସହିତ କଳାକାରର ସମ୍ମାନ ସମାଜରେ ବଜାୟ ରଖିବା ତାଙ୍କର ଥିଲା ଅନ୍ୟ ଏକ ଉଦ୍ଦେଶ୍ୟ । ଶ୍ରୋତା ବା ଦର୍ଶକ ମଣ୍ଡଳୀଙ୍କର ପ୍ରଶ୍ନ ସରଳ ବ୍ୟାଖ୍ୟା କରି ବୁଝାଇ ପାରୁଥିଲେ । ଲୋକେ ସେଥିରୁ ଜାଣୁଥିଲେ ଯେ ମୁଖସ୍ତ କରି ଗୋପାଳ ଯାତ୍ରା କରନ୍ତି ନାହିଁ । ତାଙ୍କର ଅଗାଧ ପାଣ୍ଡିତ୍ୱ ଓ ଆଶୁ କବିତ୍ୱ ତାଙ୍କ ସାଧନାର ଅନ୍ୟତମ ବଳିଷ୍ଠ ଦିଗ । ଏକଦା ‘ବଡ଼କୋଠା’ ଜମିଦାର ବଳରାମ ଭ୍ରମରବର ତାଙ୍କ ସହିତ ଗୋପାଳ ଦାଶଙ୍କୁ ସାଥିରେ ଘେନି ରାଜନ୍ୟମଣ୍ଡଳୀଙ୍କ ସମାବେଶକୁ ଯାଇଥିଲେ । ସୁଚତୁର ବଳରାମବାବୁ ନିଜର ରାଜକୀୟ ପୋଷାକ ମଧ୍ୟ ଦେଇଥିଲେ । ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ସମବେତ ରାଜା ମହାରାଜା ଗୋପାଳଙ୍କୁ ନମସ୍କାର ଓ ସମ୍ମାନ ଜଣାଇଲେ । ସେ ନିଜକୁ ମନେ ମନେ ନଗଣ୍ୟ କରୁଥିବା ଲକ୍ଷ୍ୟ କରି ବଳରାମବାବୁ ସମସ୍ତ ରାଜା ଓ ମହରାଜାମାନଙ୍କୁ ଅବଗତ କରାଇଥିଲେ ଯେ, ସେ କୌଣସି ଇଲାକାର ଶାସକ ରାଜା ନୁହଁନ୍ତି; ମାତ୍ର ଯାତ୍ରାରେ ଶ୍ରୀରାମ, ଶ୍ରୀକୃଷ୍ଣ କଂସ, ରାବଣ ଓ ଦୁର୍ଯ୍ୟୋଧନଙ୍କର ଅଭିନୟରେ ଚମତ୍‌କାର ରାଜା ପାର୍ଟ କରି ପାରନ୍ତି । ଗୋପାଳଦାଶଙ୍କ ଅଭିନୟ ପାଟବ କାହାକୁ ଅଜଣା ନ ଥିଲା । ସୁତରାଂ ସେମାନେ ଆନନ୍ଦିତ ହୋଇଥିଲେ ।

 

ଯାତ୍ରାଦଳର ଭୂମିକା : ବଡ଼କୋଠା ଜମିଦାରଙ୍କ ପୃଷ୍ଠପୋଷକତାରେ ପ୍ରତିଷ୍ଠିତ ଯାତ୍ରାଦଳରେ ଗୋପାଳଦାଶ ନୂତନ ବୁଦ୍ଧି କୌଶଳ ପ୍ରୟୋଗ କଲେ । ଫଳରେ ପାରମ୍ପରିକ ଖୋଳପା ଭିତରୁ ଗୋପାଳଦାଶଙ୍କ ଯାତ୍ରା ବାହାରି ଆସି ଏକ ନୂତନ ମାର୍ଗର ସନ୍ଧାନୀ ହେଲେ । ବଛାବଛା ଅଭିନେତାମାନଙ୍କୁ ଆଣି ମଞ୍ଚରେ କଳା ଗୌରବ ଦେଖାଇ ଦେଲେ । ପୂର୍ବର ଯାତ୍ରା ପାର୍ଟିଗୁଡ଼ିକ ଗୋପାଳଦାଶଙ୍କ ଅଭିନୟ, ନିର୍ଦ୍ଦେଶନା ଓ ନାଟ୍ୟ ରଚନା କ୍ଷେତ୍ରରେ ନତ ମସ୍ତକ ହୋଇଗଲେ । ଯେଉଁ ପ୍ରମୁଖ କଳାକାରଗଣ ଗୋପାଳଙ୍କ କଳାକୁ କାଳଜୟୀ କରିବାରେ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ-କୁମାର ପାଟଣା ନିବାସୀ ଫକୀର ସୂତାର, ଜରିଆବାଡ଼ର ଗଜେନ୍ଦ୍ର ବାରିକ ଓ ମଣିଗିରି, ପୋହଳ ବାଟିପଡ଼ାର ଆନନ୍ଦ ଦାଶ, କାଳିନ୍ଦୀ ଦାଶ, ନାଥ ପଣ୍ଡା, କୃଷ୍ଣ ପଣ୍ଡା; ସେକ୍‌ପୁର ଗ୍ରାମର ଜଳଧର ଲେଙ୍କା ଓ ଆନନ୍ଦଦାଶ, ଅରଡ଼ ପଲ୍ଲୀର ମଣିଜେନା ଓ ଖଗେଶ୍ୱର ନାୟକ, ନିଗିନିପୁର ଗ୍ରାମବାସୀ ମଦନ ପ୍ରଧାନ ଓ ଅନାମ ପ୍ରଧାନ, ମାଟିଆର ପୀତାମ୍ବର ସାହୁ ଓ ମାଗୁଣି ସାହୁ, ଅଉନିପଡ଼ାର ବୃନ୍ଦାବନ ନାଥ ଏବଂ ନିଜ ପଳସିଂହା ଗ୍ରାମର ବାମଦାସ, ଘନଶ୍ୟାମଦାସ, ମାନଦାଶ, ବଟଦାଶ, ହଳଧର ଦାଶ, ଜଗବନ୍ଧୁ ବିଶ୍ଵାଳ ଓ ପ୍ରଭାକର ବାରିକ । ଏମାନଙ୍କର ଅର୍ଥ ରୋଜଗାର ମନୋବୃତ୍ତି ନ ଥିଲା । ଜୀବନରେ ଆନନ୍ଦ ବିତରଣ କରିବା ଓ ଓଡ଼ିଆ ନାଟର ମାହାତ୍ମ୍ୟ ବୃଦ୍ଧି କରିବା । ସେମାନେ ପ୍ରାୟ ସାଧାରଣ ଚାଟଶାଳୀର ପାଠ ପଢ଼ିଥିଲେ ମଧ୍ୟ ଗୋପାଳଦାଶଙ୍କ ଛାଟରେ ପ୍ରତ୍ୟେକ ଜଣେ ଜଣେ ବିଜ୍ଞବ୍ୟକ୍ତି ହୋଇପାରିଥିଲେ । ତଲ୍ଲୀନ ନ ହେଲେ କଳାଫୁଟିବ କିପରି ?

 

ଗୋପାଳ ଦାଶଙ୍କ ଯାତ୍ରାର ଖ୍ୟାତି ଦିଗଦିଗନ୍ତରେ ପ୍ରସାରିତ ଓ ପ୍ରଚାରିତ ହେଲା । କେତେକ ସ୍ଥାନରେ ସ୍ଥାୟୀ ଯାତ୍ରା କରିବାର ମସୁଧା ଲୋକେ କରି ନେଇଥିଲେ । ପୂଜାପାର୍ବଣ ଆଦିରେ ଗୋପାଳ ଦାଶ ହିଁ ଅଭିନୟ ଦେଖାଇବେ । ଦାଶେଙ୍କ ଯାତ୍ରାରେ ଅଭିଭୂତ ହୋଇ ପଢ଼ୁଥିଲେ ଲୋକମାନେ । ସେ ସମୟକୁ ଦୃକ୍‌ପାତ କଲେ, ଆଶ୍ଚର୍ଯ୍ୟ ହେବାକୁ ପଡ଼େ - ମଣ୍ଡଳ ବା ମଞ୍ଚ ବୋଲି ଯାହାକୁ କୁହାଯାଉଥିଲା, ଉପରେ ତାଳବରଡ଼ା ବା ନଡ଼ିଆ ବାହୁଙ୍ଗାର ଛାୟା, ରାଜା- ଜମିଦାର ସାମିଆନା ଟାଙ୍ଗି ଦେଉଥିଲେ । ହେଂସ ପଡ଼ୁଥିଲା । ଖଣ୍ଡେ ଚଉକି ରାଜାଙ୍କ ବସିବା ପାଇଁ-। ଚାରିଦିଗରେ ଚାରିଟି ଦୀପ୍ତ ମଶାଲ । ନୀଳାଭ ମୁକ୍ତ ଗଗନ ତଳେ ବହୁ ସମୟ ପୂର୍ବରୁ ମହିଳାମାନେ ହେଁସ ପାଲ ପକାଇ ତାଙ୍କର ସ୍ଥାନ ରଖିଥାନ୍ତି ଓ ବସିଥାନ୍ତି । ପ୍ରବଳ ଉତ୍କଣ୍ଠା ଓ ଆବେଗର ସହିତ ଅପେକ୍ଷା କରିଥାନ୍ତି ବେଶ ଘରୁ କେତେବେଳେ ଗୋପାଳ ରାଜା ବାହାରି ଆସିବେ । ଦ୍ୱାରୀ ମଣିଆ ଗାଇଦେଲା ପରେ ମଞ୍ଚ ଦୁଲୁକି ଉଠୁଥିଲା ‘କଂସ’ ଦୁର୍ଯ୍ୟୋଧନ ଆଦିଙ୍କ ପଦଚାରଣରେ । ଶୋଭନ ପୋଷାକରେ ପୀତୁ ବଣିଆ ଯେତେବେଳେ ରାଣୀ ହୋଇ ବାହାରି ପଡ଼ନ୍ତି କ’ଣ ଦେଖିବ ! ଜୀବନକୁ ଉପଭୋଗ କରନ୍ତି ସାଧାରଣ ମଣିଷ । ରାତି କେଇଘଣ୍ଟା ଭୁଲି ଯାଆନ୍ତି ନିଜର ନିପୀଡ଼ିତ ଦୁଃଖ ଓ ଦାରିଦ୍ର୍ୟ ।

 

ଏହି ଦୀନ ଲେଖକ ତା’ର ବାପା ବୋଉଙ୍କଠାରୁ ଶୁଣିଛି ଜୀବନ୍ତ କାହାଣୀ ପିଲାଦିନେ । ପରେ ପୀତାମ୍ବର ସାହୁ, ମଣିଆ ଓ ଅନାମ ପ୍ରଧାନ ଆମ ଘର ନିକଟରେ ଥିବାରୁ ସେମାନଙ୍କ ସଂସ୍ପର୍ଶରେ ଆସିଛି । ଏପରିକି ବୃଦ୍ଧ ପୀତାମ୍ବର ସାହୁ ଦାଶେଙ୍କର ଶେଷ ଜୀବନର ଦୁଃଖ ଓ ନିଜର ଦାରିଦ୍ର୍ୟ ପ୍ରକାଶ କରି ଲୁହ ଗଡ଼ାଇ ଦେଉଥିଲେ । ମୋର ଉଦ୍ୟମରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅନୁକମ୍ପାରେ ପୀତାମ୍ବର ସାହୁ ମାସିକ ଦୁଇ ଶହ ଟଙ୍କା କଳାକାର ଭତ୍ତା ଲାଭ କରିଥିଲେ । ପୀତାମ୍ବର ତାଙ୍କର ଦଶନ ବିହୀନ ତୁଣ୍ଡରେ ସଂଳାପ ବା ଗୀତ ଗାଇ ଚମତ୍‌କୃତ କରି ପାରୁଥିଲେ ଆମର ସାହିତ୍ୟ ଆସରକୁ । ଗୋପାଳଦାଶଙ୍କ ରଚିତ ପଣିକିଆ କି ଅନନ୍ୟ ସର୍ଜନା ! ବାସ୍ତବରେ ଚିନ୍ତନୀୟ ! ଗଣକବି ଗୋପାଳ ଦାଶଙ୍କ ସୃଷ୍ଟିକୁ ତ୍ରିବିଧ ସ୍ତରରେ ପ୍ରଫେସର ବୈଷ୍ଣବ ଚରଣ ସାମଲ ବିଚାର କରିଛନ୍ତି । ଶ୍ରୀଯୁକ୍ତ ସାମଲ ସମଗ୍ର ସୃଷ୍ଟିକୁ ଆଲୋକପାତ କରିପାରିନାହାଁନ୍ତି । ଉର୍ଦ୍ଧ୍ୱ ସତୁରୀ ଖଣ୍ଡ ଯାତ୍ରା ନାଟକ ଓ ଗୀତାଭିନୟ ଦାଶେ ରଚନା କରିଥିଲେ । ସମୁଦାୟ କୃତି ଉପରେ ଆଲୋକପାତ କରିବା ଏକ ପ୍ରବନ୍ଧ ପରିସର ମଧ୍ୟରେ ସମ୍ଭବ ନୁହେଁ । ଗୋପାଳ ଦାଶ ଖୁବ୍‌ଅଳ୍ପ ବୟସରେ କବିତ୍ୱର ଅଧିକାରୀ ହୋଇଥିଲେ । ତେଣୁ ବିପୁଳ ତାଙ୍କର ସୃଷ୍ଟି । ୧୮୯୮ ମସିହାରେ ରଚିତ ହୋଇଥିଲା ବ୍ରଜଲୀଳା । ଏଠାରେ ସ୍ମରଣ କରାଯାଇପାରେ ଯେ ଫକୀର ମୋହନ ସେନାପତିଙ୍କର ‘ରେବତୀ’ ଗଳ୍ପ ଏହି ସମକାଳରେ ରଚିତ-। ବକ୍ତବ୍ୟ ଏହିକି କଥା ସାହିତ୍ୟ ପୁନ୍ନାଦିପଡ଼ିବା ସଂଶୟରେ ହିଁ ଲୋକ ସାହିତ୍ୟର ବିକାଶ ପର୍ବ ଅୟମାରମ୍ଭ । ପୂର୍ବରୁ କଥିତ ଅଛି- ରାଧାନାଥ ପରମ୍ପରା ମଧ୍ୟରେ ଆଧୁନିକ ବିଦଗ୍ଧ ସାହିତ୍ୟର ଉନ୍ମେଷ ଘଟିଛି । ସେହି ତାଳରେ ଲୋକ ସାହିତ୍ୟ ରଚନା କ୍ଷେତ୍ରରେ ଗୋପାଳଦାଶ ମନୋନିବେଶ କରନ୍ତି ଏବଂ ତାଙ୍କ ନାଟକ ମାଧ୍ୟମରେ ଉତ୍କଳୀୟ ଜାତୀୟ ଭାବର ସନ୍ଦେଶ ପ୍ରଚାରିତ ହୁଏ । ମାତ୍ର ଗୋପାଳ ଦାଶ ରଚୟିତା, ନିର୍ଦ୍ଦେଶକ ଓ ଅଭିନେତା ତଥା ଯାତ୍ରାଦଳର ପ୍ରତିଷ୍ଠାତା । ସୁତରାଂ ଲୋକନାଟକ ବିକାଶ ପର୍ବରେ ଗୋପାଳ ଦାଶଙ୍କୁ ଯେତେ ଗୁରୁତ୍ୱ ଦେବା କଥା, ଆଲୋଚକମାନେ ତାହା କରି ପାରି ନାହାନ୍ତି । ଉଭୟ ସ୍ରଷ୍ଟା ପୌରାଣିକ ଆଖ୍ୟାନକୁ ଆଧାର କରିଛନ୍ତି । ଗୋପାଳ ଅଧକନ୍ତୁ ବାସ୍ତବବାଦୀ ଯାତ୍ରା, ସୁଆଙ୍ଗ ଓ ଫାର୍ସ ରଚନା ସହ ଅଭିନୟ କରିବାରେ ଥିଲେ କୁଶଳୀ କଳାକାର । ଓଡ଼ିଆ ଯାତ୍ରା ଇତିହାସ ପୁସ୍ତକରେ ଡକ୍ଟର ତ୍ରିଲୋଚନ ମହାକୁଡ଼ ଗୋପାଳ ଦାଶଙ୍କୁ କିପରି ଉପେକ୍ଷା କରି ପାରିଲେ, ତାହା ବିସ୍ମୟର କଥା । ସମ୍ଭବତଃ ଯାଜପୁରିଆ ଭାଣ୍ଡ ଗୋପାଳ ଓ ଗୋପାଳ ଦାଶଙ୍କୁ ଏକ ଓ ଅଭିନ୍ନ ମନେକରି ଭ୍ରମବଶତଃ ଛାଡ଼ି ଚାଲି ଯାଇଛନ୍ତି । ତାଙ୍କଠାରୁ ବହୁ ପରବର୍ତ୍ତୀ ଗୌଣ ସ୍ରଷ୍ଟାମାନେ ସ୍ଥାନ ପାଇଥିବା ସ୍ଥଳେ ଗୋପାଳ ଦାଶ ଉପେକ୍ଷିତ ହେଲେ କିପରି ?

 

(୧) ୧୮୯୮ରୁ ୧୯୦୬ ମସିହା ମଧ୍ୟରେ ରଚିତ ପୁସ୍ତକଗୁଡ଼ିକ- ବ୍ରଜଲୀଳା, ରଙ୍ଗସଭା, ଚଣ୍ଡୀଯୁଦ୍ଧ, ଜଳନ୍ଧରବଧ, ମଙ୍ଗଳଚଣ୍ଡୀ, ସାହିତ୍ୟ ସତ୍ୟବାନ, ଶଶିରେଖା, ବିଲଙ୍କା ରାମାୟଣ, ସହସ୍ରା ରାବଣ, ସୁଲଙ୍କା ରାମାୟଣ, କୁଲଙ୍କା ରାମାୟଣ, ଉଷାବତୀ ହରଣ, ଚନ୍ଦ୍ରାବତୀ ହରଣ, ଧ୍ରୁବଚରିତ, ଲକ୍ଷ୍ମୀପୁରାଣ ଓ ଲଙ୍କା ଖଣ୍ଡ ଆଦି ପନ୍ଦର ଖଣ୍ଡ ଗୀତାଭିନୟ । (୨) ୧୯୦୭ ମସିହାରୁ ୧୯୧୫ ମସିହା ଗୋପାଳଦାଶଙ୍କର ସୁବର୍ଣ୍ଣ ଯୁଗଭାବେ ବିବେଚିତ । ଏହି ସମୟରେ ସେ ରଚନା କରିଥିଲେ- ବାଲ୍ୟ ବିନୋଦ, କଂସ ଜନ୍ମ, ପ୍ରହ୍ଲାଦ ଚରିତ, ବକାସୁର ବଧ, ରତ୍ନାକର ଚରିତ, ଜୟଦେବ, କାଞ୍ଚି କାବେରୀ, ରୁକ୍ମିଣୀ ବିବାହ, ଆଦ୍ୟକାଣ୍ଡ, ରାମ ବନବାସ, ସୁଭଦ୍ରା ବିବାହ, ମହୀ ରାବଣ ବଧ ଓ ଅଭିମନ୍ୟୁ ବଧ ଆଦି ତେରଖଣ୍ଡ ଗୀତାଭିନୟ ।

 

୧୯୧୬ ମସିହାରୁ ୧୯୨୦ ମଧ୍ୟରେ ବାଳବଧ, ଅଶ୍ୱମେଧ ଯଜ୍ଞ, ବିରାଟ ପର୍ବ ଚକ୍ରହାସ, ଶ୍ଵେତବସନ୍ତ, ପୁରନମଲ୍ଲ, ଗୌରାଙ୍ଗଲୀଳା, ଗୟାସୁରବଧ, ବକାବଳୀ, ଅଜ୍ଞାତବାସ, ଦକ୍ଷ ଯଜ୍ଞ, ଦୁଷ୍ମନ୍ତ, ଶକୁନ୍ତଳା, ଜୟନ୍ତ ଜୟ ପାଲ, ପ୍ରଭାସ ଯଜ୍ଞ, ମାଧବ ସୁଲୋଚନା, ଉରୁ ଭଙ୍ଗ ଓ ଭରତ ବିକ୍ରମାଦି ଅଠରଖଣ୍ଡ ଗୀତାଭିନୟ ରଚନା କରିଥିଲେ ।

 

୧୯୨୧ରୁ ୧୯୩୫ ମସିହା ଶେଷ ପର୍ଯ୍ୟାୟରେ ରାଜସୂୟ ଯଜ୍ଞ, କପଟପଶା ଓ କର୍ଣ୍ଣବଧ ଗୀତାଭିନୟ ଏବଂ କୃଷ୍ଣଜନ୍ମ ଅର୍କାସୁରବଧ, ସଭାପର୍ବ, ରାବଣଙ୍କ ଲଙ୍କା କାଣ୍ଡ, ଖୁଲଣା ସୁନ୍ଦରୀ ଓ ଦ୍ରୌପଦୀ ବିବସ୍ତ୍ରା ରଚିତ । ବ୍ରାହ୍ମଣ- ବ୍ରାହ୍ମଣୀ ଫାର୍ସ, କେଳା- କେଲୁଣୀ ଫାର୍ସ, ନାରଦ - ହାଡ଼ିଆଣୀ ଫାର୍ସ, ନିର୍ବୁଦ୍ଧିଆ, ଗୁରୁବାର ଓଷା, ଦୁଆରୀ ଓ ତା’ ସ୍ତ୍ରୀ ଫାର୍ସ ଓ ଧୋବା ଧୋବଣୀ ଫାର୍ସ-। ଲିଖିତ ଓ ଅଭିନୀତ ହୋଇଥିଲା । ସେ ଥିଲେ ଆଶୁକବି- ଯେଉଁଠାରେ ଯାତ୍ରା ହେଉଥିଲା । ସେଠାରେ ବରାଦ ଆସିଲା ଯାହା, ତାହାକୁ ନେଇ ଗୀତ ବାନ୍ଧି ପରିବେଷଣ କରି ପାରୁଥିଲେ । କେନ୍ଦ୍ରାପଡ଼ା, ମେହେନ୍ତରାଣି, ପଣିକିଆ ଆଦି ଅନବଦ୍ୟ ଆଶୁ, କବିତା ସୃଷ୍ଟି ରହିଛି । କେନ୍ଦ୍ରାପଡ଼ାର ଶ୍ରୀ ସିଦ୍ଧ ବଳଦେବ ଓ ବଡ଼କୋଠାର ଆରାଧ୍ୟଦେବ ରାଧା ଗୋବିନ୍ଦଙ୍କୁ ନେଇ ବହୁ ଭଜନ ଜଣାଣ ଲେଖିଛନ୍ତି । ଗ୍ରାମ୍ୟ ଭାଷାର ବ୍ୟବହାର ଦୃଷ୍ଟିରୁ ସେ ଅସପନ ଶବ୍ଦ ବିନ୍ଧାଣୀ । ମଧ୍ୟଯୁଗୀୟ ଛାନ୍ଦ ରଚନା ଅନ୍ୟ ଏକ ରସିକତା ହେଲେ ହେଁ ଗୋପାଳ ଦାଶ ଗାଁ- ଗାଉଲିର ଲୋକଙ୍କ ଜୀବନକୁ ଲକ୍ଷ୍ୟ କରି ଯାତ୍ରା କରିବା ଓ ନାଟକ ଲେଖିବା- ଦୁଇଟିରେ ତାଙ୍କର ବାସ୍ତବାବାଦୀ ଦୃଷ୍ଟିଭଙ୍ଗୀ ପ୍ରତିଫଳିତ । ଗୋପାଳ ଦାଶ ତତ୍କାଳୀନ ଇଂରେଜୀ ଶାସନ ଓ ସଭ୍ୟତାଠାରୁ ଦୂରେଇ ରହିବାକୁ ତାଙ୍କ ଗୀତିନାଟ୍ୟ ମାଧ୍ୟମରେ ଆହ୍ୱାନ ଦେଇଥିଲେ । ମଧୁସୂଦନ, କର୍ମବୀର ଗୌରୀ ଶଙ୍କର ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଜାତୀୟ ଭାବଧାରା ଗୋପାଳ ଦାଶଙ୍କୁ ଉଦ୍‌ବୁଦ୍ଧ କରିଥିଲା । ଓଡ଼ିଆ ଜାତି ଓ ଓଡ଼ିଆ ଭାଷା ଓ ଓଡ଼ିଶାର ପରମ୍ପରା ବଜାୟ ରଖିବା ପାଇଁ ତାଙ୍କ ରଚନା ଓ ନାଟକରେ ଥିଲା ସଂକଳ୍ପର ସ୍ଵର । ଜଣେ ସ୍ଵାଭିମାନୀ ଓଡ଼ିଆ ଭାବରେ ସ୍ଵତନ୍ତ୍ର ଓଡ଼ିଶା ଗଠନର ସ୍ୱପ୍ନ ସୁପ୍ତ ଓଡ଼ିଆ ପ୍ରାଣରେ ଜାଗ୍ରତ କରିଥିଲେ ଗୋପାଳଦାଶ । ତାଙ୍କ ରଚନାରେ ତଥା କଲିକତା ମାଣ୍ଟଠାରେ ତାଙ୍କ କଣ୍ଠରୁ ଝରି ଆସିଥିଲା ଜାତୀୟବାଦୀ ସଂଗୀତର ସ୍ଵର-

 

“ବଙ୍ଗ ଉତ୍‌କଳରୁ ବିଭଙ୍ଗ କରାଇବି

ସଙ୍ଗୀନୀ ତୋ ସଙ୍ଗେଛନ୍ତି ରଙ୍ଗ ଦେଖୁଥିବି

ଓଡ଼ିଆମାନଙ୍କୁ ମୁଁ ବଢ଼ିଆ କାମ ଦେବି

ଦେବି ଲେଖା ପଢ଼ି

ମାସକୁ ମାସ ତଲପ ଯିବ ବଢ଼ି ।’’

 

ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଅନ୍ୟ କୌଣସି କଳାକାରଙ୍କର ପ୍ରାଣକୁ ସ୍ଵର୍ଶ କରି ନଥିଲା, ଯାହା ଗୋପାଳଦାଶଙ୍କ କଳାକୃତିକୁ ପ୍ରଭାବିତ କରିପାରିଥିଲା । ଜାତୀୟ ଭାବାଦର୍ଶର ଅମ୍ଳାନ କୃତି ‘ଜୟଦେବ’ ନାଟକ ମାଧ୍ୟମରେ ସେ ଉତ୍କଳୀୟ ପ୍ରୀତିକୁ ମଞ୍ଜୁଳ ଭାବରେ ଫୁଟାଇ ପାରିଛନ୍ତି । ଗୋପାଳଙ୍କ ପୂର୍ବରୁ କେହି ଜୟଦେବ ନାଟକ ରଚନା କରିବାର ଜଣାଯାଇ ନାହିଁ । ଓଡ଼ିଶାର ଗୌରବ କବି ଜୟଦେବଙ୍କୁ ବଙ୍ଗାଳୀମାନେ ବଙ୍ଗ ମାଟିର ପୁତ୍ର କହି ଦାବୀ କରୁଥିବାବେଳେ ସ୍ଵାଭିମାନୀ ଗୋପାଳଦାଶ ଜୟଦେବଙ୍କୁ ବଙ୍ଗାଳୀଙ୍କ ହାତରେ ଟେକିଦେବା ପାଇଁ ଚାହିଁ ନାହାନ୍ତି । ଅଧିକନ୍ତୁ ସେ ‘ଜୟଦେବ’ କଲିକତାରେ ଅଭିନୟ କରାଇ ଓଡ଼ିଶାର ସ୍ପର୍ଦ୍ଧିତ ସ୍ଵାଭିମାନକୁ ଉଚ୍ଚାଙ୍ଗ ରଖିଥିଲେ । କାଳଜୟୀ କବିର ମହତ୍ତ୍ଵ ମଧ୍ୟ ବଜାୟ ରଖି ଗୋପାଳଦାଶ ବର୍ଣ୍ଣନା କରିଛନ୍ତି- ଜଣେ ମହାଜନଠାରୁ କବି ଜୟଦେବ ଚାଳିଶି ଟଙ୍କା କରଜ କରିଥିଲେ, ଶୁଝି ପାରି ନଥିବାରୁ ଜୟଦେବଙ୍କୁ ଲାଞ୍ଛିତ ହେବାକୁ ପଡ଼ିଛି । ଶୁଣନ୍ତୁ ଶୋଷଣର ସେହି ମାର୍ମିକ ଭାଷା-

 

‘‘ଆଜି କାହିଁ ଯିବୁରେ ପାଜି,

ଦେଇ ଯା’ ମୋର ଦିଅଣା ଶୁଝି

ରାଜିରେ ବାବାଜି ହୋଇ ପଳାଇଲେ

ଅଲାଜୁକ ତୋତେ ଆଣିବି ଖୋଜି,

 

ଗୋଜାଖଣ୍ଡି ତୋର ଖୋଜାଇ ଦେଖିଲି

ମିଆଦ ହୋଇଛି ଯିବଟି ବାଜି,

ଜିଆଦା ଟଙ୍କାକୁ କି ଆଦାୟ ଦେବୁ,

ପିଆଦା ଗଲା ତୋ ସାହିରୁ ଖୋଜି ।

ଚାଳିଶି ଟଙ୍କାକୁ ଚାରିଶ ଚାଳଶି,

ଚାରିଅଣା ଚାରି ପାହି ସମଝି, ଘର ତଳି ତୋର କବଲା କରିଦେ

ଗୋପାଳ ବୋଲେ ତୁ ଦେଖାନା ତାଜି ।''

 

ମହାଜନ ଜୟଦେବଙ୍କର ଶେଷ ସମ୍ବଳ ଘରଢିଅ ତଳ କବଲା କରି ନେଇଛି । ମାତ୍ର ମହାପୁରୁଷଙ୍କର ଅନ୍ତର୍ଦାହ ଯନ୍ତ୍ରଣାରେ ଜଳିଗଲା ମହାଜନର ଘର ମହାଜନ ସେଇ ଧ୍ଵଂସର ଲୀଳାଭୂମିରୁ ଫେରି ଜୟଦେବଙ୍କ ଘରତଳି ଫେରସ୍ତ କରିଦେଇଯାଇଛି । ଏଠାରେ କବିର ମହନୀୟତା ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଶୋଷଣର ପରିଣତି ମଧ୍ୟ ଦର୍ଶା ଯାଇଅଛି । ପରିଶେଷରେ ଲୋଭୀ ମହାଜନ ଅନୁତାପ ପୂର୍ବକ ଜୟଦେବଙ୍କ ନିକଟରେ କ୍ଷମାଭିକ୍ଷା କରିଛି ଏବଂ ଶିଷ୍ୟତ୍ୱ ମଧ୍ୟ ଗ୍ରହଣ କରିଅଛି । ଏହିପରି ଗୋପାଳ ଦାଶଙ୍କର ସମାଜ ସଚେତନତା ଓ ସଂସ୍କାରଧର୍ମୀ ନାଟକ ତତ୍‌କାଳୀନ ଜନଜୀବନ ଉପରେ ଗଭୀର ରେଖାପାତ କରିଥିଲା । ସୁସ୍ଥ ଓ ସଚେତନଶୀଳ ସମାଜ ଗଠନ ଥିଲା ଗୋପାଳ ଦାଶଙ୍କ ନାଟ୍ୟ ସାହିତ୍ୟର ଆଭିମୁଖ୍ୟ ।

 

ବିଂଶ ଶତକର ପ୍ରଥମାର୍ଦ୍ଧରେ ଓଡ଼ିଆ ବିଦଗ୍ଧ ସାହିତ୍ୟର ମୂଳଦୁଆ ଯେପରି ସୁଦୃଢ଼ ହୋଇଥିଲା, ଲୋକସାହିତ୍ୟ ବା ଯାତ୍ରା ସାହିତ୍ୟ ମଧ୍ୟ ସମତାଳରେ ଗତି କରିଥିଲା । ଏହି ସମୟର ଦୁଇଜଣ ପ୍ରତିଷ୍ଠିତ ଯାତ୍ରାକାର ବୈଷ୍ଣବପାଣି ଓ ଗୋପାଳ ଦାଶ । ଗୋପାଳ ଦାଶଙ୍କର ନିଜର ଯାତ୍ରାଦଳ ଥିଲା ଏବଂ ପଞ୍ଚତ୍ରିଶ ବର୍ଷ ଧରି ଏହି ଯାତ୍ରାନ୍ଦୋଳନର ସେ ଥିଲେ ଅଭିଯାତ୍ରୀ । ନାଟକ ଲେଖୁଥିଲେ, ଅଭିନୟ କରୁଥିଲେ, ନିର୍ଦ୍ଦେଶ ମଧ୍ୟ ଦେଉଥିଲେ । ନିଜେ ସର୍ବଦା ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେଉଥିଲେ । ବୈଷ୍ଣବପାଣିଙ୍କ ମେଘନାଦବଧ ୧୯୦୩ରେ ରଚିତ ହେବା ବେଳକୁ ଗୋପାଳ ଏକାଧିକ ନାଟକ ରଚନା କରି ସାରିଥିଲେ । ଏଣୁ ଉଭୟତଃ ବୟସ ଓ କଳା ସାଧନ କ୍ଷେତ୍ରରେ ଗୋପାଳ ଦାଶ ଥିଲେ ଅଗ୍ରଜ; ବୈଷ୍ଣବ ପାଣି ଗୋପାଳ ଦାଶଙ୍କୁ ‘ନନା’ ସମ୍ବୋଧନ କରୁଥିବାବେଳେ ଗୋପାଳ ତାଙ୍କୁ ‘ପାଣି’ ବା ‘ବୈଷ୍ଣବ’ ଅତିଶ୍ରଦ୍ଧାରେ ଡାକୁ ଥିଲେ । ୧୯୦୬ ମସିହା ବେଳକୁ ଗୋପାଳଦାଶ ପନ୍ଦରଖଣ୍ଡ ଗୀତାଭିନୟ ରଚନା ଓ ମଞ୍ଚସ୍ଥ କରିସାରିଥିଲେ । ଏଣୁ ପ୍ରତ୍ୟେକ କ୍ଷେତ୍ରରେ ଗୋପାଳ ଦାଶଙ୍କୁ ଯାତ୍ରା ଜଗତର ପଥିକୃତ ବୋଲି କହିଲେ ଭ୍ରାନ୍ତି ହେବ ନାହିଁ-। ମାତ୍ର ପ୍ରଚାର ପ୍ରସାର ଅଭାବରୁ ଗୋପାଳ ଦାଶ ଯେପରି ଅବହେଳିତ ହୋଇ ପଡ଼ିଛନ୍ତି । ଏହି ମହାନ୍‌ ବରପୁତ୍ରଙ୍କର ପ୍ରତିଭାର ଅନୁଶୀଳନ ଓ ପ୍ରସାର ଘଟିବାର ସମୟ ଉପସ୍ଥିତ । ଯଥାର୍ଥରେ ସେ ଥିଲେ ଗଣକବି ନାଟ୍ୟାଚାର୍ଯ୍ୟ, ଓଡ଼ିଶା ମାଟିର ଏକ ଗୌରବମୟ ସାରସ୍ୱତ ପୁରୁଷ-

 

ଖଡ଼ିଅଙ୍ଗ, କେନ୍ଦ୍ରାପଡ଼ା- ୭୫୪୨୧୧

 

***

 

‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ : କୃପାସିନ୍ଧୁ ମିଶ୍ରଙ୍କ ଦୁଷ୍ପ୍ରାପ୍ୟ ରଚନା

ଡକ୍ଟର ପ୍ରସନ୍ନ କୁମାର ସ୍ଵାଇଁ

 

‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ସତ୍ୟବାଦୀ ଯୁଗ ସ୍ରଷ୍ଟା ଓ ବିଶିଷ୍ଟ ଐତିହାସିକ କୃପାସିନ୍ଧୁ ମିଶ୍ରଙ୍କ ଦ୍ଵାରା ରଚିତ ଏକ ଦୀର୍ଘ ଐତିହାସିକ ଓ ସଂସ୍କୃତିଭିତ୍ତିକ ପ୍ରବନ୍ଧ । ଏହି ପ୍ରବନ୍ଧର ଉପକ୍ରମଣିକା ପ୍ରଥମେ ‘ସତ୍ୟବାଦୀ’ ପତ୍ରିକାରେ ୧/୨ ସଂଖ୍ୟାରେ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ଶୀର୍ଷକରେ ୧୨୩୩ ସାଲରେ ପ୍ରକାଶ ପାଇଥିଲା । ଉପକ୍ରମଣିକା ଓ ଉପସଂହାର ସମେତ ଏହାର ୧୩ ଗୋଟି ଭାଗ ବିଭିନ୍ନ ଶୀର୍ଷକରେ ‘ସତ୍ୟବାଦୀ’ ପତ୍ରିକାର ବିଭିନ୍ନ ସଂଖ୍ୟାରେ ପ୍ରକାଶ ପାଇ ସତ୍ୟବାଦୀସ୍ଥିତ ସାକ୍ଷୀଗୋପାଳ ମନ୍ଦିରର ଐତିହାସିକ ଭିତ୍ତି, ଏହି ମନ୍ଦିରରେ ପୂଜିତ ସାକ୍ଷୀଗୋପାଳଙ୍କର କାଞ୍ଚିରୁ କଟକ-ସତ୍ୟବାଦୀ ପର୍ଯ୍ୟନ୍ତ ଇତିବୃତ୍ତ, ପୁରୁଷୋତ୍ତମ ଦେବଙ୍କର କାଞ୍ଚିରୁ ସାକ୍ଷୀଗୋପାଳଙ୍କୁ ଯୁଦ୍ଧଧନ ଭାବରେ ପ୍ରାପ୍ତି, ମୁସଲମାନ ଆକ୍ରମଣରୁ ରକ୍ଷା ନିମିତ୍ତ ସାକ୍ଷୀଗୋପାଳଙ୍କର ବିଭିନ୍ନ ସ୍ଥାନରେ ଆତ୍ମଗୋପନ, ସତ୍ୟବାଦୀଠାରେ ରକ୍ଷା ନିମିତ୍ତ ସାକ୍ଷୀଗୋପାଳଙ୍କର ବିଭିନ୍ନ ସ୍ଥାନରେ ଆତ୍ମଗୋପନ, ସତ୍ୟବାଦୀଠାରେ ନୂତନ ଦେଉଳ ପ୍ରତିଷ୍ଠା । ସତ୍ୟବାଦୀ ଅଞ୍ଚଳରେ ପ୍ରଚଳିତ ନାନା ଜନଶ୍ରୁତି, ସାକ୍ଷୀଗୋପାଳ ମନ୍ଦିରରେ ପ୍ରଚଳିତ ନୀତି, ପର୍ବପର୍ବାଣି ପ୍ରଭୃତି ସମ୍ପର୍କରେ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ‘ସତ୍ୟବାଦୀ’ ପତ୍ରିକାରେ ପ୍ରକାଶିତ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ପ୍ରବନ୍ଧର କାଳାନୁକ୍ରମିକ ତାଲିକା ହେଉଛି ଏହିପରି । ଯଥା :

 

୧.

ସତ୍ୟବାଦୀ, ୧/୨ ସଂ. ୧୩୨୨ ସାଲ, ସତ୍ୟବାଦୀ ବା ସାକ୍ଷୀଗୋପାଳ ।

୨.

ସତ୍ୟବାଦୀ, ୧/୩ ସଂ. ୧୩୨୨ ସାଲ, ପ୍ରଥମ ଅଧ୍ୟାୟ, ‘ବୃନ୍ଦାବନେ’ ।

୩.

ସତ୍ୟବାଦୀ, ୧/୪ ସଂ. ୧୩୨୨ ସାଲ, ଦ୍ୱିତୀୟ ଅଧ୍ୟାୟ, ‘ସାକ୍ଷୀ ଗୋପାଳ’ ।

୪.

ସତ୍ୟବାଦୀ, ୧/୫ ସଂ. ୧୩୨୨ ସାଲ, ତୃତୀୟ ଅଧ୍ୟାୟ, ‘ଯୁଦ୍ଧଧନ’ ।

୫.

ସତ୍ୟବାଦୀ, ୧/୬ ସଂ. ୧୩୨୨ ସାଲ, ଚତୁର୍ଥ ଅଧ୍ୟାୟ, ‘କଟକ ଅଧିଷ୍ଠାନ’ ।

୬.

ସତ୍ୟବାଦୀ, ୧/୭ ସଂ. ୧୩୨୨ ସାଲ, ପଞ୍ଚମ ଅଧ୍ୟାୟ, ‘ସତ୍ୟବାଦୀ ପ୍ରୟାଣ’ ।

୭.

ସତ୍ୟବାଦୀ, ୧/୮ ସଂ. ୧୩୨୩ ସାଲ, ଷଷ୍ଠ ଅଧ୍ୟାୟ, ‘ଭୋଗ ଦେଉଳ ପ୍ରତିଷ୍ଠା’ ।

୮.

ସତ୍ୟବାଦୀ, ୧/୧୦-୧୧ ସଂ. ୧୩୨୩ ସାଲ, ସପ୍ତମ ଅଧ୍ୟାୟ, ‘ସହସ୍ରେ ହାଣ୍ଡି ଏକ ଠେକା’ ।

୯.

ସତ୍ୟବାଦୀ, ୨/୩-୪ ସଂ. ୧୩୨୪ ସାଲ, ଅଷ୍ଟମ ଅଧ୍ୟାୟ, ‘ରାଧାକୃଷ୍ଣ’ ।

୧୦.

ସତ୍ୟବାଦୀ, ୨/୫-୭ ସଂ. ୧୩୨୪ ସାଲ, ନବମ ଅଧ୍ୟାୟ, ‘ନୂତନ ଦେଉଳ’ ।

୧୧.

ସତ୍ୟବାଦୀ, ୨/୮-୧୨ ସଂ. ୧୩୨୪-୨୫ ସାଲ, ଦ୍ୱିତୀୟ ଅଧ୍ୟାୟ, ‘ଶାସନ ଓ ତତ୍ତ୍ୱାବଧାନ’ ।

୧୨.

ସତ୍ୟବାଦୀ, ୩/୧-୨ ସଂ. ୧୩୨୫ ସାଲ, ‘ସତ୍ୟବାଦୀ ମନ୍ଦିରରେ ପାଳିତ ପର୍ବ ଓ ଉତ୍ସବ’ (୧) ।

୧୩.

ସତ୍ୟବାଦୀ, ୩/୩-୪ ସଂ. ୧୩୨୫ ସାଲ, ‘ଉପସଂହାର’ (୨) ।

 

‘ସତ୍ୟବାଦୀ’ ପତ୍ରିକାରେ ପ୍ରକାଶିତ ହେବା ପରେ ଆଲୋଚ୍ୟ ପ୍ରବନ୍ଧର ବିଭିନ୍ନ ଅଂଶ ଦୀର୍ଘବର୍ଷ ଧରି ସେହି ପତ୍ରିକାର ପୃଷ୍ଠା ମଧ୍ୟରେ ହିଁ ସୀମିତ ରହିଥିଲା । ୧୯୯୯ ମସିହାରେ ଶ୍ରୀ ରଶ୍ମୀରଞ୍ଜନ ମହାପାତ୍ର ଉପକ୍ରମଣିକା ସମେତ ଏହାର ୭ ଗୋଟି ଅଧ୍ୟାୟକୁ ଏକ ପୁସ୍ତିକାକାରରେ ପ୍ରକାଶ କରିଛନ୍ତି । ସେ ଏହି କ୍ଷୁଦ୍ର ଗ୍ରନ୍ଥଟିର ନାମ ରଖିଛନ୍ତି ଦ୍ଧ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ସତ୍ୟବାଦୀ ବା ସାକ୍ଷୀଗୋପାଳ ।

 

ସ୍ରଷ୍ଟାଙ୍କର ‘ସାକ୍ଷୀଗୋପାଳ’, ‘କଟକ ଅଧିଷ୍ଠାନ’, ‘ସତ୍ୟବାଦୀ ପ୍ରୟାଣ’, ‘ସହସ୍ରେ ହାଣ୍ଡି ଏକ ଠେଙ୍ଗା’, ‘ଶାସନ ଓ ତତ୍ତ୍ୱାବଧାନ’, ‘ସାକ୍ଷୀଗୋପାଳ ମନ୍ଦିରରେ ପାଳିତ ପର୍ବ ଓ ଉତ୍ସବ’ ସହିତ ଏହାର ‘ଉପସଂହାର’, ଶ୍ରୀ ମହାପାତ୍ରଙ୍କ ସମ୍ପାଦିତ ଗ୍ରନ୍ଥରେ ନାହିଁ । ସୁତରାଂ ପ୍ରବନ୍ଧଟି ଅସମ୍ପୂର୍ଣ୍ଣ ହେତୁ ଏହା ସମ୍ପୂର୍ଣ୍ଣ ଆଲୋଚିତ ନୁହେଁ । ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ‘ସତ୍ୟବାଦୀ’ ପତ୍ରିକାରେ ଅଧିକାଂଶ ସଂଖ୍ୟା ବିଶେଷ କରି ପ୍ରଥମ ବର୍ଷର କେତେକ ସଂଖ୍ୟା ଏବେ ମଧ୍ୟ ଦୁଷ୍ପ୍ରାପ୍ୟ-। ଏହି ବିଡ଼ମ୍ବନା ହେତୁ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ର ସମସ୍ତ ଅଂଶ ଆଲୋଚକଙ୍କର ଦୃଷ୍ଟିକୁ ନ ଆସିବା ଖୁବ୍‌ ସ୍ଵାଭାବିକ ଅତଏବ ଆମ ସାହିତ୍ୟର ଯେଉଁ ଆଲୋଚକ ଓ ସମୀକ୍ଷକ ସ୍ରଷ୍ଟାଙ୍କର ଆଲୋଚନା ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ପ୍ରବନ୍ଧର ପୂର୍ଣ୍ଣାଙ୍ଗ ରୂପ ଅବଲୋକନ ନ କରି ଏହାକୁ କୃପାସିନ୍ଧୁଙ୍କର ରଚନା କହିବାକୁ କୁଣ୍ଠିତ । ଆମେ ସେମାନଙ୍କ ମତ ସହିତ ଆଦୌ ଏକମତ ନୋହୁଁ-

 

‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ଏକ ଦୀର୍ଘ ଐତିହାସିକ ଓ ସଂସ୍କୃତିଭିତ୍ତିକ ରଚନା । ‘ସତ୍ୟବାଦୀ’ ପତ୍ରିକାର ବିଭିନ୍ନ ସଂଖ୍ୟାରେ ପ୍ରକାଶିତ ଏହି ରଚନାକୁ କୃପାସିନ୍ଧୁ ମିଶ୍ରଙ୍କର ବୋଲି ଆମେ ନିମ୍ନ ପ୍ରଦତ୍ତ ତଥ୍ୟମାନଙ୍କୁ ସ୍ପଷ୍ଟଭାବେ ଅନୁଭବ କରୁ । ଯଥା :

 

(କ)

କୃପାସିନ୍ଧୁ ମିଶ୍ର ତାଙ୍କର ‘ଉତ୍କଳ-ଇତିହାସ’ (୧୯୨୬) ଗ୍ରନ୍ଥର ୧୩୬ ପୃଷ୍ଠାରେ ଥିବା ପାଦଟୀକା- ୨ର ଶେଷ ଆଡ଼କୁ (ପୂ ୧୩୮) ଉଲ୍ଲେଖ କରିଛନ୍ତି- “ଏହି ବକୁଳ ଛୁରିଅନା ଉଦ୍ୟାନ ରାଜା ମୁକୁନ୍ଦଦେବଙ୍କ (୧୭୯୮- ୧୮୧୭) ଦ୍ୱାରା ନିର୍ମିତ ହୋଇଥିଲା । ରାଜା ମଧ୍ୟ ଏଠାରେ ଏକ ବସନ୍ତ ନିବାସ ନିର୍ମାଣ କରିଥିଲେ । ଅଦ୍ୟାପି ତାହାର ଚିହ୍ନ ଅଛି । ପରେ ପୁଣି ବାବାଜୀ ଲକ୍ଷ୍ମୀ ନାରାୟଣ ବ୍ରହ୍ମଚାରୀ ୧୮୫୬ରୁ ୧୮୬୬ ଖ୍ରୀଷ୍ଟାବ୍ଦ ମଧ୍ୟରେ ସାକ୍ଷୀଗୋପାଳଙ୍କର ବର୍ତ୍ତମାନ ମନ୍ଦିର ନିର୍ମାଣ କରାଇଥିଲେ । କେବଳ ନାମାନୁସାରେ ସାକ୍ଷୀଗୋପାଳ ବା ସତ୍ୟବାଦୀ ନାମରେ ସ୍ଥଳ ପରିଚିତ । ସବିଶେଷ ବିବରଣ ନିମନ୍ତେ ଲେଖକଙ୍କ ‘ସତ୍ୟବାଦୀ’ ଦ୍ରଷ୍ଟାବ୍ୟ ।’’

 

‘ଉତ୍କଳ- ଇତିହାସ’ରେ ଉଲ୍ଲିଖିତ ଏହି ‘ସତ୍ୟବାଦୀ’ ହେଉଛି ‘ସତ୍ୟବାଦୀ ପତ୍ରିକାରେ ଧାରାବାହିକ ଭାବେ ପ୍ରକାଶିତ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ଶୀର୍ଷକରେ ସ୍ୱର୍ଗତଃ କୃପାସିନ୍ଧୁ ମିଶ୍ରଙ୍କର ଐତିହାସିକ ପ୍ରବନ୍ଧ ।

(ଖ)

ବିଂଶ ଶତକର ପ୍ରାରମ୍ଭରେ ସମକାଳୀନ ସମୟର ଆହ୍ୱାନ ଦୃଷ୍ଟିରୁ କୃପାସିନ୍ଧୁ ମିଶ୍ର ତାଙ୍କର ଅଧିକାଂଶ ରଚନାରେ ଇତିହାସକୁ ଯେପରି କିମ୍ବଦନ୍ତୀ ଓ ଜନଶ୍ରୁତିକୁ ମଧ୍ୟ ସେହିପରି ଗୁରୁତ୍ୱ ଦେଇଛନ୍ତି । ଏହି ପ୍ରସଙ୍ଗରେ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ପ୍ରବନ୍ଧର ଉପକ୍ରମଣିକାରେ ଉଲ୍ଲେଖ ଅଛି- “ଭାରତର ଧାରାବାହିକ ଇତିହାସ ନାହିଁ । କିନ୍ତୁ ଐତିହାସିକ ଉପାଦାନ ନାନା ଭାବରେ ଚାରିଆଡ଼େ ଏପରି ବିଞ୍ଚି ହୋଇ ରହିଅଛି ଯେ ସାମାନ୍ୟ ଅନୁସନ୍ଧାନରେ ଯୁଗଯୁଗାନ୍ତରର ସତ୍ୟରାଶି ପ୍ରକାଶ ପାଏ । ବେଦ-ଶାସ୍ତ୍ର ପୁରାଣାଦି ଛାଡ଼ିଦେଲେ ନଗର ଗ୍ରାମ ନଦୀ କାନନ କଳରାଜିରେ ଯେଉଁସବୁ ଐତିହାସିକ ସତ୍ୟ ନିହିତ ଅଛି ତାହାର ଉଦ୍‌ଘାଟକ ଲାଗି କେତେ ତତ୍ତ୍ୱ ସନ୍ଧିତ୍ସୁଙ୍କର ପ୍ରଗାଢ଼ ଅଧ୍ୟବସାୟ ଆବଶ୍ୟକ ! ଶିଆଳି ଲଗା ଶିଳାଖଣ୍ଡ ଅଭ୍ୟନ୍ତରରେ କେତେ ଅତୀତ ଘଟଣା ଲୁଚି ରହିଅଛି-! ଜୀର୍ଣ୍ଣ ଦେବାଳୟ ଗମ୍ଭିରା କେତେ କାହାଣୀର ଆକର ! ପୁରାତନ ବନ୍ଧ ପୁଷ୍କରିଣୀର ପଙ୍କରାଶି ତଳେ କେତେ କେତେ କିମ୍ବଦନ୍ତୀ ପୋତା ହୋଇଅଛି !’’ (ସତ୍ୟବାଦୀ, ୧/୨ ସଂ., ୧୩୨୨ ସାଲ, ୨ ପୃ ୬୨ ) ଏହି ଅଧ୍ୟାୟର ଶେଷ ଅନୁଚ୍ଛେଦରେ ପୁଣି ଉଲ୍ଲେଖ ଅଛି- “ସତ୍ୟବାଦୀଙ୍କ ବୃତ୍ତାନ୍ତ ଆଲୋଚନାରେ ଐତିହାସିକ ସତ୍ୟ ଘଟନା ସଙ୍ଗେ ସଙ୍ଗେ ଆମ୍ଭମାନଙ୍କୁ ଅନେକ କାହାଣୀ କିମ୍ବଦନ୍ତୀର ପ୍ରୟୋଜନୀୟତା କେହି ଅସ୍ଵୀକାର କରିବେ ନାହଁ । ଏ ଦେଶର ଧାରାବାହିକ ଇତିହାସ ନଥିବା ସ୍ଥଳେ ଭାରତ ଜାତି ନାନା ବୈଦେଶିକ ସଭ୍ୟତାରେ ଉତ୍‌କ୍ରାନ୍ତ ହୋଇ ସୁଦ୍ଧା ଆଜି ଯେ ସହସ୍ର ସହସ୍ର ବର୍ଷ ପରେ ଆପଣାର ପୂର୍ବପୁରୁଷମାନଙ୍କ ସ୍ମୃତି ସଂସ୍କାର, ପ୍ରଥା ପଦ୍ଧତିମାନ ଏକପ୍ରକାର ଅକ୍ଷୁର୍ଣ୍ଣ ରଖିଅଛି ତାହା କେବଳ ଏହିସବୁ କାହାଣୀ କିମ୍ବଦନ୍ତୀ ବଳରେ । କିମ୍ବଦନ୍ତୀ କେବଳ ମରୁମରୀଚିକା ନୁହେଁ । ନିସ୍ତରଙ୍ଗ ଅନ୍ଧକାରାଚ୍ଛନ୍ନ ଯୁଗକୁ ଘଟନାମୟ କରି ଚିତ୍ରିବା ଲାଗି ଅଯଥା ଅସଙ୍ଗତ କଳ୍ପନା ନୁହେଁ । ସେସବୁକୁ ଅନାଦର କଲେ ଆଧୁନିକ ଯୁଗ ବହୁ ପୁରାତତ୍ତ୍ଵରୁ ବଞ୍ଚିତ ହେବ ଏବଂ ବର୍ତ୍ତମାନ ସହିତ ଅତୀତର ସଂଯୋଜକ ସୂତ୍ର ଅନେକ ସ୍ଥଳେ ମିଳିବ ନାହିଁ । ଭାରତ ପରି ରୋମ, ଗ୍ରୀସ୍‌, ମିଶର, ବାବିଲନ୍ ପ୍ରଭୃତି ପ୍ରାଚୀନ ଦେଶ ଓ ଜାତିମାନଙ୍କ ଇତିହାସ କାହାଣୀ କିମ୍ବଦନ୍ତୀରୁ ବହୁ ପରିମାଣରେ ଉଦ୍ଧାର କରାଯାଇଅଛି । ବାଲୁକା ରାଶିର ନିମ୍ନରେ ଫଲ୍‌ଗୁ ପ୍ରବାହ ପରି ଏହି ସବୁ କିମ୍ବଦନ୍ତୀର ମଜା ଯେ ସାର ସତ୍ୟରେ ଚିରକାଳ ଉଜ୍ଜୀବିତ ରହିଅଛି ତାହା ଅନୁସନ୍ଧାନ କଲେ ଅନାୟାସାରେ ଉପଲବ୍ଧି ହେବ । କିମ୍ବଦନ୍ତୀ ପ୍ରତି ଏହି ସାଧୁ ଆସ୍ଥା ଓ ପୁଣ୍ୟ ବିଶ୍ୱାସ ରଖି ଆମ୍ଭେମାନେ ସତ୍ୟବାଦୀ ବୃତ୍ତାନ୍ତ ଆଲୋଚନା କରିବୁ ।” (ସତ୍ୟବାଦୀ, ୧ / ୨ ସଂ. ୧୩୨୨ ସାଲ, ପୃ ୬୩)

 

ଇତିହାସ ସହିତ ଲୋକପ୍ରବାଦ, କିମ୍ବଦନ୍ତୀ, ଜନଶ୍ରୁତି ପ୍ରଭୃତି ଉଭୟ ‘ଉତ୍କଳ-ଇତିହାସ’ ଓ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ଗ୍ରନ୍ଥ ମଧ୍ୟରେ ବର୍ଣ୍ଣିତ । ଉଭୟ ଗ୍ରନ୍ଥର ଚିନ୍ତା ଓ ଚେତନାର ଭିତ୍ତି ହେଉଛି ଏକ ଓ ଅଭିନ୍ନ । ସୁତରାଂ ‘ଉତ୍କଳ - ଇତିହାସ’ କୃପାସିନ୍ଧୁଙ୍କର ରଚନା ହୋଇଥିବାବେଳେ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ର ପିତୃତ୍ୱ ନେଇ ବିତର୍କ ଆଦୌ ସ୍ପୃହଣୀୟ ନୁହେଁ । ଏହା ନିଶ୍ଚିତ ଭାବେ କୃପାସିନ୍ଧୁଙ୍କର ରଚନା ।

 

(ଗ)

‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ର ପ୍ରତ୍ୟେକଟି ଅଧ୍ୟାୟରେ ଇତିହାସ ସହିତ ଜନଶ୍ରୁତି ଓ କିମ୍ବଦନ୍ତୀ ଭରପୁର । ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ର ଉପକ୍ରମଣିକାରେ ସ୍ରଷ୍ଟା ଶିଆଳିଲଗା ଶିଳାଖଣ୍ଡ ସହିତ ଜୀର୍ଣ୍ଣ ଦେବାଳୟର ଗମ୍ଭୀରାରୁ କାହାଣୀରେ ଆକର ଅନ୍ୱେଷଣ କରିଥିବାବେଳେ ପରବର୍ତ୍ତୀ ଅଧ୍ୟାୟମାନଙ୍କରୁ ଲେଖକଙ୍କ ବର୍ଣ୍ଣନା ମଧ୍ୟରେ ଆମେ ଇତିହାସ ସହିତ କିମ୍ବଦନ୍ତୀ ଓ ଜନଶ୍ରୁତିର ସୁମଧୁର ସଂପର୍କ ଲକ୍ଷ୍ୟ କରୁ ।

 

ସେକାଳରେ ଇତିହାସ ସହିତ କିମ୍ବଦନ୍ତୀ ଓ ଜନଶ୍ରୁତିକୁ ଯୋଡ଼ି ତହଁରୁ ଉତ୍କଳୀୟ ସଂସ୍କୃତିର ସ୍ଵରୂପ ଅନ୍ୱେଷଣ କରିବା ଓ ଇତିହାସକୁ ପୁନର୍ଗଠନ କରିବାରେ କୃପାସିନ୍ଧୁ ମିଶ୍ର ହିଁ ଥିଲେ ସେ କାଳର ଜଣେ ଅଗ୍ରଗଣ୍ୟ ପଥିକୃତ ସ୍ରଷ୍ଟା ।

 

(ଘ)

‘ଉତ୍କଳ- ଇତିହାସ’ (୧୯୨୬) ଗ୍ରନ୍ଥର ସାକ୍ଷୀଗୋପାଳ ଠାକୁରଙ୍କ ସ୍ଥାପନ ପ୍ରସଙ୍ଗକୁ ୧୩୬ ପୃଷ୍ଠାର ପାଦଟୀକା- ୨ରେ ଥିବା ବର୍ଣ୍ଣନା ସହିତ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ଅନ୍ତର୍ଗତ ଷଷ୍ଠ ଅଧ୍ୟାୟରେ ଥିବା ‘ଭୋଗ ଦେଉଳ ପ୍ରତିଷ୍ଠା’ ଅନ୍ତର୍ଗତ ଦ୍ୱିତୀୟ ଅନୁଚ୍ଛେଦ ବର୍ଣ୍ଣନା ଊଣା ଅଧିକେ ଏକ ଓ ନିର୍ଦ୍ଦିଷ୍ଟ ସ୍ରଷ୍ଟାଙ୍କର ଚିନ୍ତା- ପ୍ରସୂତ । ଯଦି ‘ଉତ୍କଳ- ଇତିହାସ’ କୃପାସିନ୍ଧୁ ମିଶ୍ରଙ୍କର ରଚନା ତେବେ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ନିର୍ଦ୍ୱନ୍ଦ୍ୱରେ ତାଙ୍କରି ସୃଷ୍ଟି । ସୁତରାଂ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ର ପିତୃତ୍ୱ ନେଇ ସମାଲୋଚକଙ୍କ ମଧ୍ୟରେ ଦ୍ୱନ୍ଦ୍ୱର ନିରସନ ହେବା ଉଚିତ ।

 

(ଙ)

ସ୍ୱର୍ଗତଃ ଅଧ୍ୟାପକ ଶ୍ରୀ ଚିନ୍ତାମଣି ଦାଶ, ଏମ୍‌. ଏ. ହେଉଛନ୍ତି ସତ୍ୟବାଦୀ ବନବିଦ୍ୟାଳୟରେ କୃପାସିନ୍ଧୁ ମିଶ୍ରଙ୍କର ପ୍ରାକ୍ତନ ଛାତ୍ର ଓ ଜଣେ ନିରପେକ୍ଷ ସମାଲୋଚକ ସେ ତାଙ୍କର ‘ଐତିହାସିକ କୃପାସିନ୍ଧୁ’ (୧୯୬୨) ଗ୍ରନ୍ଥର ଦ୍ୱାଦଶ ଅଧ୍ୟାୟକୁ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ଭାବରେ ନାମିତ କରିଛନ୍ତି । ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରି ‘ସତ୍ୟବାଦୀ’ ପତ୍ରିକାରେ ପ୍ରକାଶିତ ଏହି ଦୀର୍ଘ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ଆଲୋଚନାକୁ ସେ କୃପାସିନ୍ଧୁ ମିଶ୍ରଙ୍କର ରଚନା ଭାବରେ ଗ୍ରହଣ କରିଛନ୍ତି ।

 

(ଚ)

ଦୈନିକ ‘ସମାଜ’ର ପୂର୍ବତନ ସଂପାଦକ ସ୍ୱର୍ଗତଃ ଡଃ. ରାଧାନାଥ ରଥ ସତ୍ୟବାଦୀ ବନବିଦ୍ୟାଳୟରେ କୃପାସିନ୍ଧୁ ମିଶ୍ରଙ୍କର ଏକଦା ପ୍ରିୟଛାତ୍ର ଥିଲେ । ସେ ‘ସତ୍ୟବାଦୀ’ ପତ୍ରିକାରେ ପ୍ରକାଶିତ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’କୁ କୃପାସିନ୍ଧୁଙ୍କର ରଚନା ଭାବରେ ନିର୍ଦ୍ୱନ୍ଦରେ ଗ୍ରହଣ କରିଛନ୍ତି । ଏ ସଂପର୍କରେ ସେ ଅଧ୍ୟାପକ ଶ୍ରୀ ଚିନ୍ତାମଣି ଦାଶ, ଏମ୍‌.ଏ.ଙ୍କ ଦ୍ୱାରା ରଚିତ ‘ଐତିହାସିକ କୃପାସିନ୍ଧୁ’ ଗ୍ରନ୍ଥର ‘ମୁଖବନ୍ଧ’ ମଧ୍ୟରେ ଉଲ୍ଲେଖ କରିଛନ୍ତି- “କୃପାସିନ୍ଧୁ ମିଶ୍ରଙ୍କ ପ୍ରତିଭା ଭାରତ ତଥା ଉତ୍କଳର ଇତିହାସ ଚର୍ଚ୍ଚା ଗବେଷଣା, ‘କୋଣାର୍କ’, ‘ବାରବାଟୀ ଦୁର୍ଗ’, ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’, ‘ଉତ୍କଳ-ଇତିହାସ’ ପ୍ରଭୃତି ବହୁ ଗବେଷଣାମୂଳକ ତଥ୍ୟ ସମ୍ବଳିତ ଲେଖା ତାଙ୍କ ସାଧନା ଓ ବ୍ୟକ୍ତିତ୍ୱର କିଞ୍ଚିତ ସାକ୍ଷୀରୂପେ ରହିଛି ।’’ (ଐତିହାସିକ କୃପାସିନ୍ଧୁ, ୧୯୨୬, ପୃ-୪)

 

ସ୍ରଷ୍ଟାଙ୍କର ଏହି ରଚନାଟି ‘ସତ୍ୟବାଦୀ’ ପତ୍ରିକାର ୧/୨ ସଂଖ୍ୟାରୁ ଆରମ୍ଭ ହୋଇ ପ୍ରବନ୍ଧାକାରରେ ଦୀର୍ଘକାଳଯାଏ ପ୍ରକାଶ ପାଇଥିଲା । ଏଥିରୁ ଆମେ ସ୍ରଷ୍ଟାଙ୍କର ଐତିହ୍ୟ ଓ ସଂସ୍କୃତି ପ୍ରୀତିର ପରିଚୟ ପାଇଥାଉ । ମୁଖବନ୍ଧ ଓ ଉପସଂହାର (ଉପସଂହାର, ସତ୍ୟବାଦୀ ୩ୟ ଖଣ୍ଡ, ୩- ୪ର୍ଥ ସଂଖ୍ୟା, ଏହି ସଂଖ୍ୟା ସଂକଳକର ଦୃଷ୍ଟିକୁ ଆସିନାହିଁ)କୁ ମିଶାଇ ଏହା ଦୀର୍ଘ ତେରଗୋଟି ଅଧ୍ୟାୟରେ ବିଭକ୍ତ । ଶୈଶବରେ କୃପାସିନ୍ଧୁଙ୍କର ମଧ୍ୟରେ ଐତିହ୍ୟ ପ୍ରୀତି ଥିଲା ଖୁବ୍ ଅଧିକ । ଯୁବାବସ୍ଥାରେ କଟକରେ ମଧୁସୂଦନ, ଗୋପବନ୍ଧୁ, ନୀଳକଣ୍ଠଙ୍କ ସମେତ ମୟୂରଭଞ୍ଜ ଏବଂ ବାମଣ୍ଡାର ଗୁଣୀ ରାଜା ମହାରାଜାଙ୍କ ସହିତ ପ୍ରତ୍ୟକ୍ଷ ସଂପର୍କ ଏବଂ କଲିକତା ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ସ୍ରଷ୍ଟାଙ୍କର ଐତିହ୍ୟ ଚେତନାକୁ ବହୁଭାବରେ ପଲ୍ଲବିତ କରିଥିଲା । ‘ବାରବାଟୀ ଦୁର୍ଗ’ ଥିଲା ସ୍ରଷ୍ଟାଙ୍କର ସେହି ଇତିହାସବୋଧର ପ୍ରଥମ ସ୍ଵାକ୍ଷର । ୧୯୧୪ ମସିହାରେ ସତ୍ୟବାଦୀ ସ୍କୁଲରେ ଶିକ୍ଷକ ଭାବରେ ଯୋଗଦେବା ପରେ ବର୍ଷର ବିଭିନ୍ନ ସମୟରେ ସ୍କୁଲ ପରିଦର୍ଶନରେ ଆସୁଥିବା ବିଶିଷ୍ଟ ଶିକ୍ଷାବିତ୍‌ ଓ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହିତ କୃପାସିନ୍ଧୁଙ୍କର ସାକ୍ଷାତ ଆଲୋଚନା ହେଉଥିଲା । ବିଦ୍ୟାଳୟ ନିକଟସ୍ଥ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କାଳରେ ସେହି ପରିଦର୍ଶକମାନେ ଶିକ୍ଷକ କୃପାସିନ୍ଧୁଙ୍କୁ ନାନା ପ୍ରଶ୍ନ କରୁଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଓ ଜିଜ୍ଞାସୁ ଜ୍ଞାନପିପାସୁ ପରିଦର୍ଶକଙ୍କ ପ୍ରଶ୍ନବାଣର ବାରମ୍ବାର ସମ୍ମୁଖୀନ ହେବା ଫଳରେ କୃପାସିନ୍ଧୁ ସତ୍ୟବାଦୀ ବା ସାକ୍ଷୀଗୋପାଳ ମନ୍ଦିରର ଇତିହାସ, କିମ୍ବଦନ୍ତୀ, ଏହି ମନ୍ଦିରରେ ପୂଜିତ ଦେବଦେବୀ, ମନ୍ଦିରର ଶାସନ ନୀତି ଓ ପଦ୍ଧତି, ମନ୍ଦିରରେ ବର୍ଷର ବିଭିନ୍ନ ସମୟରେ ଅନୁଷ୍ଠିତ ପର୍ବ ଓ ଉତ୍ସବ ପ୍ରଭୃତି ସମ୍ପର୍କରେ ଜାଣିବାକୁ ଅଧିକରୁ ଅଧିକ ଆଗ୍ରହୀ ହୋଇ ଏହି ଉଦ୍ଦେଶ୍ୟରେ ସେ ବହୁ ଗ୍ରନ୍ଥ ଅଧ୍ୟୟନ କରିଥିଲେ । ସତ୍ୟବାଦୀ ବନ ବିଦ୍ୟାଳୟ ନିକଟସ୍ଥ ସାକ୍ଷୀଗୋପାଳ ମନ୍ଦିର ସହିତ ଉତ୍କଳର ସହସ୍ର ବର୍ଷର ଇତିହାସ ଓ କିମ୍ବଦନ୍ତୀ ଦୃଢ଼ ଭାବରେ ଜଡ଼ିତ- ଏହା ଖୁବ୍‌କମ୍‌ଲୋକ ଜାଣନ୍ତି । ପଞ୍ଚଦଶ ଶତକର କାଞ୍ଚି ଅଭିଯାନ ଓ କାଞ୍ଚି ଯୁଦ୍ଧରେ ବିଜୟୀ ହୋଇ ରାଜା ପୁରୁଷୋତ୍ତମଦେବ ସାକ୍ଷୀଗୋପାଳ ମନ୍ଦିରର ଆରାଧ୍ୟ ଦେବତା ସାକ୍ଷୀଗୋପାଳଙ୍କୁ ସେଠାରୁ ଯୁଦ୍ଧଧନ ଭାବରେ ପାଇ ଓଡ଼ିଶା ଆଣିଥିଲେ । ସେହି ଦେବତାଙ୍କୁ ସେ ପ୍ରଥମେ ପୁରୀ ଓ ପରେ ତତ୍କାଳୀନ ଓଡ଼ିଶାର ରାଜଧାନୀ କଟକର ବାରବାଟୀ ଦୁର୍ଗ ମଧ୍ୟରେ ସ୍ଥାପନ କରିଥିଲେ । ଏ ସଂପର୍କରେ ସ୍ରଷ୍ଟା ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ର ଚତୁର୍ଥ ଅଧ୍ୟାୟ ‘କଟକ ଅଧିଷ୍ଠାନ’ ମଧ୍ୟରେ ଉଲ୍ଲେଖ କରିଥିଲେ - “କଟକ ସେ ସମୟରେ ଓଡ଼ିଶାର ରାଜଧାନୀ ଥିଲା । କାଞ୍ଚି ବିଜୟ ସମୟରୁ ଅପୂର୍ବ କମନୀୟ ମୂର୍ତ୍ତି ସାକ୍ଷୀଗୋପାଳଙ୍କୁ ରାଜଧାନୀ କଟକରେ ରଖାଇବା ଲାଗି ପୁରୁଷୋତ୍ତମ ଦେବଙ୍କର ଇଚ୍ଛା ହୋଇଥିବା ବିଚିତ୍ର ନୁହେଁ । କିନ୍ତୁ ହଠାତ୍‌ ଦେଉଳ ନିର୍ମାଣ ହୋଇପାରୁଛି କାହିଁ ? ତେଣୁ ପ୍ରଥମେ ତାଙ୍କୁ ଆଣି ପୁରୀ ବେଢ଼ା ଅନ୍ତର୍ଗତ କୌଣସି ଦେଉଳରେ ରଖିଥିବେ । ପରେ କଟକରେ ଉପଯୁକ୍ତ ମନ୍ଦିର ନିର୍ମାଣ କରାଇ ସେଠାକୁ ବିଜେ କରାଇଥିବେ । ଚରିତାମୃତ ଗ୍ରନ୍ଥରେ ସ୍ପଷ୍ଟାକ୍ଷରେ ଲେଖାଅଛି ରାଜା ପୁରୁଷୋତ୍ତମ ଦେବ ‘କଟକେ ଗୋପାଳ ସେବା କରିଲ ସ୍ଥାପନ’ । ବାରବାଟୀ ଦୁର୍ଗ ମଧ୍ୟରେ ସାକ୍ଷୀଗୋପାଳ ଓ କଟକଚଣ୍ଡୀ ଉଭୟେ ପ୍ରତିଷ୍ଠିତ ଥିବାର ପ୍ରମାଣିତ ହୋଇଅଛି । କାଳର ଗତି ବିଚିତ୍ର । ଏଥିରେ ମାନବର ଭାଗ୍ୟ ପରିବର୍ତ୍ତିତ ହେଉଛି । ଦେଶର ଦଶା ବଦଳୁଛି; ଅନୁଷ୍ଠାନ ପ୍ରତିଷ୍ଠାନମାନ ଅବସ୍ଥାନ୍ତରିତ ହେଉଛି । ଓଡ଼ିଶାର ରାଜଧାନୀ କଟକ ଆଉ ପୁରୁଷୋତ୍ତମଦେବଙ୍କ ସମୟର କଟକ ନାହିଁ । ଆଜି ବାରବାଟୀ ଆଉ ସେ ବାରବାଟୀ ନାହିଁ । ସେଠାରେ ସାକ୍ଷୀଗୋପାଳ ନାହାନ୍ତି ।’’ (ସତ୍ୟବାଦୀ ବା ସାକ୍ଷୀଗୋପାଳ, ୪ ର୍ଥ ଅଧ୍ୟାୟ, କଟକ ଅଧିଷ୍ଠାନ, ସତ୍ୟବାଦୀ ୧ମ ଖ, ୬ଷ୍ଠ ସଂ., ପୃ ୧୭୨)

 

କୃପାସିନ୍ଧୁ ମିଶ୍ରଙ୍କ ଆଲୋଚ୍ୟ ଦୀର୍ଘ ପ୍ରବନ୍ଧର ଦ୍ୱିତୀୟ ଅଧ୍ୟାୟରେ ସେ ସାକ୍ଷୀଗୋପାଳ ମନ୍ଦିରର ପ୍ରାକୃତିକ ପରିବେଶ ସହିତ ସେହି ମନ୍ଦିରରେ ପୂଜିତ ଗୋପାଳମୂର୍ତ୍ତିଙ୍କର କାଞ୍ଚିରୁ ସତ୍ୟବାଦୀ ପର୍ଯ୍ୟନ୍ତ ବହୁ ପ୍ରାମାଣିକ ତଥ୍ୟ ସମ୍ବନ୍ଧିତ ନୂତନ ଇତିହାସ ପ୍ରଦାନ କରିଛନ୍ତି । ଗ୍ରନ୍ଥର ତୃତୀୟ ଅଧ୍ୟାୟ ‘ଯୁଦ୍ଧଧନ’ ମଧ୍ୟରେ ସେ ଐତିହାସିକ ଡଃ. ରାଜେନ୍ଦ୍ରଲାଲ ମିତ୍ରଙ୍କର ‘Antiquities of Orissa’ରେ ଥିବା ତଥ୍ୟଗତ ପ୍ରମାଦକୁ ଅଙ୍ଗୁଳି ନିର୍ଦ୍ଦେଶ ପୂର୍ବକ ଉଲ୍ଲେଖ କରିଛନ୍ତି- “Centuries after, negotiations were set on foot for the marriage of Prataprudra of Orissa ‘With Padmavati, the daughter of the then king of Canjeveram & C. x x x “ମୁନିନାଂ ଚ ମତିଭ୍ରମ'‘ଏହି ନ୍ୟାୟରେ ଆମ୍ଭେମାନେ ରାଜେନ୍ଦ୍ରଲାଲଙ୍କ ଗ୍ରନ୍ଥରେ ପୁରୁଷୋତ୍ତମଙ୍କ ନାମ ପରିବର୍ତ୍ତେ ପ୍ରତାପରୁଦ୍ରଙ୍କ ନାମ ପ୍ରସାଦ ବୋଲି ଗ୍ରହଣ କରୁଅଛୁଁ ।’’ (ସତ୍ୟବାଦୀ ବା ସାକ୍ଷୀଗୋପାଳ, ୩ୟ ଅଧ୍ୟାୟ, କଟକ ଅଧିଷ୍ଠାନ, ସତ୍ୟବାଦୀ, ୧ମ ଖଣ୍ଡ, ୫ମ ସଂ. ପୃ ୧୬୦)

 

ଏହି ପ୍ରବନ୍ଧରେ ସ୍ରଷ୍ଟା ‘ସତ୍ୟବାଦୀ ପ୍ରୟାଣ’ ପର୍ଯ୍ୟାୟରେ ସାକ୍ଷୀଗୋପାଳ ବୃନ୍ଦାବନଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ କିପରି ଉତ୍କଳର ଜାତୀୟ ଦେବତା ପାଲଟିଥିଲେ, ସ୍ରଷ୍ଟା ତାହାର ବିବରଣୀ ପ୍ରଦାନ କରିଛନ୍ତି । ଯଥା “ବୃନ୍ଦାବନରୁ କାଞ୍ଚି, କାଞ୍ଚିରୁ କଟକରେ ଗୋପାଳ ବିଜେକଲେ । ଏବେ ସେ ଆମ୍ଭମାନଙ୍କ ପ୍ରତି ଭିନ୍ନଦେଶୀୟ ଦେବତା ନୁହନ୍ତି; ସେ ଓଡ଼ିଶାର ଏବଂ ଉତ୍କଳ ମଳୟ ବିଧୌତ ପୁଲ୍ଲ କୁସୁମିତ ବନର ବନମାଳୀ । ଆଉ ସେ ଆମ୍ଭମାନଙ୍କ ପ୍ରତି ସାକ୍ଷୀଗୋପାଳ ନୁହନ୍ତି ସେ ଓଡ଼ିଶାର ସତ୍ୟବାଦୀ । ସତ୍ୟ କହିବା ଲାଗି ବୃନ୍ଦାବନ ଛାଡ଼ି ବହୁଦୂର ପଥ କାଞ୍ଚି ଆସିଥିଲେ । ଆଜି ଉତ୍କଳର ଓ ନିର୍ଜୀବ ନିଷ୍ପ୍ରଭ ଦିନରେ ଆମ୍ଭମାନଙ୍କ ପୂର୍ବ ଜାତୀୟ ଗୌରବର ସତ୍ୟସାକ୍ଷୀ ହୋଇ ଉଭା ରହିଛନ୍ତି । ସତ୍ୟବାଦୀ ବର୍ତ୍ତମାନ ଉତ୍କଳର ଜାତୀୟ ଦେବତା । ତାଙ୍କ ମହିମା ଓ ଇତିବୃତ୍ତ ଏଣିକି ଗୃହେ ଗୃହେ ପ୍ରଚାରିତ ।’’ (ସତ୍ୟବାଦୀ ବା ସାକ୍ଷୀଗୋପାଳ, ୫ମ ଅଧ୍ୟାୟ, ସତ୍ୟବାଦୀ ପ୍ରୟାଣ, ସତ୍ୟବାଦୀ, ୧ମ ଖ, ୭ମ ସଂ, ପୃ ୨୧୩) ।

 

୧୭୭୯ -୮୦ ଖ୍ରୀ.ଅ.ରେ ଦିବ୍ୟସିଂହଦେବ ରାଜତ୍ୱକାଳରେ ସତ୍ୟବାଦୀଙ୍କୁ ମୁସଲମାନ ଆକ୍ରମଣରୁ ନିରାପଦ ଦୂରତ୍ୱରେ ରଖିବା ନିମିତ୍ତ ତାହାଙ୍କୁ ସେ ରଥୀପୁରକୁ ସ୍ଥାନାନ୍ତରିତ କରିଥିଲେ-। ମାତ୍ର ସେଠାରେ ମୁସଲମାନ ଦୌରାତ୍ମ୍ୟରୁ ରକ୍ଷା ନ ମିଳିବାରୁ ତାଙ୍କୁ ପୁନଶ୍ଚ କନ୍ତଳବାଇକୁ ନିଆଯାଇଥିଲା । ସତ୍ୟବାଦୀ ବା ସାକ୍ଷୀଗୋପାଳ ସ୍ଥାପିତ ହୋଇଥିବା ରଥୀପୁର ବା କନ୍ତଳବାଇ ମନ୍ଦିର କେଉଁ ରାଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା, ତାହା ଉଲ୍ଲେଖ କରିବାକୁ କୃପାସିନ୍ଧୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ ହେଁ ୧୮୧୭-୧୮ ମସିହାର ପାଇକ ବିଦ୍ରୋହ ପର ଘଟଣାଠାରୁ ସତ୍ୟବାଦୀଙ୍କର ଅବସ୍ଥାନ ସମ୍ପର୍କରେ ଇତିହାସଭିତ୍ତିରେ ସେ ଯେଉଁମତ ପ୍ରଦାନ କରିଛନ୍ତି, ତାହା ସାକ୍ଷୀଗୋପାଳ ମନ୍ଦିରର ଐତିହାସିକ ଅଧ୍ୟୟନ ନିମିତ୍ତ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ-। ଯଥା : ‘‘୧୮୧୭-୧୮ ଖ୍ରୀଷ୍ଟାବ୍ଦରେ ଖୋରଧାର ପାଇକ ବିଦ୍ରୋହ ପରେ ମୁକୁନ୍ଦଦେବ କୟେଦୀ ଓ ମୃତ ହେବାରୁ ତାହାଙ୍କ ପୁତ୍ର ରାମଚନ୍ଦ୍ରଦେବ ୧୮୧୭ରୁ ୧୮୫୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜା ହେଲେ । ଖୋରଧା ଇଂରେଜ ସରକାରଙ୍କ ଖାସ ଦଖଲରେ ଆସିଲା । ରାମଚନ୍ଦ୍ରଦେବ ଖୋର୍ଦ୍ଧା ଛାଡ଼ି ପୁରୀରେ ବାସକଲେ । ଆଉ ଖୋରଧା ସହିତ ତାଙ୍କର କୌଣସି ସମ୍ପର୍କ ରହିଲା ନାହିଁ । ପରମପୂଜ୍ୟ ପ୍ରିୟ ଦେବତା ସତ୍ୟବାଦୀଙ୍କୁ ଦୂରବର୍ତ୍ତୀ କନ୍ତଳବାଇ ଗ୍ରାମରେ ଛାଡ଼ି ଆସିବାକୁ ରାମଚନ୍ଦ୍ରଙ୍କ ମନ ବଳିଲା ନାହିଁ । ବାବା ବ୍ରହ୍ମଚାରୀ ନାମକ ଜଣେ ସନ୍ନ୍ୟାସୀଙ୍କ ପରାମର୍ଶରେ ସେ ସତ୍ୟବାଦୀଙ୍କୁ ପୁରୀର ନିକଟବର୍ତ୍ତୀ ବହୁ ବ୍ରାହ୍ମଣ ଶାସନ କେନ୍ଦ୍ରସ୍ଥଳ ରତ୍ନଚିରାର ମଞ୍ଜୁ ନିକୁଞ୍ଜମୟ ପୁଲିନରେ ପ୍ରତିଷ୍ଠିତ କଲେ । ଦେବତାଙ୍କ ନାମାନୁସାରେ ସ୍ଥାନର ନାମ ସତ୍ୟବାଦୀ ବୋଲି ଏବେ ଲୋକମୁଖରେ ପ୍ରଚଳିତା ।’’ (ସତ୍ୟବାଦୀ ବା ସାକ୍ଷୀଗୋପାଳ, ୫ମ ଅଧାୟ, ସତ୍ୟବାଦୀ ପ୍ରୟୋଗ, ସତ୍ୟବାଦୀ, ୧ମ ଖଣ୍ଡ, ୭ମ ସଂ. ୧୩୨୨ ସାଲ, ପୃ ୨୧୪-୨୧୫)

 

ଆଲୋଚନାର ଷଷ୍ଠ ଅଧ୍ୟାୟ ‘ଭୋଗ ଦେଉଳ ପ୍ରତିଷ୍ଠା’ ମଧ୍ୟରେ ସ୍ରଷ୍ଟା କୃପାସିନ୍ଧୁ ବାବା ବ୍ରହ୍ମଚାରୀଙ୍କର ପରିଚୟ ପ୍ରଦାନ ସହିତ ସତ୍ୟବାଦୀ ଠାକୁରଙ୍କୁ ତତ୍‌କାଳୀନ ଓଡ଼ିଶା ରାଜାଙ୍କ ପ୍ରମୋଦ ଭବନ ‘ଫୁଲଅଳସା’ ମୌଜା ଅନ୍ତର୍ଗତ ସିଦ୍ଧ ବକୁଳ ବନରେ କିପରି ଓ କେଉଁ ପରିସ୍ଥିତିରେ ସ୍ଥାପନ କରାଗଲା, ତାହାର ପୂର୍ଣ୍ଣାଙ୍ଗ ବିବରଣୀ ପ୍ରଦାନ କରିଛନ୍ତି । ସଂପ୍ରତି ସାକ୍ଷୀଗୋପାଳଠାରେ ଆମେ ଠାକୁରଙ୍କର ଯେଉଁ ମନ୍ଦିର ଦେଖୁଛୁ ତାହା ଅବଶ୍ୟ ବହୁ ପରେ ନିର୍ମିତ ହୋଇଥିଲା । ମାତ୍ର ପ୍ରଥମେ ଫୁଲ ଅଳସା ମୌଜାରେ ଯେଉଁ ମନ୍ଦିର ନିର୍ମାଣ ହୋଇଥିଲା ସେ ସଂପର୍କରେ ସ୍ରଷ୍ଟା ଏହି ପର୍ଯ୍ୟାୟରେ ଉଲ୍ଲେଖ କରିଛନ୍ତି- “ବାବା ବ୍ରହ୍ମଚାରୀ ପ୍ରତ୍ୟେକ ବ୍ରାହ୍ମଣଙ୍କୁ ତାଙ୍କ ଦ୍ୱାରରୁ ଖଣ୍ଡିଏ ଲେଖାଏଁ ପଥର ଭିକ୍ଷା କଲେ । ବ୍ରହ୍ମଚାରୀଙ୍କର ଏ ଉଭୟ ପ୍ରୟୋଗ ଅବ୍ୟର୍ଥ । ତ୍ୟାଗୀ ପୁରୁଷର ଅନୁରୋଧ ଓ ଅଭୀଷ୍ଟ ପୂର୍ଣ୍ଣ ନ କରିବାକୁ ଚାରା କାହାର ? ଉପସ୍ଥିତ ଘଟନାରେ ସମସ୍ତେ ଆଗ୍ରହ ସହକାରେ ନିଜ ନିଜ ଦ୍ୱାରରୁ ଖଣ୍ଡେ ଲେଖାଏଁ ପଥର ଦେଇଥିଲେ । କେହି କେହି ଯେ ଅଧିକ ସାହାଯ୍ୟ କରିଥିବ ଏହା ବୋଲିବା ବାହୁଲ୍ୟ । ସଙ୍ଗେ ସଙ୍ଗେ ବହୁ ପ୍ରସ୍ତରର ଆୟୋଜନ ହେଲା । ସିଦ୍ଧ ବକୁଳଙ୍କଠାରେ ଗୋଟିଏ କ୍ଷୁଦ୍ର ଦେଉଳ ତୋଳା ହେଲା ଏବଂ ସେଥିରେ ମହାସମାରୋହରେ ସତ୍ୟବାଦୀ ପ୍ରତିଷ୍ଠିତ ହେଲେ । ବର୍ତ୍ତମାନ ଯେଉଁ ଦେଉଳରେ ସତ୍ୟବାଦୀ ବିରାଜମାନ ଅଛନ୍ତି ତାହା ପରେ ନିର୍ମିତ ହୋଇଅଛି । ପ୍ରଥମ ଦେଉଳଟି ବର୍ତ୍ତମାନ ଦେଉଳଠାରୁ ବହୁତ ଛୋଟ ଥିଲା । ବର୍ତ୍ତମାନ ଦେଉଳର ପ୍ରତିଷ୍ଠା ଦେଖିଥିବା ଅନେକ ଲୋକେ ଅଦ୍ୟାପି ଜୀବିତ ଅଛନ୍ତି । ପ୍ରଥମ ଦେଉଳର ପଥରସବୁ ବର୍ତ୍ତମାନ ଦେଉଳ ତୋଳାରେ ବ୍ୟବହୃତ ହୋଇଅଛି । ଏବେ ଆଦ୍ୟ ଦେଉଳର ଅବଶେଷ ବକୁଳବନ ମଧ୍ୟରେ ଦେଖାଯାଏ (ସତ୍ୟବାଦୀ ବା ସାକ୍ଷୀଗୋପାଳ, ୬ଷ୍ଠ ଅଧ୍ୟାୟ, ଦେଉଳ ଭୋଗ ପ୍ରତିଷ୍ଠା, ସତ୍ୟବାଦୀ, ୧ମ ଖ/୮-୯ ସଂ, ପୃ. ୨୬୭)

 

ସତ୍ୟବାଦୀ ଠାକୁରଙ୍କୁ ନେଇ ସତ୍ୟବାଦୀ ଅଞ୍ଚଳରେ ପ୍ରଚଳିତ ଜନଶ୍ରୁତିକୁ ଖୁବ ଚମତ୍କାର ଭାବରେ କୃପାସିନ୍ଧୁ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ର ୭ମ ଅଧ୍ୟାୟରେ ଅନ୍ତର୍ଭୁକ୍ତ କରିଛନ୍ତି । ସାକ୍ଷୀଗୋପାଳ ମନ୍ଦିରରେ ପୁରୀ ମନ୍ଦିର ପରି ମହାପ୍ରସାଦ ବ୍ୟବସ୍ଥା କରାଯିବା ନିମିତ୍ତ ପୁରୀ କୁମ୍ଭାରପଡ଼ାରୁ ଏକ ସହସ୍ର ହାଣ୍ଡି ଆସିବା ଜାଣି କୁମାରପଡ଼ାର ଜନୈକ ବୃଦ୍ଧ ଧୀବର କୁମ୍ଭାର ସାକ୍ଷୀଗୋପାଳ ମନ୍ଦିରରେ ପହଞ୍ଚି ସେଠାର ଉପସ୍ଥିତ ସାଧୁ, ସନ୍ୟାସୀ, ବ୍ରାହ୍ମଣ, ମହାରାଜା ପ୍ରଭୃତିଙ୍କ ମହାପ୍ରସାଦ ପ୍ରଚଳନ ସମ୍ବନ୍ଧରେ ନାନା ଯୁକ୍ତିତର୍କ ଶୁଣିଲେ । ସେମାନଙ୍କ ମଧ୍ୟରେ ବହୁ ଚର୍ଚ୍ଚା ପରେ ମନ୍ଦିରରେ ମହାପ୍ରସାଦ ଚଳିବାର ସ୍ଥିର ହେବାରୁ ବୃଦ୍ଧଜଣକ କରଯୋଡ଼ି ଏ ସଂପର୍କରେ ନିଜର ମନ୍ତବ୍ୟ ପ୍ରକାଶ କରିବା ନିମିତ୍ତ ମହାରାଜାଙ୍କ ଅନୁମତି ଲୋଡ଼ିଲେ । ତାଙ୍କୁ କହିବାକୁ ଅନୁମତି ମିଳିଲା ପରେ ସେ କହିଲେ ‘‘ମଣିମା, ଓଡ଼ିଶାର ଗଜପତି, ଲକ୍ଷେ ରଜାରେ ମହୁଡ଼ମଣି । ବ୍ରାହ୍ମଣ ସାଆନ୍ତମାନେ ତ ଛତିଶ ବର୍ଣ୍ଣରେ ରଜା; ଏଠାରେ ଅନ୍ନ ମହାପ୍ରସାଦ ଚଳାଇବାର ଥୟ କଲେ; ମୁଁ ମୂର୍ଖ ବୁଢ଼ାଟାଏ ବୁଝିପାରୁନାହିଁ ଏଠାରେ କି ପଥ ଅନ୍ନ ଚଳିବ । ଯାଗର ନୁହେ, କି ପାଗର ନୁହେ, କି ମା ବେଇଲା ଭାଗର ନୁହେ’’, ବୁଢ଼ା କଥା ଶୁଣି ସମସ୍ତେ ଅବାକ୍‌ । ପଚରାଯିବାରୁ ବୁଢ଼ା ନିଜ କଥାର ମର୍ମ୍ମ ବୁଝାଇ କହିଲେ । ଯାଗଅନ୍ନ ସମସ୍ତେ ଭୋଜନ କରନ୍ତି । ସତ୍ୟବାଦୀଠାରେ ଯାଗ ହୋଇନାହିଁ । ପୁରୀ ଦେଉଳର ମହାଲକ୍ଷ୍ମୀ ପାଗ ବୋଲି ସମସ୍ତେ ବିଶ୍ଵାସ କରନ୍ତି ଏବଂ ପ୍ରସାଦ ସେବା କରନ୍ତି । ଏଠାରେ ତ ମହାଲକ୍ଷ୍ମୀ ନାହାନ୍ତି । କିମ୍ବା ସାକ୍ଷୀଗୋପାଳ ଜଗନ୍ନାଥଙ୍କ ମା’ ଉଦରରୁ ଜନ୍ମିନାହାନ୍ତି । ତାହାହେଲେ ଏଠାରେ କି ହିସାବରେ ମହାପ୍ରସାଦ ଚଳିବ ? ବୃଦ୍ଧ କୁମ୍ଭାରର ଏକଥା ଉପସ୍ଥିତ ସାଧାରଣଙ୍କ ମନକୁ ଘେନିଲା । ସାଧାରଣ ଲୋକମାନଙ୍କ ମତ ବିରୁଦ୍ଧରେ ବା ବ୍ରହ୍ମଚାରୀ କିମ୍ବା ନିଜେ ରାଜା ରାମଚନ୍ଦ୍ରଦେବ ଅନ୍ନପ୍ରସାଦ ଚଳାଇବା ସଙ୍ଗତ ବିବେଚନା କଲେ ନାହିଁ । ସେ ପ୍ରସ୍ତାବ ଉପେକ୍ଷିତ ହେଲା ଯେ ଏକ ସହସ୍ର ନୂଆ ହାଣ୍ଡି ଆସିଥିଲା, ତାହାକୁ ଭାଙ୍ଗି ଦେବାଲାଗି ମହାରାଜା ଆଦେଶ କଲେ । ଏକା ଠେଙ୍ଗାକେ ସେ ସବୁ ଚୂନା ହୋଇଗଲା । ଏହି ଘଟନାରୁ ସତ୍ୟବାଦୀ ଅଞ୍ଚଳରେ ‘‘ସହସ୍ରେ ହାଣ୍ଡି ଏକ ଠେଙ୍ଗା’’ କଥାଟି ପ୍ରଚଳିତ-। “ଯାଗର ନୁହେ କି ପାଗର ନୁହେ କି ମା ବେଇଲା ଭାଗର ନୁହେ ।’’ କଥା ମଧ୍ୟ ଅଦ୍ୟାପି ଅନେକଙ୍କ ମୁଖରେ ଶୁଣାଯାଏ ।’’ (ସତ୍ୟବାଦୀ ବା ସାକ୍ଷୀଗୋପାଳ, ୭ମ ଅଧ୍ୟାୟ, ସହସ୍ରେ ହାଣ୍ଡି ଏକ ଠେଙ୍ଗା, ସତ୍ୟବାଦୀ, ୧ମ ଖଣ୍ଡ, ୧୦-୧୧ ସଂ. ପୃ ୩୧୮-୩୧୯) ।
 

ସମାଜର ଉଚ୍ଚବର୍ଗ ପ୍ରତି ଯେପରି, ନିମ୍ନବର୍ଗ ଜନତାଙ୍କ ପ୍ରତି ମଧ୍ୟ ସେହିପରି ସେକାଳର ରାଜାମାନେ ଖୁବ୍‌ସଚେତନ ଥିଲେ ଏବଂ ନିମ୍ନବର୍ଗ ବ୍ୟକ୍ତିଙ୍କ ମତାମତକୁ ସେମାନେ ସମ୍ମାନର ସହିତ ଗ୍ରହଣ କରୁଥିଲେ । ଐତିହାସିକ ପଣ୍ଡିତ କୃପାସିନ୍ଧୁ ମିଶ୍ର ମଧ୍ୟ ଏହି ମନ୍ଦିରର ଇତିହାସ ଓ କିମ୍ବଦନ୍ତୀ ବର୍ଣ୍ଣନା କାଳରେ ମନ୍ଦିର ସମ୍ପର୍କିତ ଲୋକକଥା, ଜନଶ୍ରୁତି ଏବଂ କାହାଣୀ ସହିତ ଲୋକ ଚରିତ୍ରକୁ ଖୁବ୍‌ ଭଲ ଭାବରେ ଅଧ୍ୟୟନ କରିଥିଲେ । ଫଳତଃ ଏ ଦେଶର ସାଧାରଣତନ୍ତ୍ର ବା ପ୍ରଜାତନ୍ତ୍ର ଶାସନ କେବେ ପ୍ରତିଷ୍ଠିତ ନ ଥିଲା । ପ୍ରଜାମାନେ ସ୍ଵେଚ୍ଛାଚାରୀ ଥିଲେ, ଉଚ୍ଚବର୍ଣ୍ଣମାନେ ନିମ୍ନବର୍ଣ୍ଣଙ୍କ ଉପରେ ଅଯଥା ଆଧିପତ୍ୟ ବିସ୍ତାର ସହିତ ଅତ୍ୟାଚାର କରୁଥିଲେ ବୋଲି ଯେଉଁମାନେ କହନ୍ତି କୃପାସିନ୍ଧୁ ମିଶ୍ର ସେମାନଙ୍କୁ ଏ ଦେଶର ଇତିହାସ ଓ ଲୋକଚରିତ୍ର ଯଥାର୍ଥ ଭାବରେ ଅଧ୍ୟୟନ କରିନାହାନ୍ତି ବୋଲି କହି ସମାଲୋଚନା କରିଛନ୍ତି । ଗ୍ରନ୍ଥର ଅଷ୍ଟମ ଅଧ୍ୟାୟରେ ସ୍ରଷ୍ଟା ‘ରାଧାକୃଷ୍ଣଙ୍କ ସମ୍ପର୍କରେ ଆଲୋଚନା କରିଥିବା କେବଳ ନବମ ଅଧ୍ୟାୟରେ ସତ୍ୟବାଦୀର ନୂତନ ଦେଉଳ, ଦଶମ ଅଧ୍ୟାୟରେ ଶାସନ ଓ ତତ୍ତ୍ୱାବଧାନ, ଏକାଦଶ ଅଧ୍ୟାୟରେ ପର୍ବ ଓ ଉତ୍ସବାଦିର ବିବରଣୀ ଦେବା ସହିତ ସେସବୁର ଆଲୋଚନା କରିଛନ୍ତି । “ରାଧାକୃଷ୍ଣ’’, ‘ଶାସନ ଓ ତତ୍ତ୍ୱାବଧାନ’, ‘ସାକ୍ଷୀ ଗୋପାଳଙ୍କ ମନ୍ଦିରରେ ପାଳିତ ପର୍ବ ଓ ଉତ୍ସବ’ ମଧ୍ୟରୁ ଆମେ ସ୍ରଷ୍ଟାଙ୍କର ସଂସ୍କୃତିପ୍ରାଣତାର ପରିଚୟ ପାଉ । ଇତିହାସ ଅନୁଶୀଳନ ମଧ୍ୟରେ ସ୍ରଷ୍ଟା ସତ୍ୟବାଦୀ ସଂସ୍କୃତିପ୍ରାଣତାର ପରିଚୟ ପାଉ । ଇତିହାସ ଅନୁଶୀଳନ ମଧ୍ୟରେ ସ୍ରଷ୍ଟା ସତ୍ୟବାଦୀ ଦେଉଳର ନିର୍ମାଣ କୌଶଳ, ନିର୍ମାଣ କାଳ, ଦେଉଳର ପରିମାଣ, ଓଡ଼ିଶାର ଅନ୍ୟାନ୍ୟ ଦେଉଳ ସହିତ ଏହି ଦେଉଳର ତୁଳନା କରି ତାଙ୍କ ସମକାଳୀନ ଓଡ଼ିଶାରେ ସ୍ଥାଣୁ ଅବସ୍ଥା ପ୍ରତି ସେ ସଚେତନ ହୋଇଛନ୍ତି । ୧୮୬୦-୬୧ ମସିହାରେ ନିର୍ମିତ ହୋଇଥିବା ସାକ୍ଷୀଗୋପାଳ ମନ୍ଦିର ସମ୍ପର୍କରେ ଏହି ଅଂଶରେ ସେ ଆହୁରି ଉଲ୍ଲେଖ କରିଛନ୍ତି- ‘‘କୋଣାର୍କ ମନ୍ଦିର ଭଙ୍ଗାଗଲାରୁ ଅରୁଣ ସ୍ତମ୍ଭ ପୁରୀରେ ରଖାଗଲା । ସେ ଅରୁଣ ସ୍ତମ୍ଭ ଗୋଟିଏ ପଥରରେ ଗଢ଼ା । ତାହାର ଶୋଳ ଅଂଶ । ସମାନ ଶୋଳ ଅଂଶ କରିବା ଅପେକ୍ଷା ସମାନ ସତର ଅଂଶ କରିବା ନିଶ୍ଚୟ କଷ୍ଟକର । କିନ୍ତୁ ପଚିଶ ତିରିଶ ବର୍ଷ ପୂର୍ବେ ଓଡ଼ିଆ ମହାରଣା କୋଣାର୍କ ଅରୁଣ ସ୍ତମ୍ଭର ଅନୁକରଣରେ ସତ୍ୟବାଦୀର ଅରୁଣ ସ୍ତମ୍ଭ ଗଢ଼ିବା ବାସ୍ତବିକ ଗୌରବର କଥା ନୁହେଁ କି ? ଏହାସବୁ ଦେଖିଲେ କିଏ କହିବ ଯେ ଓଡ଼ିଆ ଶିଳ୍ପୀ ଏକାବେଳେକେ ମରିଗଲେଣି ? ଓଡ଼ିଆ ଶିଳ୍ପୀ ମଲେ ଯେ ଓଡ଼ିଆ ଜାତି ମଲା । ଏତେବେଳେ ସୁଦ୍ଧା ପିଣ୍ଡରେ ପ୍ରାଣ ଅଛି; ହୃଦୟରେ ପୂର୍ବ ସଂସ୍କାର ଅଛି ଏବଂ ନାଡ଼ିରେ ପୂର୍ବପୁରୁଷର ରକ୍ତ ଅତି କ୍ଷୀଣ ଗତିରେ ହେଲେ ବହୁଛି । ଏତେବେଳେ ମଧ୍ୟ ସମୟ ଅଛି । ଭାରତର ଜାତୀୟ କଳାର ବିକାଶରେ ଅତୀତ ଉତ୍କଳର ଯେ ଅଂଶ ଅଛି ତାହାର କ୍ରମୋନ୍ନତିର ଆଶା ଏବେ ସୁଦ୍ଧା ଏକାବେଳକେ ତୁଟି ନାହିଁ ।’’ (ସତ୍ୟବାଦୀ ବା ସାକ୍ଷୀଗୋପାଳ, ନୂତନ ଦେଉଳ, ସତ୍ୟବାଦୀ, ୨ୟ ଖ, ୫-୭ ସଂ, ପୃ ୧୯୪)

 

‘କୋଣାର୍କ’ ପରି ସ୍ରଷ୍ଟା କୃପାସିନ୍ଧୁ ତାଙ୍କର ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ର ତୃତୀୟ ଅଧ୍ୟାୟ ‘ଯୁଦ୍ଧଧନ’ ଅନ୍ତର୍ଗତ କାଞ୍ଚିଯୁଦ୍ଧ ବର୍ଣ୍ଣନା ଅବକାଶରେ ଐତିହାସିକ ଡାକ୍ତର ରାଜେନ୍ଦ୍ରଲାଲ ମିତ୍ରଙ୍କ 'Antiquities of Orissa' ରେ ଥିବା ଭ୍ରମ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହି ପର୍ଯ୍ୟାୟରେ ସେ ଉଲ୍ଲେଖ କରିଛନ୍ତି “ବଡ଼ ଆକ୍ଷେପର କଥା ଡାକ୍ତର ରାଜେନ୍ଦ୍ରଲାଲ ମିତ୍ରଙ୍କର ଓ ପ୍ରସଙ୍ଗରେ କେତେକ ପ୍ରମାଦ ଘଟିଅଛି । ସତ୍ୟବାଦୀ ପ୍ରସଙ୍ଗରେ ସେ ଲେଖିଅଛନ୍ତି:

 

"Centuries after, negotiations were set on foot for the marriage of Prataprudra of Orissa with Padmavati, the daughter of the then King of Canjeveram & C."

 

କାଞ୍ଚି ଯୁଦ୍ଧ ବିଷୟ ବର୍ଣ୍ଣନା କରୁକରୁ ସେ ବହୁବାର ପୁରୁଷୋତ୍ତମଙ୍କ ନାମ ପରିବର୍ତ୍ତେ ପ୍ରତାପରୁଦ୍ରଙ୍କ ନାମ ଉଲ୍ଲେଖ କରିଅଛନ୍ତି । କିନ୍ତୁ କାଞ୍ଚି ବିଜେତା ପୁରୁଷୋତ୍ତମ ପଦ୍ମାବତୀଙ୍କ ପାଣିଗ୍ରହଣ କରିଥିବା ବିଷୟ କାବ୍ୟ, କଥା, କିମ୍ବଦନ୍ତୀ ପ୍ରଭୃତିରେ ଏତେ ବହୁଳ ଓ ବିଶଦ ଭାବରେ ରହିଅଛି ଯେ ତହିଁର ଅନ୍ୟଥା ଆଶଙ୍କା କରାଯାଇନପାରେ । ‘ମୁନିନାଂ ଚ ମତିଭ୍ରମଃ’’ ଏହି ନ୍ୟାୟରେ ଆମ୍ଭେମାନେ ରାଜେନ୍ଦ୍ରଲାଲଙ୍କ ଗ୍ରନ୍ଥରେ ପୁରୁଷୋତ୍ତମଙ୍କ ନାମ ପରିବର୍ତ୍ତେ ପ୍ରତାପରୁଦ୍ରଙ୍କ ନାମ ପ୍ରମାଦ ବୋଲି ଗ୍ରହଣ କରୁଅଛୁଁ ।’’' (ସତ୍ୟବାଦୀ ବା ସାକ୍ଷୀଗୋପାଳ, ଯୁଦ୍ଧଧନ, ସତ୍ୟବାଦୀ, ୧/୫ ସଂ, ୧୩୨୨ ସାଲ, ପୃ ୧୬୦)

 

ଆଲୋଚ୍ୟ ପ୍ରବନ୍ଧର ସାକ୍ଷୀଗୋପାଳଙ୍କର ‘କଟକ ଅଧିଷ୍ଠାନ’ ପ୍ରସଙ୍ଗରେ ସ୍ରଷ୍ଟା ନିଜ ରଚିତ ‘ବାରବାଟୀ ଦୁର୍ଗ’ ନିକଟକୁ ମୁହଁ ଫେରାଇଛନ୍ତି । ଏହି ପ୍ରସଙ୍ଗରେ ସେ ପୁରୁଷୋତ୍ତମ ଦେବଙ୍କ କାଞ୍ଚି ବିଜୟ, ସେଠାରୁ ଗୋପାଳମୂର୍ତ୍ତିଙ୍କୁ ଉତ୍କଳ ଆନୟନ, ପ୍ରଥମେ ପୁରୀ, ପରେ ଖୋର୍ଦ୍ଧା ଓ କଟକ ହୋଇ ଶେଷରେ ସତ୍ୟବାଦୀଠାରେ ସେହି ଗୋପାଳଙ୍କୁ ସ୍ଥାପନ ଓ ବାରବାଟୀ ଦୁର୍ଗର ଅତୀତ ବିଭବ ଓ କ୍ରମଶଃ ସେହି ଦୁର୍ଗର ସ୍ଥାଣୁ ଅବସ୍ଥା ସେଥିରେ ବର୍ଣ୍ଣନା କରିଛନ୍ତି । ଦୀର୍ଘ ପ୍ରବନ୍ଧର ପଞ୍ଚମ ଅଧ୍ୟାୟ ‘ସତ୍ୟବାଦୀ ପ୍ରୟାଣ’ ମଧ୍ୟରେ ସ୍ରଷ୍ଟାଙ୍କର ଉଲ୍ଲିଖିତ ୧୫୬୮ ଖ୍ରୀ:ଅ:ରେ ଉତ୍କଳରେ ଭୋଇବଂଶୀୟ ରାଜତ୍ଵ, ରମାଇ ରାଉତରା ରାମଚନ୍ଦ୍ରଦେବଙ୍କ ନାମରେ ନାମିତ ଖୋରଧାରେ ରାଜଧାନୀ ସ୍ଥାପନ, ଓଡ଼ିଶାର ମନ୍ଦିରମାନଙ୍କରେ ମୁସଲମାନମାନଙ୍କର ଦୌରାତ୍ମ୍ୟ, ୧୬୦୦ ଖ୍ରୀ:ଅ:ରେ ରାମଚନ୍ଦ୍ରଦେବଙ୍କ ମୃତ୍ୟୁପରେ ମୁସଲମାନମାନଙ୍କର ବହୁବାର ଜଗନ୍ନାଥ ମନ୍ଦିର ଲୁଣ୍ଠନ, ଏହି ଭୟରେ ହିନ୍ଦୁମାନଙ୍କର ବାରମ୍ବାର ଜଗନ୍ନାଥଙ୍କୁ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର ପ୍ରଭୃତି ଐତିହାସିକ ଘଟଣାଗୁଡ଼ିକ ସମକାଳରେ ଐତିହାସିକ କୃପାସିନ୍ଧୁଙ୍କ ବ୍ୟତୀତ ଅନ୍ୟ କାହାରି ରଚନାରେ ଏତେ ସ୍ପଷ୍ଟ ଓ ସତ୍ୟର ନିକଟବର୍ତ୍ତୀ ହୋଇପାରି ନାହିଁ । ଏହି ପ୍ରସଙ୍ଗରେ ସ୍ରଷ୍ଟାଙ୍କର ବକ୍ତବ୍ୟ ‘‘ତତ୍‌ପରେ ୧୮୧୭-୧୮ ଖ୍ରୀଷ୍ଟାବ୍ଦରେ ଖୋରଧାର ପାଇକ ବିଦ୍ରୋହ ପରେ ମୁକୁନ୍ଦଦେବ କୟେଦୀ ଓ ମୃତ ହେବାରୁ ତାହାଙ୍କ ପୁତ୍ର ରାମଚନ୍ଦ୍ରଦେବ ୧୮୧୭ରୁ ୧୮୫୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜା ହେଲେ । ଖୋରଧା ଇଂରେଜ ସରକାରଙ୍କ ଖାସ ଦଖଲରେ ଆସିଲା । ରାମଚନ୍ଦ୍ରଦେବ ଖୋର୍ଦ୍ଧା ଛାଡ଼ି ପୁରୀରେ ବାସ କଲେ । ଆଉ ଖୋରଧା ସହିତ ତାଙ୍କର କୌଣସି ସମ୍ପର୍କ ରହିଲା ନାହଁ । ପରମପୂଜ୍ୟ ପ୍ରିୟ ଦେବତା ସତ୍ୟବାଦୀଙ୍କୁ ଦୂରବର୍ତ୍ତୀ କନ୍ତଳବାଇ ଗ୍ରାମରେ ଛାଡ଼ି ଆସିବାକୁ ରାମଚନ୍ଦ୍ରଙ୍କ ମନ ବଳିଲା ନାହିଁ । ବାବା ବ୍ରହ୍ମଚାରୀ ନାମକ ଜଣେ ସନ୍ନ୍ୟାସୀଙ୍କ ପରାମର୍ଶରେ ସେ ସତ୍ୟବାଦୀଙ୍କୁ ପୁରୀର ନିକଟବର୍ତ୍ତୀ ବହୁ ବ୍ରାହ୍ମଣ ଶାସନ କେନ୍ଦ୍ରସ୍ତଳୀ ରତ୍ନଚିରାରେ ମଞ୍ଜୁ ନିକୁଞ୍ଜମୟ ପୁଲିନରେ ପ୍ରତିଷ୍ଠିତ କଲେ । ଦେବତାଙ୍କ ନାମ ଅନୁସାରେ ସ୍ଥାନର ନାମ ସତ୍ୟବାଦୀ ବୋଲି ଏବେ ଲୋକମୁଖରେ ପ୍ରଚଳିତ ।’’ (ସତ୍ୟବାଦୀ ବା ସାକ୍ଷୀଗୋପାଳ, ସତ୍ୟବାଦୀ, ୧/୭ ସଂ. ୧୨୩୩ ସାଲ, ୫ମ ଅଧ୍ୟାୟ, ସତ୍ୟବାଦୀ ପ୍ରୟାଣ, ପୃ ୨୧୪-୨୧୫) ମଧ୍ୟରେ ଐତିହାସିକ ଉପାଦାନ ଯେତିକି ମାତ୍ରାରେ ଭରପୁର । ଉତ୍କଳୀୟ ସଂସ୍କୃତି ଓ କିମ୍ବଦନ୍ତୀ ଅନୁରୂପଭାବେ ଜୀବନ୍ତ । ଏହି ପ୍ରବନ୍ଧ ମଧ୍ୟରେ ସ୍ରଷ୍ଟାଙ୍କର ବର୍ଣ୍ଣିତ ‘ସହସ୍ରେ ହାଣ୍ଡି ଏକ ଠେଙ୍ଗା’ ପ୍ରସଙ୍ଗ ଇତିହାସ ଦୃଷ୍ଟିରୁ ଯେତିକି ମହତ୍ତ୍ଵପୂର୍ଣ୍ଣ ଉତ୍କଳରେ ପ୍ରଚଳିତ ଲୋକକଥା, ପରମ୍ପରା, ରୀତିନୀତି, ପୂଜାପାର୍ବଣ ପ୍ରଭୃତି ଦୃଷ୍ଟିରୁ ସେହିପରି ଗୁରୁତ୍ଵପୂର୍ଣ୍ଣ । ଆଲୋଚ୍ୟ ଅଧ୍ୟାୟରେ ସ୍ରଷ୍ଟା କେବଳ ଅତୀତ ଉତ୍କଳର ଇତିହାସ ଓ ଲୋକକଥାକୁ ଗ୍ରହଣ କରିନାହାନ୍ତି, ବରଂ ଯେଉଁଠି ଇତିହାସରେ ଭୁଲ ଭ୍ରାନ୍ତି ରହିଛି ତାହାର ସଂଶୋଧନ ସହିତ ରାଜା- ପ୍ରଜାଙ୍କ ମଧ୍ୟରେ ଯୁଗଯୁଗରୁ ଥବା ବ୍ୟବଧାନକୁ ଦୂର କରି ଇତିହାସର ପୁନର୍ଗଠନ ସହିତ ସେ ଉତ୍କଳୀୟ ଜନତାଙ୍କ ମଧ୍ୟରେ ପ୍ରଚଳିତ ଲୋକକଥା ଉପରେ ଗୁରୁତ୍ୱାରୋପ କରିଛନ୍ତି । ସ୍ରଷ୍ଟା କୃପାସିନ୍ଧୁ ଉଲ୍ଲେଖ କରିଛନ୍ତି ‘‘ଏ ଦେଶରେ ସାଧାରଣତନ୍ତ୍ର ବା ପ୍ରଜାତନ୍ତ୍ର ଶାସନ କେତେ ପ୍ରତିଷ୍ଠିତ ନ ଥିଲା, ରାଜାମାନେ ସ୍ୱେଚ୍ଛାଚାରୀ ଥିଲେ, ଉଚ୍ଚ ବର୍ଣ୍ଣମାନେ ନିମ୍ନ ବର୍ଣ୍ଣମାନଙ୍କ ଉପରେ ଅଯଥା ଅଧିପତ୍ୟ ଓ ଅତ୍ୟାଚାର କରୁଥିଲେ ବୋଲି ଯେଉଁମାନେ କହନ୍ତି ସେମାନେ ଯଥାର୍ଥରେ ଓ ଦେଶର ଇତିହାସ ଓ ଲୋକଚରିତ୍ର ଉତ୍ତମରୂପେ ଅନୁଶୀଳନ କରିନାହାନ୍ତି । ଓ ଦେଶର ପଲ୍ଲିଗ୍ରାମ୍ୟଗୋଷ୍ଠିରେ ଚଷା ବାଉରି କୁମ୍ଭାର ଚମାର ପ୍ରଭୃତି ସକଳ ଶ୍ରେଣୀ ଲୋକଙ୍କର ସ୍ଥାନ ଥିଲା । ପଲ୍ଲୀ ପଞ୍ଚାଏତରେ ସେମାନଙ୍କ ମତ ନିଆଯାଉଥିଲା; ପ୍ରରୋଚନା ପ୍ରତାରଣା ନଥିଲା-। ଥିଲା ପରସ୍ପର ପ୍ରତି ପ୍ରେମ ଓ ବିଶ୍ଵାସ । ଅଯୋଧ୍ୟାର ଆଦର୍ଶ ନରପତି ଶ୍ରୀରାମଚନ୍ଦ୍ର ଲୋକସାଧାରଣଙ୍କ ଅଭିପ୍ରାୟ ପ୍ରତି ଆସ୍ଥା ରଖି ଆପଣାର ପ୍ରାଣପ୍ରିୟା ପତ୍ନୀ ସୀତାଙ୍କୁ ଛାଡ଼ିଥିଲେ । ଆଜି ଓଡ଼ିଶାର ମହାରାଜ ରାମଚନ୍ଦ୍ରଦେବ ସେହି ଲୋକ ସାଧାରଣଙ୍କ ମତ ପ୍ରତି ସମ୍ମାନ ଦେଖାଇ ତାଙ୍କର ଏହି ପ୍ରିୟ ପ୍ରସ୍ତାବକୁ ଛାଡ଼ିଲେ । ହିନ୍ଦୁ ରାଜାମାନଙ୍କର ଏହି ପ୍ରକୃତି ରଞ୍ଜନ ପ୍ରୟାସ ଭାରତ ଇତିହାସରେ କାଳେକାଳେ ଅଜିତ ହୋଇଅଛି । ଲୋକେ କହିଲେ ‘‘ଆମ ସତ୍ୟବାଦୀ ପଶ୍ଚିମା ଦିଅଁ, ଗୁଡ଼ ଘିଅ ଗହମ ତିଆରି ପ୍ରସାଦରେ ସନ୍ତୁଷ୍ଟ ରହନ୍ତୁ ।’’ ଅଗତ୍ୟା ସତ୍ୟବାଦୀ ସେଥିରେ ସନ୍ତୁଷ୍ଟ ରହିଲେ । ଅଦ୍ୟାପି ସତ୍ୟବାଦୀ ମନ୍ଦିରରେ କେବଳ ଗହମ ସାମଗ୍ରୀ ବ୍ୟବହୃତ ହୁଏ । କିନ୍ତୁ ପିଠାସବୁ ଓଡ଼ିଶା ରୀତିରେ ତିଆରି ହୁଏ । ନ ହେଲେ ଚଳୁଛି କାହିଁ ? ‘‘ଯେ ଦେଶର କରିବ ଘର, ଅଧେ ଆପଣା ଅଧେ ପର ।’’ (ସତ୍ୟବାଦୀ ବା ସାକ୍ଷୀଗୋପାଳ, ସତ୍ୟବାଦୀ, ୧/୧୦-୧୧ ସଂ. ୧୩୨୩ ସାଲ, ସହସ୍ରେ ହାଣ୍ଡି ଏକ ଠେଙ୍ଗା, ପୃ ୩୧୯-୩୨୦)

 

ଐତିହାସିକତା ଦୃଷ୍ଟିରୁ ଆଲୋଚ୍ୟ ଦୀର୍ଘ ପ୍ରବନ୍ଧର ଅନ୍ୟ ଦୁଇଟି ‘‘ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହେଉଛି ‘ନୂତନ ଦେଉଳ’ ଓ ‘ଶାସକ ଓ ତତ୍ତ୍ୱାବଧାନ’ । ‘କୋଣାର୍କ’ ଗ୍ରନ୍ଥରେ କୋଣାର୍କ ଦେଉଳର ନିର୍ମାଣ କୌଶଳର ଟିକିନିଖି ଜୀବନ୍ତ ବର୍ଣ୍ଣନା ପରି ସ୍ରଷ୍ଟା ଆଲୋଚ୍ୟ ‘ନୂତନ ଦେଉଳ’ ଅଧ୍ୟାୟରେ ସତ୍ୟବାଦୀଙ୍କ ନୂତନ ଭାବରେ ସାକ୍ଷୀଗୋପାଳ ମନ୍ଦିର ନିର୍ମାଣ ସଂପର୍କିତ ଏତିହାସିକ ବିବରଣୀ ପ୍ରଦାନ କରିଛନ୍ତି । ‘ନୂତନ ଦେଉଳ’ ଅନ୍ତର୍ଗତ ସାକ୍ଷୀଗୋପାଳ ମନ୍ଦିର ନିର୍ମାଣ ସମ୍ପର୍କିତ ଏହି ବିବରଣୀକୁ ଲକ୍ଷ୍ୟ କଲେ ଆମର ସ୍ପଷ୍ଟ ଅନୁଭୂତ ହୁଏ ସ୍ରଷ୍ଟା ‘କୋଣାର୍କ’ ଗ୍ରନ୍ଥ ମଧ୍ୟରେ କୋଣାର୍କ ଦେଉଳର ବିବରଣୀ, ବାରବାଟୀ ଦୁର୍ଗ ଅନ୍ତର୍ଗତ ସେହି ଦୁର୍ଗର ବିବରଣୀ ଓ ସାକ୍ଷୀଗୋପାଳ ମନ୍ଦିର ସମ୍ପର୍କିତ ବିବରଣୀ ମଧ୍ୟରେ କୌଣସି ଭାବଗତ ପାର୍ଥକ୍ୟ ପରିଲକ୍ଷିତ ହୁଏ ନାହିଁ । ମନେହୁଏ ଏହି ବର୍ଣ୍ଣନା ସ୍ଥାନ ଦୃଷ୍ଟିରୁ ପୃଥକ ହୋଇଥିଲେ ହେଁ ଦୃଷ୍ଟିକୋଣ ସହିତ ଐତିହାସିକ ନିରୀକ୍ଷଣ ଦୃଷ୍ଟିରୁ ଏହି ବର୍ଣ୍ଣନା ବିନ୍ୟାସ ଏକ ଓ ଅଭିନ୍ନ । ଯଥା : ‘‘ଦେଉଳ ଓଡ଼ିଶାର ଅନ୍ୟାନ୍ୟ ପୁରାତନ ଦେଉଳ ଛାଞ୍ଚରେ ଗଢ଼ା, ସିଧା ରଥାକାର । ଭିନ୍ନ ଭିନ୍ନ ଅଙ୍ଗମାନଙ୍କର ପରସ୍ପର ସହିତ ଉତ୍କଳୀୟ ଶିଳ୍ପ ବିଧାନରେ ଅନୁପାଦ ସୁରକ୍ଷିତ ହୋଇଅଛି । ମୁଖଶାଳା ପିଢ଼ ବିଶିଷ୍ଟ । ଦେଉଳର କୌଣସି ଅଂଶରେ ସୂକ୍ଷ୍ମ ଚୂଚୀକାର୍ଯ୍ୟ ନାହିଁ । ମାତ୍ର ଯେଉଁ ଅଂଶରେ ଯେ ମୂର୍ତ୍ତି ରହିବା ଶାସ୍ତ୍ରସଂଗତ ସେ ମୂର୍ତ୍ତି ସେଠାରେ ରଖାଯାଇଛନ୍ତି । ବଡ଼ ଦେଉଳ ମୁଖଶାଳା ଏବଂ ଏହି ମୂର୍ତ୍ତିମାନଙ୍କର ଗଠନ ଦେଖିଲେ ମନେହୁଏ ଏହା ଯେପରି ଅନେକ ପୂର୍ବର ତିଆରି । ପୁରୀ କୋଣାର୍କ ଭୁବନେଶ୍ଵରର ସୂକ୍ଷ୍ମ ଶିଳ୍ପ ବହୁକାଳରୁ ଲୋପ ପାଇଅଛି । ଓଡ଼ିଶାର ସେ ସ୍ଥାପତ୍ୟ ଅନେକଦିନୁ ବିନଷ୍ଟ ହୋଇଅଛି; କିନ୍ତୁ ସେ ଶିଳ୍ପୀ ଏବଂ ସ୍ଥପତିକୁଳ ଏବେ ସୁଦ୍ଧା ଏକାବେଳକେ ଲୋପ ପାଇନାହିଁ । ଜାତି ବିଭାଗ ଏବଂ ରକ୍ଷଣଶୀଳତା ବଳରେ ଓଡ଼ିଆ ମହାରଣାର ନିଷ୍ପ୍ରଭ ପ୍ରାଣରେ ପୂର୍ବପୁରୁଷମାନଙ୍କ ଶକ୍ତି ଏବଂ ସାଧନାର ସଂସ୍କାର ଅଦ୍ୟାପି ଯତ୍‌ସାମାନ୍ୟ ହେଲେ ଜାଗ୍ରତ ରହିଅଛି । କେତେକ ବର୍ଷ ତଳେ ଭୁବନେଶ୍ୱର ମନ୍ଦିରର ଦହି ନଉତି ଭାଙ୍ଗି ତଳେ ପଡ଼ି ଯାଇଥିଲା । ସେ ସମୟର ସାର୍‌ଜନ୍ ଉଡ଼୍‌ବର୍ଣ୍ଣ ବଙ୍ଗଳାରେ ଛୋଟଲାଟ । ଉଡ଼୍‌ବର୍ଣ୍ଣ ସାହେବ ଭୁବନେଶ୍ଵର ଶିଳ୍ପର ଜଣେ ସହୃଦୟ ସ୍ତାବକ ଥିଲେ । କୌଣସି ଘଟନାରେ ସେ ଥରେ କହିଥିଲେ ଭୁବନେଶ୍ୱର ଦେଉଳ ସମ୍ମୁଖରେ ଜାନୁପାତ ପୂର୍ବକ ବସି ସେ ସବୁବେଳେ ହେଲେ ସେହି ଅସାମାନ୍ୟ ମନୋମୁଗ୍‌ଧକର ଶିଳ୍ପଶୋଭା ଦେଖୁଥାନ୍ତେ । ଅବିକଳ ପୂର୍ବ ଦହି ନଉତି ପରି କିପରି ନୂଆ ଦହି ନଉତି ତିଆରି ହେବ ଏବଂ ତାହା କିପରି ଠିକ୍‌ ଯଥା ସ୍ଥାନରେ ରଖାଯିବ ଏ ବିଷୟରେ ସାହେବ ମହୋଦୟଙ୍କର ବଡ଼ ଉଦ୍‌ବେଗ ହୋଇଥଲା । ଭୁବନେଶ୍ୱର ନିବାସୀ ବୈରାଗି ମହାରଣା ନାମକ ଜଣେ ଯୁବକ ଶିଳ୍ପୀ ଏହି କାର୍ଯ୍ୟକୁ ଏପରି ଭାବରେ ସମାଧାନ କଲା ଯେ ଏ କାର୍ଯ୍ୟ ନୂତନ ବୋଲି ଜାଣିହେଲା ନାହିଁ । ବୈରାଗିଙ୍କୁ ସାର୍‌ ଜନ୍‌ ଉଡ଼୍‌ବର୍ଣ୍ଣ ବହୁ ଆଦର କରି ସୁବର୍ଣ୍ଣ କଙ୍କଣ ଆଦି ପୁରସ୍କାର ଦେଇଥିଲେ । ଓଡ଼ିଆ ଜାତିର ବର୍ତ୍ତମାନ ଦୁରବସ୍ଥା ଦେଖି ଭୁବନେଶ୍ଵର କୋଣାର୍କ ପ୍ରଭୃତି ଓଡ଼ିଆମାନଙ୍କ କାର୍ଯ୍ୟ ନୁହେ ବୋଲି ବେଳେବେଳେ ଯେଉଁମାନେ ସନ୍ଦେହ କରିଥାନ୍ତି ସେମାନଙ୍କର ଏ ଘଟନା ସର୍ବଦା ମନେକରିବା ଉଚିତ ।’’ (ସତ୍ୟବାଦୀ ବା ସାକ୍ଷୀଗୋପାଳ, ସତ୍ୟବାଦୀ, ୨/୫-୭ ସଂ. ୧୩୨୪ ସାଲ, ନୂତନ ଦେଉଳ, ପୃ ୧୯୩)

 

ଅନ୍ୟ ପକ୍ଷରେ ‘ସତ୍ୟବାଦୀ’ ପତ୍ରିକାରେ ପ୍ରକାଶିତ ଦୀର୍ଘ ପ୍ରବନ୍ଧର ଦଶମ ଅଧ୍ୟାୟ ‘ଶାସନ ଓ ତତ୍ତ୍ୱାବଧାନ’ ମଧ୍ୟରେ କୃପାସିନ୍ଧୁ ମିଶ୍ର ସାକ୍ଷୀଗୋପାଳ ମନ୍ଦିରର ଇତିହାସ ସହିତ ଏହାର ଶାସନ ଓ ତତ୍ତ୍ୱାବଧାନକୁ ଯେପରି ଗଭୀର ଭାବରେ ନିରୀକ୍ଷଣ କରି ତାହାକୁ ଭବିଷ୍ୟତ ବଂଶଧରଙ୍କ ନିମିତ୍ତ ପ୍ରବନ୍ଧର ଏହି ଅଂଶରେ ଉଲ୍ଲେଖ କରିଛନ୍ତି । ତାହା ତାଙ୍କ ରଚନାର ମୌଳିକ ଦିଗକୁ ହିଁ ପ୍ରତିପାଦିତ କରିଥାଏ । ଯଥା : ‘‘ପୂର୍ବେ କୁହାଯାଇଅଛି, ସତ୍ୟବାଦୀରେ ଗୋପାଳଙ୍କ ନୀତି ପ୍ରାୟ ସର୍ବାଂଶରେ ପୁରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ଅନୁସାରେ ସମ୍ପାଦିତ ହୋଇଥାଏ । ଅତି ପ୍ରତ୍ୟୁଷରେ କବାଟ ଫିଟି ଠାକୁରଙ୍କର ପହଡ଼ ଭାଙ୍ଗିବା ପରେ ମଙ୍ଗଳାଳତି । ତହିଁ ଉତ୍ତାରୁ ଅବକାଶ ବା ସ୍ନାନ । ସ୍ନାନର ଆନୁସଙ୍ଗିକ ବିଧିବିଧାନ ସୁଗନ୍ଧି ତୈଳ ଲେପନାଦି ଅବଶ୍ୟ ହୋଇଥାଏ । ସ୍ନାନପରେ ବେଶ ଅର୍ଥାତ୍‌ ଅଳଙ୍କାର ପୋଷାକ ପରିଚ୍ଛଦ ଫୁଲଚନ୍ଦନ ଆଦିରେ ଠାକୁର ବିଭୂଷିତ ହୁଅନ୍ତି । ଇତିମଧ୍ୟରେ ସୂର୍ଯ୍ୟପୂଜା ଏବଂ ଦ୍ୱାରପାଳ ପୂଜା ହୋଇଥାଏ । ବେଶ ଲାଗି ଅନନ୍ତ ଠାକୁରଙ୍କ ବଲ୍ଲବ । ବଲ୍ଲବ ବୋଇଲେ ଶୀତଳ ମଣୋହି । ବଲ୍ଲବ ସରିଲେ ଭକ୍ତ ସାଧାରଣଙ୍କୁ ଦର୍ଶନ ମିଳେ । କେତେକ ସମୟ ପରେ ସକାଳ ଧୂପ ହୁଏ । ସକାଳ ଧୂପ ଠାକୁରଙ୍କ ସକାଳ ବେଳର ଭୋଗ । ତହିଁ ଉତ୍ତାରୁ ପୁଣି ଦର୍ଶନ । ସାଧାରଣଙ୍କ ଦର୍ଶନକେତେକ ସମୟ ବିତିଗଲାରୁ ଅନ୍ୟ ଏକ ବେଶ ଲାଗିହୁଏ । ତାହାପରେ ବୀରକିଶୋରୀ ବଲ୍ଲବ । ପୁରୀ ମନ୍ଦିରରେ ଯେ ଭୋଗକୁ ଭୋଗ ମଣ୍ଡପ କହନ୍ତି ସତ୍ୟବାଦୀରେ ତାହାର ନାମ ବୀରକିଶୋରୀ ବଲ୍ଲବ । ସମ୍ଭବତଃ ରାଜା ରାମଚନ୍ଦ୍ରଦେବଙ୍କ ପୁଅ ବୀରକିଶୋରଦେବ ଓ ଭୋଗ ଖଞ୍ଜା କରିଥିଲେ । ବୀରକିଶୋରୀ ବଲ୍ଲବ ପରେ ଦୁଇ ପ୍ରହର ବେଶ ଲାଗି ଏବଂ କିଛିକ୍ଷଣ ଉତ୍ତାରୁ ଦି ପ୍ରହର ଧୂପ । ଦୁଇ ପ୍ରହର ବେଶ ସରିଲେ ମହାପ୍ରଭୁଙ୍କର ପହଡ଼ ହୁଏ । ଏ ସମସ୍ତ ଦିବା ଭାଗର ନୀତି ।’’ (ସତ୍ୟବାଦୀ ବା ସାକ୍ଷୀଗୋପାଳ, ସତ୍ୟବାଦୀ, ୨/୮-୧୨ ସଂ. ୧୩୨୪-୨୫ ସାଲ, ଶାସନ ଓ ତତ୍ତ୍ୱାବଧାନ, ପୃ- ୨୬୯) ସ୍ରଷ୍ଟାଙ୍କର ସାକ୍ଷୀଗୋପାଳଙ୍କ ସମ୍ପର୍କିତ ବର୍ଣ୍ଣିତ ନୀତି ନିୟମ କାହାରି କାହାରିକୁ ନିଷ୍ପ୍ରୟୋଜନ ବୋଧ ହେଲେ ହେଁ ଏହା ଯେ ଭବିଷ୍ୟତ ବଂଶଧରଙ୍କ ନିମିତ୍ତ ଏକାନ୍ତ ପ୍ରୟୋଜନୀୟ, ଏହା ଐତିହିକ କୃପାସିନ୍ଧୁଙ୍କ ଅନୁଭବକୁ ଆସିଛି । ତେଣୁ ସେ ଉଲ୍ଲେଖ କରିଛନ୍ତି ‘‘ଏହି ନୀତି ସବୁର ଏତେ ବିଶଦ ଉଲ୍ଲେଖ କାହାରି କାହାରିକୁ ନିଷ୍ପ୍ରୟୋଜନବୋଧ ହୋଇପାରେ । ଆଜି ଏଗୁଡ଼ିକ ବର୍ତ୍ତମାନ ଦେବାଳୟର ନିତ୍ୟକ୍ରିୟା ବୋଲି ଏଥିପ୍ରତି କାହାରି ତେତେ କୌତୁହଳ ନାହିଁ । ମାତ୍ର ପରିବର୍ତ୍ତନଶୀଳ କାଳଚକ୍ରରେ ଏପରି ଦିନ ଆସିବା ବିଚିତ୍ର ନୁହେଁ ଯେତେବେଳେ ଏଥିରୁ ଅନେକର ଅର୍ଥ ବୁଝାପଡ଼ିବ ଦୁଷ୍କର ହେବ ଏବଂ ଏହି ବିଧିମାନ ଐତିହାସିକର ଅନୁସନ୍ଦେହ ସାମଗ୍ରୀରେ ପରିଣତ ହେବ । ଆଜିର ଅତି ସାମାନ୍ୟ ହେୟ ଘଟନା ଶତ ଶତ ବର୍ଷ ପରେ ପରବର୍ତ୍ତୀ କାଳରେ ଜ୍ଞାନୀ ତତ୍ତ୍ୱାନୁସନ୍ଧିତ୍ସୁମାନଙ୍କ ନିକଟରେ ବି ଅମୂଲ୍ୟ ଉପାଦେୟ ସମ୍ପଦ ବୋଲି ଆଦୃତ ହେବ ତାହା କିଏ ଜାଣେ ?’’ (ସତ୍ୟବାଦୀ ବା ସାକ୍ଷୀଗୋପାଳ, ସତ୍ୟବାଦୀ, ୨/୮-୧୨ ସଂ. ୧୩୨୪- ୨୫ ସାଲ, ଶାସନ ଓ ତତ୍ତ୍ୱାବଧାନ, ପୃ ୨୬୯ ) ସୁତରାଂ ଭପଯୁକ୍ତ ବର୍ଣ୍ଣନାରୁ ସେ କାଳରେ କୃପାସିନ୍ଧୁ ମିଶ୍ର ଇତିହାସ ଓ ଐତିହାସିକ ଘଟଣାପ୍ରତି ସଚେତନ, ତାହ ସ୍ପଷ୍ଟ ଭାବରେ ଅନୁଭବ କରିହୁଏ ।

 

କୃପାସିନ୍ଧୁ ଥିଲେ ସମକାଳରେ ଜଣେ ଇତିହାସ ସଚେତନଶୀଳ ସ୍ରଷ୍ଟା । ଭାବପ୍ରବଣତାରେ ଭୁଲିଯାଇ ଜାତିର ଇତିହାସକୁ ପଙ୍କିଳ ବା ବିକଳାଙ୍ଗ କରିବାର ବ୍ୟକ୍ତି ସେ ନଥିଲେ । ପୁଣି ଓଡ଼ିଶାର ଇତିହାସ ଅନୁଶୀଳନ ସହିତ ଐତିହାସିକ ଗ୍ରନ୍ଥ ରଚନା ଓ ‘କୋଣାର୍କ’ଠାରୁ ସତ୍ୟବାଦୀ ସାକ୍ଷୀଗୋପାଳ ପର୍ଯ୍ୟନ୍ତ ସ୍ଥାନ ଓ ପୀଠର ଐତିହାସିକ ବ୍ୟାଖ୍ୟା କାଳରେ ସେ ନିଜ ଦେଶ ଓ ଜାତିର ଅତୀତ ସହିତ ଭବିଷ୍ୟତ ପ୍ରତି ଖୁବ୍‌ ସଚେତନ ରହିଛନ୍ତି । ସେ ଅନୁଭବ କରିଛନ୍ତି ‘‘ବିଦେଶୀୟ ଲେଖକ ଯେତେ ସାଧୁ ବା ଉଦାର ହେଲେ ମଧ୍ୟ ଆପଣାର ଜାତୀୟ କାର୍ଯ୍ୟାବଳୀକୁ ସେ ଯେପରି ସହଜ ସ୍ନେହ ଓ ଆଗ୍ରହ ସହିତ ଦେଖିପାରେ, ଅପରଦେଶୀୟ ଭାବ ଓ କାର୍ଯ୍ୟ ସେପରି ନଦେଖିବା ସ୍ଵାଭାବିକ । ସେମାନଙ୍କର ଇତିହାସ ସମ୍ପୂର୍ଣ୍ଣ ସତ୍ୟାଶ୍ରିତ ଓ ଭାରତ ଜାତୀୟ ଜୀବନର ଯଥାର୍ଥ ନିୟାମକ ହୋଇ ନ ପାରିଲେ ଇତିହାସ ଲେଖିବା ବିଡ଼ମ୍ବନା ମାତ୍ର । ସେ ଜାତୀୟତା ବା କେତେଜଣ ବୁଝନ୍ତି ? ଯେଉଁମାନେ ବା ତାହା ବୁଝନ୍ତି ସେମାନଙ୍କ ମଧ୍ୟରୁ ଅତି ଅଳ୍ପ ଲେଖକ ଲକ୍ଷ୍ୟ ସ୍ଥିର ରଖି ଘଟଣାବଳୀର ମହତ୍ତ୍ଵ ଯଥାର୍ଥ ବୁଝି ଇତିହାସରେ ତାହା ସନ୍ନିବେଶ କରନ୍ତି । ବିଷୟାବଳୀର ଦାସାନୁଦାସ ହୋଇପଡ଼ିବା ଏବଂ ଘଟଣାସ୍ରୋତରେ ଭାସିଯାଇ ଲକ୍ଷ୍ୟଭ୍ରଷ୍ଟ ହେବା, ଇତିହାସ ଲେଖକଙ୍କ ପକ୍ଷରେ ବଡ଼ ସମ୍ଭବ ।’’ (କୃପାସିନ୍ଧୁ ମିଶ୍ର, ଭାରତ ଇତିହାସରେ ବୈଦେଶିକ ଆକ୍ରମଣ - ‘ବିଧି ନିର୍ଦ୍ଦେଶ’ । ସତ୍ୟବାଦୀ, ୩/୧-୨ ସଂ, ୧୩୨୪ ସାଲ, ପୃ ୨୬) ଏହି ଦୃଷ୍ଟିରୁ ସତ୍ୟବାଦୀ ସାଧକ ପଣ୍ଡିତ କୃପାସିନ୍ଧୁ ମିଶ୍ର ଥିଲେ ଜଣେ ଜାତିପ୍ରାଣ । ଭାରତୀୟ ଜାତୀୟ ଜୀବନର ଜଣେ ବିଶିଷ୍ଟ କର୍ଣ୍ଣଧାର । ଉଗ୍ର ଜାତୀୟ ଚେତନା ସ୍ରଷ୍ଟାଙ୍କର ରକ୍ତର ପ୍ରତ୍ୟେକ ଅଣୁ ପରମାଣୁ ମଧ୍ୟରେ ପ୍ରବାହିତ ହେଉଥଲା । ସୁତରାଂ ଉତ୍କଳର ଇତିହାସ ସହିତ ଓ ଜାତିକୁ କଳଙ୍କିତ କରିଥିବା ବିଦେଶୀୟ ଓ ଅନ୍ୟାନ୍ୟ ଭାଷାର ଇତିହାସ ଲେଖକଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶପୂର୍ବକ ନିଜ ଜାତିର ସୁରକ୍ଷା ପାଇଁ ସେ ଯେପରି ଦୃଢ଼ ଶପଥ କରିଥିଲେ । ‘କୋଣାର୍କ'ଠାରୁ ‘ଉତ୍କଳ- ଇତିହାସ’’ ଏବଂ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ପର୍ଯ୍ୟନ୍ତ ସୃଷ୍ଟିମାନସ ଥିଲା ସେସବୁର ଏକ ଏକ ସଫଳ ସାର୍ଥକ ସୃଷ୍ଟି ।

 

ସମଗ୍ର ପୃଥିବୀରେ କୌଣସି ଭାଷାରେ ଲେଖକଙ୍କ ନାମ ନ ଥିବା ଏକ ଗ୍ରନ୍ଥ ବା ସୃଷ୍ଟିର ପିତୃତ୍ୱ ନିର୍ଦ୍ଧାରଣ କାଳରେ ସମାଲୋଚକ ନିରପେକ୍ଷ ହେବା ଏକାନ୍ତ ଆବଶ୍ୟକ । ନଚେତ୍‌ ପାଠକ ସତ୍ୟ ନିକଟରେ ପହଞ୍ଚି ପାରିବ ନାହିଁ ଓ ସାହିତ୍ୟ ଜଗତରେ ଏଥିନେଇ ଅଯଥା ବିତର୍କ ସୃଷ୍ଟି ହେବା ସହିତ ସୁସ୍ଥ ପରମ୍ପରା ଠାରୁ ତାର ଅଜ୍ଞାତସାରରେ ସେ ଦୂରେଇଯିବ । ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ଦୀର୍ଘ ପ୍ରବନ୍ଧର ପିତୃତ୍ୱ ସନ୍ଧାନ କ୍ଷେତ୍ରରେ ଆମେ ଏହି ଦୃଷ୍ଟିରୁ ଖୁବ୍ ସତର୍କତା ଅବଲମ୍ବନ କରିଛୁ ଓ ସତ୍ୟ ନିକଟରେ ପହଞ୍ଚିବାକୁ ପ୍ରୟାସ ହୋଇଛୁ । ସମକାଳୀନ ଅନ୍ୟାନ୍ୟ ସ୍ରଷ୍ଟା ଓ ସେମାନଙ୍କର ସୃଷ୍ଟି ମାନସକୁ ଗଭୀର ଅନ୍ତର୍ଦୃଷ୍ଟିର ସହିତ ନିରୀକ୍ଷଣ କରି ସେସବୁ ରଚନା କୃପାସିନ୍ଧୁଙ୍କ ରଚନାଠାରୁ ଭାଷାଶୈଳୀ, ବିଷୟବସ୍ତୁ, ଅନ୍ତର୍ଦୃଷ୍ଟି, ଭାବ, ଉପସ୍ଥାପନା, ରୀତି, ଇତିହାସ ଓ କିମ୍ବଦନ୍ତୀ ପ୍ରଭୃତି ଦୃଷ୍ଟିରୁ କିପରି ପୃଥକ୍‌ ତାହା ବିଚାର କରିଛୁ । ପୁନଶ୍ଚ ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ର ଭାଷା, ରଚନାଶୈଳୀ, ଭାବ, ବାକ୍ୟଗଠନ ରୀତି, ବାକ୍ୟ ପ୍ରୟୋଗ ବିଧି, ବିଷୟ ଅବତାରଣା କ୍ଷେତ୍ରରେ ବିଦେଶୀ ସମାଲୋଚକଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ପ୍ରଭୃତିକୁ କୃପାସିନ୍ଧୁଙ୍କର ଅନ୍ୟାନ୍ୟ ପ୍ରବନ୍ଧ ଓ ଗ୍ରନ୍ଥାଦି ସହିତ ତୁଳନା କରି ଆମେ ଅନୁଭବ କରିଛୁ ଯେ, ‘ସତ୍ୟବାଦୀ ବା ସାକ୍ଷୀଗୋପାଳ’ ହେଉଛି କୃପାସିନ୍ଧୁ ମିଶ୍ରଙ୍କର ରଚନା । ସ୍ରଷ୍ଟାଙ୍କର ଅନ୍ୟାନ୍ୟ ରଚନା ସହିତ “ସତ୍ୟବାଦୀ ବା ସାକ୍ଷୀଗୋପାଳ’ ପ୍ରବନ୍ଧର ଐତିହାସିକ, କିମ୍ବଦନ୍ତୀଭିତ୍ତିକ ଓ ସାଂସ୍କୃତିକ ସାମ୍ୟ ରହିଛି । ସୁତରାଂ ଉପର୍ଯ୍ୟୁକ୍ତ ବିଚାର ଓ ଅନୁଶୀଳନ ଦୃଷ୍ଟିରୁ ଏହି ଦୀର୍ଘ ପ୍ରବନ୍ଧକୁ ଆମ ସାହିତ୍ୟର ବିଶିଷ୍ଟ ଐତିହାସିକ ସତ୍ୟବାଦୀ ଯୁଗର ଅନ୍ୟତମ ବିନ୍ଧାଣୀ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କର ରଚନା ବୋଲି ଦୃଢ଼ ଭାବରେ ଗ୍ରହଣ କରୁଛୁ ଏବଂ ଆମ ସାହିତ୍ୟ ସମାଲୋଚକଙ୍କ ମଧ୍ୟରେ ଏଥିନେଇ ଦୀର୍ଘ କାଳରୁ ରହିଥିବା ବିତର୍କ, ଦୃନ୍ଦ୍ୱ ଓ ସନ୍ଦେହର ନିରସନ ଘଟିବ ବୋଲି ଆମେ ଆଶା କରୁଛୁ ।

 

 

ପ୍ରାଧ୍ୟାପକ

ସ୍ନାତକୋତ୍ତର ଓଡ଼ିଆ ବିଭାଗ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

ବ୍ରହ୍ମପୁର - ୭, ଗଞ୍ଜାମ

 

***

 

ସମର ସାହିତ୍ୟ ଓ ଓଡ଼ିଶାର ଜାତୀୟ ଗୌରବ

ଡକ୍ଟର ପ୍ରକାଶ କୁମାର ପରିଡ଼ା

 

ସମର ସାହିତ୍ୟ ତାହା, ଯାହା, ରଚନାର ବିଷୟ ପ୍ରସଙ୍ଗକୁ ଏକ ପୂର୍ଣ୍ଣତା ଅବା ପରିଣତି ଦେବାରେ ‘ସମର’ର ଭୂମିକା ଅପେକ୍ଷା ରଖେ । ‘ସମର’ଟି ଲଢ଼େଇ, ଗୋଳ, ଧାଉଡ଼ି, ପଡ଼ି ଭଳି ସାନ ପରିସରରେ, ସାନ କଥାରେ, ଅଳ୍ପ ସମୟରେ ଘଟିଥିବା ଯୁଦ୍ଧକୁ ବୁଝାଏ ନାହିଁ । ସମର ହେଉଛି ଏକ ଦୀର୍ଘସ୍ଥାୟୀ ଯୁଦ୍ଧ ଯାହା ସଂପୃକ୍ତ ଭୂଖଣ୍ଡର ସାମାଜିକ ପରିସ୍ଥିତିକୁ ଓଲଟପାଲଟ କରିଦେଇପାରେ । ଏହା ଗୋଟିଏ ଜାତିର ଜାତୀୟ ଚେତନାକୁ ଆମୂଳାନ୍ତ ପରିବର୍ତ୍ତନ କରିଦେଇପାରେ କିମ୍ବା ପ୍ରତିଷ୍ଠିତ କରିଦେଇପାରେ ।

 

ସମରଟି ପରିବାରରୁ ଆରମ୍ଭ ହୋଇ ଜାତିକୁ ବ୍ୟାପିଯାଇପାରେ କିମ୍ବା ଜାତୀୟ କ୍ଷେତ୍ରରେ ଘଟି ଏକକ ପରିବାରକୁ ସୁଦ୍ଧା ପ୍ରଭାବିତ କରିପାରେ । ଏହାର କାରଣ ଭାଇଭାଗ ହୋଇପାରେ କିମ୍ବା ଦେଶର ସ୍ଵାଧୀନତା ହୋଇପାରେ, ପ୍ରେମ ହୋଇପାରେ କିମ୍ବା ସାମ୍ରାଜ୍ୟ ବିସ୍ତାର ମଧ୍ୟ ହୋଇପାରେ ।

 

ତେବେ ସେହି ସମର କୌଣସି ସାହିତ୍ୟକୃତିର କେନ୍ଦ୍ରରେ ଥାଇ ନିଜେ ପରିଣତିର ନିର୍ଣ୍ଣାୟକ ହୋଇ, ସ୍ଵୟଂ ଅଂଶୀଦାର ଚରିତ୍ରର ଅନୁଭୂତି ହୋଇଥିଲେ ତାହା ହୁଏ ସର୍ବୋକୃଷ୍ଟ ‘ସମର ସାହିତ୍ୟ’ । ଏପରି ଘଟଣାର ସମୟରେ ବା ପରେ ସମର ଜନିତ ପରିସ୍ଥିତି ଉପରେ ଲେଖକର ପ୍ରତିକ୍ରିୟାରୁ ସୃଷ୍ଟ ସାହିତ୍ୟ ଦ୍ୱିତୀୟବର୍ଗର ସମର ସାହିତ୍ୟ ହୁଏ । ଆଶଂକିତ ସମୟ ପାଇଁ ପ୍ରସ୍ତୁତି ଘେନିବାରୁ ପ୍ରେରଣା ଦେଉଥିବା ସାହିତ୍ୟ ତୃତୀୟବର୍ଗର ହୁଏ । କୌଣସି ସାହିତ୍ୟର ଘଟଣା ପ୍ରବାହରେ ଯୁଦ୍ଧର ଆବଶ୍ୟକତାରୁ ତାହାର ସାମାନ୍ୟ ବର୍ଣ୍ଣନା ରହିଥିଲେ ତାହା ମଧ୍ୟମବର୍ଗର ହୁଏ।

 

‘ସମର ସାହିତ୍ୟ’ରେ ସାମରିକ କ୍ରିୟାକଳାପର ପୁଙ୍କାନୁପୁଙ୍ଖ ବର୍ଣ୍ଣନା ମୁଖ୍ୟ ସ୍ଥାନ ନେଇଥାଏ । ବୀରତ୍ୱ‌, ଶୌର୍ଯ୍ୟ, ସାହସ, ତ୍ୟାଗ ଓ ଉତ୍ସାହ ଭଳି ଭାବର ଉପଯୁକ୍ତ ପରିବେଷଣ କରାଯାଇଥାଏ । ଯୁଦ୍ଧର ଘନଘଟା ଭିତରେ ଜୀବନ-ମୃତ୍ୟୁର ତୁଲ୍ୟମୂଲ୍ୟତା ଓ ମରଣକୁ ସୁଦ୍ଧା ଗୌରବାବହ ମନେ କରାଯାଉଥିବା ଭଳି ଉତ୍ସର୍ଗୀକୃତ ଭାବନାର ପ୍ରତିଫଳନ ସମର ସାହିତ୍ୟକୁ ବିରାୟତ କରିଥାଏ ।

 

ଏଣୁ ଯୁଦ୍ଧର ବର୍ଣ୍ଣନା ଥିବା ଯେକୌଣସି ସାହିତ୍ୟକୁ ଆମେ ସମର ସାହିତ୍ୟ ବୁଝିବା ନାହିଁ, ଯୁଦ୍ଧଟିଏ ଏଡ଼େଇ ହୋଇଯାଇ ସୁଦ୍ଧା ତାହାର ଆଶଂକିତ ପ୍ରହରର ପ୍ରସ୍ତୁତି ଓ ପ୍ରତିବିଧାନର ଯୋଜନାରେ ଜାତିମଣିଷର ଜାତୀୟବୋଧ, ସମରାକାଙ୍‌କ୍ଷା ଉଷ୍ଣ କି ଉଦ୍‌ଗୀରଣ ଅବା ସାହିତ୍ୟକୁ ଆମେ ସମର ସାହିତ୍ୟ ବୁଝିବା ।

 

ଯେଉଁ ଜାତି ତାହାର ସ୍ଵତନ୍ତ୍ର ସ୍ଥିତି ଓ ପରିଚିତି ପାଇଁ ଏଭଳି ଦୀର୍ଘସ୍ଥାୟୀ ସମରର ଅଗ୍ନିଦାୟ ଭୋଗିଥାଏ କେବଳ ସେହି ଜାତି ପକ୍ଷରେ ଉଲ୍ଲିଖିତ ବିରାୟତ ସମର ସାହିତ୍ୟ ସମ୍ଭବ ହୋଇଥାଏ ।

 

ସବୁଠୁ ଗୌରବରେ ଗ୍ରହଣ କରାଯାଉଥିବା ଅଶୋକଙ୍କ ‘କଳିଙ୍ଗ ଯୁଦ୍ଧ’ ର ଭୀଷଣତା କିମ୍ବା ଖାରବେଳଙ୍କ ଆଗଙ୍ଗାଗୋଦାବରୀ ରାଜ୍ୟ ବିସ୍ତାରର ଉତ୍ସାହ କିମ୍ବା କପିଳେନ୍ଦ୍ର ଦେବଙ୍କ ଯୁଯୁତ୍ସତାର ନଜୀରଭାବେ ଓଡ଼ିଆ ସାହିତ୍ୟରେ କୌଣସି ଉଲ୍ଲେଖନୀୟ ସର୍ଜନା ନାହିଁ । ନବେ ବର୍ଷ ଆୟୁଷ ନେଇଥିବା (୧୮୫୭-୧୯୪୭) ଭାରତୀୟ ସ୍ଵାଧୀନତା ସଂଗ୍ରାମର ପଟ୍ଟଭୂମିରେ ଓଡ଼ିଶାର ଭୂମିକା ସୁଦ୍ଧା ଗୁରୁତ୍ୱପୂର୍ଣ୍ଣ ନୁହେଁ, ଏଣୁ ତଦ୍‌ଭିତ୍ତିକ ସାହିତ୍ୟ ମଧ୍ୟ ପର୍ଯ୍ୟାପ୍ତ ନୁହେଁ କି ପ୍ରଖର ନୁହେଁ । ଓଡ଼ିଶାରେ ମୋଗଲ ଓ ମରହଟ୍ଟା ଆକ୍ରମଣ-ଶାସନ ସମୟକୁ ନେଇ ଆମ ହାତରେ କ୍ରିୟାର ଉପଯୁକ୍ତତା ଦୃଷ୍ଟିରୁ ପ୍ରତିକ୍ରିୟାର ସାହିତ୍ୟ ମଧ୍ୟ ନାହିଁ । ଘନୀଭୂତ ମୋଗଲ ଶାସନର (ସାଂସ୍କୃତିକ ଭିନ୍ନତା ଜନିତ ସାମାଜିକ ଦ୍ୱନ୍ଦ୍ୱ ସତ୍ତ୍ଵେ) ସେହି ସମୟରେ ଆମ ସାହିତ୍ୟ ପ୍ରେମ (ବିରାୟତ ଓ ମାନବୀୟ)କୁ ନେଇ ପର୍ଯ୍ୟାପ୍ତ ମାତିଛି ।

 

ଓଡ଼ିଆ ସାହିତ୍ୟର ପ୍ରାୟ ଛ’ ଶହ ବର୍ଷର ବ୍ୟାପ୍ତି ମଧ୍ୟରେ କାବ୍ୟଯୁଗ ୪୫୦ ବର୍ଷର, ନାଟକ, କବିତା ଓ କଥାସାହିତ୍ୟର ବୟସ ୧୫୦ ବର୍ଷ ମଧ୍ୟରେ । ଏହି ସମୟ ଅବଧିରେ ଓଡ଼ିଆ ଜାତି ଉପରେ ସୋମ, ଗଙ୍ଗ, କେଶରୀ, ଭୌମକର, ଭୋଇ, ଗଜପତି ରାଜୁତିର କେତେ ଲଢ଼େଇର ପ୍ରଭାବ ଥିବ । ମୋଗଲ, ମରହଟ୍ଟା, ଆଫଗାନ୍‌ ଆକ୍ରମଣ ଓ ଶାସନର ପ୍ରଭାବ କେତେ ନା କେତେ ଲଢ଼େଇ ସହିତ ସମ୍ଭବ ହୋଇଥିବ । ଶେଷକୁ ଇଂରେଜ ଉପନିବେଶ ପ୍ରତିଷ୍ଠାର ଯାବତୀୟ ଯୁଦ୍ଧ ଓ ସ୍ଵାଧିନତା ପୁନର୍ଲାଭ ପାଇଁ ଜାତୀୟ ସମରର ଅନୁଭୂତି ଥିବ । ଆଉରି ଥିବ ପଡ଼ୋଶୀ ରାଷ୍ଟ୍ରସହ ସୀମା ପାଇଁ, ନୀତିପାଇଁ ଏକାଧିକ ଯୁଦ୍ଧ । ଏସବୁ ଓଡ଼ିଆ ଜାତିକୁ ଭାଙ୍ଗିଥିବ, ଭାଂଗି ଗଢ଼ିଥିବ । ଇତିହାସବେତ୍ତାଏ ତାକୁ ଯେପରି ଚିତ୍ରଣ କରନ୍ତୁ: ସାହିତ୍ୟ ତାହାର ସାକ୍ଷ୍ୟ ଦେଉଥିବ; ନିଷ୍ପକ୍ଷ ଚିତ୍ର ଆଙ୍କୁଥିବ ଏହା ସାହିତ୍ୟରୁ ଆଶା କରାଯାଏ ।

 

ସେହି ସମ୍ଭାବନାରେ ଆଶାୟୀ ହୋଇ ଆମ ସାହିତ୍ୟକୁ ଚାହିଁଲେ ପରିମାଣ ଦୃଷ୍ଟିରୁ ସମର ସାହିତ୍ୟର ସର୍ଜ୍ଜନା ସନ୍ତୋଷଜନକ ନୁହେଁ ।

 

କାବ୍ୟକବିତାରେ ଆମ ଆଦି ସାହିତ୍ୟ ‘ସାରଳା ମହାଭାରତ’, ‘ଦାଣ୍ଡି ରମାୟଣ’, ‘ସମର ତରଙ୍ଗ’, ପାର୍ବତୀ, ‘ବାଜିରାଉତ’ ଭଳି ଦୀର୍ଘରଚନା ସହିତ ରଣ ଦୁନ୍ଦୁଭି-ରଣଭେରୀ-ବିଦ୍ରୋହୀବୀଣା ଏବଂ କଥାସାହିତ୍ୟରେ ପଦ୍ମମାଳି, ଲଚ୍ଛମା, ଅଠରଶହ ସତର, ନୀଳଶୈଳ, ନୀଳାଦ୍ରିବିଜୟ ଭଳି କେତୋଟି ଦୀର୍ଘ କୃତି ସହିତ ‘ରଣଧନ୍ଦୋଳ’ର ରୂପ ଆଖିଆଗକୁ ଆସେ । ନାଟକରେ ମୁକୁନ୍ଦ ଦେବ, ପୁରୁଷୋତ୍ତମ ଦେବ, ଅଭିଯାନ, କାଞ୍ଜିକାବେରୀ ଭଳି କେତୋଟି ରଚନା ମଧ୍ୟ ଦୃଷ୍ଟିରେ ପଡ଼େ ।

 

ଏହା ସତ୍ତ୍ୱେ‌ଏକ ସଂକ୍ଷିପ୍ତ ସର୍ବେକ୍ଷଣ ପରି ଉଲ୍ଲିଖିତ ରଚନାଗୁଡ଼ିକର ସମରସାହିତ୍ୟ ଭାବେ ଉତ୍ତୀର୍ଣ୍ଣତା ପରୀକ୍ଷଣ କରାଯାଇପାରେ ।

 

ସାରଳା ମହାଭାରତ ଏକ ଅନୁସୃଜନ । ସଂସ୍କୃତ ମହାକାବ୍ୟ ‘ମହାଭାରତ’ ଗ୍ରନ୍ଥର ଅନୁସରଣରେ ଲିଖିତ । ଏହାର ପୃଷ୍ଠଭୂମି ଯଦିଓ ହସ୍ତିନା ରାଜ୍ୟ ଏବଂ ଏଥିରେ ପାଞ୍ଚାଳ, ମତ୍ସ୍ୟ, ଅଙ୍ଗ, ଗାନ୍ଧାର, ବିଦର୍ଭ, ସୌରାଷ୍ଟ୍ର ପ୍ରଭୃତି ରାଜ୍ୟର ପ୍ରତ୍ୟକ୍ଷ ଭୂମିକା ବଳବତ୍ତର ତଥାପି କଳିଙ୍ଗସେନା ଏହି ମହାସମରରେ କୌରବପକ୍ଷରେ ଯୁଦ୍ଧରତ ଥିବାର ଉଲ୍ଲେଖ ଅଛି । ମାତ୍ର ପରିଣତି ଓ ପ୍ରଭାବ ଦୃଷ୍ଟିରୁ ସମଗ୍ର ଭାରତର ଜାତୀୟ ମହାକାବ୍ୟ ଭାବେ ଏହା ଭାରତବର୍ଷର ଜନମାନସର ଚିତ୍ର ହୋଇ ପାରିଛି ଓ ଜନଚରିତ୍ରର ନିର୍ମାତା ହୋଇପାରିଛି ।

 

ସାରଳାଦାସ ସଂସ୍କୃତ ମହାଭାରତର ଚିରାୟତ ନୈତିକ-ଶାସ୍ତ୍ରୀୟ ଆଦର୍ଶାୟିତ ରୂପକୁ ପରିବର୍ତ୍ତନ କରି ତାଙ୍କ ଓଡ଼ିଆ ମହାଭାରତକୁ ଏକ ସମରକାବ୍ୟ ରୂପେ ଗଢ଼ି ତୋଳିଛନ୍ତି । ଏହା ତେଣୁ ଆଦର୍ଶ- ଶାସ୍ତ୍ର-ନୀତିର ଉଲ୍ଲଂଘନ କରୁଥିଲେ ମଧ୍ୟ ଓଡ଼ିଆ ଭାଷାରେ ରଚିତ ଏକ ସାମରିକ କାବ୍ୟରୂପେ ଅଧିକ ମାନ୍ୟତା ପାଏ, ଯେତେ ଓଡ଼ିଆରେ ଲିଖିତ ‘‘ମହାନ ସଂସ୍କୃତ ମହାଭାରତ’ ଗ୍ରନ୍ଥ ରୂପେ ପାଏ ନାହିଁ । ଏଣୁ ଓଡ଼ିଆ ମହାଭାରତ ପ୍ରଥମତଃ ଏକ ସମରକାବ୍ୟ ଦ୍ଵିତୀୟତଃ ଓଡ଼ିଆ ଜାତୀୟତାର ଗୌରବ କେତନ ମଧ୍ୟ । ଅଧିକ ତଥ୍ୟପ୍ରମାଣକୁ ନଯାଇ ଆମେ ଏଠାରେ ଡକ୍ଟର ମାୟାଧର ମାନସିଂହଙ୍କ ଏକ ମନ୍ତବ୍ୟ ଉଦ୍ଧାରଣ କରିପାରିବା - ‘‘ଶାରଳା ଦାସଙ୍କ ମହାଭାରତ କେବଳ କୁରୁପାଣ୍ଡବଙ୍କ ଯୁଦ୍ଧର ଗାଥା ନୁହେଁ ଏହା ଓଡ଼ିଆ ଜାତିର ପ୍ରକୃତ ଓ ପ୍ରକୃଷ୍ଟ ଜାତୀୟ ମହାକାବ୍ୟ ।’’ ଏ ମନ୍ତବ୍ୟ ସାକ୍ଷ୍ୟ ଦେଉଛି ଯେ ଓଡ଼ିଆ ମହାଭାରତ ଏକ ‘‘ଯୁଦ୍ଧଗାଥା’’ ବା ସମର ସାହିତ୍ୟ ପୁଣି ‘‘ଜାତୀୟ ମହାକାବ୍ୟ’’ ମଧ୍ୟ ।

 

ଶାରଳା ଦାସଙ୍କ ମହାଭାରତ ସମଗ୍ରତଃ ଏକ ବୀର ରସାତ୍ମକ ମହାକାବ୍ୟ ଯେଉଁଠି ସମର ସହିତ ସମାଜର ସଂସ୍କାର ବା ସୁଧାର ପ୍ରଶ୍ନାତୀତ ଭାବେ ଜଡ଼ିତ । କବି ଜଣେ ସୈନିକ ଥିଲେ । ଯୋଦ୍ଧୃତ୍ୱ ତାଙ୍କର ସ୍ଵାନୁଭୂତ ଥିଲା । ଏଣୁ ମୂଳ ମହାଭାରତରେ ଉପସ୍ଥିତ, ସୂଚୀତ, ଇଙ୍ଗିତ୍ୟ ଯୁଦ୍ଧ ପ୍ରସଙ୍ଗଗୁଡ଼ିକର ସେ ସବିସ୍ତାର ରୂପାୟନ କରିଛନ୍ତି । ସେହି ଯୁଦ୍ଧ ପ୍ରସଙ୍ଗର ବର୍ଣ୍ଣନାରେ ଓଡ଼ିଆ ୠଣ କୌଶଳ, ସମରସଜ୍ଜା, ବ୍ୟୂହରଚନା, ଆକ୍ରମଣ ପ୍ରତିଆକ୍ରମଣ, ଅସ୍ତ୍ରଶସ୍ତ ଭଳି ସମରସାଜ ସହିତ ସେନାର ଗତି, ପ୍ରକୃତି ଓ ଏକକ ସୈନିକର ବୀରତ୍ୱ, ସାହସ, ସ୍ଥୈର୍ଯ୍ୟ ଓ ଧୈର୍ଯ୍ୟର ଯେପରି ସୁଲଭତା ରହିଛି ତାହା ଅକ୍ଲେଶରେ ରଚନାଟିକୁ ଏକ ‘ଓଡ଼ିଆ ସମର ସାହିତ୍ୟ’ର ମାନ୍ୟତା ଅର୍ପଣ କରେ ।

 

ଏହି ସମରକାବ୍ୟର ଗାଥାକ୍ରମରେ ମୂଳରୁ ଶେଷଯାଏ ଏପରି ମୁହୂର୍ତ୍ତ ନାହିଁ ଯେବେ ଆମେ ଋଣବାଦ୍ୟ, ଧନୁଷ୍ଟଙ୍କାର, ବୀରମାନଙ୍କର କୁହାଟ, ଯୁଦ୍ଧାଶ୍ଵର ହ୍ରେଷା ଓ ଗଜର ବୃଂହିତ ଶୁଣିବାକୁ ନପାଉ । ଭୂମି ଓ ନାରୀ ପାଇଁ ଏହି ବିରାଟ ଜାତି ଯେ ପ୍ରତି ମୁହୂର୍ତ୍ତରେ ପ୍ରାଣର ବାଜି ଲଗାଇପାରେ, ଏହି କାବ୍ୟଟିରେ ତାହାର ତଥ୍ୟଚିତ୍ର ସମୁଜ୍ଜ୍ୱଳ । ଏହା ସଂସ୍କୃତ ମହାଭାରତଠାରୁ ଅଧିକତର ଭାବେ ସମରକାବ୍ୟ ପୁଣି ନାନା ପ୍ରସଙ୍ଗ ଓ ରସର ବିଦ୍ୟମାନତା ସତ୍ତ୍ଵେ ସମର ପ୍ରସଙ୍ଗରେ ଓ ବୀର ରସର ବର୍ଣ୍ଣନାରେ କବିଙ୍କ ଉତ୍ସାହ, ପ୍ରଗଳ୍ଭତା ପୁଣି ଅନୁଭୂତି ମଂଜୁଳତା ଯେପରି ପ୍ରକାଶିତ ତାହାର ତୁଳନା ନାହିଁ ।

 

ଓଡ଼ିଶାର ଭୂଖଣ୍ଡ; ତାହାର ଭୂଗୋଳ-ଇତିହାସ-ଧର୍ମ-ସଂସ୍କୃତି-କଳା-ପକୃତି-ପରିବେଶ ଜନଜୀବନ ଓ ଜନଚେତନା ସମେତ ଚିତ୍ରିତ ଓ ବିଶ୍ଳେଷିତ ହୋଇ ଏକ ଜାତୀୟ ମହାକାବ୍ୟର ବିକଳ୍ପ ସାରସ୍ଵତ ସୃଷ୍ଟି ଭାବେ ‘ଓଡ଼ିଆ ମହାଭାରତ’ ଯେ ପରିଣତ ହୋଇପାରିଛି ତାହା ହିଁ ଏକ ଭାଷାଗୋଷ୍ଠୀ ମଣିଷର ସ୍ଵୀୟ ଜାତୀୟ ଚେତନାର ପ୍ରମୂର୍ତ୍ତ ପ୍ରକାଶ ।

 

ଏକ ଛାୟା ସୃଷ୍ଟି ହେଲେ ହେଁ ଏଥିରେ କଳ୍ପନାର ମାୟା ଅପେକ୍ଷା ବାସ୍ତବତା ଓ ସ୍ଵାନୁଭୂତିର କାୟା ବିସ୍ତାର ସହଜଲକ୍ଷ୍ୟ । ଏଣୁ ଓଡ଼ିଆ ମହାଭାରତ ସମରକୁ ମୁଖ୍ୟକରି ଜାତୀୟତାର ବାର୍ତ୍ତାପ୍ରସାର କରୁଥିବା ଏକ ସମରସାହିତ୍ୟ । ସମ୍ଭବତଃ ଏଯାବତ୍‌ ଶ୍ରେଷ୍ଠ ସମର ସାହିତ୍ୟ ।

 

‘ସମର ତରଙ୍ଗ’ ଓଡ଼ିଆ ରୀତିକାବ୍ୟ କାଳର ଜାନୁଯୌବନ ସମରସର୍ବସ୍ଵ ସାହିତ୍ୟର ଏକ ବ୍ୟତିକ୍ରମ ସୃଷ୍ଟି । ଏ ସମୟର ନ୍ୟାୟୋଜିତ ସାରସ୍ଵତ ପ୍ରକାଶ ‘ସମର ତରଙ୍ଗ’ ଯାହାର ଅଭାବ ଆମେ ମରହଟ୍ଟା-ମୋଗଲ କାଳୀନ ଓଡ଼ିଆ ସମାଜ ଜୀବନରେ ଅପେକ୍ଷା କରୁଥିଲେ । ଯେତେବେଳେ ଅନ୍ୟ ଗଡ଼ମାନଙ୍କରେ ‘ଲାବଣ୍ୟବତୀ’ ‘ଚଟକ ଚନ୍ଦ୍ରହାସ ଚମ୍ପୁ’ ପ୍ରଭୃତି ରଚନା ହେଉଥିଲା ସେତିକିବେଳେ ସେହି ସାହିତ୍ୟ-ପରମ୍ପରାକୁ ସମ୍ମାନ ଦେଇ ଢେଙ୍କାନାଳ ଗଡ଼ର କବି ‘ବିଚକ୍ଷଣା’, ‘କଳାକୋଟିନିଧି’, ‘ଗୋପୀବିଳାସ’ ସହିତ ଅଦ୍ଭୁତ ଗଦ୍ୟପ୍ରକାଶ ‘ଚତୁର ବିନୋଦ’ ମାତ୍ର ଲେଖି ନିରସ୍ତ ରହିନାହାନ୍ତି, ଅଧିକନ୍ତୁ ଓଡ଼ିଆ ସାହିତ୍ୟକୁ ଶାରଳା ଦାସଙ୍କ ପରେ ଏକ ସଫଳ ସମର୍ଥ ସମର ସାହିତ୍ୟ ଉପହାର ଦେଇଛନ୍ତି । ଏହି କାବ୍ୟର କବି ବ୍ରଜନାଥ ବଡ଼ଜେନା ମହାଶୟ ଆମ ଜାତିପ୍ରାଣର ଶତ ଧନ୍ୟବାଦର ପାତ୍ର, କୋଟି ପ୍ରଣାମର ହକ୍‌ଦାର । ଡକ୍ଟର ନଟବର ସାମନ୍ତରାୟ ଯେ ଏହାର ଗୌରବ ଗାନ ଓ ପ୍ରକୃତି ପରିଶୀଳନ ପ୍ରତ୍ୟେକ ଓଡ଼ିଆ ସାହିତ୍ୟିକର ଏକ ପରମ ଜାତୀୟ କର୍ତ୍ତବ୍ୟ କହିଛନ୍ତି ତହିଁରେ ଆଜିସୁଦ୍ଧା ଦ୍ୱିମତ ହେବାର ଅବକାଶ ନାହିଁ । ‘ସମର ତରଙ୍ଗ’ର ପାଠକ ମାତ୍ରକେ ଅନୁଭବ କରିବେ ଯେ, ପାହାଡ଼ିଆ କେଦାର ରାଗରେ ମାତ୍ର ୮ଟି ପଦରେ ମରହଟ୍ଟା ବାହିନୀର ସମର ଅଭିଯାନ ଯେପରି ସଫଳ ଓ ନିଖୁଣ ଭାବେ ରୂପାୟିତ ତାହା ସମଗ୍ର ବିଶାଳ ଓଡ଼ିଆ ସାହିତ୍ୟରେ ଦୁର୍ଲଭ । କେବଳ ଦୁର୍ଲଭ ନୁହେଁ ତାହା ନିଶ୍ଚୟ ଅଭୁତପୂର୍ବ, ଅକ୍ଷୟ ସାରସ୍ଵତ କୀର୍ତ୍ତି ।

 

ପ୍ରସଙ୍ଗଟି ମରହଟ୍ଟା ଶାସକଙ୍କୁ ଢେଙ୍କାନାଳର ରାଜା ମହୀନ୍ଦ୍ର ବାହାଦୂର ସରବରା କର ନ ଦେବାରୁ ଶାସନ ପକ୍ଷରୁ ସଂଘଟିତ ଆକ୍ରମଣର ପ୍ରତିହତକାରୀ ଏକ ଯୁଦ୍ଧ । ଏହା ମହାଭାରତ ମହାସମର ପରି ୧୮ ଦିନ ବ୍ୟାପୀ ଓ ମହାଭାରତର ଶାନ୍ତି ପର୍ବ ପରି ଏକ ସନ୍ଧି ଚୁକ୍ତିରେ ଉଦ୍‌ଯାପିତ । ଅଧିକନ୍ତୁ ଏଥିରେ ଅଛି ଢେଙ୍କାନାଳ ଓ କେନ୍ଦୁଝର ମଧ୍ୟରେ ସଂଘଟିତ ଏକ ସଂକ୍ଷିପ୍ତ ସମରର ଚିତ୍ର ।

 

ସମର ସାହିତ୍ୟ ଆବଶ୍ୟକ କରେ ସମର ଅଭିଯାନର ହେତୁ, ସମର ଅଭିଯାନ, ଅଭିଯାନର ପ୍ରତିରୋଧ, ଉତ୍ତେଜନା ପାଇଁ ଉଦ୍‌ବୋଧନ, ସମର ଚିତ୍ର, କ୍ଷୟକ୍ଷତି ବିବରଣ ଓ ପରିଣତିଗତ ପରିସ୍ଥିତି । ଆଲୋଚିତ ‘ସମର ତରଙ୍ଗ’ କବିଙ୍କ କୃତିତ୍ୱ ହେଉଛି ସମୁଦାୟ କାବ୍ୟରେ.ସମର ସାହିତ୍ୟର ଆବଶ୍ୟକୀୟ ଏହି ପର୍ଯ୍ୟାୟଗୁଡ଼ିକ ସୁରକ୍ଷିତ ଓ ସୁବ୍ୟବସ୍ଥିତ ଏପରିକି ତାହା ସଂକ୍ଷେପରେ ବର୍ଣ୍ଣିତ ହୋଇ ମଧ୍ୟ ଆବେଦନରେ ଗଭୀରତାସ୍ପର୍ଶୀ ।

 

ଆକ୍ରମଣକାରୀ ରାଜାରାମ ପଣ୍ଡିତଙ୍କୁ ତୀରଗୁଳି ଦେଇ ସଂଙ୍ଖୋଳିବାକୁ ପରାମର୍ଶ ଦିଆଯାଇଥିବା ପଦରେ । ଅଭିଯାନର ପ୍ରତିରୋଧ ପାଇଁ ଢେଙ୍କାନାଳ ପକ୍ଷରୁ ପୂର୍ଣ୍ଣ ପ୍ରସ୍ତୁତିର ସୂଚନା ଦିଆଯାଇଛି । ସେହିପରି ପଣ୍ଡିତ ମହାଶୟଙ୍କୁ ସଙ୍ଖୋଳିବାକୁ ଯିବାକୁ କୋଶେ ବାଟ ଅନୁସରଣ କରିବାକୁ ପଡ଼ିବା ଓ ଏହି ଦୀର୍ଘପଥ ମଝିରେ ଠାଏ ଠାଏ ଜମାଦାର ବସା କରିବା ପଦରେ କେତେ ସ୍ଵଚ୍ଛନ୍ଦରେ ମରହଟ୍ଟା ବୀର ରାଜାରାମ ପଣ୍ଡିତଙ୍କ ଯୁଦ୍ଧରୁ ପୁଷ୍ଠଭଙ୍ଗ ଦେଇ ଗଡ଼ଠାରୁ ଏକକୋଶ ଯାଏ ପଳାୟନ କରିବାର ଲଜ୍ଜାକର ପରିସ୍ଥିତି ବର୍ଣ୍ଣିତ । ପୁନଶ୍ଚ ଏହି ପୁନର୍ରିଧିକୃତ ଦୂରତା ମଧ୍ୟରେ ସ୍ଥାନେ ସ୍ଥାନେ ମହୀନ୍ଦ୍ର ବାହାଦୂରଙ୍କ ଜମାଦାର ଅର୍ଥାତ୍‌ ସାନସାନ ଦଳପତି ପଥରୋଧ ପାଇଁ ପ୍ରସ୍ତୁତ ହୋଇ ରହିବା ସେହି ପଦଟିରେ ବ୍ୟଞ୍ଜିତ । ଏହା ଫଳରେ ପୃଷ୍ଠଭଙ୍ଗକାରୀ ସେନା ଦଳର ପରିତ୍ୟକ୍ତ ଘୋଡ଼ା, ରଥ, ଅସ୍ତ୍ରଶସ୍ତ୍ର ତମ୍ବୁ, କମ୍ବଳ ଆଦି ପ୍ରତିହତକାରୀ ସେନାକୁ ପ୍ରାପ୍ତ ହୋଇଥିବା କଥାଟି ଅଳ୍ପ ବର୍ଣ୍ଣନାରେ ଅଧିକ ସୂଚୀତ ।

 

‘ସମର ତରଙ୍ଗ’କୁ ବରଂ ସମଗ୍ରତଃ ଏକ ସମର କାବ୍ୟ କହିବାରେ ଗୌରବ ଅଛି । କାରଣ ଏଥିରେ ଯୁଦ୍ଧ ଅତିରିକ୍ତ ବିଷୟ ପଲ୍ଲବନ ନାହିଁ, ସମର ହିଁ ଏକମାତ୍ର ଓ ମୁଖ୍ୟ ପ୍ରସଙ୍ଗ ରହିବା ସହିତ ସମରର ସବୁ ବିଭାବ ଏଥିରେ ସୁରକ୍ଷିତ । ତାହା ସହିତ କବି ସ୍ଵୟଂ ସଚେତନ ନୁହନ୍ତି ଯେ, ଏହି କାବ୍ୟ ସୃଷ୍ଟି ମାଧ୍ୟମରେ ସେ ଜଣେ ପ୍ରଚଣ୍ଡ ବ୍ୟତିକ୍ରମ ଓ ଉଜ୍ଵଳ ମାର୍ଗସ୍ରଷ୍ଟା ହୋଇଉଠୁଛନ୍ତି । ଏଇଥିପାଇଁ ‘ସମର ତରଙ୍ଗ’କୁ ଏକ ସମର ସାହିତ୍ୟ ଭାବେ ଉଚିତ୍‌ରୁ ଅଧିକ ଗୁରୁତ୍ୱ ଦେବା । ମାତ୍ର ସମର ସାହିତ୍ୟ ହେବା ଉଚିତ ଏକ ସଚେତନ, ଉଦ୍ଦେଶ୍ୟ ପ୍ରଣୋଦିତ, ସକ୍ରିୟ ଅଂଶଭାଗୀ ଏବଂ ସ୍ଵାନୁଭୂତ ସାହିତ୍ୟ । ସେହି ଦୃଷ୍ଟିରୁ ଲକ୍ଷଣରେ ଉତ୍ତୀର୍ଣ୍ଣତା ଥାଇ ମଧ୍ୟ ‘ସମର ତରଙ୍ଗ’ର ସ୍ରଷ୍ଟାଙ୍କ ଠାରେ ସେହି ସଚେତନତାର ଅଭାବହିଁ ତାହାକୁ ଆବେଦନ ଦୃଷ୍ଟିରୁ ନ୍ୟୂନ କରିବସିଛି ।

 

ରାଧାନାଥଙ୍କ କାବ୍ୟାବଳୀରେ କେତୋଟି ଯୁଦ୍ଧ ବିଷୟକ କାବ୍ୟ ଅଛି । ଯେପରି ‘‘ପାର୍ବତୀ’’, ‘‘ନନ୍ଦିକେଶରୀ’’, ଏପରିକି ‘‘ଚିଲିକା’’ ଖଣ୍ଡକାବ୍ୟ । ଚିଲିକାର ସମର ପ୍ରସଙ୍ଗ ପରୋକ୍ଷ, ସ୍ମୃତି ଚାରଣିତ ଏବଂ ତାହା କାବ୍ୟର ପ୍ରଧାନ ଆଶୟ ନୁହେଁ । “ନନ୍ଦିକେଶରୀ’’ ଓ ‘‘ପାର୍ବତୀ’’ କାବ୍ୟ ଦ୍ୱୟରେ ସମର ଅନ୍ୟତମ ମୁଖ୍ୟ ଆଶୟ ଯାହା ବିଷୟର ପ୍ରେମ ଓ ରାଜ୍ୟ ଜୟ ପ୍ରସଙ୍ଗକୁ ମର୍ଯ୍ୟାଦାବନ୍ତ କରୁଛି । ଯୁଦ୍ଧର ଘନଘଟା, ଅଭିଯାନର ବିପଦ ସଂକୁଳତା, ସେନାପ୍ରତି ଉତ୍ସାହବାଣୀ, ପ୍ରତ୍ୟକ୍ଷ ଯୁଦ୍ଧବର୍ଣ୍ଣନା ଓ ଯୁଦ୍ଧବିରତି ସମୟରେ ଗୁପ୍ତଚରବୃତ୍ତି ଓ ବିରତିପର କାର୍ଯ୍ୟାନୁଷ୍ଠାନ ନେଇ ବିଚାର ବିମର୍ଶ ସର୍ବୋପରି ଯୁଦ୍ଧର ପରିଣତି ନେଇ ଯୋଦ୍ଧା ଏବଂ ଜନତାର ଆଶା ଆକାଂକ୍ଷା ଯୁକ୍ତ ମନୋଦଶା ଏହି କାବ୍ୟ ଦୁଇଟିର ସମର ସାହିତ୍ୟ ଯୋଗ୍ୟତା ସାବ୍ୟସ୍ତ କରେ ।

 

କବିବର ଜଣେ ପାରଦର୍ଶୀ ସ୍ରଷ୍ଟା ଭାବରେ ଇତିହାସ, ଜାତୀୟତାବୋଧ, ସାମାଜିକ ମୂଲ୍ୟବୋଧ ଓ ପ୍ରକୃତି ପୁନର୍ନ୍ୟାସଭଳି କାବ୍ୟ ଉପାଦାନ ଗର୍ଭଗତ କରାଇ ତାଙ୍କ କାବ୍ୟ ଦୁଇଟିକୁ ସାହିତ୍ୟ ସମ୍ବିଧାନ ଦୃଷ୍ଟିରୁ ସଫଳ କରାଇ ପାରିଛନ୍ତି । ମାତ୍ର ଏକ ସମର ସାହିତ୍ୟ ସମକାଳରୁ ଜନ୍ମି, ସମକାଳରେ ଘଟି, ସମ କାଳରେ ପ୍ରଖ୍ୟାପିତ ହୋଇଥିଲେ ଯାଇ ଏବଂ ସେହି ସମରର ଚରିତ୍ର ମଣିଷ ଓ ପାଠକ ମଣିଷ ଏକା ଅନୁଭୂତିକୁ ସହଭାଗ କରିପାରୁଥିଲେ ଯାଇ ଉତ୍କୃଷ୍ଟ ବିବେଚିତ ହୁଏ-

 

ଏହି କାରଣରୁ ସମର ଚିତ୍ର ଓ ସମର ପ୍ରସଙ୍ଗ ପୁଣି ସମର ବର୍ଣ୍ଣନା ଥାଇ ମଧ୍ୟ ରାଧାନାଥଙ୍କ କାବ୍ୟଗୁଡ଼ିକ ଅତୀତର ଏକ ସ୍ମୃତିଉଜ୍ଜୀବନ ମାତ୍ର ହୋଇଛି; ସମର ସାହିତ୍ୟ ହୋଇପାରିନାହିଁ । ସମକାଳ ଆବଶ୍ୟକତା ଦୃଷ୍ଟିରୁ ଏପରିକି ଔଚିତ୍ୟ ଦୃଷ୍ଟିରୁ କବି ରାଧାନାଥ ୧୮୫୭ର ପ୍ରଥମ ଭାରତୀୟ ମୁକ୍ତିସଂଗ୍ରାମ ଓରଫ୍‌ ସିପାହୀବିଦ୍ରୋହ, ଜାଲିୱାନାୱାଲାବାଗ୍‌ ଗଣହତ୍ୟା, ଖୋର୍ଦ୍ଧାର ପତନ କିମ୍ବା ୧୯୨୦ର ବିଶ୍ୱଯୁଦ୍ଧ ପରିପ୍ରେକ୍ଷୀରେ ସାହିତ୍ୟ ସୃଷ୍ଟି କରିପାରିଥିଲେ ତାହା ସମର ସାହିତ୍ୟ ହୋଇପାରିଥାନ୍ତା । କାରଣ ତଦ୍ଦ୍ୱାରା ଜାତୀୟ ଚେତନା ପୁଷ୍ଟ ଓ ବିକଶିତ ହୋଇ ଗୋଟିଏ ପରାଧିନ ଜାତି ପ୍ରାଣର କ୍ଷୋଭ ଓ ସ୍ୱାଧୀନତା ପ୍ରତି ଆସ୍ପୃହା ପ୍ରକାଶ ପାଇପାରିଥାନ୍ତା । ରାଧାନାଥଙ୍କ ଉଲ୍ଲିଖିତ ସମର ଜଡ଼ିତ କାବ୍ୟଗୁଡ଼ିକ କେବଳ ସାହିତ୍ୟ ହେଲା; ବିନୋଦ ଓ ବୌଦ୍ଧିକତାର ରସଦ ହେଲା ମାତ୍ର ସମର ସାହିତ୍ୟ ହେଲା ନାହିଁ ।

 

କବି ଗୋପବନ୍ଧୁଙ୍କଠାରୁ ସତ୍ୟବାଦୀ, ସବୁଜ, ପ୍ରଗତିବାଦୀ ଯୁଗନାମରେ ପ୍ରଚଳିତ ୧୯୦୩-୧୯୪୫ ପର୍ଯ୍ୟନ୍ତ ପ୍ରବାହିତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ପୂର୍ଣ୍ଣାଙ୍ଗ ଉତ୍କଳ ଗଠନ, ଜାତୀୟ ସ୍ଵାଧୀନତା ଲାଭ ଓ ଆନ୍ତର୍ଜାତୀୟ ମାନବବାଦ ଓରଫ୍‌ ମାର୍କସ୍‌ବାଦ ପର୍ଯ୍ୟନ୍ତ ଓଡ଼ିଆ ଖଣ୍ଡକାବ୍ୟ-ଦୀର୍ଘକବିତା ଓ କବିତା ରଚନାଗୁଡ଼ିକରେ ଦେଶପ୍ରେମ-ଜାତିପ୍ରେମ-ମାନବ ପ୍ରେମ ପର୍ଯ୍ୟାପ୍ତ ରୂପାୟିତ । ମାତ୍ର ସମର କୈନ୍ଦ୍ରିକ କିମ୍ବା ସମର ଭିତ୍ତିକ ସାହିତ୍ୟର ପରିମାଣ ଯଥେଷ୍ଟ ନୁହେଁ । ଗୋପବନ୍ଧୁଙ୍କର ‘‘ବନ୍ଦୀର ସ୍ୱଦେଶ ଚିନ୍ତା’’ ‘‘କାରା କବିତା’’ ପ୍ରଭୃତିରେ ସ୍ୱଦେଶର ସ୍ୱାଧୀନତା ପାଇଁ ଆକୁଳ ଉଚ୍ଚାରଣ ଅଛି, ଦେଶ ଓ ଦେଶବାସୀଙ୍କ ପାଇଁ ଚିନ୍ତା ଅଛି: ମାତ୍ର ସେସବୁ କୌଣସି ସମର ଆକାଙ୍‌କ୍ଷା ଓ ପ୍ରାଣପାତର ଆହ୍ୱାନରେ ଉଚ୍ଚକିତ ନୁହେଁ । ରୋମାଣ୍ଟିକ୍‌ ଭାବଚେତନା ଦୃଷ୍ଟିରୁ ସେଥିରେ ଥିବା ଜାତୀୟ ଚେତନାର ପ୍ରକାଶ ଓ ସମର ସାହିତ୍ୟ ବର୍ଗର ହୋଇପାରିନାହିଁ ।

 

ବରଂ ଗୋଦାବରୀଶଙ୍କର ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଭଳି ପଦ୍ୟଧ୍ଵନୀରେ କାବ୍ୟିକସିଦ୍ଧି ଅଛି ଓ ଉନ୍ମାଦନା ସୃଷ୍ଟିର ଅବକାଶ ଅଛି । ସେହି ସ୍ଵର ଓଡ଼ିଆ କବିର ସସୀମ ଉଦ୍‌ଗାର ହେଲେ ହେଁ ସେଥିରେ ଅସୀମ ଜନପ୍ରାଣ ସ୍ପନ୍ଦିତ ହୋଇଛି । ସ୍ଵାଧୀନତା ଲାଭର ଦୁର୍ବାର ଅଭିଳାଷ ପାଠକ ଜନତାକୁ ଛୁଇଁଛି ଓ ଆନ୍ଦୋଳିତ କରିପାରିଛି । ‘ଉଠକଙ୍କାଳ’ର କବିତାବଳୀରେ ଗଭୀର ଦେଶପ୍ରେମ, ଉଗ୍ରଜାତୀୟତାବୋଧ ସହ ମାନବିକତାର ଜୟଧ୍ଵନୀ ଅଧିକ ବିଘୋଷିତ । ଦ୍ୱିତୀୟ ବିଶ୍ୱସମର ଓ ଭାରତୀୟ ସ୍ଵାଧୀନତାଲାଭ ପରିପ୍ରେକ୍ଷୀରେ କବିଙ୍କ ସୃଷ୍ଟି ସକଳରେ ଅଛି ବଜ୍ରନାଦୀ ଆହ୍ୱାନ । ଏଗୁଡ଼ିକୁ ଆମେ ସମର ସାହିତ୍ୟ ପର୍ଯ୍ୟାୟରେ ନେଇପାରିବା କାରଣ ଏଥିରେ ଅଛି ଜାତୀୟ ଐତିହ୍ୟର ଗଭୀର ସମ୍ମାନବୋଧ, ଅତୀତର ଗୁରୁଗୌରବଗାନ ସହ ଭବିଷ୍ୟତ ବଳିଷ୍ଠ ଆଶାବାଦ । ସମର ସାହିତ୍ୟର ତିନୋଟି ସ୍ମୃତୀକୁ ଲକ୍ଷଣରେ ଏହି କବିତା ଗ୍ରନ୍ଥ ସୁଶୋଭିତ ।

 

ସେହି ଦୃଷ୍ଟି ଏକ ବ୍ୟତିକ୍ରମ, ଉଜ୍ଜଳ ଓ ସଫଳ ସୃଷ୍ଟି ହେଉଛି ‘ବାଜିରାଉତ’ । ଆମେ ଆନନ୍ଦିତ ଓ ଉଦ୍‌ବୁଦ୍ଧ ହେବା ଯେ “ସମର ତରଙ୍ଗ’ ପରି ‘ବାଜିରାଉତ’ ମଧ୍ୟ ଢେଙ୍କାନାଳର ପ୍ରସଙ୍ଗ, ଢେଙ୍କାନାଳରେ ଘଟିତ । ଏହାର କବି ସଚ୍ଚି ରାଉତରାୟ ଜଣେ ଉଗ୍ର ମାନବବାଦୀ କବିଭାବେ ପରିଚିତ । ସେ ବାଜି ରାଉତ ନାମକ ବାଳକ ସହିତର ଆତ୍ମୋତ୍ସର୍ଗକୁ ଉପଜୀବ୍ୟକରି ସେହି ନାମିତ ଦୀର୍ଘ କବିତାଟି ରଚନା କରିଛନ୍ତି । ସେଥିରେ ଗୋଟିଏ ପ୍ରତ୍ୟକ୍ଷ ସମରଚିତ୍ର ନାହିଁ । ଶାସକର ଗୁଳିରେ ସାତଜଣ ପ୍ରଜାମଣ୍ଡଳ ସିପାହୀ ଅଶସ୍ତ୍ର ଅବସ୍ଥାରେ ଟଳିପଡ଼ିଛନ୍ତି । ମାତ୍ର ତାହାର ପ୍ରତିକ୍ରିୟାରେ ସମଗ୍ର ରାଜ୍ୟରେ ଯେଉଁ ବୈପ୍ଳବାତ୍ମକ ଜାଗୃତି ସୃଷ୍ଟି ହୋଇଛି ତାହାର ଚିତ୍ର ବହନ କରେ କବିତାଟି ଏବଂ କବିତାଟି ତାହାକୁ ଆଉରି ଉଦ୍ଦୀପ୍ତ, ବ୍ୟାପ୍ତ ଓ ବହ୍ନିମାନ କରିଦିଏ ।

 

ସମର ସାହିତ୍ୟର ଏକ ଉଲ୍ଲେଖନୀୟ ଦିଗ ହେଉଛି ବୀରବନ୍ଦନା । ବୀରର କ୍ରିୟାପ୍ରତିକ୍ରିୟା ଓ ଭାବନାକୁ ମହନୀୟତା ଅର୍ପଣ କରି ଜାତିମଣିଷ ନିକଟରେ ତାକୁ ଏକ ଆଦର୍ଶ ଓ ନସମ୍ୟ ବ୍ୟକ୍ତିତ୍ଵ କରି ଗଢ଼ିତୋଳିବାରେ ଏହି ସାହିତ୍ୟ ସଫଳ ହୋଇଥାଏ । ଢେଙ୍କାନାଳର ବାଳକ ବାଜି, ସଚ୍ଚି ରାଉତରାୟଙ୍କ ସହିଦ୍‌ ବାଜିରାଉତ ହୋଇ ସେହି ଦୀର୍ଘକବିତାର ପ୍ରଭାବରେ ସମଗ୍ରଭାରତର ବାଳବୀରରେ ପରିଣତ ହୋଇଯାଏ । ରାଉତରାୟଙ୍କ ଅଗ୍ନିବର୍ଷା ଭାଷାରେ ଏବଂ ହୃଦୟର ଗଭୀର ପ୍ରଦେଶରୁ ଉତ୍ସାରିତ ଆବେଗର ଇନ୍ଧନରେ ‘‘ବାଜିରାଉତ’’ ଦୀର୍ଘ କବିତା ସାରାଭାରତର ଏକ ‘ସମର ସାହିତ୍ୟ’ ହୁଏ ନାହିଁ କେବଳ ସାରାଭାରତର ବାଳକଯୁବକ ପ୍ରାଣକୁ ଆତ୍ମୋତ୍ସର୍ଗର ଉତ୍ସାହରେ ସ୍ପନ୍ଦିତ କରିଦିଏ । ଏହାର ଇଂରାଜୀ ରୂପାୟନ - The Boatman boy and other poems. କବିଙ୍କୁ ସାରା ଭାରତରେ ପ୍ରଖ୍ୟାତ କରିଦିଏ । ଓଡ଼ିଆ ଜାତିର ସ୍ଥିତିକୁ ସର୍ବଭାରତୀୟ ସ୍ଵାଧୀନତା ସଂଗ୍ରାମ ମାନଚିତ୍ରରେ ଲାଲରେଖାଙ୍କିତ କରିଦିଏ । ଭାରତ ମୁକ୍ତିଯୁଦ୍ଧର ଜଣେ ସଫଳ ଯୋଦ୍ଧା ଭାବେ ଜଣେ ଓଡ଼ିଆର ଏହି କରଣୀ ଓଡ଼ିଆ ଜାତିକୁ ମହିମାନ୍ୱିତ ଓ ଗୌରବାନ୍ନିତ କରିଦିଏ । ସମର ସାହିତ୍ୟର ଉଦ୍ଦେଶ୍ୟ ତାହା ହିଁ - ବୀରକୁ ଚିରଞ୍ଜବୀ କରିବା, ବୀରତ୍ଵବୋଧକୁ ସନ୍ଦୀପିତ କରିବା, ବୀରଭୂମିକୁ ପ୍ରଖ୍ୟାତ ଦେବା ଏବଂ ବୀରକୁ ଦେଶକାଳପାତ୍ରର ଉର୍ଦ୍ଧ୍ୱରେ ବିଶ୍ୱବୀରର ମାନ୍ୟତା ଦେବା । ଏସବୁ ଉଦ୍ଦେଶ୍ୟକେବଳ ‘ବାଜିରାଉତ’ରେ ସିଦ୍ଧିପ୍ରାପ୍ତ ।

 

‘ବାଜିରାଉତ’ ଗ୍ରନ୍ଥର ମୁଖବନ୍ଧରେ କବି ଲେଖିଛନ୍ତି ‘‘ଏ କାବ୍ୟର ନାୟକ କୌଣସି ବିଖ୍ୟାତ ସେନାପତି, ଜନନାୟକ କି ମଧ୍ୟଯୁଗୀୟ ସର୍ଦ୍ଦାର ନୁହେଁ । ବାରବର୍ଷର ବାଜିରାଉତ ପ୍ରଜାମେଳିର କେବଳ ନୁହଁ ଶ୍ରେଣୀହୀନ ସମାଜ ଗଠନ ଓ ସ୍ଵାଧୀନତା ସଂଗ୍ରାମର ଅନ୍ୟତମ ନାୟକ ।’’ ହଁ ‘ବାଜିରାଉତ’ର ନାୟକ ଥିଲା ଢେଙ୍କାନାଳର ନୀଳକଣ୍ଠପୁର ଗ୍ରାମର ତେଜୋଦୀପ୍ତ ନାଉରୀ ଚାଳକ ଓ ସେ ଥିଲା ପ୍ରଜାମଣ୍ଡଳର ଅନ୍ୟତମ ସହିଦ୍‌ । ମାତ୍ର ଖଣ୍ଡକାବ୍ୟଟି ତାହାକୁ ଜଣେ ମୃତ୍ୟୁଞ୍ଜୟୀ ଯୋଦ୍ଧାରେ ରୂପାନ୍ତରିତ କରିଦିଏ । ତାହାର ମରଣକୁ ସୁଦ୍ଧା ମହୀୟାନ କରିଦିଏ କବି ରାଉତରାୟଙ୍କ ସମର କବିତା ଏମିତି ପଙ୍‌କ୍ତିରେ-

 

‘‘ଝଡ଼ଠାରୁ ସେ ଯେ ବଡ଼ ମେଘଠାରୁ ଆଉରି ସେ କଳା

ସାନଦେହେ ଖେଳେ ତାର ଜୀବନର ଅଲିଭା ଚପଳା

ରାତିପରି ହୁଏ ବାଟବଣା

ପଥଭୂଲି ଏଣେତେଣେ ବୋହିଯାଏ ସେ ପରା ଝରଣା

ଛୋଟ ପୁଣି ଏଡ଼େ ସେ ବିରାଟ

ଜୀବନ ପାରିଲା ନାହିଁ ରଖି ତାକୁ ମୃତ୍ୟୁତାରେ ଛାଡ଼ିଦେଲା ବାଟ ।’’

 

ଅନ୍ୟତମ ଢେଙ୍କାନାଳ କବି ଛାନ୍ଦସିକ ଗଡ଼ନାୟକଙ୍କ ‘‘ଉତ୍କଳିକା’’ ଜାତୀୟପ୍ରୀତିରେ ମର୍ମରିତ । ଏଥିରେ ଐତିହାସିକ ବୀରପୁରୁଷ ଓ ବୀରତ୍ୱବ୍ୟଞ୍ଜନ ଘଟଣାବଳୀର ଜୟଗାନ ସୁରକ୍ଷିତ-। ସେଗୁଡ଼ିକ ଜାତୀୟ ଗୌରବଗାଥା ପ୍ରଖ୍ୟାପକ ।

 

ଏହି ପରିପ୍ରେକ୍ଷୀରେ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ‘ମାଆପ୍ରତି’, ‘ପାଇକବାଳା’, ‘ପାଇକବାଳାର ପତ୍ର’ ପ୍ରଭୃତି କେତୋଟି କବିତା କବି ପଦ୍ମଚରଣ ଓ ଗଡ଼ନାୟକଙ୍କ ବିଚ୍ଛିନ୍ନ କବିତା କେତୋଟି ଜାତୀୟଚେତନାର ଉଦ୍‌ବୋଧୀ ପ୍ରଗୀତଭାବେ ସ୍ମରଣୀୟ ମାତ୍ର ସମର ସାହିତ୍ୟ ଭାବେ ବରଣୀୟ ନୁହେଁ । ବିପ୍ଳବୀ କବି ମନମୋହନ ଓ ରବି ସିଂହଙ୍କ ରଚନାବଳୀରେ ଦେଶପ୍ରେମ ଜାତିପ୍ରେମ ଅପେକ୍ଷା ସାମ୍ୟବାଦର ସ୍ଵର ପ୍ରଖର ତାହା ସମରସାହିତ୍ୟ ବର୍ଗପ୍ରତି ଅନୁକୂଳ ମାତ୍ର ଯଥାର୍ଥ ସମର ସାହିତ୍ୟ ନୁହେଁ ।

 

କବି ବାଞ୍ଛାନିଧି ମହାନ୍ତି ଓ କବି ବୀରକିଶୋର ଦାସଙ୍କ କବିତାବଳୀରେ ଆମେ ଭାରତ ସ୍ୱାଧୀନତା ପାଇଁ ଉଦ୍‌ବୋଧନୀ ଝଙ୍କାର ବହୁମାତ୍ରାରେ ପାଉ । ବୀରକିଶୋରଙ୍କ ଉଦ୍‌ବୋଧନୀ ଗୀତିକାଗୁଡ଼ିକ ଏଡ଼େ ମର୍ମସ୍ପର୍ଶୀ ଓ ଉଦ୍‌ବେଳକ ଥିଲା ଯେ, ତତ୍କାଳୀନ ଇଂରେଜ ସରକାର ସେଗୁଡ଼ିକୁ ବାଜ୍ୟାପ୍ତି କରି ଦେଇଥିଲେ । ‘‘ମୋହନ ବଂଶୀ’’, ‘‘ବିଦ୍ରୋହୀ ବୀଣା’’, ‘‘ରଣଭେରୀ’’ ‘‘ରଣନ୍ଦୁନ୍ଦୁଭୀ’’ ପ୍ରଭୃତି କବିତା ସଂଗ୍ରହରେ ଜଣେ ଜାତୀୟତାବାଦୀ ଚାରଣ କବିଙ୍କର ସୁଲକ୍ଷଣ ପର୍ଯ୍ୟାପ୍ତ । ସ୍ୱାଧୀନତା ଆନ୍ଦୋଳନର ଶୋଭାଯାତ୍ରା, ସଭାସ୍ଥଳମାନଙ୍କରେ ଗୀତ ହେଉଥିବା ଏହି କବିତାଗୁଡ଼ିକ ଗଣ ଜାଗୃତିରେ ପ୍ରମୁଖ ଭୂମିକା ନେଇଥିଲା । ଏସବୁକୁ ଆମେ ସମରସାହିତ୍ୟଭାବେ ଗ୍ରହଣ କରିନେଇପାରିବା । ମାତ୍ର ଏହାର ଜାତୀୟଚେତନା ସୃଷ୍ଟିରେ ଯେତିକି ଭୂମିକା, ସଂଗ୍ରାମର ଉଦ୍‌ବୋଧନରେ ସେତିକି ଭୂମିକା ନ ଥିବା ମଧ୍ୟ ଦେଖିପାରିବା ।

 

ତଥାପି କହିବାକୁ ହେବ ଯେ ସାରଳାଙ୍କ ‘ମହାଭାରତ’, ବଜ୍ରନାଥଙ୍କ ‘ସମରତରଙ୍ଗ’ ଓ ସଚ୍ଚି ରାଉତରାୟଙ୍କ ‘ବାଜିରାଉତ’ ହିଁ ଓଡ଼ିଆ ପଦ୍ୟଧାରାର ତିନୋଟି ସାର୍ଥକ ‘ସମର ସାହିତ୍ୟ’ । ଆଲୋଚିତ ଅନ୍ୟ ରଚନାବଳୀ ଏବଂ ଆଲୋଚନାକୁ ଆସିପାରିନଥିବା ଅନେକ ସୃଷ୍ଟିରେ ଜାତୀୟଗୌରବ ପ୍ରଖ୍ୟାପନ ହୋଇଛି; ସେଦୃଷ୍ଟିରୁ ତାହାର କବିଗଣ ମଧ୍ୟ ଆମର ଧନ୍ୟବାଦର ଯୋଗ୍ୟ ।

 

ଓଡ଼ିଆ କଥାସାହିତ୍ୟରେ ସମରସାହିତ୍ୟର ସଂଜ୍ଞାରେ ଆସିବା ପାଇଁ ଆମକୁ ୧୮୯୦-୧୯୯୦ ଶହେବର୍ଷ ସୀମାରେ ମିଳୁଥିବା ଫକୀରମୋହନଙ୍କ ‘ଲଛମା’, କାନ୍ତକବିଙ୍କ ‘କଣାମାମୁ’, ରାମଚନ୍ଦ୍ର ଆଚାର୍ଯ୍ୟଙ୍କ ‘ବୀର ଓଡ଼ିଆ’, ଗୋଦାବରୀଶ ମିଶ୍ରଙ୍କ ଅଠରଶହ ସତର’, ରାମପ୍ରସାଦ ସିଂହଙ୍କ ‘ପୂଜାର ବଳୀ’, ଚକ୍ରଧର ମହାପାତ୍ରଙ୍କ ‘ବଳାଙ୍ଗୀ’, ‘ରୋଡ଼ଙ୍ଗ ବକ୍‌ସୀ’, ଲକ୍ଷ୍ମୀଧର ନାୟକଙ୍କ ‘ସେ ମରିନାହିଁ, ସୁରେନ୍ଦ୍ର ମହାନ୍ତିଙ୍କ ‘ନେତି ନେତି’ ପ୍ରଭୃତିର ଯୋଗ୍ୟତା ଆଶାୟିତ । ଏଥିରୁ ଅଧିକାଂଶ ଐତିହାସିକ ଉପନ୍ୟାସର ଆବଶ୍ୟକତା ଦୃଷ୍ଟିରୁ ଯୁଦ୍ଧଟିଏ ବା ଯୁଦ୍ଧ କେତୋଟିର ଘଟନା ଉଲ୍ଲେଖ କରିଛି ମାତ୍ର । ସେଥିରେ ଜାତୀୟତାଭାବନା ଅନୁପସ୍ଥିତ (ଲଛମା) ଜାତୀୟଭାବନା ଥାଇ ଯୁଦ୍ଧର ଭୟାବହତା, ଭୀଷଣତା ଓ ଯୁଦ୍ଧଜନିତ ସଂକଟର କଥା ନ ଥାଇ ଐତିହାସିକ ଉପନ୍ୟାସ ହୋଇଯାଇଛି (ପୂଜାରବଳୀ), ବଳାଙ୍ଗୀ ଓ ରୋଡ଼ଙ୍ଗ ବକ୍ସି) ବ୍ୟକ୍ତିତ୍ଵ /ଚରିତ୍ରକୁ ପ୍ରାଧାନ୍ୟ ଦେଇ ଅସଲ ପ୍ରସଙ୍ଗ ଗୁରୁତ୍ଵ ହରାଇଛି (କଣାମାମୁ), ସ୍ମୃତିମେଦୁରିତ ଅଧିକତଃ ରୋମାଣ୍ଟିକ୍‌ ଆବେଗପୀଡ଼ିତ ହୋଇ ତେଜସ୍କ୍ରିୟତା ହରାଇଛି (ନେତି ନେତି ଓ ସେ ମରିନାହିଁ) ।

 

‘‘ଅଠରଶହ ସତର’’ ଉପନ୍ୟାସଟି ଅଧିକ ଯୋଗ୍ୟତାରଖେ ମାତ୍ର ତାହା ଖୋର୍ଦ୍ଧାର ବୀର ବକ୍ସିଙ୍କ ବ୍ୟକ୍ତିତ୍ଵ, ପାଇକମାନଙ୍କ ଯୋଦ୍ଧୃତ୍ଵ, ଇଂରେଜ ଅତ୍ୟାଚାର ଓ ବିଦ୍ରୋହ ଦମନର ଅମାନୁଷିକତାକୁ ଖୁବ୍‌ ଆବେଗରେ ପ୍ରକାଶ କରି ତାହାକୁ ଘଟଣାର ପୃଷ୍ଠଭୂମିଭାବେ ରଖି ଗତିଶୀଳ-। ଏଣୁ ଏକ ଐତିହାସିକ ଉପନ୍ୟାସର ସମ୍ମାପ ପାଇପାରେ ‘ଅଠରଶହ ସତର’ ତହିଁରୁ ଅଧିକ ନୁହେଁ ।

 

ଉଲ୍ଲିଖିତ ସମସ୍ତ ଉପନ୍ୟାସରେ ଜାତୀୟଗୌରବ ବ୍ୟଞ୍ଜିତ, ଜାତିର ନିର୍ମାଣ ଆଶାନ୍ୱିତ ମାତ୍ର କୌଣସି ଗୋଟିକ ପ୍ରତ୍ୟକ୍ଷ ନୁହେଁ । ‘ନେତିନେତି’ ଏକ ଆତ୍ମଜୈବନିକ ଉପନ୍ୟାସ ହେଲେ ହେଁ ଏଥିରେ ସଂଗ୍ରାମର ଉଷ୍ମତା ଅପେକ୍ଷା ତାହାର ଶିଥିଳ ପ୍ରଭାବ ବେଶି ଅନୁଭୂତ ହୁଏ ଓ ନୈରାଶ୍ୟ ଏହାର ଶେଷକଥା ହୋଇଥିବାରୁ ଏହା ସମର ସାହିତ୍ୟ ହୋଇପାରେ ନାହିଁ ଏପରିକି ଜାତୀୟ ଚେତନା ଉଦ୍‌ବୋଧି ସାହିତ୍ୟ ହୋଇପାରେ ନାହିଁ ।

 

ଓଡ଼ିଆ ଗଳ୍ପରେ ସମର ସାହିତ୍ୟରେ ଘୋର ଅଭାବ ଅନୁଭୂତ ହୁଏ ଏପରିକି ସ୍ଵାଧୀନତା ଆନ୍ଦୋଳନର ଚିତ୍ର ବହନ କରୁଥିବା ଗଳ୍ପର ସଂଖ୍ୟା ମଧ୍ୟ ନୈରାଶ୍ୟଜନକ । ଆମ ଗଳ୍ପସାହତ୍ୟ ଇଂରେଜମାନଙ୍କୁ ଏତେ ବରଦାସ୍ତ କରିଛି ଓ ସ୍ୱାଧୀନତା ଆନ୍ଦୋଳନକୁ ଏତେ ଉପେକ୍ଷା କରିପାରିଛି ଦେଖିଲେ ନିଜକୁ ଉପେକ୍ଷିତ ମନେହୁଏ । କାନ୍ତକବିଙ୍କ ଗୋଟିଏ ଦୁଇଟି ଗଳ୍ପ, କାଳିନ୍ଦୀ ଚରଣଙ୍କ ଦୁଇତିନୋଟି, ଗୋଦାବରୀଶ ମହାପାତ୍ରଙ୍କ ଖଣ୍ଡିଏ ଅଧେ ଓ ସୁରେନ୍ଦ୍ର ମହାନ୍ତିଙ୍କ ଏକମାତ୍ର ଗଳ୍ପକୁ ବାଦଦେଲେ ୧୮୯୮-୧୯୪୮ ପଚାଶବର୍ଷରେ ସହସ୍ରାଧିକ ଗଳ୍ପ ରଚିତ ହୋଇମଧ୍ୟ ଖଣ୍ଡିଏ ‘ସମରଗଳ୍ପ’ ସୃଷ୍ଟି ହୋଇପାରି ନାହିଁ । ଗାନ୍ଧିବାଦ ଅହିଂସା, ଅସହଯୋଗ, ପ୍ରତ୍ୟାହାର, ପ୍ରତ୍ୟାଖ୍ୟାନ ଜାତୀୟତାବାଦ, ଚରଖା, ଭୂଦାନ ନେଇ ଅନେକ ଗଳ୍ପ ଅଛି ମାତ୍ର ସମର ସାହିତ୍ୟତ ଦୂରର କଥା ଜାତୀୟତାର ଉଦ୍‌ବୋଧନ ସ୍ମାରକୀ ହେବାର ଯୋଗ୍ୟତା ଅଧିକାଂଶର ନାହିଁ ।

 

ଏହି ବର୍ଗରେ ଏକମାତ୍ର ଓ ଯୋଗ୍ୟତମ ସାହିତ୍ୟ ହେଉଛି ଗୋପୀନାଥ ମହାନ୍ତିଙ୍କ ‘ରଣଧନ୍ଦୋଳ’ (୧୯୬୩) । ଏହାର ସବିସ୍ତାର ଆଲୋଚନାର ଆରମ୍ଭରେ ଝଙ୍କାର ୫୨ ତମ ବର୍ଷ ୬ଷ୍ଠ ସଂଖ୍ୟାରେ ମୁଁ ଲେଖିଥିବା ମତଟି ପୁନରୁସ୍ଥାପିତ କରୁଛି- ‘‘ଓଡ଼ିଆ ଗଳ୍ପରେ ‘ଜୟହିନ୍ଦ’, ‘ପୁନଶ୍ଚ’, ‘ସ୍ଵାଧୀନତା’, ‘ଅଶୋକଚକ୍ର’, ‘ଦେଖ ପତାକା ଉଡ଼ୁଛି’, ‘ପତାକା ଆନ୍ଦୋଳନ’, ‘ସୁଅ ମୁହଁରେ ପତର’ ଭଳି ଅଳ୍ପ କେତୋଟି ଗଳ୍ପରେ ଯୁଦ୍ଧର ଚିତ୍ର ଇଙ୍ଗିତ ମାତ୍ର ତାହାର ପ୍ରବର୍ତ୍ତନୀ କି ଉଦ୍‌ବୋଧନ, ପ୍ରତିବାଦ କି ପ୍ରତିରୋଧ ତହିଁରେ ଅନୁପସ୍ଥିତ । ସେହି ଦୃଷ୍ଟିରୁ ଗୋପୀନାଥ ମହାନ୍ତିଙ୍କ ‘‘ରଣଧନ୍ଦୋଳ’’ ଏକ ନିଶ୍ଚିତ ଓ ମହାର୍ଘ ବ୍ୟତିକ୍ରମ; ଏକ ଆକାଙ୍‌କ୍ଷ ସଂଯୋଜନ ।’’

 

ଆଲୋଚିତ ‘‘ରଣଧନ୍ଦୋଳ’’ ତିନୋଟି ଯୁଦ୍ଧ ବିଷୟର ଗଳ୍ପର ସମାହାର । ‘ମଣିଷ’, ‘ତୋପ’ ଓ ‘ଗୁଳି’ ନାମକ ଏହି ତିନୋଟି ଗଳ୍ପର ଭୂମି ତିନୋଟି ସଂଲଗ୍ନ ଗ୍ରାମ । ଗ୍ରାମଗୁଡ଼ିକ ଯୁଦ୍ଧ କ୍ଷେତ୍ରରୁ ଦୂରବର୍ତ୍ତୀ କିନ୍ତୁ ଯୁଦ୍ଧ ପ୍ରଭାବିତ ଓ ଯୁଦ୍ଧପ୍ରେରକ । ୧୯୬୨ରେ ସଂଘଟିତ ଭାରତ- ଚୀନ ଯୁଦ୍ଧ ଏହି ଗଳ୍ପତ୍ରୟର ପୃଷ୍ଠଭୂମି । ଓଡ଼ିଶାର ଗ୍ରାମଗହଳରେ ସୁଦ୍ଧା ସେହି ଯୁଦ୍ଧ ସମ୍ପର୍କୀୟ ଧାରଣା, ଯୁଦ୍ଧବିରୋଧୀ ମନୋଭାବ, ମାନସିକ-ଶାରିରୀକ ଉନ୍ମାଦନା, ଯୁଦ୍ଧ ସହଯୋଗ ଓ ଯୁଦ୍ଧରେ ଅଂଶୀଦାର ହେବାର ପ୍ରବଣତା ଏହି ଗଳ୍ପଗୁଡ଼ିକର ବିଷୟବସ୍ତୁ ।

 

‘ମଣିଷ’ ଗଳ୍ପରେ ଅଛି ଭାରତୀୟ (ଓଡ଼ିଆ) ମଣିଷର କ୍ଷାତ୍ରତ୍ୱ, ଯୋଦ୍ଧୃତ୍ଵ, ବୀରତ୍ୱ ଓ ଆତ୍ମୋତ୍ସର୍ଗ ମନୋଭାବର ସୁତୀବ୍ର ପ୍ରକାଶ । ଏହି ଗଳ୍ପର ହିଞ୍ଜଳିପୁର ଗାଁର ସବୁ ପାରିଲା ନ ପାରିଲା ମଣିଷ ସାମୁହିକଭାବେ ଯୁଦ୍ଧରେ ଯୋଗଦେବା ପାଇଁ ନିକଟବର୍ତ୍ତୀ ରିକୃଟ୍‌ମେଣ୍ଟ ଅଫିସ୍‌ରେ ନାମଦରଜ କରିବାକୁ ବାହାରି ପଡ଼ିଛନ୍ତି । ତାହା ପୂର୍ବରୁ ଗଳ୍ପରେ ଯୁଦ୍ଧ ଦର୍ଶନ, ଯୁଦ୍ଧତତ୍ତ୍ୱ ଓ ଯୁଦ୍ଧନୀତି ସବିସ୍ତାର ଏବଂ ସପକ୍ଷବିପକ୍ଷ ଉଭୟ ଧାରାରେ ସେଇ ଚରିତ୍ରମାନଙ୍କ କଥୋପକଥନ ମାଧ୍ୟମରେ ଉପସ୍ଥାପିତ । ସେମାନଙ୍କ ଏହି ଜାଗୃତି ଓ ଉତ୍ସାହ ଆଖପାଖ ଗ୍ରାମଜନତାକୁ ସୁଦ୍ଧା ଉନ୍ମାଦିତ ଓ ଅନୁପ୍ରେରିତ କରିଛି । ଗଳ୍ପଟି ପୁଣି ମଣିଷ ଭିତରର ମୌଳିକ ପ୍ରବୃତ୍ତି ‘ଆତ୍ମରକ୍ଷା’ ଓ ‘ଆକ୍ରମଣ’ର ସଫଳ ପ୍ରୟୋଗ ହୋଇପାରିଛି ।

 

‘ତୋପ’ ଗଳ୍ପରେ ଓଡ଼ିଆ ସାମରିକ ସଂସ୍କୃତିର ପରିସଂଖ୍ୟାନ, ପରିଚର୍ଚ୍ଚା ଓ ପରିପ୍ରକାଶ ରହିଛି । ଚଣ୍ଡୀପୁରାଣ, ମହାଭାରତରେ ଆବୃତ୍ତି ଓ ବ୍ୟାଖ୍ୟାନରୁ ଏହି ଗଳ୍ପର ସୂତ୍ରପାତ । ଗ୍ରାମର ଗନ୍ଧର୍ବ ବିଶ୍ୱାଳ ବାୟୁସେନାରେ ନିଯୁକ୍ତି ପାଇବା ଓ ଯୋଗୀ ଘଡ଼େଇ ଆଶୁ ଉଦ୍‌ବୋଧନୀ ଗୀତିକା ରଚନା କରିବାର ପ୍ରଭାବରେ ଭେଙ୍ଗଡ଼ ଗ୍ରାମରେ ଯେଉଁ ସାମରିକ ଉଚ୍ଛ୍ଵାସ ପ୍ରକାଶ ପାଏ ତହିଁରୁ ଏକ ସମୂହ ସିଦ୍ଧାନ୍ତ ନିଧୂନିତ ହୋଇଉଠେ- ‘ଯୁଦ୍ଧଚାନ୍ଦା ସଂଗ୍ରହ ଅର୍ଥରେ ସେନାପାଇଁ ଏକ ତୋପ ଓ ଆବଶ୍ୟକୀୟ ଗୋଳା ଉପହାର ପ୍ରଦାନ ।’’ ଭେଙ୍ଗଡ଼ ଗ୍ରାମ ପ୍ରତୀକରେ ଗ୍ରାମ ସମବାୟ, ଗ୍ରାମ ଏକତା, ଗ୍ରାମ ସାମରିକ ପ୍ରବଣତାର ଏହା ଭାରତୀୟ ପ୍ରକାଶ ।

 

ପ୍ରଥମ ଗଳ୍ପ ମଣିଷର ଗୋଷ୍ଠିବଦ୍ଧତା ଓ ସାମରିକ ଉତ୍ସାହ ପ୍ରକାଶ କରୁଥିବାବେଳେ ଦ୍ୱିତୀୟଗଳ୍ପ ହୋଇଛି ଶସ୍ତ୍ର ଆଧାରିତ । ଶସ୍ତ୍ରହିଁ ସମରର ପ୍ରମୁଖ ସାଧନ । ଗୋପୀନାଥ ମହାନ୍ତି ‘ମଣିଷ’ ଗଳ୍ପର ଉତ୍ସାହ ହାତରେ ‘ତୋପ’ ଗଳ୍ପର ଶସ୍ତ୍ର ଧରାଇ ଦେଇଛନ୍ତି ।

 

ତୃତୀୟ ଗଳ୍ପ ‘ଗୁଳି’ରେ ଗ୍ରାମ ମହିଳାଙ୍କ ଯୁଦ୍ଧରେ ପରୋକ୍ଷ ଅଂଶଗ୍ରହଣ ବର୍ଣ୍ଣିତ । ଯୁଦ୍ଧଭଳି ରାଷ୍ଟ୍ରୀୟ ବିପତ୍ତିରେ ମହିଳାଙ୍କ ଭୂମିକା ଏହି ଗଳ୍ପର ଉଲ୍ଲେଖନୀୟ ଦିଗ । ସମ୍ମୁଖସେନାର ପୃଷ୍ଠଭୂମିରେ ରହିଯାଉଥିବା ଭୂମିସେନା, ଉତ୍ପାଦସେନାଙ୍କ ଯଥୋଚିତ ଭୂମିକା ଏହି ଗଳ୍ପରେ ପ୍ରତିପାଦିତ । ମାତୃଭୂମି ପାଇଁ ମାତାର ଓ ଭୂମିପୁତ୍ରର ଯୁଗ୍ମଦାୟିତ୍ୱ କିଭଳି ଜରୁରୀ ତାହା ଏହି ଗଳ୍ପ ସାବ୍ୟସ୍ତ କରେ । ତ୍ୟାଗ ଓ ସଂକଳ୍ପର ହୋମରେ ଯୁଦ୍ଧଭଳି ଉଦ୍ଦେଶ୍ୟରେ ଏହ୍ନି ଗଳ୍ପରେ ସମିଧ ହୋଇଛି ଉଭୟ ନାରୀ ଓ ପୁରୁଷଙ୍କ ଏକତା ଓ ସଶ୍ରଦ୍ଧ ଶ୍ରମଦାନ ।

 

ମୋଟ ପରେ ‘ରଣଧୋଳନ’ ଓଡ଼ିଆ ସମରଗଳ୍ପଟି ସମର କଥାସାହିତ୍ୟ କେବଳ ନୁହେଁ, ଆଧୁନିକ ସମରସାହିତ୍ୟରେ ଏକ ବଳିଷ୍ଠ ନମୁନା । ଏହାକୁ ପାଠକଲେ ପାଠକଠାରେ ଦେଶପ୍ରେମଦୀପ କେବଳ ପ୍ରଜ୍ଜ୍ୱଳିତ ହୋଇଉଠେ ନାହିଁ- ସମ୍ମୁଖ ସମରକୁ ଲମ୍ଫ ପ୍ରଦାନ କରିବାକୁ ସୁଦ୍ଧା ଅନୁପ୍ରେରଣା ସୃଷ୍ଟି ହୁଏ ।

 

ଓଡ଼ିଆ ନାଟ୍ୟ ସାହିତ୍ୟରେ ଉଭୟ ଏକାଙ୍କିକା ଓ ପୂର୍ଣ୍ଣାଙ୍ଗ ନାଟକରେ ମଧ୍ୟ ଅବସ୍ଥା ଆଶାଜନକ ନୁହେଁ । ଏକାଙ୍କିକାରେ ଗୋପାଳ ଛୋଟରାୟଙ୍କ ‘ଭସ୍ମାଚ୍ଛାଦିତ ବହ୍ନି’, ବସନ୍ତ କୁମାର ମହାପାତ୍ରଙ୍କ ଏଇ ମାଟିର ଶିଶୁ’ ପ୍ରଭୃତି ଉଲ୍ଲେଖନୀୟ । ଛୋଟରାୟଙ୍କ ଏକାଙ୍କିକାରେ ଦେଶପ୍ରେମ ନିକଟରେ ବ୍ୟକ୍ତିଗତ ପ୍ରେମ ଉତ୍ସର୍ଗୀକୃତ । ମହାପାତ୍ରଙ୍କ ଏକାଙ୍କିକାରେ ବାଜିରାଉତର ନିର୍ଭୀକ ବଳିଦାନ ପ୍ରଦର୍ଶିତ । ଉଭୟଙ୍କୁ ଆମେ ଆମ ବିଚାର ପରିସରରେ ରଖିବା ।

 

କାଳିଚରଣ ପଟ୍ଟନାୟକଙ୍କ ‘କଳିଙ୍ଗଜେମା’ ଏକାଙ୍କିକାରେ ଭୟାବହ କଳିଙ୍ଗ ଯୁଦ୍ଧର ଭୀଷଣତା ସହିତ । ଏକ ବିଶ୍ଵମାନତାବାଦୀ ସନ୍ଦେଶ ରହିଛି । ତାହା ହିଁ ଏକାଙ୍କିକାଟିକୁ ସଫଳ ଓଡ଼ିଆ ଜାତୀୟତାବାଦୀ ରଚନାର ମାନ୍ୟତା ଦିଏ । ଆମେ ଏଇଟିକୁ ତୃତୀୟ ବର୍ଗର ସମର ସାହିତ୍ୟ ରୂପେ ନେଇପାରିବା ।

 

ପୂର୍ଣ୍ଣାଙ୍ଗ ନାଟକ ମଧ୍ୟରେ ଅଶ୍ଵିନୀ କୁମାର ଘୋଷଙ୍କ ଐତିହାସିକ ନାଟକଗୁଡ଼ିକ ଉଲ୍ଲେଖଯୋଗ୍ୟ । ସେ ନାଟ୍ୟ ଶିରୋନାମ ଭାବେ ଭାରତବର୍ଷ ଓ ଓଡ଼ିଶାର ଇତିହାସ ପୁରୁଷମାନଙ୍କୁ ନେଇଛନ୍ତି ସତ ମାତ୍ର ସେମାନଙ୍କ ଯୁଯୁତ୍ସା, ବୀରତ୍ଵ ଓ ଆଦର୍ଶ ଅପେକ୍ଷା ବ୍ୟକ୍ତିତ୍ଵର ନିର୍ମାଣରେ କଳ୍ପନାର ଅତିରିକ୍ତ ପ୍ରୟୋଗ ହେତୁ କୃତିଗୁଡ଼ିକ ସମର ସାହିତ୍ୟ ନୁହେଁ ଏପରିକି ଐତିହାସିକ ନାଟକ ଭାବରେ ଖୁବ୍‌ ମାନ୍ୟତାର ଯୋଗ୍ୟ ହୋଇନାହିଁ । ଏହି ଏକା ମନ୍ତବ୍ୟ ମଧ୍ୟ ସମଗ୍ର ଓଡ଼ିଆ ନାଟକ କ୍ଷେତ୍ର ପାଇଁ ଅନୁପଯୁକ୍ତ ହେବ ନାହିଁ ।

 

ଗୋଦାବରୀଶ ମିଶ୍ରଙ୍କ ‘ମୁକୁନ୍ଦଦେବ’ ଓ ‘ପୁରୁଷୋତ୍ତମଦେବ’ ନାଟକ ଦୁଇଟି କଥା ଦେଖାଯାଉ । ଏ ଦୁଇଟିର ସ୍ରଷ୍ଟା ଜାତୀୟତାବାଦୀ ମଣିଷ, କର୍ମୀ ଓ ନେତା । ସ୍ଵତନ୍ତ୍ର ଉଜ୍ଜଳ ଗଠନର ଉନ୍ମାଦନାରେ ମାତିଥିବା ସତ୍ୟବାଦୀ ଯୁଗସାଧକଙ୍କ ମଧ୍ୟରେ ଏ ଅନ୍ୟତମ । ଉତ୍କଳ ସମଗ୍ରତା ସୃଷ୍ଟି ଓ ଉତ୍କଳ ଜାତୀୟତାର ପ୍ରସାର ପାଇଁ ସେ ସଚେତନ ଭାବେ ଓଡ଼ିଶାର ଦୁଇ ବୀରପୁରୁଷଙ୍କ ପ୍ରସଙ୍ଗରେ ନାଟକ ରଚନା କରିଛନ୍ତି । ମଞ୍ଚରେ ଅଭିନୀତ ହେଲେ ଅକ୍ଷର ପରିଚୟ ନଥିବା ଓଡ଼ିଆଏ ଜାତୀୟତାର ମନ୍ତ୍ରରେ ଦୀକ୍ଷିତ ହେବେ ଏହା ତାଙ୍କର ଉଦ୍ଦେଶ୍ୟ ଥିଲା । ତେଣୁ ବୀରରସର ପ୍ରୟୋଗ ସହିତ ଗଣର ମନକୁ ବାନ୍ଧି ରଖିବାକୁ ଏଥିରେ ଲଘୁ ହାସ୍ୟର ପ୍ରୟୋଗ ନାଟକର ଶୌର୍ଯ୍ୟହାନୀ କରେ; ଯେତିକି ଶୌର୍ଯ୍ୟ ସମର ସାହିତ୍ୟ ଦାବି କରିଥାଏ ।

 

ନାଟ୍ୟକାର ଓ ନାଟ୍ୟ ସମୀକ୍ଷକ ଡ. ହେମନ୍ତ କୁମାର ଦାସ ଏହି ରଚନା ପ୍ରତି ଆହୁରି ଶାଣିତ ମନ୍ତବ୍ୟ ରଖନ୍ତି । “ତେବେ ଏହାଦ୍ୱାରା ଯେ ସବୁବେଳେ ଜାତୀୟତାର ଶୁଦ୍ଧ ରୂପଟି ପରିସ୍ଫୁଟ ହେଉଥିଲା ଏଭଳି କୁହାଯାଇପାରିବ ନାହିଁ । ଭାବପ୍ରବଣତା ମଧ୍ୟରୁ ଏହି ପ୍ରବୃତ୍ତିଟିର ସୃଷ୍ଟି । ଆଉ ଭାବପ୍ରବଣତା କୌଣସି କାଳେ ଯୁକ୍ତିର ଯଥାର୍ଥତା ସ୍ଵୀକାର କରେ ନାହିଁ । ତେଣୁ ସାହିତ୍ୟରେ ଏହି ସମୟରେ “ନିରୋଳ ଜାତୀୟତା’’ ବଦଳରେ ‘ଅନ୍ଧ ଜାତୀୟତା’ ପ୍ରକାଶ ପାଇଲା ।’’ (ପୃଷ୍ଠା - ୯, ହେମନ୍ତ କୁମାର ଦାସ ୧୯୮୦)

 

ସମୟର ଦାବୀ ଦୃଷ୍ଟିରୁ ସମକାଳରେ ରଚିତ ଐତିହାସିକ ଚରିତ୍ର, ଘଟଣା ଓ ସ୍ଥାନ ଭିତ୍ତିକ ନାଟକ ଭିତରେ ଆମେ ଅନ୍ଧ ହେଉ ପଛେ ଜାତୀୟତାର ଯେ ଦୃପ୍ତ ସଂଳାପ ଶୁଣୁ, ତାହା ଆମର ସମର ସାହିତ୍ୟ ପାଇଁ କ୍ଷୀଣ ଆଶ୍ଵାସନା ଦିଏ ।

 

ଏବେ ଆସିବା ଇଂରାଜୀରେ ‘ସମର ସାହିତ୍ୟ ଓରଫ୍‌’ ‘ଓ୍ୱାର ଲିଟେରେଚର୍‌’ ଲକ୍ଷଣ ପ୍ରକୃତି ପାଖକୁ । ଆମେ ଯାହାକୁ ଏକ ସାମରିକ ଜାତିର ସ୍ଵୀୟ ଇତିହାସଠାରୁ ଏଯାଏ କ୍ରିୟା ପ୍ରତିକ୍ରିୟା ଓ ଜାତୀୟ ଭାବନା ଭିତ୍ତିରେ ପ୍ରକାଶିତ ସମର ସାହିତ୍ୟ କହିଲେ, ଇଂରାଜୀରେ ସେଗୁଡ଼ିକୁ ଆଡ଼୍‌ଭେନ୍‌ଚର, ଇନଭେଡ଼୍‌, ରୋମାନ୍ସ, ହିରୋ ଓର୍‌ସିପ୍‌ ଭଳି ପଦରେ ବ୍ୟଞ୍ଜିତ କରାଯାଏ । ‘ଓ୍ୱାର ଲିଟେରେଚର୍‌’ ପଦଟି ସୃଷ୍ଟିହୁଏ ବିଶ୍ଵ ଯୁଦ୍ଧ ସମୟର ଅନୁଭବୀ (ସୈନିକ, ସେନାକର୍ମୀ) ମଣିଷ ଦ୍ଵାରା ଲିଖିତ ସାହିତ୍ୟ ପାଇଁ । ସେଥିରେ ପ୍ରତ୍ୟକ୍ଷ ଅନୁଭବ ନଥିବା କବି ଲେଖକଙ୍କ ଦ୍ଵାରା ଯୁଦ୍ଧର ବୀର, ସେନାପତିଙ୍କ କରଣୀର ପ୍ରଶଂସାରେ ଓ ଯୁଦ୍ଧର ଭୀଷଣତା ବିରୁଦ୍ଧରେ ସୁଦ୍ଧା ଲେଖାଯାଇଥିବା ସାହିତ୍ୟ ଅଙ୍ଗୀଭୂତ । “ଦି ପେଙ୍ଗୁଇନ୍‌ ଡିକ୍ସିନାରୀ ଅଫ୍‌ ଲିଟେରାରୀ ଟର୍ମସ ଆଣ୍ଡ ଲିଟେରାରୀ ଥିଓରୀ’ କହେ- ‘‘ଏ ଟାଇଟଲ୍‌ ଅଟୋମେଟିକାଲ ବିଷ୍ଟୋଡ଼୍‌ ଅନ ପ୍ରାଇମେରୀଲି ଏ ନମ୍ବର ଅଫର ରାଇଟର୍ସ ହୁ ‘ସୋଲ୍‌ଜର୍‌ଡ୍’ ଇନ୍‌ ଭେରିଅସ୍‌ କାପାସିଟିଜ୍‌ ଡ୍ୟୁରିଙ୍ଗ ଦି ଫାଷ୍ଟ ୱାର୍ଲ୍‌ଡ଼ ୱାର ଆଣ୍ଡ୍‌, ହୁ ରେକର୍ଡ଼େଡ଼ ଭେରୀ ମେମୋରେବ୍‌ଲି ଦେୟାର ଫିଲିଙ୍ଗ୍ ଏବାଉଟ୍‌ ଦେୟାର ଏକ୍ସପେରିମେଣ୍ଟ । ଏ ହ୍ୟାଣ୍ଡଫୁଲ୍‌ ଏକ୍ସପ୍ରେସ୍‌ଡ଼ ପାଟ୍ରିଓଟିକ୍‌ ଆଣ୍ଡ୍‌ କ୍ଵାସିରୋମାଣ୍ଟିକ୍‌ ଭିଉଜ୍‌ । ଦି ମେଜରିଟି ଏକ୍ସିପ୍ରେସ୍‌ଡ଼ ଭ୍ୟାରିଙ୍ଗ୍ ଡିଗ୍ରୀଜ୍‌ ଅଫ ଡିସ୍‌ଗଷ୍ଟ୍, ଡିସ୍‌ଏନଚାଣ୍ଟ୍‌ମେଣ୍ଟ୍‌, ସିନିସିଜିମ୍‌, ଚିଭଲ୍‌ସନ୍‌ ଆଙ୍ଗର୍‌ ଆଣ୍ଡ୍‌ ହରର୍‌ । ଇଟ୍‌ ୱାଜ୍‌ ଅଫନ୍ ପୋଏଟ୍ରି ଅଫ୍ ପ୍ରୋଟେଷ୍ଟ୍ ଆଣ୍ଡ୍‌ ଇଟ୍‌ ଡିମୋରାଲାଇଜ୍‌ ଓ୍ୱାର୍‌ ଫର୍‌ ଏଭର୍‌ (ପୃଷ୍ଠା-୧୦୩୮, ୧୯୯୨ ସଂସ୍କରଣ) ।

 

ଆମ ସାହିତ୍ୟରେ ସୈନିକ-ଲେଖକ, ସେନାକର୍ମଚାରୀ-ଲେଖକ ନାହାନ୍ତି । ଆମ ଓଡ଼ିଶାରେ ପ୍ରତ୍ୟକ୍ଷ ଯୁଦ୍ଧଟିଏ କେତେ ଦଶାବ୍ଦୀ ଧରି ଘଟିନାହଁ । ଭାରତୀୟ ସେନାରେ ଏ ଯାଏ ଓଡ଼ିଆ ରେଜିମେଣ୍ଟ୍‌ ନାହିଁ । ତଥାପି ଓଡ଼ିଆ ଯୁବକ ଶହଶହ ସଂଖ୍ୟାରେ ସେନାରେ ଭର୍ତ୍ତି ହୋଇଛନ୍ତି । ସେମାନେ ଚାହିଁଲେ ଅନୁଭୂତିକୁ ଉପଜୀବ୍ୟକରି ସାହିତ୍ୟ ଲେଖିପାରନ୍ତେ । ଆସନ୍ତୁ ସେମାନଙ୍କୁ ଉତ୍ସାହିତ କରିବା ଯଦ୍ଦ୍ୱାରା ଏହି ହତାଶା ଆସନ୍ତା ସମୟକୁ ରହିବ ନାହିଁ ।

 

ଏଣୁ ଓଡ଼ିଆରେ ‘‘ମହାଭାରତ’’, ‘‘ସମର ତରଙ୍ଗ’’, ‘‘ବାଜିରାଉତ’’ ଓ ‘‘ରଣଧନ୍ଦୋଳ’’କୁ ଆମ ବିଧାନିତ ସଂଜ୍ଞାରେ ‘ସମର ସାହିତ୍ୟ’, ଏବଂ ସେହି ଲକ୍ଷଣକୁ ଊଣାଧିକ ପରିପୋଷ କରୁଥିବା ନାମୋଲ୍ଲିଖିତ ରଚନାଗୁଡ଼ିକୁ ‘ଓଡ଼ିଶାର ଜାତୀୟ ଗୌରବ’ ପ୍ରଖ୍ୟାପକ ସାହିତ୍ୟଭାବେ ଗ୍ରହଣ କରିନେବା ।

 

ସେହି ସାହିତ୍ୟ ସୃଷ୍ଟି କରିଥିବା ଏବଂ କରୁଥିବା ଅଥଚ ମୋ ଦ୍ୱାରା ପରିଚର୍ଚ୍ଚିତ ହୋଇପାରିନଥିବା ସ୍ରଷ୍ଟାମାନଙ୍କଠାରୁ କ୍ଷମାଯାଚନା କରି ନିବନ୍ଧଟି ଇତି କରୁଛି ।

 

ମାର୍ଫତ : ଡାକ୍ତର ହରେକୃଷ୍ଣ ପରିଡ଼ା

ବଡ଼ସଲାରୋ, ଚାନ୍ଦୋଳ, କେନ୍ଦ୍ରାପଡ଼ା

***

 

Unknown

ଗାଳ୍ପିକ ରାମପ୍ରସାଦ ସିଂହ

ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ

 

ବିଂଶ ଶତକ ବିଭିନ୍ନ ଦୃଷ୍ଟିକୋଣରୁ ଭାରତୀୟମାନଙ୍କ ପାଇଁ ସ୍ମରଣୀୟ ଶତକ । ଏହି ଶତକରେ ମଧ୍ୟ ବିଶ୍ଵ ମାନଚିତ୍ରରେ ଅନେକ ପରିବର୍ତ୍ତନ ସଂଘଟିତ ହୋଇଥିବା ଲକ୍ଷଣୀୟ । ଊନବିଂଶ ଶତକରେ ଦାର ଉଇନ ମଣିଷର ବୁନିଆଦି ସମ୍ବନ୍ଧରେ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ଏବଂ ଫ୍ରଏଡ଼୍‌ ମଣିଷର ଅନ୍ତର୍ନିହିତ ସ୍ଵରୂପ ସମ୍ପର୍କରେ ଯେଉଁ ଆକଳନ ପ୍ରସ୍ତୁତ କରିଥିଲେ, ବିଂଶ ଶତକର ଆଦ୍ୟ ପାଦରେ ସମଗ୍ର ବିଶ୍ୱରେ ତାହା ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା । ୧୯୧୭ ମସିହାରେ ଚାଷରେ ସଂଘଟିତ ଅକ୍ଟୋବର ବିପ୍ଳବ ଏବଂ ଦୁଇଦୁଇଟି ବିଶ୍ଵଯୁଦ୍ଧ (ପ୍ରଥମ ବିଶ୍ଵଯୁଦ୍ଧ ୧୯୧୪-୧୮ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ୧୯୩୯-୪୫) ମଣିଷର ଭାବରାଜ୍ୟରେ ଆଣିଥିଲା କ୍ରାନ୍ତିକାରୀ ପରିବର୍ତ୍ତନ । ବିଂଶ ଶତକର ବିଭିନ୍ନ ସମୟରେ ଭାରତୀୟ ମୁକ୍ତିସଂଗ୍ରାମ ଭାରତୀୟମାନଙ୍କୁ ଗୋଟିଏ ଜାତୀୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରେରଣା ଯୋଗାଇଛି । ତେଣୁ ଊନବିଂଶ ଓ ବିଂଶ ଶତକରେ ସଂଘଟିତ ବିଭିନ୍ନ ଘଟଣା କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ଖଣ୍ଡ ମଧ୍ୟରେ ଆବଦ୍ଧ ନ ରହି ସଂପ୍ରସାରିତ ହୋଇଯାଇଛି ବିଶ୍ଵର କୋଣେ ଅନୁକୋଣେ ।

 

ବିଂଶ ଶତକର ଦ୍ୱିତୀୟ ଶତକ (୧୯୧୭)ର ବଲ୍‌ସେଭିକ୍‌ ଆନ୍ଦୋଳନ କେବଳ ସୋଭିଏତ୍‌ ୠଷ୍‌ର ସାହିତ୍ୟ କାହିଁକି, ସମଗ୍ର ବିଶ୍ଵ ସାହିତ୍ୟକୁ ମଧ୍ୟ ବେଶ୍‌ ପ୍ରଭାବିତ କରିଛି । ଋଷ୍‌ ବିପ୍ଲବର ନାୟକ ଲେନିନ୍‌ ପ୍ରଥମେ ସାହିତ୍ୟକୁ ଶ୍ରମିକ ଗୋଷ୍ଠୀଙ୍କର ବୋଲି ଦାବୀ କରିଥିଲେ । ତାଙ୍କ ମତ ଥିଲା- At belongs to the people. Its roots should be deeply implanted in the very thick of the labouring massess. It should be understood and loved by these masses. ମାର୍କସ ଦର୍ଶନ ଶାସ୍ତ୍ରରେ ଦୃନ୍ଦ୍ୱାତ୍ମ‌କ ବିଚାରଧାରାର ବ୍ୟାଖ୍ୟାକାର ଥିଲେ ହେଁ ସାହିତ୍ୟ ଓ କଳାପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ଥିଲା ବେଶ୍‌ ପ୍ରସାରିତ । ତାଙ୍କ ଦୃଷ୍ଟିରେ କଳା ଓ ସାହିତ୍ୟ ମନୁଷ୍ୟ ଜୀବନରେ ଭୌତିକ ବିକାଶ ସାଧନ କରିଥାଏ ଏବଂ ତାହା ବିଭିନ୍ନ କାରଣରୁ ସମଜାର ଉତ୍ପାଦନ ପଦ୍ଧତି ଦ୍ୱାରା ନିୟନ୍ତ୍ରିତ-। ଏଇଥିପାଇଁ ମାର୍କସବାଦ ସାହିତ୍ୟ ବ୍ୟକ୍ତିର ସମାଜ ସାପେକ୍ଷ ସତ୍ତାକୁ ଗୁରୁତ୍ୱ ଦେଇଥାଏ । ସାହିତ୍ୟ ଓ ସମାଜ ପରସ୍ପର ବେଶ ଅନ୍ତରଙ୍ଗ । ସାମାଜିକ ଚେତନାର ପ୍ରକାଶିତ ରୂପ ହେଉଛି ସାହିତ୍ୟ । ଏଣୁ ମାର୍କସ ସାହିତ୍ୟର ଉଦ୍ଦେଶ୍ୟହୀନତାକୁ ଆଦୌ ସ୍ଵୀକାର କରିପାରନ୍ତି ନାହଁ । କଳା ଜୀବନ ପାଇଁ (Art for life sake) ଉଦ୍ଦିଷ୍ଟ ବୋଲି ମାର୍କସବାଦ୍‌ ବିଶ୍ଵାସ କରେ । ଏହା ମଧ୍ୟ ସମ୍ବେଦନଶୀଳତାକୁ ଅପେକ୍ଷା ରଖେ । ସାହିତ୍ୟ ଆବେଗ ଓ ଅନୁଭୂତିକୁ ଆତ୍ମୀକରଣ କରିଥାଏ, ଯଦିଓ ବିପ୍ଳବର ଝଲକଟିଏ ସର୍ବଦା ବିଦ୍ୟମାନ ଏଥିରେ । ବିଶିଷ୍ଟ ମାର୍କସବାଦୀ ଆଲୋଚକ F.D. Klingerden କୁହନ୍ତି - Awork of Art which carries its message straight into the feeling and emotions of men by virtue of its vivid concrete imagery, has greatest value than one which lacks this vital power, even through the intellectual content of the former work may e, less profound, less comprehensive and more encumbered with illusions. ଏହା ଜୀବନର ନିରୁଦ୍ଦେଶ୍ୟ ତାକୁ ଅସ୍ଵୀକାର କରେ । ସମାଜକୁ, ପାଠକକୁ ବଦଳାଇ ଦେବାର ଅମୋଘ ଅସ୍ତ୍ରଟି ସତତ କ୍ରିୟାଶୀଳ ମାର୍କସବାଦ ସାହିତ୍ୟରେ । ସମାଜର ବାସ୍ତବ ସ୍ଵରୂପଟି ଉକୁଟି ଉଠେ ଏହା ମାଧ୍ୟମରେ । ଏହି କାରଣରୁ ମାର୍କସବାଦ ସହିତ ସମାଜବାଦୀ ବାସ୍ତବତା ନିବିଡ଼ ସମ୍ପର୍କ ସ୍ଥାପନା କରେ ।

 

ସୋଭିଏତ୍‌ ଋଷର ଉଭୟ ରାଜନୀତି ଓ କଳାକ୍ଷେତ୍ରରେ ଏହି ପରିବର୍ତ୍ତନ ସମଗ୍ର ବିଶ୍ୱକୁ ଯେତେବେଳେ ପ୍ରଭାବିତ କରିଛି, ସେଥିରୁ ପରାଧୀନ ଭାରତବର୍ଷ ବାଦ୍ ପଡ଼ିବ କିପରି ? ତେଣୁ ବିଂଶ ଶତକରେ ଭାରତର ଟ୍ରେଡ଼୍‌ ୟୁନିଅନ ଆନ୍ଦୋଳନ ମାଧ୍ୟମରେ ମାର୍କ୍ସବାଦୀ ଚେତନା ଭାରତ ମାଟିରେ ପ୍ରସାରିତ ହୋଇଛି । ଶ୍ରମିକମାନଙ୍କ ମଧ୍ୟରେ ଶ୍ରେଣୀ ଚେତନୀ ସୃଷ୍ଟିକ୍ଷେତ୍ରରେ ଏହା ଅମୋଘ ଅସ୍ତ୍ର ପରି କାର୍ଯ୍ୟ କରିଛି । ଋଷିଆର ଅକ୍ଟୋବର ବିପ୍ଳବର ସଫଳତା ଭାରତରେ ଶ୍ରମିକ ଓ କୃଷକମାନଙ୍କୁ ସଂଗଠିତ କରିବା ସଙ୍ଗେ ସଙ୍ଗେ ସ୍ଵାଧୀନତା ଆନ୍ଦୋଳନକୁ ମଧ୍ୟ ତୀବ୍ରତର କରିଛି-। ୧୯୨୦ - ୨୧ ମସିହାବେଳକୁ ଭାରତରେ କମ୍ୟୁନିଷ୍ଟ ପାର୍ଟି ଗଠନ ନିମିତ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହାର ନେତୃତ୍ୱ ନେଇଛନ୍ତି କଲିକତାରେ ମୁଜାଫର ଅହମ୍ମଦ ଓ ତାଙ୍କର କେତେଜଣ ଅନ୍ତରଙ୍ଗ ବନ୍ଧୁ । ବମ୍ବେରେ ଶ୍ରୀପାଦ ଅମୃତ ଡାଙ୍ଗେ, ଲାହୋରରେ ଗୁଲାମ ହୋସେନ୍‌, ମାନ୍ଦ୍ରାଜରେ ସିଙ୍ଗାର ୱେଲୁ ଚେଟିୟାର ଆଦି ଭାରତରେ ମାର୍କ୍ସସବାଦର ପ୍ରଚାର ଓ ପ୍ରସାର ନିମିତ୍ତ ଉଦ୍ୟମ ଜାରି ରଖିଥିଲେ । କମ୍ୟୁନିଷ୍ଟ ସୋସାଲିଷ୍ଟମାନେ ମଧ୍ୟ କଂଗ୍ରେସରେ ରହି ସ୍ଵାଧୀନତା ସଂଗ୍ରାମକୁ ସଜୀବ ରଖିଥିଲେ । ୧୯୩୫ ମସିହାରେ ଭାରତରେ କଂଗ୍ରେସ ସୋସାଲିଷ୍ଟ ପାର୍ଟି ଗଠିତ ହୋଇଥିଲା । ୧୯୩୬ ମସିହାରେ ଲକ୍ଷ୍ନୌର କଂଗ୍ରେସ ଅଧିବେଶନରେ ଜବାହରଲାଲ ନେହେରୁ ଭାରତୀ ଜାତୀୟ କଂଗ୍ରେସ ସହିତ ଶ୍ରମିକ ଓ କୃଷକମାନଙ୍କ ସଂଗଠନକୁ ସାମିଲ କରିବା ନିମିତ୍ତ ଆହ୍ଵାନ ଦେଇଥିଲେ । ସେତେବେଳେ ସ୍ଵାଧୀନତା ପ୍ରାପ୍ତି ଗାନ୍ଧିଜୀଙ୍କର ସମସ୍ତ ବିକଳ୍ପ ବ୍ୟର୍ଥ ହୋଇଥିଲା । ୧୯୩୫ ମସିହାରେ ‘ଭାରତୀୟ କମ୍ୟୁନିଷ୍ଟ ସଂଘ’ ଗଠିତ ହୋଇ ଭାରତର ଶ୍ରମିକ, ଖଟିଖିଆ ଓ ଶୋଷିତ ଗୋଷ୍ଠୀଙ୍କର ପ୍ରତିନିଧିତ୍ଵ କଲା । ଭାରତର ବିଭିନ୍ନ ସ୍ଥାନରେ କମ୍ୟୁନିଷ୍ଟ ସଂଗଠନମାନ ଗଢ଼ି ଉଠି ମାର୍କସବାଦୀ ସାହିତ୍ୟ ଧାରାରେ ସାହିତ୍ୟ ରଚନା ପାଇଁ ବାତାବରଣ ସୃଷ୍ଟି କରିଗଲା । ଠିକ୍‌ ଏହି ସମୟରେ ୟୁରୋପରେ ଫାଜିଜିମ ବିରୋଧରେ ତୀବ୍ରସ୍ଵର ଉତ୍ତୋଳିତ ହୋଇଥିଲା ଏବଂ ପ୍ରତିବାଦ ସ୍ୱରୂପ ଗଠିତ ହେଲା ‘Progressive writers Association କିଛି ଭାରତୀୟ ଯୁବକ ଏହାଦ୍ଵାରା ପ୍ରଭାବିତ ହୋଇ ଗଠନ କରିଥିଲେ ୧୯୩୫ ମସିହାରେ ‘ପ୍ରଗତିଶୀଳ ଲେଖକ ସଂଘ’, ଯାହାର ନେତୃତ୍ଵ ନେଇଥିଲେ ଇକ୍‌ବାଲ ସିଂ. ସଜ୍ଜାର ଜହୀର ଆଦି ପ୍ରଗତିଶୀଳ ଯୁବକମାନେ । ୧୯୩୬ ମସିହାରେ ଅନୁଷ୍ଠିତ ଏହି ସଂଘର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ କଥାକାର ପ୍ରେମଚାନ୍ଦ । ୧୯୩୮ ମସିହା ଡିସେମ୍ବର ମାସରେ କଲିକତାର ଆଶୁତୋଷ ମେମୋରିଆଲ ହଲ୍‌ଠାରେ ଏହାର ଦ୍ୱିତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ୧୯୪୨ ଓ ୪୩ ମସିହାରେ ଯଥାକ୍ରମେ ଏହାର ତୃତୀୟ ଓ ଚତୁର୍ଥ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନମାନଙ୍କରେ ବ୍ରିଟିଶ୍‌ସରକାରଙ୍କ ସାମ୍ରାଜ୍ୟବାଦୀ ନୀତିକୁ ତୀବ୍ର ସମାଲୋଚନା କରାଯିବା ସଙ୍ଗେ ସଙ୍ଗେ ସାହିତ୍ୟରେ ମାର୍କସବାଦୀ ଚିନ୍ତାଧାରା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା । ହିନ୍ଦୀ ସାହିତ୍ୟରେ ପ୍ରଗତିଶୀଳ ଲେଖକ ସଂଘର ମୁଖପତ୍ର ‘ହଂସ’ରେ ମାର୍କସବାଦୀ ଚିନ୍ତାଧାରା ସମ୍ବଳିତ ବହୁ ଲେଖା ପ୍ରକାଶିତ ହେଲା ।

 

କେବଳ ହିନ୍ଦୀ ସାହିତ୍ୟ ନୁହେଁ; ଭାରତର ବିଭିନ୍ନ ପ୍ରାଦେଶିକ ସାହିତ୍ୟରେ ମାର୍କସବାଦର ସ୍ଵର ସ୍ପଷ୍ଟ ଭାବରେ ଅନୁରଣିତ ହେବାକୁ ଲାଗିଲା । ଏହି ପ୍ରେକ୍ଷାପଟ୍ଟରେ ଓଡ଼ିଆ ସାହିତ୍ୟ ବା ବାଦ୍‌ପଡ଼ିଥାନ୍ତା କିପରି ? ଓଡ଼ିଶାରେ ପ୍ରଥମେ ଏହି ଭାବାଧାରାକୁ ଗୋପବନ୍ଧୁ ଦାସ ୧୯୨୪ ମସିହା ଫେବୃୟାରୀ ମାସରେ ସମାଜର ସଂପାଦକୀୟରେ ପ୍ରକାଶ କରିଥିଲେ । ‘ଉତ୍କଳ କଂଗ୍ରେସ ସାମ୍ୟବାଦୀ କର୍ମୀସଂଘ’ ଗଠିତ ହୋଇ ମାର୍ଚ୍ଚ ୧୯୩୫ରେ ତାର ମୁଖପତ୍ର ‘ସାରଥି’ ପ୍ରକାଶିତ ହୋଇଥିଲା । ପୁଣି ୧୯୩୪ ମସିହା ମେ’ ମାସରେ ଗାନ୍ଧିଜୀ ଓଡ଼ିଶାରେ ହରିଜନ ପଦଯାତ୍ରା କରିବା ସମୟରେ ‘କଂଗ୍ରେସ ସାମ୍ୟବାଦୀ କର୍ମୀ-ସଂଘର କର୍ମକର୍ତ୍ତାଙ୍କୁ ସାକ୍ଷାତ କରି ନିଖିଳ ଭାରତ ସଂଗ୍ରେସ ସୋସାଲିଷ୍ଟ ଦଳରେ ମିଶିବା ପାଇଁ ପରାମର୍ଶ ଦେଇଥିଲେ ଓ ପରେ ଏହା ‘ନିଖିଳ ଭାରତ କଂଗ୍ରେସ ସୋସାଲିଷ୍ଟ ପାର୍ଟିର ଏକ ଶାଖା ରୂପେ କାର୍ଯ୍ୟ କରିଥିଲା । ଏହି କଂଗ୍ରେସ ସାମ୍ୟବାଦୀ ସମ୍ମିଳନୀର ବିଭିନ୍ନ ବୈଠକରେ ଯେଉଁ ପ୍ରସ୍ତାବମାନ ଗୃହୀତ ହୋଇଥିଲା, ସେଥିରେ କୃଷକ ଓ ଶ୍ରମିକମାନଙ୍କର ଆଶା ଏବଂ ଆକାଂକ୍ଷା ପ୍ରତିଫଳିତ ହେବା ସଙ୍ଗେ ସଙ୍ଗେ ସାମ୍ୟବାଦୀ ଆଭିମୁଖ୍ୟ ପ୍ରକଟିତ ହୋଇଥିଲା । ୧୯୩୫ ମସିହାରେ ‘ଓଡ଼ିଶା କଂଗ୍ରେସ ସୋସାଲିଷ୍ଟ ପାର୍ଟି’ ଗଠିତ ହୋଇ ଓଡ଼ିଶାର ରାଜନୀତି ଓ ସାଧାରଣ ବ୍ୟକ୍ତିଙ୍କ ମଧ୍ୟରେ ଅଭୂତପୂର୍ବ ଜାଗରଣ ସୃଷ୍ଟି କରିଥିଲା । ଓଡ଼ିଶାରେ କମ୍ୟୁନିଷ୍ଟ ପାର୍ଟି ଗଠନରେ ଗୁରୁଚରଣ ପଟ୍ଟନାୟକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ତାଙ୍କୁ ଓଡ଼ିଶାର ପ୍ରଥମ ବିଧିବଦ୍ଧ କମ୍ୟୁନିଷ୍ଟ କୁହାଯାଇଥାଏ । ପରେ ୧୯୩୨ ଅକ୍ଟୋବର ମାସରେ ପ୍ରାଣନାଥ ପଟ୍ଟନାୟକ ଓ ଭଗବତୀଚରଣ ପାଣିଗ୍ରାହୀ ଏହାର ସଦସ୍ୟ ହୋଇଥିଲେ ।

 

୧୯୩୬ ମସିହାରେ ଓଡ଼ିଶାରେ ନବଗଠିତ କମ୍ୟୁନିଷ୍ଟ ପାର୍ଟିର ସମ୍ପାଦକ ହୋଇଥିଲେ ଭଗବତୀ ଚରଣ ପାଣିଗ୍ରାହୀ । ୧୯୩୫ ମସିହାରେ ଭଗବତୀଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ‘ନବଯୁଗ ସାହିତ୍ୟ ସଂସଦ’ ଗଢ଼ା ଯାଇଥିଲା ଏବଂ ‘ଆଧୁନିକ’ ନାମରେ ଏକ ମୁଖପତ୍ର ପ୍ରକାଶ ପାଇଲା ୧୯୩୬ ମସିହା ମେ’ ମାସରେ । ତା ୨୯.୧୧.୧୯୩୫ ଠାରୁ ତା, ୪.୧୨.୧୯୩୫- ଛଅଦିନ ବ୍ୟାପୀ ନବଯୁଗ ସାହିତ୍ୟ ସଂସଦର ପ୍ରାଥମିକ ଅଧିବେଶନ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏହି ଅଧିବେଶନ ହିଁ ଥିଲା ବାସ୍ତବରେ ଓଡ଼ିଶାରେ ମାର୍କସବାଦ ସାହିତ୍ୟ ସୃଷ୍ଟିର ମୂଳଦୁଆ । ଭଗବତୀ ଚରଣ ପାଣିଗ୍ରାହୀ, କାଳିନ୍ଦୀଚରଣ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ, ମନମୋହନ ମିଶ୍ର, ରାମପ୍ରସାଦ ସିଂହ ଆଦିଙ୍କ ଲେଖନୀରେ ପ୍ରଗତିବାଦୀ ସାହିତ୍ୟ ସମୃଦ୍ଧ ହେବା ସଙ୍ଗେ ସଙ୍ଗେ ରକ୍ଷଣଶୀଳ ସାମାଜିକ ବ୍ୟବସ୍ଥା, ଶୋଷକ ଶ୍ରେଣୀ ଓ ଏକଛତ୍ର ଶାସକଙ୍କ ବିରୋଧରେ ଏମାନଙ୍କ ଲେଖନୀରୁ ବିପ୍ଳବର ଅଗ୍ନି ଉଦ୍‌ଗୀରଣ ହେବାକୁ ଲାଗିଲା ।

 

ରାମପ୍ରସାଦ ସିଂହ କମ୍ୟୁନିଷ୍ଟପାର୍ଟିର ସକ୍ରିୟ ସଦସ୍ୟ ନ ହୋଇ ମଧ୍ୟ ମାର୍କସବାଦ ଦର୍ଶନଦ୍ଵାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । ‘ନବଯୁଗ ସାହିତ୍ୟ ସଂସଦ’ର ସେ ଥିଲେ ଅନ୍ୟତମ ସକ୍ରିୟ ସଦସ୍ୟ । ବର୍ତ୍ତମାନ ସାହିତ୍ୟର ଲକ୍ଷ୍ୟ ଏବଂ ଯୁଗର ବିଶେଷତ୍ୱ ସମ୍ବନ୍ଧରେ ସୂଚନା ଦେବାକୁ ଯାଇ ସେ ‘ବର୍ତ୍ତମାନ ସାହିତ୍ୟରେ ନୂତନ ଭାବଧାରା’ ଶୀର୍ଷକ ପ୍ରବନ୍ଧରେ ଲେଖିଥଲେ ‘‘ମାନବକୁ ତାହାର ବର୍ତ୍ତମାନ ଅବସ୍ଥାରୁ ମୁକ୍ତି ପାଇବାକୁ ହେଲେ, ଏକ ସ୍ୱାଧୀନ ସାହିତ୍ୟ ସର୍ବାଦୌ ଆବଶ୍ୟକ । ଏ ସାହିତ୍ୟରେ ଭଗବାନଙ୍କ ସହିତ କୌଣସି ସଂପର୍କ ନ ଥିବ, ଧର୍ମ ସହିତ କୌଣସି ସମ୍ବନ୍ଧ ନ ଥିବ, ମନୁଷ୍ୟ ଭାବରେ ମନୁଷ୍ୟର ସମସ୍ୟାକୁ ଧରି ଅଗ୍ରସର ହେବ-।’’ ସେ କେବଳ ପ୍ରବନ୍ଧରେ ଏହା କହି ନୀରବ ହୋଇ ଯାଇନଥିଲେ । ବିଭିନ୍ନ ଉପନ୍ୟାସ ଓ ଗଳ୍ପରେ ସେ ତାଙ୍କର ଏହି ଭାବଧାରାର ଚମତ୍କାର ପରୀକ୍ଷା କରିଛନ୍ତି ମଧ୍ୟ ।

 

ରାମପ୍ରସାଦ ସିଂହ ବହୁ ଉପନ୍ୟାସର ସ୍ରଷ୍ଟା ହୋଇଥିଲେ ହେଁ ୧୯୮୩ ମସିହାରେ ‘କଲ୍ଲୋଳ’ ଶିରୋନାମାରେ ଏକମାତ୍ର ଗଳ୍ପ ସଂକଳନ ପ୍ରକାଶିତ ହୋଇଛି । ସଂକଳନର ‘ଯତ୍‌କିଞ୍ଚିତ୍‌’ ପର୍ଯ୍ୟାୟରେ ଏଥିରେ ସଂକଳିତ ଗଳ୍ପଗୁଡ଼ିକର ରଚନା ସମୟ ୧୯୭୩ରୁ ୧୯୭୯ ମଧ୍ୟରେ ବୋଲି ସେ ସ୍ୱୀକାର କରିଛନ୍ତି । ଗଳ୍ପ ରଚନାର ଉଦ୍ଦେଶ୍ୟ ସଂପର୍କରେ ତାଙ୍କର ବକ୍ତବ୍ୟ ହେଉଛି- ‘‘କଲ୍ଲୋଳରେ ପନ୍ଦରଟି ଗଳି ଦିଆଯାଇଛି । ଏଗୁଡ଼ିକ ୧୯୭୩ ଓ ୧୯୭୯ ମଧ୍ୟରେ ଲିଖିତ । ଏହି ଛଅବର୍ଷ ମଧ୍ୟରେ ଦୁନିଆରେ ବହୁତ କିଛି ବଦଳିଯାଇଛି । କିନ୍ତୁ ହସ ଓ କାନ୍ଦ ଏ ଦୁଇଟା ବଦଳି ନାହିଁ । ମଣିଷ କାନ୍ଦି କାନ୍ଦି ଜନ୍ମ ହେଉଛି- ଆଉ ବିନା କାରଣରେ କାନ୍ଦି କାନ୍ଦି ମରୁଛି । ୮୦ ବର୍ଷ ବୟସରେ ଦେଖୁଛି, ଏ ଦେଶଟା ଉପରେ କ୍ରନ୍ଦନ- ପ୍ରେତ ମାଡ଼ି ବସିଛି । ହସିବା ହସାଇବା ପାଇଁ ଟିକିଏ ଫାଙ୍କ ମଧ୍ୟ ଦିଶୁନାହଁ । ଏହାକୁ ଜୀବନର ସଂଘର୍ଷ ବୋଲି କୁହାଯାଉଛି । କିନ୍ତୁ ଏହା ଏକ ପ୍ରକାର ଆତ୍ମହତ୍ୟା - ଜାତୀୟ ଆତ୍ମହତ୍ୟା । ପରିସ୍ଥିତିଟାକୁ ଟିକିଏ ହାଲୁକା କରିବା ଲକ୍ଷ୍ୟରେ ଏ ଗଳ୍ପଗୁଡ଼ିକ ଉଦ୍ଦିଷ୍ଟ ।”

 

ଲେଖକଙ୍କ ସ୍ଵୀକାରୋକ୍ତିରୁ ଏଥରେ ସଂକଳିତ ଗଳ୍ପଗୁଡ଼ିକର ସମୟସୀମା ୧୯୭୩ ମସିହାରୁ ୧୯୭୯ ମସିହା ମଧ୍ୟରେ । ଅର୍ଥାତ୍‌ ଏହି ସମୟସୀମା ପୂର୍ବରୁ ଓ ପରେ ରଚିତ ଗଳ୍ପଗୁଡ଼ିକ ଏହା ମଧ୍ୟରେ ସାମିଲ ହୋଇ ପାରି ନାହିଁ । ରାମପ୍ରସାଦଙ୍କ ପ୍ରଥମ ରଚିତ ଗଳ୍ପ ‘ଦାମୀଲ’ ପ୍ରକାଶ ପାଏ ସହକାର ପତ୍ରିକାର ୧୭/୧୨ ସଂଖ୍ୟା, ୧୩୪୪ ସାଲରେ । ୧୯୪୫ ମସିହା ମଧ୍ୟରେ ସହକାର ପତ୍ରିକାରେ ତାଙ୍କର ଯେଉଁ ଗଳ୍ପଗୁଡ଼ିକ ପ୍ରକାଶିତ, ସେଗୁଡ଼ିକ ହେଉଛି ‘ଦାମୀଲ’, ‘ଛାତିର ରକ୍ତ’, ‘ଶେଷ ରାତି’, ‘ଝରା ଶେଫାଳୀ’, ‘ଅନାଗତ’, ଶ୍ରେଣୀ ଚେତନା, ଶୋଷଣ, ଦଳିତ ମଣିଷର ଅସହାୟତା ଏବଂ ପ୍ରତିକ୍ରିୟାଶୀଳତା ତଥା ଶ୍ରେଣୀ ସଂଘର୍ଷ ହୋଇଛି ଏହି ଗଳ୍ପଗୁଡ଼ିକର ମୁଖ୍ୟ ଉପଜୀବ୍ୟ ବିଷୟ । ଏହାପରେ ଦୀର୍ଘ ୩୧ ବର୍ଷର ନିରବତା । ଇତି ମଧ୍ୟରେ ଭାରତ ତାର ବହୁ ପ୍ରତୀକ୍ଷିତ ସ୍ଵାଧୀନତା ପ୍ରାପ୍ତ ହୋଇଛି । ଉପନିବେଶବାଦର ବିଲୋପ ଘଟିଛି, ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ଫଳରେ ଓଡ଼ିଶାର ଭୌଗୋଳିକ ସୀମା ବୁଦ୍ଧି ପାଇଛି, ଭାରତୀୟ ହୋଇଛନ୍ତି ଭାରତର ଭାଗ୍ୟବିଧାତା । ଏହା ସତ୍ତ୍ୱେ ସାଧାରଣ ମଣିଷ ଜୀବନ ମାନଦଣ୍ଡରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦୁଃଖ, ବିଷାଦ ଓ ବହୁପ୍ରାପ୍ତିର ଅବଶୋଷ ମଧ୍ୟରେ ବିଚରା ସାଧାରଣ ମଣିଷଟି ପାଇଁ ସ୍ୱାଧୀନତାର ମୂଲ୍ୟ କିଛି ରହିଲା ନାହିଁ । ପରାଧୀନତାର ସଂଜ୍ଞା ଅବଶ୍ୟ ବଦଳିଗଲା; ମାତ୍ର ମାନସିକ ପରାଧୀନତା ଶେଷ ପର୍ଯ୍ୟନ୍ତ ସେମିତି ରହିଗଲା । ଏପରି ସମୟରେ ଯେଉଁମାନେ ସ୍ଵାଧୀନତା ନିମିତ୍ତ ଏବଂ ଶୋଷଣ, ନିର୍ଯ୍ୟାତନା ବିରୋଧରେ ସଂଗ୍ରାମ କରୁଥିଲେ, ସ୍ୱାଧୀନତାର ବିକଟରୂପ ତଥା ରାଜନୀତିକ ନେତା ଓ ପ୍ରଶାସନର ସ୍ୱାର୍ଥ ସର୍ବସ୍ଵ କ୍ରିୟାକଳାପ ସେମାନଙ୍କୁ ମ୍ରିୟମାଣ କରିଦେଲା । ରାମ ପ୍ରସାଦ ସିଂହ ଥିଲେ ସେହି ମ୍ରିୟମାଣ ମଣିଷଙ୍କ ମଧ୍ୟରେ, ନବଭାରତର କିମ୍ଭୂତ କିମାକାର ରୂପ ଦେଖି ହତବାକ୍‌ ହେବା ସଙ୍ଗେ ସଙ୍ଗେ ଗଳ୍ପ ରଚନାରୁ ନିଜକୁ ଦୂରେଇ ନେଇଥିଲେ । ଅବଶ୍ୟ ଏହି ସମୟରେ ସେ କେତୋଟି ଉପନ୍ୟାସ ରଚନା କରିଛନ୍ତି । ୩୧ ବର୍ଷର ନିରବତା ପରେ ସେ ପୁଣି ଯେଉଁ ଗଳ୍ପ ରଚନା କରିଛନ୍ତି, ତାର ଭାବ ଓ ଆଙ୍ଗିକରେ ପରିଲକ୍ଷିତ ହୋଇଛି ଲକ୍ଷଣୀୟ ପରିବର୍ତ୍ତନ । ମଣିଷ ସଂପର୍କରେ ସେ ଯେଉଁ ନୂଆ ଅନୁଭବ ପାଇଛନ୍ତି, ତାହାକୁ ସେ ଯତକିଞ୍ଚତ୍‌ ପର୍ଯ୍ୟାୟରେ ସ୍ଵୀକାର କରିଯାଇଛନ୍ତି ।

 

୧୯୩୦ ମସିହାରେ ହଜାରୀବାଗ ଜେଲ୍‌ରେ ଥିବା ସମୟରେ ତାଙ୍କର ସାହିତ୍ୟ ସାଧନା ଆରମ୍ଭ । ବିଂଶ ଶତକର ଚତୁର୍ଥ ଦଶକରେ ଭଗବତୀଚରଣ ପାଣିଗ୍ରାହୀଙ୍କ ଆଦର୍ଶଦ୍ଵାରା ପ୍ରଭାବିତ ହୋଇଥିଲେ । ତେଣୁ ଏହି ସମୟରେ ସେ ଯେଉଁ ଉପନ୍ୟାସ ଓ ଗଳ୍ପ ରଚନା କରିଛନ୍ତି, ସେଥିରେ ସମାଜବାଦୀ ଚିନ୍ତାଧାରାର ସ୍ପଷ୍ଟ ଆଲେଖ୍ୟ ବିଦ୍ୟମାନ । ସ୍ଵାଧୀନତା ପରବର୍ତ୍ତୀ ସମୟରେ ରଚିତ ରଚନାଗୁଡ଼ିକରେ ମାର୍କସୀୟ ଶ୍ରେଣୀ ସଂଘର୍ଷ ପରିବର୍ତ୍ତେ ଭାରତୀୟ ସମାଜର ସାଂସ୍କୃତିକ ଅବକ୍ଷୟ, ଆଦର୍ଶହୀନ ରାଜନୀତି, ବ୍ୟକ୍ତିଚରିତ୍ରର ଅଧୋଗତି, ମାନବିକ ସମ୍ବେଦନଶୀଳତା ସହିତ ଲେଖକୀୟ ସାମାଜିକ ପ୍ରତିବଦ୍ଧତା ପରିଦୃଷ୍ଟ । ପୂର୍ବରୁ ସୂଚିତ ହୋଇଛି ଯେ ୧୯୪୫ ମସିହା ପୂର୍ବରୁ ରଚିତ ତାଙ୍କର ଅଧିକାଂଶ ଗଳ୍ପରେ ମାର୍କସବାଦୀ ଚେତନାର ପ୍ରତିଫଳନ ବେଶ୍‌ ସ୍ପଷ୍ଟ । ଦାମୀଲ, ଛାତିର ରକ୍ତ, ଶେଷରାତି, ଝରାଶେଫାଳୀ, ଅନାଗତ, ପ୍ରଶ୍ନ, ଚୋରାବାଲି ଆଦି ଗଳ୍ପକୁ ଏହାର ପରିସରଭୁକ୍ତ କରାଯାଇପାରେ । ଏହାପରେ ୩୧ ବର୍ଷ ଗଳ୍ପ ରଚନାଠାରୁ ଦୂରରେ ରହିବା ପରେ ୧୯୭୩ ମସିହାରୁ ପୁଣି ଗଳ୍ପ ରଚନା କରନ୍ତି । ୧୯୭୩ରୁ ୧୯୭୯ ମସିହା ମଧ୍ୟରେ ରଚନା କରିଥିବା ୧୪ଟି ଗଳ୍ପ ସହିତ ଆଦିକାଳୀନ ‘ଚୋରାବାଲି’କୁ ମିଶାଇ ‘କଲ୍ଲୋଳ’ ଗଳ୍ପ ସଂକଳନ ପ୍ରସ୍ତୁତ ହୋଇଛି ।

 

ଭାବଦୃଷ୍ଟିରୁ ରାମପ୍ରସାଦ ସିଂହଙ୍କ ଗଳ୍ପକୁ ତିନିଭାଗରେ ବିଭକ୍ତ କରାଯାଇପାରେ । ଯଥା-ସାମ୍ୟବାଦୀ ଚେତନାମୂଳକ ଗଳ୍ପ, ମାନବ ସମ୍ବେଦନାମୂଳକ ଗଳ୍ପ ଓ ରାଜନୀତିକ ଏବଂ ସାଂସ୍କୃତିକ ଅବକ୍ଷୟ ବ୍ୟଞ୍ଜିତ ଗଳ୍ପ ।

 

ସାମ୍ୟବାଦୀ ଚେତନାମୂଳକ ଗଳ୍ପ - ସ୍ଵାଧୀନତା ପୂର୍ବରୁ ରଚିତ ରାମପ୍ରସାଦ ସିଂହଙ୍କ ଅଧିକାଂଶ ଗଳ୍ପରେ ସାମ୍ୟବାଦର ସ୍ଵର ଯେପରି ସ୍ପଷ୍ଟ, ସେହିପରି ତୀକ୍ଷ୍ଣ । ତାଙ୍କର ପ୍ରଥମ ଗଳ୍ପ ‘ଦାମୀଲ’ରେ ସାମନ୍ତବାଦ ବିରୋଧରେ ସାଧାରଣ ମଣିଷର ପ୍ରତିକ୍ରିୟା ପ୍ରକାଶିତ । ସ୍ଵାଧୀନତା ଆନ୍ଦୋଳନରେ ଭାଗ ନେଇ ଇଂରେଜ ସରକାରଙ୍କ ନିର୍ଦ୍ଦେଶରେ ସେ ହଜାରୀବାଗ ଜେଲରେ ରହିଥିବା ସମୟରେ ବିଭିନ୍ନ କଏଦୀମାନଙ୍କର କରୁଣ କାହାଣୀ ଶୁଣିଥିଲେ । ଶୁଣାଯାଏ ସେଠାରେ ହରିମିଶ୍ର ନାମକ ଜଣେ କଏଦୀ ନିଜ ଜୀବନର କରୁଣ କାହାଣୀ ଯେପରି ବ୍ୟକ୍ତ କରିଥିଲା, ଗାଳ୍ପିକ ତାହାକୁ କଳାତ୍ମକ ଢଙ୍ଗରେ ‘ଦାମୀଲ’ରେ ଉପସ୍ଥାପିତ କରିଛନ୍ତି । ଗଳ୍ପର ମୁଖ୍ୟ ଚରିତ୍ର ହରିମିଶ୍ରଙ୍କ ଜୀବନର କରୁଣତା, ମମତ୍ୱ ଓ ପ୍ରତିକ୍ରିୟାଶୀଳତା ହୋଇଛି ଗଳ୍ପର କଥାବସ୍ତୁ । ହଇଜାରେ ନିଜର ପତ୍ନୀ ଓ ଦୁଇ ପୁତ୍ରକୁ ହରାଇବା ପରେ ହରି ମିଶ୍ର ରାସ୍ତାକଡ଼ରେ ପଡ଼ିଥିବା ଏକ ଅନାଥିନୀର ମୃତ କ୍ରୋଡ଼ରୁ ଟେକି ଆଣିଥିଲେ ବୁଦ୍ଧିଆକୁ । ଭୋକ ଉପାସରେ କୌଣସି ପ୍ରକାର ଜୀବନ ଅତିବାହିତ କରୁଥିବା ସମୟରେ ତା’ର ଖଣ୍ଡିଏ ମାତ୍ର ଜମିକୁ ଜମିଦାର ନିଜ ତହସିଲଦାର ଗୋବିନ୍ଦ ନାୟକଙ୍କ ମାଧ୍ୟମରେ ଖଜଣା ବାକି ଆଳରେ କରଗତ କରିବାକୁ ଚାହିଁଲେ । ହରି ଜାଣିଥିଲା ଜମି ଖଣ୍ଡିକ ଚାଲିଗଲେ ବୁଦ୍ଧିଆ ଭୂମିହୀନ ହୋଇପଡ଼ିବ । ତା’ର ସମସ୍ତ ଅନୁରୋଧ ବ୍ୟର୍ଥ ହୋଇଥିଲା ସାମନ୍ତବାଦର ନିଷ୍ଠୁରତା ନିକଟରେ । ତେଣୁ ସେ ପ୍ରତିକ୍ରିୟାଶୀଳ ହୋଇ ତଥାକଥିତ ଶୋଷକ୍ୟ ବିରୋଧରେ ଯେଉଁ ସ୍ଵର ଉତ୍ତୋଳନ କରିଛି, ବାସ୍ତବରେ ତାହା ପ୍ରଶଂସନୀୟ । ସର୍ବହରାର ପ୍ରତିବାଦ, ପ୍ରତିରୋଧ, ପ୍ରତିକ୍ରିୟା ସହିତ ମାନବିକ ଭାବଧାରାର ଚମତ୍କାର ଆଲେଖ୍ୟ ଗଳ୍ପଟିର ଗୌରବ ବୃଦ୍ଧିରେ ସହାୟକ ହୋଇପାରିଛି । ‘ଛାତିର ରକ୍ତ’ ଗଳ୍ପରେ ଜମିଦାରୀ ଶୋଷଣ କ୍ରିୟାକୁ ଶୋଷିତ ନିରବରେ ସହ୍ୟ କରିଯାଇଛି । ଅବଶ୍ୟ ଏହି ଗଳ୍ପଝରେ ଶୋଷିତ ଚରିତ୍ର ପାଠକର ସମ୍ବେଦନ ହାସଲରେ ସମର୍ଥ ହୋଇପାରିଛି । ଗଳ୍ପ ନାୟକ ବୃଦ୍ଧ ହରିରାଉତ ଜମିଦାରଙ୍କ ଖଜଣା ଦେଇ ନ ପାରିବାରୁ ଜମିଖଣ୍ଡିକ ନିଲାମ ହୋଇଯାଇଛି । ନିଜର ଏକମାତ୍ର କନ୍ୟା ଲକ୍ଷ୍ମୀର ଭବିଷ୍ୟତ ଚିନ୍ତାରେ ଶୋକାକୁଳ ଅବସ୍ଥାରେ ଜମିର ହିଡ଼ ମୁଣ୍ଡରେ ବସିଥିବାବେଳେ ବଜ୍ରପାତରେ ମୃତ୍ୟୁବରଣ କରିଛି । କରୁଣାନ୍ତକ ପରିବେଶରେ ଗଳ୍ପର ପରିସମାପ୍ତି ଘଟିଛି । କିନ୍ତୁ ‘ଶେଷ ରାତି’ ଗଳ୍ପରେ ଶୋଷକ, ଅତ୍ୟାଚାରୀ ଜମିଦାର ବିରୋଧରେ କେବଳ ସ୍ଵର ଉତ୍ତୋଳନ କରାଯାଇ ନାହଁ; ଶୋଷକକୁ ହତ୍ୟା କରାଯାଇଛି । ଗଳ୍ପର ନାୟକ ଜଗା ପ୍ରଧାନ ସମସ୍ତ ପ୍ରତିକୂଳତା ସତ୍ତ୍ୱେ ନିଜର ସ୍ଵାଭିମାନକୁ ବଳି ଦେଇନାହିଁ । ଜମିଦାର ବଳରାମ ସାନ୍ତରାର ବଳାତ୍କାରର ଶିକାର ହୋଇ ପତ୍ନୀ ହାର ଆତ୍ମହତ୍ୟା କରିବାରୁ ପ୍ରତିଶୋଧ ପରାୟଣ ଜଗା କଟୁରୀରେ ନିର୍ମମ ଭାବରେ ହତ୍ୟା କରିଛି ଜମିଦାରକୁ । ଭଗବତୀ ଚରଣଙ୍କ ଶିକାର ଗଳ୍ପର ଛାୟା ଏଥିରେ ପରିଲକ୍ଷିତ । ଫାଶୀଖୁଣ୍ଟରେ ଝୁଲିବାର ଅବ୍ୟବହିତ ପୂର୍ବରୁ ନିଜର ସପକ୍ଷ ଯୁକ୍ତି ଦେଇ ଜଗା କହିଛି- ‘ମୁଁ ଚାଷୀ । ଗରିବ ଘରେ କଅଣ ହାର ପରି ସ୍ତ୍ରୀ ରହିବା କଥା ନୁହେଁ ? ତେବେ ସେ ତାକୁ ମାରି ପକାଇଲା କାହିଁକି ? ମୁଁ ତାକୁ ମାରିଲି । ତାକୁ ମାରିଲି ବୋଲି ଆଜି ଯଦି ମୁଁ ମରିବାକୁ ଯାଉଛି ତେବେ ମୋର ଦୋଷ କେଉଁଠି ?’ ଗଳ୍ପର ପରିଣତି ଠିକ୍‌ ଶିକାର ଗଳ୍ପ ପରି । ବର୍ଣ୍ଣନା ମଧ୍ୟ ଅନୁରୂପ ।

 

‘ଝରା ଶେଫାଳୀ’ ଗଳ୍ପରେ ଆମ ସମାଜର ଦୁଇ ପରସ୍ପର ବିରୋଧୀ ଦିଗ ପ୍ରଦର୍ଶିତ । ଥିଲାବାଲା ଶୋଷକର ବିଳାସ ଓ ସ୍ଵଚ୍ଛନ୍ଦମୟ ଜୀବନ ଗୋଟିଏ ପାର୍ଶ୍ଵରେ ଏବଂ ଶୋଷିତ ନ ଥିଲାବାଲାର ବିଡ଼ମ୍ବିତ ଜୀବନ ଅପର ପାର୍ଶ୍ଵରେ । ଏହା ମାଧ୍ୟମରେ ଗାଳ୍ପିକ ଆମ ସମାଜର ବିକଟ ରୂପଟିକୁ ସୂଚିତ କରିଛନ୍ତି । ଗୋଟିଏ ପଟେ ଅସହାୟ ବୃଦ୍ଧର ଏକମାତ୍ର ସମ୍ବଳ ନାତି ଖାଦ୍ୟ ଓ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛି । ବିଚରା ବୃଦ୍ଧ ଶୋକ ଓ ଦୁଃଖରେ ନିର୍ବାକ୍‌ ହୋଇ ଶ୍ମଶାନରେ ବସି ରହିଛି । ଅଥଚ ଅନ୍ୟ ପାର୍ଶ୍ଵରେ ଏକ ଧନୀକ ପରିବାର ତା ସନ୍ତାନର ସାମାନ୍ୟ ଅସୁସ୍ଥତା ପାଇଁ ବେଶ ବ୍ୟୟବହୁଳ ଉପଚାର କରିଚାଲିଛି । ଏହି ସାମାଜିକ ବୈଷମ୍ୟ ଯୋଗୁଁ ସମାଜରେ ସନ୍ତୁଳନ ରକ୍ଷା କରିବା ସମ୍ଭବ ହୋଇପାରି ନାହିଁ । ଏହି ବୈଷମ୍ୟର ଅନ୍ୟତମ ନିଦର୍ଶନ ହେଉଛି ‘ଅନାଗତ’ ଗଳ୍ପ । ଶ୍ରେଣୀ ପାର୍ଥକ୍ୟର ଉତ୍କଟ ଚିତ୍ର ଗଳ୍ପଟିକୁ କରୁଣାର୍ଦ୍ର କରିଛି । ‘ଝରାଶେଫାଳୀ’ ପରି ଦୁଇଗୋଷ୍ଠୀର ଜୀବନଚର୍ଯ୍ୟା ଏଥିରେ ପ୍ରଦର୍ଶିତ । ଗୋଟିଏ ଦିଗରେ ଭିକ୍ଷୁକ ପରିବାରର ଅସହାୟ ତିନୋଟି ପ୍ରାଣୀ ଦୁଃଖ, ଦାରିଦ୍ର୍ୟ ଓ ଅର୍ଦ୍ଧ ଉପବାସରେ ଜୀବନ ଅତିବାହିତ କରୁଥିବା ସମୟରେ ଅଚାନକ ପୁରୁଷଟିଏର ମୃତ୍ୟୁ ବିଧବା ନାରୀ ଓ ପିଲାଟିକୁ ଦୟନୀୟ ପରିସ୍ଥିତିର ସମ୍ମୁଖୀନ କରାଇଛି । କିନ୍ତୁ ତାଙ୍କଠାରୁ ସାମାନ୍ୟ ଦୂରରେ ଧନୀ ବ୍ୟକ୍ତଟି ସପରିବାର ବିଳାସ ଓ ଆଭିଜାତ୍ୟ ପରିପୂର୍ଣ୍ଣ ଜୀବନ ଅତିବାହିତ କରୁଛି । ଗାଳ୍ପିକ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି - ‘‘xxx ମନଟା ସେଇ ଆଡ଼କୁ ଧାଇଁଗଲା- ସଂଗୀତ ପାଇଁ ନୁହେଁ, ବିରହ ପାଇଁ ନୁହେଁ; କେତେ ହାତ ବ୍ୟବଧାନ ଭିତରେ ହୃଦୟହୀନ ପାର୍ଥକ୍ୟର ଚରମ ବୀଭତ୍ସତା ଆଡ଼କୁ । ଲକ୍ଷ ଲକ୍ଷଲୋକ ଆଜି କମାଣର ଖାଦ୍ୟରେ, ବେମାର ନିଶାଣରେ ପରିଣତ ହେଉଛନ୍ତି । ମନୁଷ୍ୟ ପ୍ରତି ମନୁଷ୍ୟ ନିର୍ମମ ପାର୍ଥକ୍ୟ, ଅସ୍ୱାଭାବିକ ଅନ୍ୟାୟ ମଣିଷ ସହିପାରେ- କୋଟି କୋଟି ଲୋକ ସହୁଛନ୍ତି-। କିନ୍ତୁ ପ୍ରକୃତିର ଅନତିକ୍ରମଣୀୟ ନିୟମ ସହିପାରିବ ନାହିଁ । ସେ ଆଜି ମଣିଷର ରକ୍ତ ମାଂସ ଆକାରରେ ଏହାର ମୂଲ୍ୟ ଆଦାୟ କରୁଛି ।’’

 

ଲେଖକଙ୍କ ଯୁଦ୍ଧ ବିରୋଧୀ ମନୋଭାବ ପ୍ରକାଶିତ ତାଙ୍କର ‘ପ୍ରଶ୍ନ’ ଗଳ୍ପରେ । ଖିଆଲୀ, ସ୍ୱାର୍ଥପର ଓ ଅମଣିଷ ପଣିଆର ଚମତ୍କାର ସ୍ୱାକ୍ଷର ଉତ୍‌କୀର୍ଣ୍ଣ ଏଥିରେ । ଯୁଦ୍ଧ ମଣିଷକୁ କରିଛି ଛିନ୍ନମୂଳ, ଅସହାୟ । ଜମିଦାର ଚକ୍ରାନ୍ତରେ ନିଜର ଜମି ରଘୁଆ ଗାଁରେ ପତ୍ନୀ ରାଧୀ ଓ ପୁଅକୁ ଛାଡ଼ି ରେଙ୍ଗୁନ ଯାଇଥିବା ସମୟରେ ଜାପାନୀ ବୋମାମାଡ଼ରେ ମୃତ୍ୟୁବରଣ କରିଛି । ସ୍ଵାମୀ ହରାଇଥିବା ଜଣେ ବିଧବାର ପ୍ରତିକ୍ରିୟାରୁ ଯୁଦ୍ଧଖୋର ମଣିଷର ଅମାନବିକତା ସ୍ପଷ୍ଟ । ପରୋକ୍ଷରେ ରାଧୀର ପ୍ରତିକ୍ରିୟା ହଁ ଲେଖକଙ୍କର ପ୍ରତିକ୍ରିୟା ।

 

ରାମପ୍ରସାଦ ସିଂହଙ୍କ ସାମ୍ୟବାଦୀ ଚେତନା ମୂଳକ ଗଳ୍ପଗୁଡ଼ିକରେ ତଥାକଥିତ ସାହୁକାର, ଜମିଦାର ଆଦିଙ୍କ ପ୍ରତି ତୀବ୍ର ପ୍ରତିକ୍ରିୟା ପ୍ରକାଶିତ ହୋଇଥିଲେ ହେଁ, ଗଳ୍ପର ପରିଣତି ପାଠକମାନଙ୍କୁ ଶୋକାର୍ଦ୍ର କରିଥାଏ । ପରୋକ୍ଷରେ ସାଧାରଣ ମଣିଷ ଓ ସମାଜର ଅବହେଳିତଙ୍କ ପ୍ରତି ରହିଥିବା ଅସୀମ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ହି ଗଳ୍ପଗୁଡ଼ିକରେ ପ୍ରକାଶିତ ।

 

ମାନବ ସମ୍ବେଦନାମୂଳକ ଗଳ୍ପ : ଲେଖକ ମାତ୍ରେ ହିଁ ସମ୍ବେଦନଶୀଳ । ଜଗତ ଓ ଜୀବନ ପ୍ରତି ଅସୀମ ଭଲ ପାଇବା ନ ଥିଲେ ଜଣେ ଉଚ୍ଚମାନର ସ୍ରଷ୍ଟା ହେବା ସମ୍ଭବ ନୁହେଁ । ପୁଣି ସାଧାରଣ ମଣିଷଙ୍କ ପ୍ରତି ଏହି ସ୍ନେହ ଓ ଶ୍ରଦ୍ଧା ସ୍ଵତଃସ୍ଫୂର୍ତ୍ତ । ରାମପ୍ରସାଦ ସିଂହ ଥିଲେ ଜଣେ ମାନବବାଦୀ ସ୍ରଷ୍ଟା । ତଥାକଥିତ ଶୋକମାଳା ପ୍ରତି ତାଙ୍କର ଯେଉଁ ପ୍ରତିକ୍ରିୟା, ତା’ର ମୂଳ କାରଣ ହେଉଛି ସ୍ରଷ୍ଟାଙ୍କର ସମାଜର ଅବହେଳିତ ଓ ଶୋଷିତଙ୍କ ପ୍ରତି ରହିଥିବା ଅଶେଷ ଭଲ ପାଇବାର ଜ୍ୱଳନ୍ତ ନିଦର୍ଶନ । ‘ଚୋରାବାଲି’ ଗଳ୍ପର ନାୟକ ହେଉଛନ୍ତି ସ୍ଵୟଂ ସ୍ରଷ୍ଟା । ଗରିବ ଭଗିଆକୁ ଔଷଧ ଦେଇ ମୃତ୍ୟୁ ମୁଖରୁ ବଞ୍ଚାଇବା, ସ୍ରଷ୍ଟାଙ୍କ ମାନବିକତାବୋଧର ଯଥାର୍ଥ ନିଦର୍ଶନ । ବସନ୍ତ ରୋଗରେ ମାରାତ୍ମକ ଭାବରେ ଆକ୍ରାନ୍ତ ହୋଇଥିବା ଭଗିଆର କନ୍ୟା ଉମା ପ୍ରତି ସହୃଦୟତା ଲେଖକଙ୍କ ସମ୍ବେଦନଶୀଳ ମନୋଭାବର ପରିଚାୟକ । ‘ଜଗୁଆ ମାଆ’ ଓ ‘ଭିକା ମା’ ଗଳ୍ପ ଦୁଇଟି ମଧ୍ୟ ମାନବିକ ସମ୍ବେଦନମୂଳକ । ‘ଜଗୁଆ ମା’ ଏବଂ ‘ଭିକା ମା’ ଦୁଇଟି ନାରୀ ଚରିତ୍ର ଦୁର୍ଭାଗ୍ୟର କଷାଘାତରେ ଜର୍ଜରିତା । ଏହି ଦୁଇ ବୃଦ୍ଧା ସ୍ଵାମୀ ଏବଂ ସନ୍ତାନମାନଙ୍କୁ ହରାଇ ନିଃସଙ୍ଗ ଜୀବନ ଅତିବାହିତ କରିଥିଲେ ହେଁ, ଜୀବନ ସଂଗ୍ରାମରେ କଦାପି ସାଲିସ୍‌ କରିନାହାନ୍ତି । ପ୍ରତିକୂଳ ପରିବେଶରେ କିପରି ବଞ୍ଚିବାକୁ ହୁଏ ଠୁକର ଖାଇ ଖାଇ ଏମାନେ ତାହା ଶିଖି ଯାଇଛନ୍ତି । ସେଥି‌ପାଇଁ ଅନ୍ୟର ବିପଦ ସମୟରେ ଏମାନେ ସହାୟତାର ହାତଟିଏ ବଢ଼ାଇ ଦେବାକୁ ପଛଘୁଞ୍ଚା ଦେଇନାହାନ୍ତି । ଜଗୁଆ ମା’ ସାବୀ ଏବଂ ଭିକା ମା’ ସୁଲୀ ମୃତ୍ୟୁ ସହିତ ବଞ୍ଚିବାକୁ ସଂଗ୍ରାମ କରୁଥିବା ସମୟରେ ଅଯାଚିତ ସେବା ପ୍ରଦାନ କରି ନିଜର ମହନୀୟତା ଓ ମାନବିକତାର ପରିଚୟ ଦେଇଛନ୍ତି ।

 

‘ସତ ଆଉ ମିଛ’ ଓ ‘ଟିକସ ମଉସା’ ଗଳ୍ପ ଦ୍ୱୟ ମାନବିକ ସମ୍ବେଦନଶୀଳତାର ଅଭ୍ରାନ୍ତ ନିଦର୍ଶନ । ‘ସତ ଆଉ ମିଛ’ ଗଳ୍ପରେ ମହେନ୍ଦ୍ର ମୋହନ ଚୌଧୁରୀ ଜମିଦାରୀ ଉଚ୍ଛେଦପରେ ତଥା ପୁରୁଣା ଗୁମାସ୍ତା ସାଧୁ ମହାନ୍ତିଙ୍କ ଚକ୍ରାନ୍ତରେ ସର୍ବସ୍ଵ ହରାଇବାପରେ ସମ୍ବେଦନାର ପାତ୍ର ହୋଇ ପଡ଼ିଛନ୍ତି । ତାଙ୍କ ପ୍ରତି ପାଠକଙ୍କ ଦୃଷ୍ଟିଭଙ୍ଗୀରେ ଆସିଛି ପରିବର୍ତ୍ତନ । ସେହିପରି ଟିକସ ମଉସା’ଙ୍କ ମାନବିକ ପଣିଆ ପାଠକଙ୍କୁ ତାଙ୍କ ପ୍ରତି ବେଶ୍‌ ଆକର୍ଷଣ କରିଥାଏ । ମୁନିସିପାଲିଟି ଟିକସ ଦାରୋଗା କଣ୍ଡୁରୀ ନାୟକ, ସବୁ ପିଲାଙ୍କର ମଉସା । ତାଙ୍କର ସାଧୁତା, କର୍ତ୍ତବ୍ୟନିଷ୍ଠା ଓ ଉଦାରତା ତଥା ପରୋପକାର ମନୋବୃତ୍ତି ସେହି ଅଞ୍ଚଳର ଲୋକଙ୍କ ମନରେ ତାଙ୍କ ପ୍ରତି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେଣୁ ସେ ସାର୍ବଜନୀନ ଟିକସ ମଉସା’ର ପରିଚୟରେ ହୋଇଛନ୍ତି ପରିଚିତ । ତାଙ୍କର ମାନବବାଦୀ ଗୁଣ ହିଁ ହୋଇଛି ଶ୍ରେଷ୍ଠ ପରିଚୟ ।

 

ରାମପ୍ରସାଦ କେତେଗୁଡ଼ିଏ ଆତ୍ମକଥନ ଶୈଳୀ ମୂଳକ ଗଳ୍ପ ରଚନା କରିଛନ୍ତି । ଏହି ଗଳ୍ପଗୁଡ଼ିକରେ ଅତୀତର ସ୍ମୃତି ଓ ମୋହ ଗୁରୁତ୍ୱ ପାଇଛି ଏବଂ ତାରି ମଧ୍ୟଦେଇ ମାନବବାଦୀ ଚିନ୍ତାଧାରା ବେଶ୍‌ ସତର୍କତାର ସହିତ ପ୍ରକାଶ ପାଇଯାଇଛି । ‘ଗୁପ୍‌ଚୁପ୍‌’ ଗଳ୍ପରେ ଲେଖକଙ୍କ ହାଇସ୍କୁଲରେ ପଢ଼ୁଥିବା ଦିନଗୁଡ଼ିକର ସ୍ମୃତି ରୋମନ୍ଥିତ କରାଯାଇଛି । ଅତୀତର ଗୁପ୍‌ଚୁପ୍‌ ବିକ୍ରେତା ସମୟକ୍ରମେ ବାର୍ଦ୍ଧକ୍ୟରେ ସେହି ଦୁଃଖଦ ଜୀବନ ମାନବବାଦୀ ଶିଳ୍ପୀ ରାମପ୍ରସାଦ ସିଂହଙ୍କୁ ଗଭୀର ବ୍ୟଥା ଦେଇଛି । ପୁଣି ସମୟ ସହିତ ସଭ୍ୟତାର ପରିବର୍ତ୍ତନ ସଙ୍ଗେ ସାଧାରଣ ମଣିଷର ସ୍ଥିତି କିପରି ଅପରିବର୍ତ୍ତନୀୟ ରହିଛି, ତାର ଚମତ୍କାର ଉଦାହରଣ ଏହି ଗଳ୍ପଟି । ରାମପ୍ରସାଦଙ୍କର ଅନ୍ୟ ଏକ ଗଳ୍ପ ହେଉଛି ‘ଅତୀତର ମୋହ’ । ଗଳ୍ପଟିର ନାମକରଣରୁ ଏହା ଯେ ଅତୀତର ସ୍ମୃତି ଉପରେ ଆଧାରିତ, ଏହା ସ୍ପଷ୍ଟ ହୋଇ ଯାଇଥାଏ । ଦୀର୍ଘ ଚାଳିଶ ବର୍ଷ ପରେ ହଠାତ୍‌ ଦିଲ୍ଲୀରେ ଭେଟନ୍ତି ତାଙ୍କର ପ୍ରେମିକା ସୁଜାତାଙ୍କୁ । ସ୍ଵାଧୀନତା ଆନ୍ଦୋଳନରେ ଯୋଗଦେଇ ଦଶବର୍ଷକାଳ କାରାଗାରରେ ରହିବାରୁ ସୁଜାତାଙ୍କ ସହିତ ତାଙ୍କର ବିବାହ ହୋଇପାରିଲା ନାହିଁ । ସୁଜାତା ଜଣେ ଇଞ୍ଜନିୟରଙ୍କୁ ବିବାହ କରିଛି ଏବଂ ଅଳ୍ପଦିନର ବୈବାହିକ ଜୀବନ ପରେ ବୈଧବ୍ୟର ଯନ୍ତ୍ରଣାକୁ ଆଦରି ନେଇଛି । ଜୀବନରେ ସେ ପ୍ରଚୁର ଅର୍ଥ ପାଇଛି । ପ୍ରାଚୁର୍ଯ୍ୟ ମଧ୍ୟରେ ଜୀବନ ଅତିବାହିତ କରୁଥିଲେ ହେଁ ନିଃସଙ୍ଗତା ଜୀବନର ସମସ୍ତ ସୁଖ କାଢ଼ି ନେଇଛି । ପାର୍ଥିବ ପ୍ରାଚୁର୍ଯ୍ୟ ପାଇଥିଲେ ହେଁ ମାନସିକ ଅଶାନ୍ତି ଜୀବନକୁ କରିଦେଇଛି ବିପର୍ଯ୍ୟସ୍ତ । ଲେଖକଙ୍କ ସହିତ ଅତୀତର କେତୋଟି ମୁହୂର୍ତ୍ତ ସ୍ମୃତି ମଧ୍ୟରେ ଉଭୟ ଚରିତ୍ରଙ୍କ ଦୁଃଖ ସହିତ ସାମିଲ ହୋଇ ନିଜର ମାନବିକ ପଣିଆର ପରିଚୟ ଦେଇଛନ୍ତି ।

 

ମଣିଷର ଅବଦମିତ କାମନା ତଥା ମାନବିକ ସମ୍ବେଦନଶୀଳତାର ଅପୂର୍ବ ଆଲେଖ୍ୟ ବହନ କରେ- ‘ଚିରକୁମାରୀ’ ଗଳ୍ପଟି । ଗଳ୍ପର ମୁଖ୍ୟ ଚରିତ୍ର ବିବାସିନୀ ପ୍ରଧାନ, ପ୍ରତ୍ୟେକ ନାରୀ ପରି ବହୁ ସ୍ଵପ୍ନ ଦେଖିଥିଲେ ଜୀବନରେ । ମାତ୍ର ବୃଦ୍ଧ ପିତାମାତା ଓ ସାନ ଭଉଣୀର ଦାୟିତ୍ୱର ବୋଝ ବୋହି ବୋହି ସ୍ଵପ୍ନ ଦେଖିବାର ବୟସ ଅତିକ୍ରାନ୍ତ କରିଯାଇଛନ୍ତି । ସଚିବାଳୟରେ ଡାଇରିଷ୍ଟ ଚାକିରିରୁ କାର୍ଯ୍ୟ ଆରମ୍ଭ କରି ପରିଣତ ବୟସରେ ଅଫିସରଟି ହୋଇ ପାରିଛନ୍ତି । ନିଜର ପ୍ରୌଢ଼ତ୍ଵକୁ ପ୍ରସାଧାନ ମଧ୍ୟରେ ଲୁଚାଇବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି । ନଜର ମନୋଭୂମି ଅତୀତର କାମନା ବାରମ୍ବାର ସବାର ହୋଇଛି । ସେଥିପାଇଁ ଅବସରକୁ ଅପେକ୍ଷା କରିଥିବା ଷ୍ଟେନୋ ଏବଂ ନୂଆ ଷ୍ଟେନୋ ନାରାୟଣ ରାଓର ସାନ୍ନିଧ୍ୟ ପାଇଁ ବ୍ୟାକୁଳ ହୋଇ ଅବଶେଷରେ ନିଃସଙ୍ଗତା ଓ ଅତୃପ୍ତ କାମନାର ଯନ୍ତ୍ରଣାରେ ଡାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ନାରୀଟିର ଦୁଃଖଦ ଓ କରୁଣ ଜୀବନ ପାଠକ ପ୍ରାଣରେ ସମ୍ବେଦନଶୀଳତାର ପ୍ରଲେପ ବୋଳି ଦେଇଥାଏ । ‘ପ୍ରେମ’ ଗଳ୍ପରେ ମଧ୍ୟ ସେହିପରି ଗଳ୍ପନାୟକର ଅତୃପ୍ତ ଅନୁଭବ ପ୍ରକାଶିତ । ଅବସର ଗ୍ରହଣ କରିଥିବା ଆଇ.ଏ.ଏସ୍‌ ପ୍ରୌଢ଼ କହ୍ନାଇଚରଣଙ୍କ ମୁଖରେ ପ୍ରଥମ ପୁରୁଷରେ ତାଙ୍କ ପ୍ରେମାନୁଭୂତି ବର୍ଣ୍ଣିତ । କୈଶୋରରେ କନକ ନାମ୍ନୀ ଛୋଟୀ ବାଳିକାପ୍ରତି ଆକର୍ଷଣ ଓ କହ୍ନାଇ ଭାଇର ପରିଚୟ ବେଳକୁ ଅନୁରାଗର ମୋହଭଟ୍ଟା ପଡ଼ିଛି କଲେଜ ମାଟିରେ ପାଦ ଦେବା ସଙ୍ଗେ ସଙ୍ଗେ । ସେଠାରେ ଆଧୁନିକା ତରୁଣୀ ରଜନୀ ସହିତ ଗଢ଼ି ଉଠିଥିବା ପ୍ରେମ ସମ୍ପର୍କ ରେଜେଷ୍ଟ୍ରି ବିବାହ ପୂର୍ବରୁ ପିତାଙ୍କ ବିରୋଧ ଯୋଗୁଁ ସଫଳ ହୋଇପାରି ନାହିଁ । ଆଇ.ଏ.ଏସ୍‌ ତାଲିମ ପରେ ମୋଟା ଯୌତୁକ, ଗାଡ଼ି ଓ ଟଙ୍କା ପାଇ ଧନୀ ଲଳନା ସୁରମାକୁ ବିବାହ କରିଛି । ମାତ୍ର ଦାମ୍ପତ୍ୟ ଜୀବନରେ ପ୍ରତି ମୁହୂର୍ତ୍ତରେ ପତ୍ନୀ ସୁରମାଠାରୁ ମାନସିକ ଆଘାତ ପାଇବା ହିଁ ସାର ହୋଇଛି । କହ୍ନାଇ ଦାସଙ୍କ କୌଣସି ସାହିତ୍ୟିକ ପ୍ରତିଭା ନ ଥାଇ ମଧ୍ୟ ପଦମର୍ଯ୍ୟାଦା ବଳରେ ବିଭିନ୍ନ ସାହିତ୍ୟ ସଭାର ସଭାପତିତ୍ୱ କରିବା ସହିତ ପ୍ରୌଢ଼ାବସ୍ଥାରେ ନାରୀକବି କାଦମ୍ବିନୀଙ୍କ ସହିତ ପରିଚିତ ହୋଇଛନ୍ତି । ସୁରମା ଏହି ପରିଚୟକୁ ଭିନ୍ନ ଦୃଷ୍ଟିରେ ଦେଖିଛି ଏବଂ ତାଙ୍କ ମନ ପରିବର୍ତ୍ତନ ପାଇଁ ସେବା କରିବାକୁ ଆଗ୍ରହୀ ହୋଇ ଜାଣିବାକୁ ପାଇଛି ଯେ କାଦମ୍ବିନୀ ହେଉଛନ୍ତି ତା’ର ମାଉସୀ । ଏକ ମିଳନାତ୍ମକ ପରିବେଶରେ ଗଳ୍ପଟିର ପରିସମାପ୍ତି ଘଟିଥିଲେ ହେଁ, ଗଳ୍ପ ନାୟକର ଅସହାୟତା ଓ ବ୍ୟର୍ଥତା ପାଠକ ପ୍ରାଣରେ ସମ୍ବେଦନାର ଭାବାବେଗ ସୃଷ୍ଟି କରିଥାଏ ।

 

ରାଜନୀତିକ ଓ ସାଂସ୍କୃତିକ ଅବକ୍ଷୟ ବ୍ୟଞ୍ଜିତ ଗଳ୍ପ - ସ୍ଵାଧୀନତା ପରବର୍ତ୍ତୀ କାଳରେ ରଚିତ ଅଧିକାଂଶ ଗଳ୍ପରେ ସାମସମୟିକ ସମାଜର ରାଜନୀତିକ ଓ ସାଂସ୍କୃତିକ ଅବକ୍ଷୟ ବ୍ୟଞ୍ଜିତ ହୋଇଛି । ମଣିଷର ଚାରିତ୍ରିକ ଅଧୋଗତି, ମୂଲ୍ୟବୋଧର ଅସଙ୍ଗତି, ବ୍ୟକ୍ତିଗତ ସ୍ଵାର୍ଥ ପ୍ରବୃତ୍ତି ଆଦି ମୁଖ୍ୟତ । ଏହି ଅବକ୍ଷୟ ପାଇଁ ଦାୟୀ । ପୁଣି ସହରୀ ସଭ୍ୟତାର ଅନ୍ତଃସାର ଶୂନ୍ୟତା ଆଧୁନିକ ମଣିଷର ଦ୍ୱୈତ ସତ୍ତା ଓ ବିଭଙ୍ଗ ବ୍ୟକ୍ତିତ୍ଵକୁ ସେ ଏହି ଗଳ୍ପଗୁଡ଼ିକରେ ତୀବ୍ର ବ୍ୟଙ୍ଗୋକ୍ତି କରିଛନ୍ତି । ଏହି ଗଳ୍ପଗୁଡ଼ିକର ପଟ୍ଟଭୂମି ସହର । ଗ୍ରାମ୍ୟ ସଂସ୍କୃତିର ବିପର୍ଯ୍ୟୟ, ସ୍ଵାର୍ଥ ସର୍ବସ୍ଵ ରାଜନୀତି ଏବଂ ସର୍ବୋପରି ସହରୀ ସଭ୍ୟତା ପ୍ରତି ଆକର୍ଷଣ କିପରି ଆମର ପ୍ରବହମାନ ଜୀବନଧାରାକୁ ବିପର୍ଯ୍ୟସ୍ତ କରିଦେଇଛି, ତାହା ସ୍ୱାଧୀନତ୍ତୋର କାଳରେ ରଚିତ ଗଳ୍ପଗୁଡ଼ିକରେ ପରିଲକ୍ଷିତ ହୋଇଥାଏ ।

 

‘ଜଓହର ଜ୍ୟାକେଟ’, ‘ଘୋଡ଼ାମାର୍କା ସମାଜବାଦ’, ‘ରାଜଧାନୀର ରାଜପଥ’ ଆଦି ଗଳ୍ପଗୁଡ଼ିକରେ ବ୍ୟକ୍ତି ଚରିତ୍ରର ଅଧୋଗତି ଓ ସାଂପ୍ରତିକ କଳୁଷିତ ରାଜନୀତିକୁ ଉତ୍କୀର୍ଣ୍ଣ କରାଯାଇଛି । ‘ଜଓହର ଜ୍ୟାକେଟ’ର ମୁଖ୍ୟ ଚରିତ୍ର, ଅତୀତର ଜମିଦାରଙ୍କ ଅବୈଧ ସନ୍ତାନ ଗ୍ରାମୀଣ ନେତା ନୀଳାଦ୍ରି ଓରଫ ନୀଳେଇ ପ୍ରଧାନ ନିଜର ଶଠତା ଓ ଧୂର୍ତ୍ତତାର ସାହାରା ନେଇ ପରିବର୍ତ୍ତିତ ପରିସ୍ଥିତିରେ ନବ ସାମନ୍ତବାଦର ପ୍ରତିନିଧି ସାଜିଛି । ଗ୍ରାମ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି, ଚାକିରି କରାଇଦେବାର ପ୍ରତିଶ୍ରୁତି ମାଧ୍ୟମରେ ସେ ସାଧାରଣ ଲୋକଙ୍କୁ ଠକି ଚାଲିଛି । ସେ ହୋଇଛି ନୀତିହୀନ ରାଜନୀତିର ସାର୍ଥକ ପ୍ରତିନିଧି । ‘ଘୋଡ଼ାମାର୍କା ସମାଜବାଦ’ରେ ସେହିପରି ଲେଖକ ସୁବିଧାବାଦୀ, ପ୍ରବଞ୍ଚକ ରାଜନୀତିକ ନେତାକୁ ତୀବ୍ର ସମାଲୋଚନା କରିଛନ୍ତି । ବି.ଏ. ପଢ଼ି ବେକାର ରହିଥିବା ଦୀନବନ୍ଧୁ ପୁହାଣ ପରବର୍ତ୍ତୀ ପରିସ୍ଥିତିରେ ମନ୍ତ୍ରୀ ହେବା ଏବଂ ଭାଙ୍ଗନିଶାରେ ମସ୍‌ଗୁଲ ହୋଇ ବନ୍ଧୁ କରୋଡ଼ି ମଲ୍ଲ ସହିତ ମିଶି ‘ଗଣତାନ୍ତ୍ରିକ ସମାଜବାଦ’ର ବ୍ୟାଖ୍ୟା ପ୍ରଦାନ କରିବା ମାଧ୍ୟମରେ ତଥାକଥିତ ସମାଜବାଦ, ନେତାମାନଙ୍କର ଭୋଟ ରାଜନୀତି ଓ ସ୍ୱାର୍ଥ ପାଇଁ ହୀନ କୌଶଳକୁ ସୂଚାଇ ଦେବା ସଙ୍ଗେ ସଙ୍ଗେ ବ୍ୟକ୍ତି ଚରିତ୍ରର ଅଧୋଗତିକୁ ପ୍ରମାଣ କରିଥାଏ । ଏହି ଗଳ୍ପରେ ସାଂପ୍ରତିକ ଗଣତନ୍ତ୍ର ସମ୍ପର୍କରେ ଲେଖକଙ୍କ ବକ୍ତବ୍ୟ ହେଉଛି - ‘‘ଏ ଦେଶଟା କୁଆଡ଼େ ଗଣତନ୍ତ୍ର ଦେଶ । ଏ ଗଣତନ୍ତ୍ରଟା ମୂଳରୁ ବଣତନ୍ତ୍ର ଥିଲା କି ଏବେ ହୋଇଗଲା, ସେ କଥା ଇତିହାସ ବ୍ୟବସାୟୀମାନେ ଅନୁସନ୍ଧାନ କରି ବୁଝିବେ; କିନ୍ତୁ ଏବେ ଯାହା ଚାଲୁଛି ତାହା ଭୋଟତନ୍ତ୍ର ।’’ ‘‘ରାଜଧାନୀ ରାଜପଥେ’’ ଗଳ୍ପରେ ନବସାମନ୍ତ ବାଦର ବିକୃତ ରୂପକୁ ବ୍ୟଙ୍ଗୋକ୍ତି କରାଯାଇଛି । ଗଣତନ୍ତ୍ର ଶାସନରେ ପାରମ୍ପରିକ ରାଜପଦ ଲୋପ ପାଇଥିଲେ ହେଁ ରାଜ ବୈଭବ କିପରି ଅବଶିଷ୍ଟ ରହିଯାଇଛି, ତାହା ଏଥିରେ ପ୍ରଦର୍ଶିତ । ସାଂପ୍ରତିକ ଗଣତନ୍ତ୍ରର ସାଧାରଣ ମଣିଷର ସ୍ୱାର୍ଥ ବିଡ଼ମ୍ୱିତ ହୋଇ ପଡ଼ିଥବାବେଳେ କଳାବଜାରୀ, କଣ୍ଟ୍ରାକ୍ଟରଗଣ କିପରି ମନ୍ତ୍ରୀଙ୍କଠାରୁ ଚପରାସୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୋଟିଏ ଗୋଟିଏ ବସ୍ତୁପରି କ୍ରୟ କରି ଚାଲିଛନ୍ତି । ତାର ଚମତ୍କାର ବ୍ୟଙ୍ଗ ରୂପ ‘ରାଜଧାନୀର ରାଜପଥ’ ।

 

‘ଜାକବ ମହମ୍ମଦ ପ୍ରଶାନ୍ତ ପ୍ରଧାନ’ ଗଳ୍ପରେ ଭାରତର ଧର୍ମ ନିରପେକ୍ଷ ଚିନ୍ତାଧାରାର ଅସାରତା ପ୍ରତିପାଦନ କରାଯାଇଛି । ସମ୍ବିଧାନ ପ୍ରଣୟନ ସମୟରେ ଏକ ଉଦାର ଓ ମହତ ଦୃଷ୍ଟିକୋଣରୁ ଧର୍ମ ନିରପେକ୍ଷତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଆଇନର ଦୁର୍ବଳତାର ସୁଯୋଗ ନେଇ ଏହାର ଭିନ୍ନ ଭିନ୍ନ ବ୍ୟାଖ୍ୟା କରାଯିବା ସହିତ କିଛି ସ୍ୱାର୍ଥପର ବ୍ୟକ୍ତି ଏଥିରୁ ଫାଇଦା ଉଠାଇ ଚାଲିଛନ୍ତି । ଜାକବ ମହମ୍ମଦ ପ୍ରଶାନ୍ତ ପ୍ରଧାନ ଏହିପରି ଧର୍ମର ରଙ୍ଗ ବଦଳାଉଥିବା ଏକ ସ୍ୱାର୍ଥପର ଚରିତ୍ର । ସଚିବାଳୟର ହେଡ଼ ହାସିଷ୍ଟାଣ୍ଟ ଖ୍ରୀଷ୍ଟିଆନ ଜାକକ ବାବୁ ଯଥାକ୍ରମେ ଉପରିସ୍ଥ ମୁସଲମାନ ଓ ହିନ୍ଦୁ ଅଫିସରଙ୍କୁ ଖୁସି କରିବା ପାଇଁ ‘ମହମ୍ମଦ’ ଏବଂ ‘ପ୍ରଶାନ୍ତ’ ନାମରେ ପରିଚୟ ଦେଇଛନ୍ତି । ପୁଣି ଧର୍ମକର୍ମହୀନ ‘ବୌତଲିକ’ ଟୋକା ହାକିମକୁ ଖୁସି କରିବାକୁ ଯାଇ ଧର୍ମ ନିରପେକ୍ଷ ଏବଂ ଜାତୀୟ ସଂହତିର ପୃଷ୍ଠପୋଷକ ସ୍ଵରୂପ ଜୀବନ ମହମ୍ମଦ ପ୍ରଶାନ୍ତ ପ୍ରଧାନ ନାମରେ ପରିଚିତ ହୋଇଛନ୍ତି । ଅବସର ପରେ ସତ୍ୟପାଠ ପୂର୍ବକ ଜାକବ ଉଇଲିୟମ୍‌ସରେ ପରିଣତ ହୋଇଛନ୍ତି । ଚର୍ଚ୍ଚରେ ଚାକିରି ପାଇବା ପରେ ହଠାତ୍‌ ତାଙ୍କ ମନରୁ ଧର୍ମ ନିରପେକ୍ଷତା ଓ ଜାତୀୟ ସଂହତି ଭାବ କୁଆଡ଼େ ଉଭାନ୍‌ ହୋଇଯାଇଛି । ସ୍ଵାଧୀନତା ପରେ ଯଦି ଭାରତବର୍ଷରେ କୌଣସି ଗୋଟିଏ ଗୋଷ୍ଠୀ ବିଶେଷ ଲାଭବାନ ହୋଇଥାନ୍ତି, ସେମାନେ ହେଉଛନ୍ତି ବୁରୋକ୍ରାଟ । ‘ପ୍ରେମ’ ଗଳ୍ପରେ ଗାଳ୍ପିକ ଏହି ବୁରୋକ୍ରାଟ ଚରିତ୍ରଙ୍କ ଯଥାର୍ଥ ଆକଳନ କରି କହିଛନ୍ତି- ‘‘କିନ୍ତୁ ମୁଁ ଆଇ.ଏ.ଏସ୍‌ । ସ୍ୱାସ୍ଥ୍ୟ ବିଭାଗ ସଙ୍ଗେ ସଙ୍ଗେ ଶିକ୍ଷା ବିଭାଗର ସଚିବ ହୋଇପାରେ, କୋଠାବାଡ଼ି, ବାଟଘାଟ ତିଆରି ବିଭାଗରୁ ସାଂସ୍କୃତିକ ବିଭାଗକୁ ଡିଆଁ ମାରି ଦେଇପାରେ । ଚାଉଳ, କିରାସିନି, ଚିନି ଯୋଗାଣ କରୁ କରୁ ରାତାରାତି ଲୁହା, କୋଇଲା, ମାଙ୍ଗାନିଜ, ଗ୍ରାଫାଇଟ୍‌, ଭେନେ ଡିୟମ, ଗେଙ୍ଗୁଟି ମାଟି ଖଣି ଭିତରକୁ ପଶି ସେ ସବୁର କର୍ତ୍ତୃତ୍ୱ ମୁଣ୍ଡାଇ ବସି ପାରେ । ଆଉ ଗୋଟାଏ ସାହିତ୍ୟ ସଂଗଠନର ସଭାପତି ହୋଇପାରିବି ନାହିଁ ?’’ ଉଗ୍ର ଆଧୁନିକତା ଓ ଭୋଗବାଦୀ ଚିନ୍ତାଧାରା ଆମର ପାରମ୍ପରିକ ଜୀବନ ବୋଧ ଏବଂ ପାରିବାରିକ ଜୀବନକୁ କିପରି ବିପର୍ଯ୍ୟସ୍ତ କରି ଚାଲିଛି, ତାର ସାର୍ଥକ ଉଦାହରଣ ‘ୱାଇଫ’ ଗଳ୍ପର ନମିତା ଦାସ । ‘କବିଙ୍କ ନାତି’ ଗଳ୍ପରେ ସାଂପ୍ରତିକ କବିତାର ବ୍ୟଙ୍ଗୋକ୍ତି କରାଯିବା ସଙ୍ଗେ ସଙ୍ଗେ କବି ଯଶପ୍ରାର୍ଥୀ ଅକବିଗଣ କବିତାକୁ ହତ୍ୟା କରି ଚାଲିଛନ୍ତି, ତାର ଉଦାହରଣ ରହିଛି । ଆଜି ଯଦି କବିତାର ଏପରି ଦୁର୍ଭାଗ୍ୟ ଆସିଥାଏ, ତାହା କେବଳ ଏହିପରି କେତେଜଣ ସ୍ଵୀକୃତି କାଙ୍ଗାଳ ଅକବିକଙ୍କ ଯୋଗୁଁ ସମ୍ଭବ ହୋଇଛି ।

 

ରାମପ୍ରସାଦଙ୍କ ଗଳ୍ପ ଆମ ସାମାଜିକ ବିବର୍ତ୍ତନ ଧାରାର ଏକ ଏକ ସଫଳ ଉଦାହରଣ । ସାମ୍ୟବାଦୀ ଚେତନା, ସାମାଜିକ ବାସ୍ତବତା ଓ ମାନବବାଦୀ ଚିନ୍ତାଧାରାର ଅପୂର୍ବ ସମନ୍ୱୟ ରାମପ୍ରସାଦଙ୍କ ଗଳ୍ପ ଜଗତ । ରାମପ୍ରସାଦଙ୍କ ପ୍ରାଥମିକ ଗଳ୍ପଗୁଡ଼ିକରେ ସମାଜବାଦୀ ଚିନ୍ତାଧାରା ପ୍ରମୁଖ ଭୂମିକା ଗ୍ରହଣ କରିଛି । ଗାଳ୍ପିକ ଶୋଷଣ ଓ ଅନ୍ୟାୟର ମୂଳ କାରଣ ରୂପେ ସମାଜର ଜମିଦାର, ସାହୁକାର, ଧର୍ମ ବା ସରକାରୀ ନୀତିନିୟମ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହା ବ୍ୟତୀତ ତାଙ୍କର ଗୋଟିଏ ଗଳ୍ପ (ପ୍ରଶ୍ନ)ରେ ବିଶ୍ୱଯୁଦ୍ଧକାଳୀନ ଆର୍ଥିକ ସଂକଟ ଏବଂ ଖାଦ୍ୟାଭାବ ପ୍ରଦର୍ଶିତ ହୋଇଥିବାବେଳେ ସାଧାରଣ ମଣିଷର ଦୁଃସହ ଜୀବନ ଯନ୍ତ୍ରଣା ବେଶ ମାନବିକ ଦୃଷ୍ଟିକୋଣରୁ ଆଲୋଚିତ । ବିଶ୍ୱଯୁଦ୍ଧର କ୍ରୁରତା ଓ ଅମାନବିକ କ୍ରିୟାକଳାପକୁ ଲକ୍ଷ୍ୟ କରି ସେ କହିଛନ୍ତି- ‘‘ମୋ କାନରେ ବାଜିଉଠେ ସହସ୍ର ପରିବାରର କ୍ରନ୍ଦନରୋଳ, ଆଖି ଆଗରେ ଭାସି ଉଠେ ମୃତ ଓ ଆହତ ମନୁଷ୍ୟର ଛବି । ଆଉ ଭାବେ, ଏଇଟା ନ ହେଲେ କଅଣ ଦୁନିଆଁ ଚଳନ୍ତା ନାହିଁ । ଉତ୍ତର ସତୁରୀ ଗଳ୍ପରେ ମଣିଷର ଅହଂ, ବ୍ୟକ୍ତିବାଦୀ ଚିନ୍ତାଧାରା ସହିତ ବସ୍ତୁବାଦୀ ଦୃଷ୍ଟିଭଙ୍ଗୀ ଆମର ସାମାଜିକ ଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି, ତାର ସୂଚନା ପ୍ରଦତ୍ତ । ଏହା ସତ୍ତ୍ୱେ ମଣିଷ ମନର ଦରଦୀ ଓ ମାନବିକ ଭାବଧାରାକୁ ଗାଳ୍ପିକ ଅସ୍ଵୀକାର କରିପାରିନାହାନ୍ତି । ଜଗୁଆ ମା’, କଣ୍ଡୁରୀ ନାୟକ ଆଦି ଚରିତ୍ର ନିଶ୍ଚିତ ଭାବରେ ଏହି ଦୃଷ୍ଟିକୋଣରୁ ଗୋଟିଏ ଗୋଟିଏ ସାର୍ଥକ ଚରିତ୍ର । ବିବାସିନୀ ଓ ସୁଜାତା ଚରିତ୍ର ମଧ୍ୟରେ ମଣିଷର ନିଃସଙ୍ଗତା ଓ ଅତୃପ୍ତ କାମନାର କରୁଣ ସ୍ଵର ଉଚ୍ଚାରିତ । ସ୍ଵାଧୀନତାର ସ୍ୱପ୍ନଭଙ୍ଗ ଓ ଗଣତନ୍ତ୍ରର ବିପର୍ଯ୍ୟସ୍ତ ରୂପକୁ ଗାଳ୍ପିକ ରୂପ ପ୍ରଦାନ କରିବା ସମୟରେ ସାମସମୟିକ ସମାଜର କେତୋଟି ବାସ୍ତବ ଦିଗକୁ ଆମ ସମୁଖରେ ତୋଳି ଧରିଛନ୍ତି । ସଂକ୍ଷେପରେ କହିଲେ ସ୍ଵାଧୀନତା ପୂର୍ବରୁ ସାମାଜିକ ଅବ୍ୟବସ୍ଥା, ଶୋଷଣ ଏବଂ ସ୍ଵାଧୀନତା ପରବର୍ତ୍ତୀ ସମୟର ସାମାଜିକ, ସାଂସ୍କୃତିକ, ରାଜନୀତିକ ସ୍ଥାଣୁତା; ବିଡ଼ମ୍ବିତ ଜୀବନବୋଧ; ମୂଲ୍ୟବୋଧର ଅବକ୍ଷୟ ଓ ସାମାଜିକ ଦୋଷ ଦୁର୍ବଳତା ହିଁ ହୋଇଛି ରାମପ୍ରସାଦଙ୍କ କ୍ଷୁଦ୍ରଗଳ୍ପର ମୌଳିକ ଉପାଦାନ । ତାଙ୍କର କେତୋଟି ଗଳ୍ପ ପ୍ରଚାରଧର୍ମୀ ଓ କଳାରହିତ ହୋଇଥିଲେ ହେଁ ତାର ସାମାଜିକ ଆବେଦନକୁ ଅସ୍ୱୀକାର କରାଯାଇ ନପାରେ ।

 

 

ପ୍ରଫେସର ଓ ବିଭାଗୀୟ ମୁଖ୍ୟ

ଓଡ଼ିଆ ବିଭାଗ, ସମ୍ବଲପୁର ବିଶ୍ଵବିଦ୍ୟାଳୟ

ଜ୍ୟୋତିବିହାର, ବୁର୍ଲା-୭୬୮୦୧୯

 

***

 

ପୂର୍ବ ଭାରତୀୟ ସାହତ୍ୟ ଓ ସଂସ୍କୃତିରେ କୃଷିକାରୀ ଶିବ

ଡକ୍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ

 

ପୂର୍ବ ଭାରତରେ ଲୋକାୟତ ସ୍ତରରେ ଶିବ କୃଷକ- ଦେବତା ଭାବେ ବିଭିନ୍ନ ପୁରାଣ, ଲୋକକାହାଣୀ ଓ ଲୋକଗୀତରେ ଚିତ୍ରିତ । ମୂଳରୁ ଶିବଙ୍କ କଳ୍ପନା ଏପରି କରାଯାଇଛି ଯେ ତାଙ୍କର ଶରୀରଗଠନ, ବେଶଭୂଷଣ, ସ୍ୱଭାବପ୍ରକୃତି ଆଦିରେ ଏକ ଲୌକିକତାର ଆଭାସ ପ୍ରକଟିତ-। ଶିବ ତ୍ରିନେତ୍ର, ଜଟାଜୂଟଧାରୀ, ଭସ୍ମ ବିଲେପିତ, ବ୍ୟାଘ୍ର ଚର୍ମାବୃତ, କୌପୀନଧାରୀ, ଶ୍ମଶାନବାସୀ, ଗୃହହୀନ ଓ ଯାଯାବର । ଏହି କୌଳିନ୍ୟହୀନ ଦେବତା କିନ୍ତୁ କୃଷି- ନିର୍ଭର ଗ୍ରାମବାସୀମାନଙ୍କର ଅତ୍ୟନ୍ତପ୍ରିୟ, ସର୍ବାଧିକ ଶ୍ରଦ୍ଧା ଓ ଭକ୍ତିଭାଜନ । ଅଧିକାଂଶ ଗ୍ରାମରେ ଶିବମନ୍ଦିରର ସ୍ଥିତି ବହୁକାଳର-। ପୁଣି ଶିବଙ୍କର ପୂଜକଭାବେ ମୂଳତଃ ମାଳୀ ଆଦି ନିମ୍ନଜାତିର ବ୍ୟକ୍ତି ପାରମ୍ପରିକ ଭାବେ ନିୟୋଜିତ । ଗ୍ରାମର ସମସ୍ତ ଭଲମନ୍ଦ, ହାନିଲାଭର ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି ଶିବ, ସେ ଗ୍ରାମୀଣ ଲୋକଙ୍କ ମଙ୍ଗଳବିଧାନକାରୀ ରୂପେ ପୂଜିତ । ଗ୍ରାମର କୃଷିକର୍ମ, ବିବାହ, ଉତ୍ସବ, ନାଟ୍ୟାନୁଷ୍ଠାନ ପ୍ରଭୃତି ସମାହିତ ହୁଏ ଶିବଙ୍କ ଆରାଧନାରେ ।

 

କେବଳ ଶୈବକାବ୍ୟ ଓ ପୁରାଣ ନୁହେଁ, ଅନ୍ୟାନ୍ୟ କାବ୍ୟ ଓ ପୁରାଣରେ ଶିବଙ୍କୁ ଗୋଟିଏ ଦିଗରେ ମହାଶକ୍ତିଶାଳୀ ଦେବତାଭାବେ ବର୍ଣ୍ଣନା କରାଯାଇଥିବାବେଳେ ଅନ୍ୟ ଦିଗରେ ତାଙ୍କୁ ମର୍ତ୍ତଭୋଳା, ସଂସାର ଅନାସକ୍ତ, ଅପରିଣାମଦର୍ଶୀ ଓ ଉପସ୍ଥିତ ବୁଦ୍ଧିହୀନ ଭାବେ ବର୍ଣ୍ଣନା କରାଯାଇଛି । ଏପରିକି କାଳିଦାସ ‘କୁମାର ଉତ୍ସବ’ରେ ତପସ୍ୟାରତ ଉମାଙ୍କ ସମ୍ମୁଖରେ ଛଦ୍ମବେଶୀ ସନ୍ନ୍ୟାସୀଙ୍କ ମୁଖରେ ଶିବଙ୍କର ଏହି ଧନହୀନତା ହିଁ ତାଙ୍କୁ ଗ୍ରାମର ଦରିଦ୍ର ଲୋକମାନଙ୍କର ନିକଟବର୍ତ୍ତୀ କରିଛି । ସେମାନେ ନିଜ ଜୀବନର ସାଦୃଶ୍ୟ ଶିବଙ୍କଠାରେ ଦେଖିଛନ୍ତି-। ଲୋକକଳ୍ପନାରେ ଶିବ କ୍ରମଶଃ କୃଷକଦେବତା, ଭାବେ ଚିହ୍ନିତ ହୋଇଯାଇଛନ୍ତି ।

 

ଓଡ଼ିଆ ଲୋକଗୀତରେ ଶିବ ଜଣେ ଲଙ୍ଗଳଧାରୀ କୃଷକଭାବେ ଚିତ୍ରିତ । ସେ ଜଣେ ଅଭାବୀ କୃଷକ । ହଳ କରିବାକୁ ସେ ନିତି କୃଷିକ୍ଷେତ୍ରକୁ ଯାଆନ୍ତି । ଦିନେ ଖରାରେ ହଳ କରି କରି ଶିବ କ୍ଳାନ୍ତ, ଶ୍ରାନ୍ତ । ଘର୍ମାକ୍ତ ଅବସ୍ଥାରେ ‘ହଡ଼ାକୁ ପେଲିପେଲି ମୋ ଦେହରେ ଜ୍ଞାନ ନାହିଁ’ । ମଧ୍ୟାହ୍ନବେଳକୁ ପ୍ରଚଣ୍ଡ କ୍ଷୁଧାରେ ଅସ୍ଥିର ହୋଇପଡ଼ିଛନ୍ତି । ଏତେବେଳକୁ ପାର୍ବତୀ ଏ ଘଟଣା (ବିଲମୁଣ୍ଡକୁ ନିଆଯାଉଥିବା ମଧ୍ୟାହ୍ନର ଖାଦ୍ୟ) ଆଣି ପହଞ୍ଚିନାହାନ୍ତି । ଖାଦ୍ୟ ପହଞ୍ଚୁ ନ ଥିବାରୁ କ୍ଷୁଧାରେ ଅସ୍ଥିର ଶିବଙ୍କ କ୍ରୋଧ ପଞ୍ଚମକୁ ଉଠିଲାଣି । ଏତିକିବେଳେ କୃଷକପତ୍ନୀ ପାର୍ବତୀ ଏ ଘୋଟଣାଧରି ପହଞ୍ଚିଲେ । ଶିବ ଭର୍ତ୍ସନା କରି ବିଳମ୍ବର କାରଣ ପଚାରିବାରୁ ପାର୍ବତୀ ପିଲାଙ୍କ ଜବାଳ କଥା କହିଲେ । କିନ୍ତୁ ଏଥିରେ ଶିବ ଅଧିକ କ୍ରୁଦ୍ଧ ହୋଇ ପାର୍ବତୀଙ୍କ ବାଳ ଟାଣି ଆଣି ମାଡ଼ ମାରିଛନ୍ତି । ଏଠାରେ ଶିବପାର୍ବତୀ ଦେବଦେବୀ ନୁହଁନ୍ତି । ଗ୍ରାମୀଣ କୃଷକ ଓ କୃଷକପତ୍ନୀ ନିମ୍ନ ପ୍ରଦତ୍ତ ଅଂଶରେ ଦରିଦ୍ର ନିରନ୍ନ ଚାଷୀ ପରିବାରର ଏକ ଜୀବନ୍ତ ଚିତ୍ର ପ୍ରତିଫଳିତ ।

 

ଘୋଟଣା ଧରି ପାର୍ବତୀ ବଉଳମୂଳେ ଠିଆ

ତା ଦେଖି ଈଶ୍ଵର ହଳ କଲେ ଠିଆ ।

‘କିଲୋ ଘୋଟଣା ଉଚ୍ଛୁର’

ଜାଣନା କି ପ୍ରଭୁ ପିଲାଙ୍କ ଜଞ୍ଜାଳ ।

 

ପଦେ ଅଧେ ହେଉ ଲାଗିଲା ମହାଗୋଳ

ଈଶ୍ଵର ଧଇଲେ ପାର୍ବତୀଙ୍କ ବାଳ ।

ଛିଡ଼ିଯିବ ନଖେ କି ଚଉଁରି

ଦୁସୁରି ଚୀନାମାଳ ଯେ ।

 

ସାରଳା ମହାଭାରତ ଶୈବଧର୍ମ ଅନୁପ୍ରେରିତ ନ ହେଲେ ମଧ୍ୟ ଏହାର ବିଭିନ୍ନ ସ୍ଥାନରେ ଶିବଙ୍କ ସ୍ତୁତିଗାନ ସହ ଶିବ ସମ୍ବନ୍ଧିତ ଆଖ୍ୟାନମାନ ସଂଯୋଜିତ । ଗୋଟିଏ ସ୍ଥାନରେ ବ୍ରାହ୍ମଣପୁତ୍ର ନିର୍ମଳ ପରାଣପୁଷ୍ଟ ହୋଇ ଭିକ୍ଷାନ୍ନଦ୍ୱାରା ବଞ୍ଚିବାକୁ ଚାହିଁ ନାହିଁ । ବେଦମନ୍ତ୍ର ଛାଡ଼ିଦେଇ ନିଜେ କୃଷିକର୍ମ ଦ୍ଵାରା ବଞ୍ଚିବାକୁ ମନସ୍ଥ କରି ଶିବଙ୍କୁ ଅନ୍ୟ କୌଣସି ବର ପ୍ରାର୍ଥନା ନ କରି କହିଛି - ‘‘ହୋ ବିଶ୍ଵନାଥ ମୋତେ ପ୍ରସନ୍ନ ହୋଇବା । ଏ ଭାରଥ ଖଣ୍ଡେ ମୋତେ କୃଷି ବୃତ୍ତି ଦେବା ।’’ (ଆର୍ତ୍ତବଲ୍ଲଭଙ୍କ ସଂପାଦିତ ମହାଭାରତର ମଧ୍ୟପର୍ବ ପୃ-୩୩, ପଦ-୩୦) । ଶିବ ଯେ କୃଷକଦେବତା ରୂପେ ପାରମ୍ପରିକଭାବେ ପୂଜିତ ହୋଇ ଆସୁଛନ୍ତି, ତାହା ପଞ୍ଚଦଶ ଶତାବ୍ଦୀରେ ରଚିତ ସାରଳା ମହାଭାରତରୁ ପ୍ରମାଣିତ ହୁଏ । ଦ୍ୱାଦଶ - ତ୍ରୟୋଦଶ ଶତାବ୍ଦୀ ବିଶେଷ ଭାବେ ସୋମବଂଶର ରାଜତ୍ଵକାଳ ଶୈବଧର୍ମ-ପ୍ରାଧାନ୍ୟର କାଳ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ପ୍ରତିଷ୍ଠା ସହିତ ବହୁ ଛୋଟ ବଡ଼ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ପ୍ରତିଷ୍ଠା ଯଯାତି କେଶରୀଙ୍କଠାରୁ ଆରମ୍ଭ କରି ଲଲାଟେନ୍ଦୁ କେଶରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ରାଜାମାନଙ୍କର କୀର୍ତ୍ତି । ଏହି ସମୟରେ ରାଜ୍ୟର ବିଭିନ୍ନ ଗ୍ରାମରେ ଶିବମନ୍ଦିରର ସ୍ଥିତି ସୂଚାଇଦିଏ ଯେ ଶିବ ଥିଲେ ଗ୍ରାମୀଣ ଜନତାର ନିକଟତମ ଦେବତା । ଏହି ନୈକଟ୍ୟ ହିଁ ତାଙ୍କୁ ଲୋକାୟତ ଶ୍ରେଣୀରେ ଗ୍ରାମୀଣଦେବତା ରୂପେ ପ୍ରତିଷ୍ଠିତ କରିଛି ।

 

ଗଞ୍ଜାମ ଜିଲ୍ଲାର ଖଲିକୋଟ ଅଞ୍ଚଳରେ ପ୍ରତିଷ୍ଠିତ ଲଙ୍ଗଳେଶ୍ଵର ମନ୍ଦିର ସମ୍ପର୍କିତ କିମ୍ବଦନ୍ତୀ ଶିବଙ୍କୁ ଲଙ୍ଗଳଧାରୀ ଭାବେ ପରିଚିତ କରାଏ । ଗଞ୍ଜାମର ସୁମା ଅଞ୍ଚଳର ଲୋକେ ଅକ୍ଷୟ ତୃତୀୟା ଦିନ ଗ୍ରାମ୍ୟ ମୁଖିଆଙ୍କ ସହିତ ଗ୍ରାମର ଶିବଙ୍କୁ ଦର୍ଶନ କରି ମୁଠି ଅନୁକୂଳ କରିବାକୁ ଯାଆନ୍ତି । କ୍ଷେତ ଉପରେ ଶିବଙ୍କ ପୂଜା ଆରାଧନା କରାଯାଇ ଧାନବୁଣା ଆରମ୍ଭ ହୁଏ । ଏହା ଶିବଙ୍କର କୃଷି ସଂପୃକ୍ତି ପ୍ରାଣ କରେ । ଜଳେଶ୍ଵର ଅଞ୍ଚଳର ଲଙ୍ଗଳେଶ୍ୱର ଗ୍ରାମରେ ପ୍ରତିଷ୍ଠିତ ଲଙ୍ଗଳେଶ୍ଵର ମନ୍ଦିରର ଶିବ ତାଙ୍କର ବାସୁଆବଳଦ ସହିତ ଯମଙ୍କ ମଇଁଷିକୁ ଯୋଡ଼ି ହଳ କରୁଥିଲେ । ଶିବ ମନ୍ଦିରର ସମ୍ମୁଖରେ ବାସୁଆବଳଦ ଓ ପାର୍ଶ୍ଵଭାଗରେ ମଇଁଷିର ମୁଣ୍ଡ ଆକୃତିରେ ତିଆରି ପଥରର ଲଙ୍ଗଳମୁଣ୍ଡା ରହିଛି । ଶିବ ଏହି ଲଙ୍ଗଳରେ ଚାଷ କରୁଥିଲେ ବୋଲି ଲୋକେ କହନ୍ତି । ପାର୍ବତୀଙ୍କ ଉପଦେଶକ୍ରମେ ଶିବ କୃଷିକର୍ମକୁ ଜୀବିକାଭାବେ ଗ୍ରହଣ କରି ନେଇଥିବାର କୌତୁକପୂର୍ଣ୍ଣ ଲୋକ କିମ୍ବଦନ୍ତୀ ଏଠାରେ ପ୍ରଚଳିତ । କିମ୍ବଦନ୍ତୀ ଅନୁସାରେ ଜଳେଶ୍ଵର ଅଞ୍ଚଳରେ ଥିବା ‘ଷୋଳଶା ପାଣ୍ଠ’ ନାମକ ଷୋଳକୋଶ ପରିମିତ ଜମିରେ ଶିବ ଚାଷ କରୁଥିଲେ । ଲଙ୍ଗଳେଶ୍ୱର ନିକଟରେ ଥିବା କେତେକ ଗ୍ରାମର ନାମ ଶିବଙ୍କ କୃଷିକର୍ମର ସୂଚନା ବହନ କରେ, ଯଥା- ବାଟିଆଡିହା, ବଣିଆଡିହା, ଗଂଜେଶ୍ୱର, ଜଳେଶ୍ଵର, ବିଶ୍ଵନାଥପୁର, କାଳିପଦା ପ୍ରଭୃତି । ସ୍ଥାନୀୟ ଦଣ୍ଡନାଟ ଶିବପାର୍ବତୀ ଦାୟିକା, ଗୀତରେ ଶିବଙ୍କ କୃଷିକର୍ମର ବିସ୍ତୃତବର୍ଣ୍ଣନା ରହିଛି । ଏଥିରେ ଚାଷବାସ କରିବା ଗୃହସ୍ଥର ଉପଯୁକ୍ତ ଧର୍ମ ବୋଲି କୁହାଯାଇ କୃଷିକର୍ମକୁ ଗୁରୁତ୍ୱ ଦିଆଯାଇଛି ।

 

ପାର୍ବତୀ -

‘ଶୁଣହେ ସୁଜନ ଦେଇ ମନକର୍ଣ୍ଣ ବିଚିତ୍ର ପବିତ୍ର କଥା

ଏକାନ୍ତରେ ଦିନେ କାନ୍ତକୁ ଚାହଁ ବୋଲନ୍ତି ଜଗତମାତା ।

ଭୋକ ଉପାସରେ ଦିନ କାଟିଗଲୁ ଡାଙ୍ଗୁଆ ଦୁଇ ପରାଣୀ

ଛୁଆପିଲା ଏବେ ଦୁଇଟି ହୋଇଲେ କି ଖାଇ ବଞ୍ଚିବୁ ପୁଣି ।

ଆହେ କୃତ୍ତିବାସ କର ଚାଷ ବାସ ଛାଡ଼ ଏ ଭିକ୍ଷା ବୃତ୍ତିକି

କୁଟୁମ୍ବ ବହୁତ ଦୁଃଖତ ନ ଗଲା କହୁଛି ନାଥ ଏତିକି ।

 

ଶିବ-

ନାହିଁ ଭୂମି, ନାହିଁ ବୀଜ କି ଲଙ୍ଗଳ ନାହିଁ ତ ଜୁଆଳି ସଜ

ଚାଷ କରିବାର ଅସଲ ମୂଳଟି ହଳିଆ ଦୁଇଟି ଖଞ୍ଜ ।

 

ପାର୍ବତୀ-

ଯମର ମହିଷ ଆମ୍ଭ ବୁଢ଼ାବୃଷ ଏ ଦୁହେଁ କରିବେ ହଳ

କଳ କୌଶଳରେ ବଳରାମଠାରୁ ବହନ ଆଣ ଲଙ୍ଗଳ

ତୁମ୍ଭର ଆୟୂଧ ତ୍ରିଶୂଳ ସେଇଟି ହୋଇବ ଲଙ୍ଗଳ ଫାଳ ।

 

ଏଇକଥା କର ହର, ଭିକ୍ଷାବୃତ୍ତି କର ଦୂର

ଚାଷ ବାସ ଆଶ ବିହିତ ଧର୍ମ ଗୃହୀର ।’’

- (ଲଙ୍ଗଳେଶ୍ଵର ଅଞ୍ଚଳରୁ ସଂଗୃହୀତ)

 

ଏହା ସହିତ ଆଉ ଏକ କିମ୍ବଦନ୍ତୀ ସଂଯୁକ୍ତ ରହିଛି-

ଭୋଳାନାଥ ଶିବ କୃଷିକର୍ମରେ ଏପରି ମଜ୍ଜି ଯାଇଛନ୍ତି ଯେ, ଶସ୍ୟଶ୍ୟାମଳା ସୁଫଳା ଧାନକ୍ଷେତକୁ ଦେଖି ଆଉ ଘରକୁ ଫେରିନାହାନ୍ତି । ଶେଷରେ ପାର୍ବତୀ କେଉଟୁଣୀ ବେଶରେ ତାଙ୍କୁ ବଶୀଭୂତ କରି ଘରକୁ ଫେରାଇ ଆଣିଛନ୍ତି ।

 

ଶୈବଧର୍ମ ପ୍ରଭାବିତ ପ୍ରାଚୀନ ଲୋକନାଟ୍ୟ ଦଣ୍ଡନାଟର ଧୂଳିଦଣ୍ଡ ଅଂଶରେ ଶିବଜଣେ ବଡ଼ ଚାଷୀ ଭାବେ କଳ୍ପିତ । ଦଣ୍ଡୁଆମାନେ ଚାଷୀଭାବେ ପ୍ରଚଣ୍ଡ ଦ୍ୱିପ୍ରହର ଖରାରେ ଧୂଳିଧୂସରିତ ହୋଇ ଶିବଙ୍କ ଜମି ଚାଷ କରିବାର ଅଭିନୟ କରନ୍ତି । ଏହି ଧୂଳିଦଣ୍ଡରେ ହଳବୁଲା, ଧାନବୁଣା, ବିଲବଛା, ହିଡ଼ଦିଆ, ଧାନକଟା, ଧାନ ଅମଳ ଆଦି ଅଭିନୀତ ହୁଏ । ଗ୍ରାମାଞ୍ଚଳରେ ହେଉଥିବା ଧାନଚାଷ ସହିତ ଏହି କୃଷିକର୍ମ ଅଭିନୟର ଏକ ନିବିଡ଼ ଯୋଗ ଲକ୍ଷିତ ହୁଏ । କଳାହାଣ୍ଡି ଅଞ୍ଚଳରେ ଦଣ୍ଡନାଟର ପୂର୍ବରଙ୍ଗରେ ଶିବ ଜମିଚାଷ କରୁଥିବାର ଅଭିନୟ ପ୍ରଥମେ ପ୍ରଦର୍ଶିତ ହୁଏ । ତା’ପରେ ଶିବ ଚାଷ କରିଥିବା ଭୂମି ଉପରେ ବିଧିବଦ୍ଧ ଅଭିନୟ ଆରମ୍ଭ କରାଯାଏ । କୋରାପୁଟ ଅଞ୍ଚଳରେ ଆଦିବାସୀ ସଂପ୍ରଦାୟ ପ୍ରଯୋଜିତ ଭୀମାଯାତ୍ରାର ଭୀମା କୃଷିଦେବତା ଭାବେ ପୂଜିତ ହୁଅନ୍ତି । ଧାନଫସଲ ଉଠିବା ପରେ ଭୀମା ଯାତ୍ରା ଉତ୍ସବରେ ନୂଆ ଚାଉଳରୁ ପ୍ରସ୍ତୁତ ଖାଦ୍ୟପଦାର୍ଥକୁ ଭୀମାଙ୍କୁ ନୈବେଦ୍ୟୈ ରୂପେ ଦିଆଯାଏ । ଏହି ଭୀମା ହେଉଛନ୍ତି ପ୍ରକୃତପକ୍ଷେ ମହାଦେବ । କାରଣ ମହାଦେବଙ୍କର ଅନ୍ୟ ଏକ ନାମ ହେଉଛି ଭୀମ । ଏହି ସମସ୍ତ ଅଭିନୟ ଓ ଧର୍ମୀୟ ଲୋକାଚାରକୁ ବିଚାରକୁ ନେଲେ ଶିବ ଯେ ଓଡ଼ିଶାର ଲୋକମାନସରେ କୃଷକଦେବତା ଭାବେ ପ୍ରତିଷ୍ଠିତ ହୋଇଆସୁଛନ୍ତି, ଏ ଧାରଣା ଦୃଢ଼ୀଭୂତ ହୁଏ । ଷଢ଼େଇକଳା ଛଉର ‘ମାଟିର ମଣିଷ’ ନୃତ୍ୟରେ କୃଷକ ଓ କୃଷକପତ୍ନୀ ଚରିତ୍ର ଦୁଇଟି ଶିବ ଓ ପାର୍ବତୀଙ୍କ ପ୍ରତୀକ । ସେମାନଙ୍କ ବେଶ ପୋଷାକ ଶିବପାର୍ବତୀଙ୍କ ପ୍ରତୀତି ସୃଷ୍ଟିକରେ । ଶିବ ଆରାଧନାମୂଳକ ଧୂଳିଦଣ୍ଡ ପରି ଏଠାରେ କୃଷକ କୃଷକପତ୍ନୀ ଲଙ୍ଗଳରେ ଚାଷ କରିବା, ଧାନବୁଣିବା, ତଳି ରୋଇବା, ବିଲ ବାଛିବା, ଖେଳୁଆ ପକାଇବା, ଦାନ କାଟିବା, ବେଙ୍ଗଳା ପକାଇବା, ଧାନ ଉଡ଼ାଇବା, ଧାନ ପାଛୁଡ଼ିବା ଇତ୍ୟାଦି ଦୃଶ୍ୟର ଅଭିନୟ କରନ୍ତି ।

 

ବଙ୍ଗଳା ସାହିତ୍ୟରେ ରାଗେଶ୍ଵରଙ୍କ ‘ଶିବାୟନ’ କାବ୍ୟରେ ମହାଦେବ ଶିବ ଜଣେ ଅଭାବଗ୍ରସ୍ତ କୃଷକ ଓ ପାର୍ବତୀ କୃଷକପତ୍ନୀ ଭାବେ ଚିତ୍ରିତ । ଶିବ ଦିନ ଦିନ ଦରି କଠିନ ପରିଶ୍ରମ କରି କ୍ଷେତରେ ସୁନ୍ଦର ଧାନଫସଲ ଠିଆ କରାଇଦେଇଛନ୍ତି । ଏହି ସମୟ ଚାଷୀର ଆନନ୍ଦର ସମୟ । ତା’ ମନରେ କେତେ କଳ୍ପନା; ଧାନ ଅମଳ ହୋଇଗଲେ ସବୁ ଅଭାବ ତା’ର ପୂର୍ଣ୍ଣ ହୋଇଯିବ । ଆବଶ୍ୟକୀୟ ସାମଗ୍ରୀ ଯେତେ, ସବୁ ସେ ବର୍ତ୍ତମାନ କିଣିଦେଇପାରିବ । କୃଷକପତ୍ନୀ ମନରେ ମଧ୍ୟ କେତେ ଆଶା, କେତେ ସ୍ୱପ୍ନ । ଭଲ ଫସଲ ହୋଇଛି, ସ୍ୱାମୀଙ୍କୁ କହି ଏଥର ସୁନାଗହଣା ଦିଖଣ୍ଡ ଅନ୍ତତଃ ଗଢ଼ାଇ ଦେଇ ପାରିବ । ପାର୍ବତୀ କୃଷିକାରୀ ପତି ଶିବଙ୍କୁ ଏଇ ସୁଯୋଗରେ ଶଙ୍ଖାଦୁଇଟି ଗଢ଼ାଇଦେବାକୁ ଅନୁରୋଧ କରିଛନ୍ତି ।

 

ଦୁଃଖିନୀର ହାତେ ଦେହ ଶଙ୍ଖଚୁଡ଼ି ବାଇ

କୃପାକର କାନ୍ତ ଆଉ କିଛି ଚାଇ ନାଇ ।

ଲବ୍ଧାୟ ଲୋକେର କାଛେ ଦାଁଡାଇୟା ରଇ

ହାତ ନାଡ଼ା ଦିୟା ବାଡ଼ା କଥା ନାହି କହି ।

 

(ସ୍ଵାମୀ ଭଲ ଫସଲ ହୋଇଛି । କିଛି ମୁଁ କହୁନି, ଏତିକି ଟିକିଏ ମୋତେ ଦୟା କର । ଏ ଦୁଃଖିନୀ ହାତରେ ସୁନାର ଶଙ୍ଗା ଦିଟା ପିନ୍ଧାଇ ଦିଅ । ଶଙ୍ଖା ନ ଥିବାରୁ ଲାଜରେ ଲୋକଙ୍କ ସାମନାକୁ ଯାଇପାରୁନି । ହାତ ହଲେଇ ବଡ଼ ବଡ଼ କଥା କହି ପଡ଼ୋଶିନୀଙ୍କ ଆଗରେ ଗର୍ବ ଦେଖେଇପାରୁନି ।) ଶିବ ପାର୍ବତୀଙ୍କର ଏ ସୋହାଗଭରା ଅନୁରୋଧର ମୂଲ୍ୟ ବା ବୁଝିବେ କ’ଣ ? ତାଙ୍କର ଦାରିଦ୍ର୍ୟ ତାଙ୍କ ପାଇଁ ବଡ଼ । ନିଜର ଦାରିଦ୍ୟକୁ ନ ଘୁଞ୍ଚାଇ ବିଳାସ କରିବେ କେମିତି ? ଜଣେ ସାଧାରଣ କୃଷକ ଯେମିତି ପତ୍ନୀର ହୃଦୟ ବୁଝେ ନାଇଁ, ତା’ର ଅଳି ଅର୍ଦ୍ଦଳିକୁ ଗ୍ରାହ୍ୟ କରେ ନାହିଁ, ଶିବ ସେପରି ନିଷ୍ଠୁର ଭାବେ ପାର୍ବତୀଙ୍କର ଏ ସାମାନ୍ୟ ଅନୁରୋଧକୁ ନିଜର ଦ୍ରାରିଦ୍ର୍ୟ ସୂଚାଇ ପ୍ରତ୍ୟାଖ୍ୟାନ କରିଛନ୍ତି ।

 

ଶଙ୍ଖେର ସମ୍ବାଦ କଲି ଶୁନ ଶୈଲସୁତା ।

ଅଭାଗାର ଘରେ ଏ କି ଅସମ୍ଭବ କଥା ।

ଗୃହସ୍ଥ ଗରିବ ତା’ର ସାତ ଗାଁଆ ତେନା ।

ସୋହାଗୀ ମାଗୀର କାନେ କାଟା କଡ଼ି ସୋଣା ।

ଭାତ ନାଇ ଭବନେ ଭର୍ତ୍ତାର ଭାଗ ବାଁକା

ମୂଲ ଖାଟା ମରେ ତାର ମାଗୀ ମାଗେ ଶାଙ୍ଖା ।

 

ଅଷ୍ଟାଦଶ ଶତାବ୍ଦୀର ‘ଶିବାୟନ’ କାବ୍ୟରେ ଦେବତା ଚରିତ୍ର ଭିତରେ ଜଣେ ନିରନ୍ନ କୃଷକର ପାରିବାରିକ ଚିତ୍ର ଜୀବନ୍ତ ଭାବେ ପ୍ରଦର୍ଶିତ ହୋଇଛି । କବି ଦେବତାକୁ ମଣିଷର ନିକଟବର୍ତ୍ତୀ କରିଛି । ସାଧାରଣ ଦାରିଦ୍ର୍ୟପୀଡ଼ିତ ମଣିଷର ଅବସ୍ଥା ଓ ମନୋଭାବ ଏଠାରେ ବଡ଼ ଚମତ୍କାର । ଅତୀତର ସମାଜରେ ପ୍ରଚଳିତ ବୁଢ଼ାବର ଓ ଯୁବତୀକନ୍ୟା ବିବାହ ସମସ୍ୟାକୁ ଶିବପାର୍ବତୀଙ୍କ ବିବାହ ବର୍ଣ୍ଣନା ଭିତରେ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ କବି ବତ୍ସାଦାସ ବଡ଼ ଜୀବନ୍ତ ଭାବେ ବର୍ଣ୍ଣନା କରିଛନ୍ତି । ଶିବଙ୍କର ଏ ଲୌକିକ ଚିତ୍ରଣ ପ୍ରାୟତଃ ବହୁ ଭାରତୀୟ ଶୈବ ସାହିତ୍ୟରେ ପରିଲକ୍ଷିତ । ପ୍ରାଚୀନ ଅସମୀୟା ସାହିତ୍ୟର ରାମ ସରସ୍ୱତୀଙ୍କ ‘ଭୀମ ଚରିତ’ରେ ପାର୍ବତୀଙ୍କ ଅନୁରୋଧରେ ଶିବ କୃଷିକର୍ମ ଆରମ୍ଭ କରିଛନ୍ତି । ଦରିଦ୍ର ଗ୍ରାମବାସୀ ପାଇଁ କୃଷିକର୍ମ ଛଡ଼ା ଅନ୍ୟ କ’ଣ ସମ୍ମାନିତ ଜୀବିକା ଅର୍ଜନର ଉପାୟ ଥାଇପାରେ ? ଭିକ୍ଷାବୃତ୍ତିରେ ସମ୍ମାନ ନ ଥାଏ, ପେଟ ପୂରେ ନାହିଁ । ଏପରି ଏକ ହୀନକର୍ମ ଛାଡ଼ି କୃଷିକର୍ମ କରି ସୁସ୍ଥଜୀବନ ବିତାଇବାକୁ ପାର୍ବତୀ ଦରିଦ୍ର ସ୍ଵାମୀ ଶିବଙ୍କୁ ପରାମର୍ଶ ଦେଇଛନ୍ତି ।

 

ପାର୍ବତୀ ବଦତି ପ୍ରଭୁ ଶୁନ ତ୍ରିଲୋଚନ ।

ଏକବାର କିରିଷି କରିବେ ଦିୟାମନ ।

ଭିକ୍ଷାର ଚାଉଲେ ଜାନା ପେଟ ନ ପୂରଇ

ଖାଇତେ ନା ପାଇ ଗରଖିଆ ଆରାବ କରୟ ।

 

ପାର୍ବତୀ ବଦତି ପ୍ରଭୁ ଭୟ ଏରାମନେ

ମାଟି ଖୁଞ୍ଜି ଲୋରା କିଛୁ ବାସବର ସ୍ଥାନେ

କାଠିଆ ଆନାହା ଖୁଜି ସଖା କୁବେରତ

ନାଙ୍ଗଲ ଆନାହା ଖୁଜି ବଲଯେ ଭଦ୍ରତ ।

ଯମର ମହିଷ ଗୋଟ ଆନିୟୋକ ଯାଇ

ତୋମାର ବୃଷମ ଆଚ୍ଛେ କରା ଏକ ଠାଇ

ତ୍ରିଶୂଲକ ଫାଲ କରି ହାଲକ ଜୁରିୟୋ

ଏହି ମତେ କୃଷିକର୍ମ ବିଧାନ କରିୟୋ ।

 

(ପାର୍ବତୀ କହିଲେ- ଶୁଣ ତ୍ରିଲୋଚନ ! ଥରେ କୃଷିକରିବାରେ ମନ ଦିଅ । ଭିକ୍ଷା ଚାଉଲରେ ପେଟ ପୁରୁ ନାହିଁ । ଖାଇବାକୁ ନ ପାଇ ପାଇଟିଆ ପାଟି କରୁଛି । ପାର୍ବତୀ ପୁଣି କହିଲେ ପ୍ରଭୁ, ମନରୁ ଭୟ ଛାଡ଼ । ଇନ୍ଦ୍ର ପାଖରୁ କିଛି ଜମି ନେଇଆସ, ବନ୍ଧୁ କୁବେରଙ୍କଠୁ ଜୁଆଳି ନେଇଆସ । ବଳଭଦ୍ରଙ୍କଠୁ ଲଙ୍ଗଲ ଆଣ, ଯମ ପାଖରୁ ଗୋଟିଏ ମଇଁଷି ଆଣ । ତାକୁ ତୁମର ବୃଷଭ ସହିତ ଯୋଚି ତୁମର ତ୍ରିଶୂଳକୁ ଫାଳ ବା ଲଙ୍ଗଳଲୁହା କରି ହଳ ବୁଲାଅ । ଏହିପରି ଭାବେ କୃଷିକାର୍ଯ୍ୟ ଆରମ୍ଭ କର ।) ପାର୍ବତୀଙ୍କ ପରାମର୍ଶ ଗ୍ରହଣ କରି ଶିବ କୃଷିକୁ ଜୀବିକା ଭାବେ ଗ୍ରହଣ କରିଛନ୍ତି । ଏହିଠାରୁ ସେ କୃଷକଦେବତା ଭାବେ ପରିଚିତ ହୋଇଯାଇଛନ୍ତି । ପାର୍ବତୀଙ୍କର କଥାମାନି ଶିବ ସବୁ ଚାଷ ସରଞ୍ଜାମ ଯୋଗାଡ଼ କଲେ ଏବଂ ବିଧିମତେ ଚାଷ କଲେ । ଧାନଫସଲରେ ଭରିଗଲା ଜମି । ଏତେ ଭଲଫସଲ ପାର୍ବତୀଙ୍କ ଆଖି ପଡ଼ିଲେ ନଷ୍ଟ ହୋଇଯାଇପାରେ ବୋଲି ଭାବି ଶିବ ତାଙ୍କୁ ଧାନ ଜମି ଉପରକୁ ନ ଯିବାକୁ ବାରଣ କଲେ । ଏହା ଫଳରେ ପାର୍ବତୀଙ୍କ କୌତୂହଳ ବଢ଼ିବାକୁ ଲାଗିଲା । ସେ ଶିବଙ୍କୁ ନ ଜଣାଇ ଗୋପନରେ ଦିନେ ଯାଇ ଜମିରେ ପହଞ୍ଚିଲେ । ପରିପୂର୍ଣ୍ଣ ଧାନକ୍ଷେତ ଦେଖି ଚମତ୍କୃତ ହୋଇଗଲେ । ଶିବଙ୍କର ଅଭୂତପୂର୍ବ କ୍ଷମତାଦେଖି ଆଶ୍ଚର୍ଯ୍ୟ ହୋଇଯିବାରୁ ତାଙ୍କ ମୁଖରୁ ବିସ୍ମୟସୂଚକ ‘ଉଶ୍‌ଆଶ୍‌’ ଶବ୍ଦ ଉଚ୍ଚାରିତ ହୋଇଗଲା । ଏଇ ଶବ୍ଦଦୁଇଟି ଯୋଗୁ ହଠାତ୍‌ ଜମିରେ ନିଆଁଲାଗି ସବୁ ପାଚିଲା ଧାନଗଛ ପୋଡ଼ିଗଲା । ପାର୍ବତୀ ଭୟପାଇ ଘରକୁ ଚାଲିଆସିଲେ ଏବଂ କାହାକୁ ଏ ବିଷୟରେ କହିଲେ ନାହିଁ । ଶିବ କିନ୍ତୁ ଏହା ପାବତୀଙ୍କ କାଣ୍ଡବୋଲି ଜାଣିପାରି ଘରକୁ ଆସି ତାଙ୍କୁ ନିସ୍ତୁକଭାବେ ମାଡ଼ ଦେଲେ । ପାର୍ବତୀ ଗୋଡ଼ ଧରି କ୍ଷମା ମାଗିଲେ ସେ ଆଉ ଥରେ କୃଷି କରିବାକୁ ଶିବଙ୍କୁ ଅନୁରୋଧ କଲେ ।

 

ଚରଣ ତ ଧରୋ ପ୍ରଭୁ ଦୋଷ ମରଷିୟୋ

ଆରୁ ଏକବାର ପ୍ରଭୁ ଖେତିକ କରିୟୋ ।

 

ଶିବ ପୁଣି ଧାନ ରୋଇ ପ୍ରଚୁର ଉତ୍ପାଦକ କରିଥିବାର କିମ୍ବଦନ୍ତୀ ‘ଭୀମଚରିତ’ରେ ବର୍ଣ୍ଣିତ-। ଧାନଫସଲ ଭଲ ହେବା ପାଇଁ ପରମ୍ପରାକ୍ରମେ ନବବିବାହିତ ବରକନ୍ୟାଙ୍କୁ ବିବାହର ତିନିଦିନ ପରେ ‘ଭୀମ ଚରିତ’ ଶୁଣାଇବା ପ୍ରଥା ଆସାମରେ ଏବେ ବି ପ୍ରଚଳିତ ।

 

ପୂର୍ବ ଭାରତର ପ୍ରଥାନ ତିନୋଟି ଭାଷା, ଯଥା-ଓଡ଼ିଆ, ବଙ୍ଗଳା ଓ ଅସମୀୟାର ପ୍ରାଚୀନ, ମଧ୍ୟଯୁଗ ସାହିତ୍ୟରେ ଶିବଙ୍କୁ କେବଳ କୃଷକ ବା କୃଷିଦେବତା ରୂପେ କଳ୍ପନା କରାଯାଇନାହିଁ । ତାଙ୍କର ଜୀବନଚର୍ଯ୍ୟାକୁ ଜଣେ ସାଧାରଣ ଦରିଦ୍ର କୃଷକର ଜୀବନଚର୍ଯ୍ୟା ପ୍ରତିରୂପରେ ଜୀବନ୍ତ ଓ ହୃଦୟଗ୍ରାହୀ ଭାବେ ବର୍ଣ୍ଣନା କରାଯାଇଅଛି । ସ୍ଥଳ ବିଶେଷରେ ଅଭାବଗ୍ରସ୍ତ କୃଷକ ପରିବାରର ଚିନ୍ତାଭାବନା ଓ କାର୍ଯ୍ୟଧାରା ଉନ୍ମୋଚିତ । ଶିବଙ୍କ ସଂସାର ଯାତ୍ରାରୁ ଅତୀତ କାଳର କୃଷକଜୀବନ ତୁଳନାରେ ବର୍ତ୍ତମାନର କୃଷକ ଜୀବନର ଯେ ବିଶେଷ କିଛି ପରିବର୍ତ୍ତନ ଘଟିନାହିଁ । ତାହା ପ୍ରତୀତ ହୁଏ ।

 

***

 

ମୁକୁନ୍ଦ ଦେବଙ୍କ କୃଷ୍ଣ ଅଭିଳାଷ : ଏକ ସ୍ପର୍ଶକ ଚିନ୍ତା

ଡକ୍ଟର ତୀର୍ଥାନନ୍ଦ ମିଶ୍ର

 

‘କୃଷ୍ଣ ଅଭିଳାଷ’ ମୁକୁନ୍ଦଦେବଙ୍କ ବାରଗୋଟି ଛାନ୍ଦବିଶିଷ୍ଟ ଏକ ଅନୁପମ କୃଷ୍ଣକାବ୍ୟ । ଯେତେଦୂର ଅନୁମାନ ଏହି ଗ୍ରନ୍ଥ ଅଦ୍ୟାବଧି ଅପ୍ରକାଶିତ । ଏହାର ଏକ ତାଳପତ୍ର ନକଲ (ଓ.ଏଲ.ସାତଶହ ପଚାଶ) ଓ କାଗଜନକଲ (ସି.ୱାଇ.ଅଠେଇଶ) ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୋଥି ବିଭାଗରେ ସଂରକ୍ଷିତ । ଗ୍ରନ୍ଥର ଭଣିବାରୁ ଜଣାଯାଏ ଯେ ଏହାର ରଚୟିତା ହେଉଛନ୍ତି ମୁକୁନ୍ଦଦେବ । ବାରଗୋଟି ଛାନ୍ଦ ଭିତରୁ ଆଠଟିରେ ସେ ନିଜକୁ ନୃପତିଭାବେ ଏବଂ ଦୁଇଗୋଟିରେ ଗଜପତି ଭାବେ ପରିଚିତ କରିଛନ୍ତି । ସପ୍ତମ ଛାନ୍ଦରେ ସେ ନିଜକୁ ନୃପତି ଅଥବା ଗଜପତି ବୋଲି କହିନାହାନ୍ତି । ଅନ୍ତିମ ଛାନ୍ଦ ଅର୍ଥାତ୍‌ ଦ୍ୱାଦଶ ଛାନ୍ଦଟି ଅସମ୍ପୂର୍ଣ୍ଣ ଥିବାର ଜଣାଯାଏ । ଏଣୁ ଏଥିରେ କୌଣସି ଭଣିତା ନାହିଁ । ପ୍ରମାଣିତ ହୁଏ ଯେ ମୁକୁନ୍ଦଦେବ ନିଜକୁ ଗଜପତି ଭାବେ ପରିଚିତ କରିବା ପାଇ ଯେତେ ଆଗ୍ରହୀ ନ ଥିଲେ ଏହାଠାରୁ ଅଧିକ ଆଗ୍ରହୀ ଥିଲେ ଆପଣାର ନୃପତିଭାବେ ପରଚିତ କରିବାକୁ । ଓଡ଼ିଆ ସାହିତ୍ୟର ଆଲୋଚକମାନେ ଏହି କବିଙ୍କ ସମୟ ଊନବିଂଶ ଶତାବ୍ଦୀର ପ୍ରଥମ ପାଦ ବୋଲି ଗ୍ରହଣ କରିଛନ୍ତି । ଏଣୁ ଏହି ମୁକୁନ୍ଦଦେବ ଖୋର୍ଦ୍ଧା ରାଜବଂଶର ଓଡ଼ିଶାର ଶେଷସ୍ଵାଧୀନ ରାଜା ମୁକୁନ୍ଦଦେବଙ୍କ ପରବର୍ତ୍ତୀ ଖୋର୍ଦ୍ଧାର ରାଜା ହେବା ଅପେକ୍ଷା ମୁକୁନ୍ଦ ସମ୍ଭବତଃ କୌଣସି ଏକ କରଦ ରାଜ୍ୟର ରାଜା ଥିଲେ ଏବଂ ଆପଣାକୁ ନୃପତି ବୋଲି ସାବ୍ୟସ୍ତ କରିଥିଲେ । ଖୋର୍ଦ୍ଧା ରାଜବଂଶାବଳୀରେ ତିନି ଜଣ ମୁକୁନ୍ଦ ଖୋର୍ଦ୍ଧା ସିଂହାସନ ଅଳଙ୍କରଣ କରିଥିବାର ଜଣାଯାଏ (ମହାପାତ୍ର କେଦାର ନାଥ : ଖୁରୁଧା ରାଜବଂଶାବଳୀ : ପରିଶିଷ୍ଟ ୧ : ଗ୍ରନ୍ଥମନ୍ଦିର, ୨ୟ ସଂସ୍କରଣ, ୧୯୮୪) । ମୁକୁନ୍ଦଦେବଙ୍କ ରାଜତ୍ୱକାଳ ଖ୍ରୀ: ୧୬୫୭ରୁ ଖ୍ରୀ: ୧୬୬୯ ମଧ୍ୟରେ ଥିବାବେଳେ, ଦ୍ୱିତୀୟ ମୁକୁନ୍ଦଦେବ ଖ୍ରୀ ୧୭୯୮ରୁ ଖ୍ରୀ:୧୮୧୭ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତୃତୀୟ ମୁକୁନ୍ଦଦେବ ଖ୍ରୀ ୧୮୮୮ରୁ ଖ୍ରୀ ୧୯୨୭ ପର୍ଯ୍ୟନ୍ତ ଖୋର୍ଦ୍ଧା ସିଂହାସନ ମଣ୍ଡନ କରିଥିଲେ । ଆଲୋଚକମାନେ କୃଷ୍ଣ ଅଭିଳାଷ କବିଙ୍କ ସମୟ ସୀମାକୁ ଊନବିଂଶ ଶତକର ପ୍ରଥମ ପାଦ ବୋଲି ଯେଉଁ ଅନୁମାନ କରିଛନ୍ତି (ଆଚାର୍ଯ୍ୟ ଡଃ ସୁଦର୍ଶନ : ଓଡ଼ିଆ କାବ୍ୟ କୌଶଳ : ୧୯୮୩, ପରିଶିଷ୍ଟ ପୃ ୪୮୩) ତାହା ଖୁରୁଧା ଇତିହାସ ବର୍ଣ୍ଣିତ ତୃତୀୟ ମୁକୁନ୍ଦଦେବ ହିଁ ଚିହ୍ନିତ କରେ । ଅବଶ୍ୟ ଏହି ରାଜା କବି ଥିବାର ପ୍ରମାଣର ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ‘‘ଆହେ ନୀଳାଦ୍ରି ବିହାରୀ/କଟକେ ଅଟକ ଦିନ ସରୁ ନାହିଁ ଝୁରି ଝୁରି’ ଏହି ଗୀତଟିର ଉଦ୍ଧାର କରି ପ୍ରତିପାଦନ କରିଛନ୍ତି । ଓଡ଼ିଶା ରାଜବଂଶରେ ଅନ୍ୟ ଜଣେ ମୁକୁନ୍ଦଦେବ ଦେଖାଯାନ୍ତି ଯେ ଥିଲେ ଚାଲୁକ୍ୟ ବଂଶର ରାଜା ଏବଂ ଯାହାଙ୍କ ରାଜତ୍ୱକାଳ ଖ୍ରୀ ୧୫୪୯ରୁ ଖ୍ରୀ ୧୫୬୮ ବୋଲି ଐତିହାସିକମାନେ ସ୍ଥିର କରିଛନ୍ତି (ମହତାବ ଡ. ହରେକୃଷ୍ଣ : ଓଡ଼ିଶା ଇତିହାସ : ୨ୟ ଖଣ୍ଡ, ଚତୁର୍ଥ ସଂସ୍କରଣ, ୧୯୯୬, ପୃ ୬୫) । ଏହି ମୁକୁନ୍ଦଦେବଙ୍କ ଉପାଧି ହରିଚନ୍ଦନ ଥିବାର ଡକ୍ଟର ମହତାବ ଉଲ୍ଲେଖ କରିଛନ୍ତି । ମାତ୍ର ଏହି ରାଜା କବିଥିବାର କୌଣସି ପ୍ରମାଣ ମିଳେ ନାହିଁ । ଏଣୁ ‘କୃଷ୍ଣ ଅଭିଳାଷ’ କବିଙ୍କର ତୃତୀୟ ମୁକୁନ୍ଦଦେବ ବୋଲି ଆପାତତଃ ଗ୍ରହଣ କରାଯାଇପାରେ ।

 

‘କୃଷ୍ଣ ଅଭିଳାଷ’ର କଥାବସ୍ତୁ ଶ୍ରୀକୃଷ୍ଣଙ୍କ ରାଧାସକ୍ତି ଉପରେ ଆଧାରିତ । ଗୋକୁଳରେ ନନ୍ଦଙ୍କ ଗୃହରେ ଅବସ୍ଥାନ କରିବାବେଳେ ଦୈବଯୋଗେ ଶ୍ରୀରାଧାଙ୍କୁ ଦର୍ଶନ କରନ୍ତି । ତାଙ୍କର ଅନୁପମ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ତାଙ୍କୁ ପ୍ରୀତି ନିବେଦନ କରନ୍ତି ଏବଂ ରାଧା ନିଜର ସମ୍ମତି ଜଣାଇବା ପରେ ଶ୍ରୀକୃଷ୍ଣ ତାଙ୍କ ସହ ମିଳିତ ହେବାର ପ୍ରତିଶ୍ରୁତି ଦିଅନ୍ତି । ରାଧା ବାସର ଶେଯରେ ଶ୍ରୀକୃଷ୍ଣଙ୍କୁ ସାରାରାତି ଅପେକ୍ଷା କରନ୍ତି । ରାତିକ୍ରମେ ଦୀର୍ଘରୁ ଦୀର୍ଘତର ହୁଏ । ମାତ୍ର ଶ୍ୟାମନାଗର ଆସନ୍ତିନି । ରାତି ପାହି ଆସିଲାବେଳକୁ ଶ୍ରୀକୃଷ୍ଣ ରାଧାଙ୍କ ପାଖରେ ପହଞ୍ଚିଯାନ୍ତି । ଶୃଙ୍ଗାରର ଚିହ୍ନ ସବୁ ଶ୍ରୀକୃଷ୍ଣଙ୍କ ସମଗ୍ର ଅଙ୍ଗରେ ଲକ୍ଷ୍ୟକରି ରାଧାଙ୍କ କୋପ ବହୁଗୁଣିତ ହୁଏ । ରାଗି ଲାଲ ପଡ଼ିଯାନ୍ତି ସେ । ରାଧାଙ୍କ ଏହି କୋପ ଶ୍ରୀକୃଷ୍ଣଙ୍କୁ ଦୁଃଖୀ କରିଦିଏ । ରାଧା ଶ୍ରୀକୃଷ୍ଣଙ୍କୁ ଦୁଃଖରେ ଯେଉଁଠାରୁ ଆସିଥିଲେ ସେହିଠାକୁ ଯିବାକୁ ଛଳେଇ କରି କହନ୍ତି । ଶ୍ରୀକୃଷ୍ଣଙ୍କ ‘କଇତବ କଥା’ ତାଙ୍କୁ ଆଉ ସୁଖ ଦେଇ ପାରି ନାହିଁ । ଶ୍ରୀକୃଷ୍ଣ ଚାଲିଯିବା ପରେ ରାଧାଙ୍କର ବେଦନା ଗୁରୁତର ହୋଇଛି । ସଖୀମାନେ ରାଧାଙ୍କର ଏହି ଦାରୁଣ ଦୁଃଖ ସହ୍ୟ କରିପାରି ନାହାନ୍ତି । ରାଧାଙ୍କର ଏହି ଦୁଃଖ ଦୂର କରିବା ପାଇଁ ପ୍ରଯତ୍ନ କରିଛନ୍ତି ସେ । ପ୍ରଥମେ ଏଥିପାଇଁ ସେମାନେ ରାଧାଙ୍କୁ ଦୋଷ ଦେଇଛନ୍ତି ଶ୍ରୀକୃଷ୍ଣଙ୍କ ଉପରେ ଏପରି ଅଭିମାନ କରିବା ଯେ ରାଧାଙ୍କର ଠିକ୍‌ହୋଇ ନାହିଁ ଏବଂ କେବଳ ଏଇଥିପାଇଁ ସେ ଏତେ ଦଶା ଭୋଗୁଛନ୍ତି ବୋଲି ରାଧାଙ୍କୁ ବୁଝାଇ ବସିଛନ୍ତି ସେମାନେ । ମାତ୍ର ରାଧା ଏଥିରେ ମାନ ଭାଙ୍ଗି ପାରିନାହାନ୍ତି । ମାତ୍ର ବୁଝାଇବା କାର୍ଯ୍ୟ ସଖୀମାନେ ଜାରି ରଖିଛନ୍ତି । ଶେଷରେ ରାଧାଙ୍କ ମାନ ଭଞ୍ଜନ ହୋଇଛି ଏବଂ ସେ ଅଭିସାର ପାଇଁ ପ୍ରସ୍ତୁତ ହୋଇ ସୁବେଶ ହୋଇଛନ୍ତି । ଦୂତୀମାନଙ୍କ ସହ ସଜ୍ଜିତା ରାଧା ବୃନ୍ଦାବନକୁ ଯାଇଛନ୍ତି । ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କ ସହ ଅତୀତରେ ମିଳନ ଲୀଳାକୁ ସ୍ମରଣ କରିଛନ୍ତି ରାଧା । ଏହି ସ୍ମରଣରେ ପୁଣି ରାଧାଙ୍କ ବିରହ ଅଧିକ ସାନ୍ଦ୍ର ହୋଇଉଠିଛି । ସଖୀମାନଙ୍କର ସକଳ ପ୍ରବୋଧନାରେ ଏ ବିରହ ପ୍ରଶମିତ ହେଉ ନାହିଁ । ବରଂ ବିରହରେ ସେ ଅଧିକ ଶ୍ରୀକୃଷ୍ଣଙ୍କ ରୂପଶୋଭାକୁ ସ୍ମରଣ କରିଛନ୍ତି ସଜନୀର ଏତାଦୃଶ ବିରହରେ ଦୂତୀ କାଳ ବିଳମ୍ବ ନ କରି ଶ୍ରୀକୃଷ୍ଣଙ୍କ ନିକଟକୁ ଯାତ୍ରା କରିଛି ଏବଂ ଶ୍ରୀକୃଷ୍ଣଙ୍କ ନିକଟରେ ରାଧାଙ୍କ ବିରହ ଦଶାର ବିଶଦ ବର୍ଣ୍ଣନା କରି ଏହାର ପ୍ରଶମନପାଇଁ ଶୀଘ୍ର ବିଧିବ୍ୟବସ୍ଥା କରିବାକୁ ନିବେଦନ କରିଛି । ଶ୍ରୀକୃଷ୍ଣ ପ୍ରିୟାର ବିରହ ଦଶା ପ୍ରଶମନ ପାଇଁ ଦୂତୀ ହସ୍ତରେ ସବେଶ ପ୍ରେରଣ କରିଛନ୍ତି । ଅପର ପକ୍ଷରେ ଦୂତୀର ବିଳମ୍ବ ରାଧାଙ୍କର ଅସହ୍ୟ ହୋଇଉଠିଛି । ଆକାଶରେ ଚନ୍ଦ୍ରୋଦୟ ଦେଖି ତାଙ୍କ ବିରହ ବହୁଗୁଣିତ ହୋଇଯାଇଛି । ‘କେଳି ନିକେତନ’ ତାକୁ ‘ବନ୍ଦୀ ମନ୍ଦିର’ ପରି ପ୍ରତୀତ ହୋଇଛି । ପୁରୁଷ ପ୍ରୀତିକୁ ଗାଳି ଦେଇଛନ୍ତି ସେ । ଦୂତୀ ଫେରିଆସି ଶ୍ରୀକୃଷ୍ଣଙ୍କ ଉଦନ୍ତ ରାଧାଙ୍କୁ ଦେଇଛି । ରାଧାଙ୍କ ଅଭିମାନ କିଞ୍ଚିତ୍ ପ୍ରଶମିତ ହେବାପରେ ପୁନର୍ବାର ସଖୀମାନେ ରାଧାଙ୍କ ଅଭିସାର ବେଶ ରଚନା କରି ତାଙ୍କୁ କୁଞ୍ଜବନକୁ ନେଇଛନ୍ତି ଯିବାବାଟରେ ରାଧାଙ୍କ ପାଦ ଚଳି ମଧ୍ୟ ଚଳିନାହିଁ । ବାରମ୍ବାର ଶ୍ରୀକୃଷ୍ଣଙ୍କ ନାମଧରି ବ୍ୟାକୁଳତାର ସହ ବିଳାପ କରିଛନ୍ତି । ସେ ରାଧାଙ୍କୁ କେଳିକୁଞ୍ଜରେ ବସାଇ ସଖୀ ଶ୍ୟାମସୁନ୍ଦରଙ୍କ ନିକଟକୁ ଯାଇ ରାଧାଙ୍କ ଆସିବାର ବାର୍ତ୍ତା ଦେଇଛନ୍ତି । ରାଧାଙ୍କ ବିରହ ବେଦନା ସଖୀ ମୁଖରୁ ଶୁଣି ଶ୍ରୀକୃଷ୍ଣ କାଳବିଳମ୍ବ ନ କରି କେଳିକୁଞ୍ଜରେ ପ୍ରବେଶ କରିଛନ୍ତି । ଶ୍ରୀକୃଷ୍ଣଙ୍କୁ ଦେଖି ରାଧାଙ୍କ ମାନଭଙ୍ଗ ହୋଇଛି । ପରେ ଦୁହିଙ୍କ ମିଳନ ଲୀଳା ସମ୍ପାଦିତ ହୋଇଛି । ମିଳନ ପରେ କିଛି ସମୟ ବିଶ୍ରାମ ନେଇଛନ୍ତି ଯୁଗଳଦମ୍ପତି ଶ୍ରାନ୍ତି ଅପଦୋବନ ପାଇଁ । ଏହାପରେ ରାଧାଙ୍କୁ ବେଶ ଭୂଷଣରେ ସଜାଇ ଦେଇଛନ୍ତି ଶ୍ରୀକୃଷ୍ଣ । ଏହାପରେ ଗ୍ରନ୍ଥର ପରିସମାପ୍ତି ଘଟିଛି । ଭଣିତା ନ ଥିବାରୁ ଏବଂ ହଠାତ୍‌ କଥାକ୍ରମର ପରିସମାପ୍ତି ଘଟିବାକୁ ଗ୍ରନ୍ଥଟି ଅସମ୍ପୂର୍ଣ୍ଣ ଥିବା ପରି ଜଣାପଡ଼େ । କଥାବସ୍ତୁ ପାରମ୍ପରିକ । ନୂତନା ଖୋଜିଲେ ପାଠକ ନିରାଶ ହୁଏ ।

 

 

- ଦୁଇ -

 

‘କୃଷ୍ଣ ଅଭିଳାଷ’ ରାଧାକୃଷ୍ଣ ଲୀଳାଶ୍ରିତ ଏକ ଶୃଙ୍ଗାରରସାତ୍ମକ କାବ୍ୟ । ଏହାର ନାୟକ ଶ୍ରୀକୃଷ୍ଣ ଏବଂ ନାୟିକା ଶ୍ରୀରାଧା । ଉଭୟ ଶୃଙ୍ଗାର ରସର ରସଘନ ବିଗ୍ରହ କବି ଯେତେବେଳେ କାବ୍ୟ ନାୟକକୁ ପ୍ରଥମ କରି ଆମ ଆଗରେ ଉଭା କରାନ୍ତି ସେତେବେଳେ ସେ ତାଙ୍କ ଭିତରେ ଆଧ୍ୟାତ୍ମିକତାର ତଥା ବିଭୁତ୍ୱର ଲେଶମାତ୍ର ବିଭୂତିର ବର୍ଣ୍ଣନା କରି ନାହାନ୍ତି । ବରଂ ଏକ ରତିଶ୍ରାନ୍ତ ଶଠ ନାୟକକୁ ଆମ ପାଖରେ ପହଞ୍ଚାଇଛନ୍ତି । ଉଦାହରଣ ଏହିପରି -

 

‘ଅରୁଣ ଅଧର କୁର୍ପି ନୟନ ରଙ୍ଗ । ବିଦିତ ଦଶନକ୍ଷତ ଲାବଣ୍ୟ ଭଙ୍ଗ ।

ଅଙ୍କିତ କୁସୁମ ପଙ୍କେ ଶ୍ରୀଅଙ୍ଗ ଶୋଭା । ନବଘନେ ପୁରନ୍ଦର ଧନୁ କି ଶୋଭା ।’’

(୧।୪୨-୪୩)

 

ଏହି ‘ରତି ରସ ଚିନ୍ତା’ ଶରୀର ମନରେ ଯେତେ ଆଧ୍ୟାତ୍ମିକ ଭାବର ଉଦ୍ରେକ ନ କରେ ସେତେ ଶୃଙ୍ଗାରୀ ଚେତନାପ୍ରତି ଉନ୍ମୁଖ କରିଦିଏ । ଭାରତୀୟ କାବ୍ୟ ଶାସ୍ତ୍ରରେ ଭକ୍ତିରସର ମାନ୍ୟତା ପାଇବା ପରେ ଏହି ଭକ୍ତି ରସର ପଞ୍ଚବିଧ ବିଭାଗ ମଧ୍ୟରୁ ମଧୁର ଭକ୍ତରସକୁ ସର୍ବୋତ୍କୃଷ୍ଟ ବୋଲି କୁହାଗଲା । ରୂପଗୋସ୍ଵାମୀକୃତ ଭକ୍ତି ରସାମୃତ ସିନ୍ଧୁ ଓ ଉଜ୍ଜଳ ନୀଳମଣି ଏହାର ରଚନାତ୍ମକ ଦିଗ ଆମ ଆଗରେ ଉପସ୍ଥାପନ କଲେ । ଏହି ମଧୁର ଭକ୍ତିରସର ଆଲମ୍ବନ ବିଭାବ ଦେଇଛନ୍ତି ନାୟକ ଶ୍ରୀକୃଷ୍ଣ ଏବଂ ନାୟିକା କୃଷ୍ଣ ବଲ୍ୱଭାଗଣ (ଗୋସ୍ଵାମୀରୂପ : ଭ.ର.ସି. ପଶ୍ଚିମ.୫/୩) । ଏଥିରେ ଶ୍ରୀକୃଷ୍ଣଙ୍କ ଶୃଙ୍ଗାରରସର ମୂର୍ତ୍ତିମାନ୍‌ ବିଭବ । ଗୀତ ଗୋବିନ୍ଦକାର ଜୟ ଦେବଙ୍କ ଭାଷାରେ ‘ଶୃଙ୍ଗାରଃ ସଖି ! ମୂର୍ତ୍ତି ମାନିବ ମଧୌ ମୁଗ୍ଧୋ ହରିବ କ୍ରୀଡ଼ତି ।’ ଏହି ଶ୍ରୀକୃଷ୍ଣ ରସ ଶାସ୍ତ୍ରବିଦ୍‌ମାନଙ୍କ ମତରେ ଅନୁକୂଳ ନାୟକ । ଏହି ଅନୁକୂଳ ଭାବରେ ଧୀରୋ ଘାତ, ଧୀର ଲଳିତ, ଧୀର ପ୍ରଶାନ୍ତ ଏବଂ ଧୀରୋଦ୍ଧତ ଗୁଣ ମିଶି ରହିଥାଏ (ଗୋସ୍ଵାମୀ. ଉ.ନା. ପୃ ୩୧-୩୫) । ଏତଦ୍‌ବ୍ୟତୀତ ଦକ୍ଷିଣ, ଶଠ ତଥା ଧୃଷ୍ଟ ନାୟକ ପଣ ମଧ୍ୟ ବେଳେବେଳେ ଶ୍ରୀକୃଷ୍ଣଙ୍କ ଲୀଳାରେ ବିକୀରିତ ହୋଇଥାଏ । ‘କୃଷ୍ଣ ଅଭିଳାଷ’ର ନାୟକ ଶ୍ରୀକୃଷ୍ଣ କନ୍ଦର୍ପର ମୂର୍ତ୍ତିମନ୍ତ ପ୍ରତୀକ । ସେ ‘ଭୁବନ ମଙ୍ଗଳ’ ହେଲେ ମଧ୍ୟ ଗୀତଗୋବିନ୍ଦର ଶ୍ରୀକୃଷ୍ଣଙ୍କ ଭଳି କନ୍ଦର୍ପର ମୂର୍ତ୍ତିମାନ ବିଗ୍ରହ, ‘ଭୃଲତା ଅନଙ୍ଗ ଧନୁ ଅପାଙ୍ଗ ଶର । ମଧୁର ମୁରଲି ଧରେ ଅତି ମନୋହର’ (୬।୪୦) । କୋଟି ସଂସାରର କର୍ତ୍ତା ହେଲେ ମଧ୍ୟ ରାଧାପ୍ରେମ ପାଗଳରେ ଆପଣାର ସକଳ ମର୍ଯ୍ୟାଦାକୁ ମୁହୂର୍ତ୍ତ କରେ ଭୁଲିଯାଇ ସେ ରାଧାଙ୍କ ସନ୍ତୋଷ ପାଇ ଫୁଲଶେଯ ଛାଡ଼ି ତଳେ ଶୋଇ ଯାଆନ୍ତି, ରାଧାଙ୍କ ପାଦତଳେ ଗୀତଗୋବିନ୍ଦର ନାୟକଙ୍କ ଭଳି ମଧ୍ୟ ଗଡ଼ିଯାଇ । ଦେହି ପଦପଲ୍ଲବ ମୁଦାରଂ, ପ୍ରାର୍ଥନା କରିପାରନ୍ତି (୫।୨୬- ୨୮) । ବିରହିଣୀ ପ୍ରିୟତମା କେଉଁଭଳି ବିରହନିଶା ଅତିବାହିତ କରୁଥିବ ଏ ବିଚାରରେ ଅତ୍ୟନ୍ତ ଦୁଃଖ ଅନୁଭବ କରିଛନ୍ତି (୮।୧୫।୧୬) । ଏଠାରେ ଶ୍ରୀକୃଷ୍ଣ ଭଗବାନ ନୁହନ୍ତି, ଜଣେ ପ୍ରେମ ଜୁଡୁବୁଡୁ ସାଧାରଣ ମଣିଷମାତ୍ର ।

 

ମଧୁରା ରତିର ଆଲମ୍ବନ ବିଭାବ ଶ୍ରୀକୃଷ୍ଣ ବଲ୍ଲଭା ମଧ୍ୟରୁ ଶ୍ରେଷ୍ଠା ହେଉଛନ୍ତି ବୃଷଭାନୁ ନନ୍ଦିନୀ ଶ୍ରୀରାଧା । ଭକ୍ତି ରସାମୃତ ସିନ୍ଧୁ ମତରେ, ‘ପ୍ରେୟସୀସୁ ହରେ ରାସୁ ପ୍ରବରା ବାର୍ଷଭାନବୀ’ (ଗୋସ୍ଵାମୀ.ଭ.ର.ସି. ପଶ୍ଚିମ ୫।୪) । ବୈଷ୍ଣବ ରସଶାସ୍ତ୍ରକାରଙ୍କ ବିଚାରରେ ସେ ଶ୍ରୀକୃଷ୍ଣଙ୍କ ହ୍ଲାଦିନୀ ଶକ୍ତି । ମହାରାବମୟୀସେ । ପ୍ରିୟତମଙ୍କ ପାଇଁ ଆପଣାର ସବୁକିଛି ସମର୍ପଣ କରିବାକୁ କୃତ ସଂକଳ୍ପା । ‘କୃଷ୍ଣ ଅଭିଳାଷ’ରେ ରାଧାଙ୍କର ଏହି ଆଲୌକିକ ଗୁଣାବଳୀର ପରିଚୟ ମିଳେ ନାହିଁ । ତାଙ୍କର ରୂପବର୍ଣ୍ଣନା ଏଠାରେ ମୁଖ୍ୟ (୧।୧୩-୨୦) । ନାରୀର ଉପମାନ ପାଇଁ ବ୍ୟବହୃତ ସକଳ ସୌନ୍ଦର୍ଯ୍ୟପ୍ରଦ ଉପାଦାନ ତାଙ୍କ ପାଖରେ ହାରିଯାଏ । କବିଙ୍କ ଭାଷାରେ ସେ ‘କାମ କଳାରେ ଅଧିକା’ । ସେ କୃଷ୍ଣାନୁରାଗିଣୀ । କୃଷ୍ଣଙ୍କ ପ୍ରତି ତାଙ୍କର ମାନ ଥିଲେ ମଧ୍ୟ କିଛି ସମୟ ପରେ ତାହା କାହିଁ କେଣେ ଅନ୍ତର୍ହିତ ହୋଇଯାଏ । ଶ୍ରୀକୃଷ୍ଣଙ୍କ ପ୍ରତି ହୃଦୟ ପ୍ରେମ ପୂରିତ ହୋଇଯାଏ । ଏଥିପାଇଁ କବି ଏକ ଚମତ୍କାର ଉପମାନର ପ୍ରୟୋଗ କରିଛନ୍ତି । ତାହା ହେଲା ଚନ୍ଦ୍ର କୁମୁଦ ପ୍ରୀତି । ପ୍ରଭାତରେ ଚନ୍ଦ୍ରର ଅଦର୍ଶନରେ କଇଁ ଦୁଃଖରେ ମଉଳି ଗଲେ ମଧ୍ୟ ସନ୍ଧ୍ୟା ପ୍ରବେଶମାତ୍ରେ ଚନ୍ଦ୍ରଙ୍କୁ ନ ଦେଖିଣୁ କଇଁ ବିକଶିତ ହୋଇଯାଏ (୫।୨୨-୨୩) । ଶ୍ରୀକୃଷ୍ଣଙ୍କ ଶଠପଣରେ ସେ ମଧ୍ୟ ବିଚଳିତା ହୋଇଉଠନ୍ତି । ଏହି ପର୍ଯ୍ୟାୟରେ କବି ରାଧାଙ୍କ ବିରହ ଦଶାର ଚିତ୍ର ପ୍ରଦାନ କରିଛନ୍ତି । ରାଧାଙ୍କ ବିରହ ତାପିତ ଶରୀରକୁ ଦ୍ୱିତୀୟାର ଶୀର୍ଣ୍ଣ ଶଶିକଳା ଉପମାନ ମଧ୍ୟରେ ଉପମିତ କରିଛନ୍ତି ସେ (୭।୧) । ବିରହର ବିଭିନ୍ନ ଉପାଦାନ ଯଥା ଝୀନ ବସନ ଭାର ପରି ହେବା, କରର କଙ୍କଣ ବାହାରେ ଗଳିଯିବା, ନେତ୍ରତାରା ନିଶ୍ଚଳ ହେବା ଆଦିକୁ କବି ସଖୀମୁଖରେ ପ୍ରକାଶ କରିଛନ୍ତି (୭।୨୬-୨୯) । ଏହି ପର୍ଯ୍ୟାୟରେ ରାଧାଙ୍କ ବିରହ ଦଶା ବର୍ଣ୍ଣନା ପ୍ରସଙ୍ଗରେ ତାଙ୍କୁ ଖଣ୍ଡିତା, ବିପ୍ରଲବ୍ଧା, ପ୍ରୋଷିତ-ଭର୍ତ୍ତୃକା ଏବଂ ଅଭିସାରିକା ଏହି ଚାରିଗୋଟି ଭେଦରେ ପ୍ରଦର୍ଶନ କରାଯାଇଛି ।

 

ପ୍ରଥମତଃ ଖଣ୍ଡିତା । ଉଜ୍ଵଳନୀମଣିକାର ଖଣ୍ଡିତା ନାୟିକାର ଲକ୍ଷଣ ବର୍ଣ୍ଣନା କରିବାକୁ ଯାଇ କହନ୍ତି, ଯେଉଁ ନାୟିକାର ପ୍ରିୟ ସମାଗମ ସମୟ ଅତିବାହିତ ହୋଇ ସାରିବା ପରେ ପ୍ରଭାତ ବେଳକୁ ନାୟକ ଅନ୍ୟ ନାୟିକାର ରମଣ ଚିହ୍ନ ଧରି ପ୍ରବେଶ କରେ ସେହି ଅଭିମାନିନୀ ନାୟିକାକୁ ଖଣ୍ଡିତା ନାୟିକା କୁହାଯାଏ (ଗୋସ୍ଵାମୀ : ଉମୀ, ନାୟିକାଭେଦ.୮୦) । କାବ୍ୟର ପ୍ରଥମ ଛାନ୍ଦରେ ରାଧାଙ୍କ ଖଣ୍ଡିତା ନାୟିକା ଲକ୍ଷଣ ବର୍ଣ୍ଣିତ । ଶ୍ରୀକୃଷ୍ଣ କହି ମଧ୍ୟ ରାଧାଙ୍କ ପୁରକୁ ଆସନ୍ତି ନାହିଁ । ଅପେକ୍ଷମାଣା ଶ୍ରୀରାଧାଙ୍କ ଆଖି କଥା ହୁଏନି । ରାତି ପାହିବା ବେଳକୁ ଅନ୍ୟ ନାୟିକାରେ ସମ୍ଭୋଗ ଚିହ୍ନ ଅଙ୍ଗରେ ବହନ କରି ଶ୍ରୀକୃଷ୍ଣ ଫେରିଆସନ୍ତି । ଶ୍ରୀକୃଷ୍ଣଙ୍କୁ ଦେଖି ରାଧାଙ୍କ କ୍ରୋଧ ସୀମା ଟପିଯାଏ । କୃଷ୍ଣ ଅଭିଳାଷକାର ଲେଖନ୍ତି-

 

‘‘ଚାହୁଁ ଚାହୁଁ ସିତମୁଖ ହୁଏ ଅରୁଣ । କହଇ ଭ୍ରୂଲତା ବେନି କୋପ ଭରେଣ ।

କୁଟୀର କଟାକ୍ଷଶର ସନ୍ଧିଣ କିସେ । ମଦନ ଧନୁକୁ ଧନ କମ୍ପାଇ ରୋଷେ ।’’

(୧/୪୫-୪୬)

 

ଦ୍ୱିତୀୟତଃ କଳହାନ୍ତରିଣ । ଉଜ୍ଵଳ ନୀଳମଣିରେ ରୂପ ଗୋସ୍ଵାମୀ କଳହାନ୍ତରିଣ ନାରୀର ଲକ୍ଷଣ ହେଉଛି ଦୋଷୀ ନାୟକକୁ ସଖୀମାନଙ୍କ ସମ୍ମୁଖରେ ତାର ଦୋଷ ପାଇଁ ରୋଷ ପ୍ରକଟ କରି ତାକୁ ପାଖରୁ ଦୂର କରିଦେବା ଏବଂ ସେ ଯିବାପରେ ପଶ୍ଚାଭାଗ କରିବା । (ଗୋସ୍ଵାମୀ ରୂପ : ଭ.ନୀ.ନାୟିକାଭେଦ, ଶ୍ଲୋ.୮୫) । ସାହିତ୍ୟ ଦର୍ପଣକାର ବିଶ୍ଵନାଥ କବିରାଜ ସେହି କଥା କଳହାନ୍ତରିଣ ନାୟିକା ସମ୍ପର୍କରେ କହିଛନ୍ତି-ଚାଟୁକ୍ତି କରୁଥିବା ପ୍ରାଣପ୍ରିୟର କ୍ରୋଧରେ ତଡ଼ିଦେଇ ଯେ ପଶ୍ଚାଭାଗ କରେ ସେ କଳହାନ୍ତରିଣ ନାୟିକା (କବିରାଜ: ସା.ବ. ତୃତୀୟ ଗରି, ଓଡ଼ିଆ ସାହିତ୍ୟ ଏକ. ୧୯୭୫ ପୃ. ୧୫୩) । କୃଷ୍ଣ ଅଭିଳାଷକାର ଶ୍ରୀରାଧାଙ୍କର କଳହାନ୍ତରିଣ ଲକ୍ଷଣକୁ ଠିକ୍‌ ଅନୁରୂପ ଭାବରେ ପ୍ରକାଶ କରିଛନ୍ତି । ଏଥିରେ ଶ୍ରୀକୃଷ୍ଣଙ୍କ ପ୍ରତି ରୋଷ ଛଳର ରୂପ ନେଇଛି । ଅଭିମାନ ବିଜଡ଼ିତ ମଧୁର ଭାଷାରେ ସେ ଆପଣାର ରୋଷ ଏହିପରି ବ୍ୟକ୍ତ କରିଛନ୍ତି-

 

‘ସେହି ଲଭୁ ତା ଲୋଚନ ସୁଫଳ । ତୁମ୍ଭ ଦିବସଇ ନୋହୁ ବିଫଳ ।

ୟେହା ବିଚାରି ମନେ ଅନୁକୂଳ । କରି ସୁମରି ରଞ୍ଜନ ସୁଫଳ ।

ଚଳ ବିଳମ୍ବ ନ କରି ତୁରିତ । ୟେଥେ ଥିବାର ନୁହଇ ଉଚିତ ।

ସୁଖ ଲଭିବ ସେ ମୁଖ ଚାହିଁଲେ । ସବୁ ସହି ୟେ ଶରୀର ବହିଲେ ।’

(୨।୧୧।୧୪)

 

ଏଠାରେ ଅଭିମାନ ଏବଂ ରୋଷ ଏକ ଚଟୁଳ ବ୍ୟଙ୍ଗ ମଧ୍ୟରେ ମିଶ୍ରିତ ହୋଇ ଏକ ଅନୁପମ କାବ୍ୟପାକ ସୃଷ୍ଟି କରିଛନ୍ତି । ଅଭିମାନ ତଥା ରୋଷ ମିଶ୍ରିତ ଭାଷାରେ ନାୟକର ଅବର୍ତ୍ତମାନ ପରେ ନାୟିକାର ପଶ୍ଚାଭାଗର ଚିତ୍ର କବି ‘ମନେ ଲଭିଲା ଦୁଃସହ ବେଦନା’ ମାଧ୍ୟମରେ ପ୍ରଦାନ କରିଛନ୍ତି (୨।୩୪) । ଏହି ବେଦନା ଅନେକ ଅନୁସଙ୍ଗ କବି ପରବର୍ତ୍ତୀ ପଦମାନଙ୍କରେ ପ୍ରୟୋଗ କରିଛନ୍ତି । ପ୍ରଭାତ ବର୍ଣ୍ଣନାର ବ୍ୟଞ୍ଜନା ମଧ୍ୟରେ ଏହା ଅଧିକ ହୃଦ୍ୟ ହୋଇ ଉଠନ୍ତି । ଚନ୍ଦ୍ର ନ ଦେଖି ଯେସନେ ଚକୋରୀ (୨।୫୦) ଏହି ଉପମାନ ମାଧ୍ୟମରେ ରାଧାଙ୍କ ସନ୍ତାପିତ ସ୍ଥିତି ଅଧିକ ସ୍ପଷ୍ଟ ହୋଇଉଠିଛି ।

 

ତୃତୀୟତଃ ବିପ୍ରଲବ୍ଧା । ସାହିତ୍ୟ ଦର୍ପଣକାର ବିପ୍ରଲବ୍ଧାର ଲକ୍ଷଣ ନିର୍ଦ୍ଦେଶ କରି କହନ୍ତି, ସଙ୍କେତ ଦେଇ ମଧ୍ୟ କୌଣସି କାରଣରୁ ଯଦି ପ୍ରିୟ ଆସିପାରେ ନାହିଁ । ସେହି ଅତ୍ୟନ୍ତ ଅପମାନିତା ସ୍ତ୍ରୀକୁ ବିପ୍ରଲବ୍ଧା କୁହାଯାଏ (ସା.ଦ.ତୃତୀୟ ପରି, ପୃ.୧୫୩) । ଉଜ୍ଜ୍ୱଳ ନୀଳମଣିକାର ମଧ୍ୟ ବିପ୍ରଲବ୍ଧାର ସେହି ଲକ୍ଷଣ ଉପସ୍ଥାପନା କରନ୍ତି । ସେ ଏହି ନାୟିକାର ମନୋଦଶାର ଚିତ୍ର ଦେବାକୁ ଯାଇ କହନ୍ତି, ‘ନିର୍ବେଦ ଚିନ୍ତା ଖେଦାଶ୍ରୁମୂର୍ଚ୍ଛା ନିଃଶ୍ଵସସିତାପି ଭାକ୍‌ ।’ (ଭ.ନୀ. ନାୟିକା ଭେଦ. ଶ୍ଳୋକ.୮୩) । ‘କୃଷ୍ଣ ଅଭିଳାଷ’ର ବିପ୍ରଲବ୍ଧା ରାଧାଙ୍କ ଚିତ୍ର ମଧ୍ୟ ଅନୁରୂପ-

 

‘ସହଜେ ରମଣୀ ମଣି ସଙ୍କେତ କରି ରୟଣୀ କାନ୍ତଅଙ୍ଗ ସଙ୍ଗ ରଙ୍ଗ ବହିବ ରୋଷେ

ଉଜାଗରେ ବଞ୍ଚେ ନିଶି ଧୀର ମଦାଳସୀ ଗୂଢ଼ମାନ ରଖିଅଛି ହୃଦୟ ଦେଶେ

ବିପ୍ରଲବ୍ଧା ଭାବେ ସୁନ୍ଦରୀ । ଅନୁରାଗ ପ୍ରକାଶଇ ପ୍ରଚ୍ଛିନ କରି ।’ (୩।୨)

 

ଏଠାରେ ନାୟକର ସଂକେତ, ପର ଅନୁପସ୍ଥିତି ଏବଂ ତଜ୍ଜନିତ ଯନ୍ତ୍ରଣାରେ ଜର୍ଜରିତା ନାୟିକାର ବିକଳ ମନୋସ୍ଥିତି ଅତ୍ୟନ୍ତ କଳାତ୍ମକଭାବେ ବ୍ୟଞ୍ଜିତ ହୋଇଛି ।

 

ଚତୁର୍ଥତଃ ପ୍ରୋକ୍ଷିତ ଭର୍ତ୍ତୃକା । ସାହିତ୍ୟ ଦର୍ପଣକାର ଏହି ନାୟିକାର ଲକ୍ଷଣ ଦେବାକୁ ଯାଇ କହନ୍ତି ଯାହାର ନାୟକ ବିଭିନ୍ନ କାର୍ଯ୍ୟହେତୁ ବିଦେଶକୁ ଯାଇଥାଏ ସେହି କାମବାଧା ପୀଡ଼ିତା ନାୟିକା ହେଉଛି ପ୍ରୋଷିତ ଭର୍ତ୍ତୃକା (ସା.ଦ. ପୃ. ୧୫୪) । ଉଜ୍ଜ୍ୱଳ ନୀଳମଣିକାର ପ୍ରୋଷିତ ଭର୍ତ୍ତୃକାର ଅନୁରୂପ ଲକ୍ଷଣ ନିର୍ଦ୍ଦେଶ କରି ତାର ସ୍ଥିତି ସମ୍ପର୍କରେ ସୂଚନା ଦିଅନ୍ତି । ପ୍ରିୟର ଗୁଣ ସଂକୀର୍ତ୍ତନ, ଦୈନ୍ୟ, ଉଜାଗର, ବସନ ମଳିନତା, ଜାଡ଼୍ୟ, ଚିନ୍ତା ଆଦି ଏହି ନାୟିକାକୁ ଆଚ୍ଛନ୍ନ କରିଥାଏ । (ଉ.ନୀ.ଶ୍ଲୋ.୮୮) । କୃଷ୍ଣ ଅଭିଳାଷର ନାୟକ ସୁଦୂର ଅଥବା ଅଦୂର ପ୍ରବାସରେ ନାହିଁ । ମାତ୍ର ନାୟିକାର ନିକଟକୁ ଆସି ପାରି ନାହିଁ । ତେଣୁ ନାୟିକା ପ୍ରୋଷିତ ଭର୍ତ୍ତୃକା ନୁହେଁ । ‘ପ୍ରୋଷିତ ନାୟକ ପ୍ରିୟା ପରାୟେକ’ (୯।୧) । ଅତି ଚତୁରତାର ସହ ନାୟକକୁ ବିଦେଶ ନପଠାଇ କବି ନାୟିକାକୁ ପ୍ରୋଷିତ ଭର୍ତ୍ତୃକା କରିଦେଇଛନ୍ତି । ତାର ମନୋସ୍ଥିତିର ଚିତ୍ର ଦେବାକୁ ଯାଇ କବି କାନ୍ତ ପଥ ଚାହିଁ ଦୁଃଖ ଲଭିବା, ଅଶ୍ରୁପାତ କରିବା, ଅଚେତନ ହୋଇଯିବା, କ୍ଷଣକୁ ଯୁଗ ମନେ କରିବା, କେଳି ମନ୍ଦିରକୁ ବନ୍ଦୀ ଗୃହ ପରି ବିଚାରିବା, ତନ୍ଦ୍ର ଚନ୍ଦ୍ର ପବନ ଭଲ ନ ଲାଗିବା (।୧-୩) ଆଦି ଯେଉଁ ଅନୁସଙ୍ଗ ପ୍ରଦାନ କରିଛନ୍ତି ତାହା ଉଜ୍ଜ୍ୱଳ ନୀଳମଣିର ପ୍ରୋଷିତ ଭର୍ତ୍ତୃକା ନାୟିକାର ମନୋସ୍ଥିତି ଅନୁରୂପ ।

 

ଏହି ଅଭିମାନ ପର୍ଯ୍ୟାୟରେ ନାୟିକା ରାଧାଙ୍କ କୃଷ୍ଣାସକ୍ତି କମ୍‌ ନୁହେଁ । ତାହାର ବରଂ ଏହି ଅଭିମାନ ଦ୍ୱାରା ବହୁଗୁଣିତ ହୋଇଛି । ଏହି ଅଭିମାନ ତାଙ୍କ ହୃଦୟକୁ ‘ଅନୁରାଗ ପୂର୍ଣ୍ଣ’ କରି ଦେଇଛି, ଯାହା ଶ୍ରୀକୃଷ୍ଣଙ୍କ ପ୍ରତି ଥିବା ସ୍ନେହକୁ ପ୍ରତ୍ୟକ୍ଷରେ ପ୍ରକାଶ ନ କରି ‘ଗୁପତ’ରେ ପ୍ରକାଶ କରୁଛି (୨।୮) । ସଖୀର ଶ୍ରୀକୃଷ୍ଣ ପ୍ରଶସ୍ତି ତାଙ୍କୁ ଯଦିଓ ‘କଇତବ କଥା’ (୨।୨୬) ପରି ପ୍ରତୀତ ହେଉଛି ତଥାପି ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କ ଅନ୍ତରର ଶ୍ରଦ୍ଧା ଏହାଦ୍ଵାରା ମନ୍ଦୀଭୂତ ହେଉନାହିଁ । ବେଳେବେଳେ ଏହି କପଟ କ୍ରୋଧ ଯେ ଅଧିକ କଠୋର ହୋଇନାହିଁ ତାହା ନୁହେଁ । ଉଦାହରଣ ଭାବେ ଏହି ପଦକେତୋଟିକୁ ନିଆଯାଇପାରେ :-

 

‘‘ଆଜ ସେ ଜାଣିଲି ଏଡ଼େ ଦଇବ ନିର୍ଦ୍ଦୟା । ତହଁକି ଅଧିକ ଶଠ ପୁରୁଷଙ୍କ ହିୟା ।

ପାରୁଶରେ ଥିବାଯାଏ ସବୁ ପ୍ରିୟ । ବଚନ ମଧୁର ଅତି କପଟ ହୃଦୟ ।

ଯହିଁରେ ବସନ୍ତି ସେହି ରଙ୍ଗ ହଁ ଧରନ୍ତି । ଜଂଟୀକ ପରାୟେ ସତ ପୁରୁଷଙ୍କ ପ୍ରୀତି ।।’’

(୯।୧୯-୨୦)

 

ଏଠାରେ ଅଭିମାନର ମାତ୍ରା ଅତ୍ୟନ୍ତ ଉଗ୍ର । ହୃଦୟ ଦହନ ତୀବ୍ର ଏବଂ ଅନୁଶୋଚନାର ତୁଷାନଳ ଦୁର୍ବାର । ପ୍ରେମିକଙ୍କୁ ‘ଶଠପୁରୁଷ’ କହିବାରେ ନାୟିକାର କୁଣ୍ଠା ନାହିଁ । ନିଛକ ସତ ଅନୁଭବର କଥା କୁହାଯାଇଛି ଏଠି ସ୍ଫଟୀକ ଯେଉଁପରି ରଙ୍ଗଭେଦରେ ଆପଣାର ଆକାର ପରିବର୍ତ୍ତନରେ ଶଠ ପୁରୁଷମାନେ ଉପସ୍ଥିତ ସତ୍ୟ ପାଖରେ ଅତୀତକୁ ଭୁଲି ଯାଆନ୍ତି । କବି ମୁକୁନ୍ଦଙ୍କ ମାନବିକ ଅନୁଭବ ଏ କ୍ଷେତ୍ରରେ ଅତ୍ୟନ୍ତ ତୀବ୍ର, ଏଣୁ ଭାବଜର୍ଜର । ମାତ୍ର ନାୟିକାର ଏହି ମନୋସ୍ଥିତିର ପରିବର୍ତ୍ତନ ପାଇଁ ସଖୀର ଉଦ୍ୟମର ଅନ୍ତ ନ ଥାଏ । ପ୍ରେମିକ ଶ୍ରୀକୃଷ୍ଣଙ୍କୁ ରାଧାଙ୍କ ବିରହ ବାର୍ତ୍ତା ଦିଏ ସେ । ଶ୍ରୀକୃଷ୍ଣ ପ୍ରିୟାର ଦୁଃଖରେ ଭାଙ୍ଗିପଡ଼ି ମିଳନ ପାଇଁ ପ୍ରତିଶ୍ରୁତି ଦିଅନ୍ତି । ସଖୀମୁଖରୁ ଏହା ଶୁଣିସାରିବା ପରେ ରାଧାଙ୍କ ମାନ କାହିଁ କେଣେ ହଜିଯାଏ । ଆରମ୍ଭ ହୁଏ ଅଭିସାରିକାର ବେଶ ।

 

ଅଭିସାରିକା ନାୟିକାର ଲକ୍ଷଣ ସାହିତ୍ୟ ଦର୍ପଣକାର ଦେବାବେଳେ ପ୍ରକାଶ କରନ୍ତି । ପ୍ରଣୟାସକ୍ତା ହୋଇ ଯେଉଁ ନାୟକ କାନ୍ତକୁ ଦୂତୀଦ୍ୱାରା ନିଜ ପାଖକୁ ଡକାଏ ଅଥବା ନିଜେ କାନ୍ତ ପାଖକୁ ଅଭିସାର କରେ ତାକୁ ଅଭିସାରିକା କୁହାଯାଏ । (ସା.ଦ. ପୃ. ୧୫୧) ଶୁକ୍ଳାଭିସାର ଓ କୃଷ୍ଣାଭିସାର ଭେଦରେ ଏହି ଅଭିସାର ଦ୍ୱିବିଧ (ସା ଜ୍ୟୋତ୍ସ୍ନା ତାମସୀ ଯାନ ଯୋଗ୍ୟ ବେଶାଭିସାରିକା ଉ.ନୀ.ଶ୍ଲୋ, ୬୮) । ‘କୃଷ୍ଣ ଅଭିଳାଷର ନାୟିକା କୁଳଜା । ଏଣୁ ଲଜ୍ଜାବତୀ । ସଖୀ ତାର ଅଭିସାର ବେଶ ରଚନାବେଳେ ଯେଉଁ ଅଳଙ୍କାର ତାକୁ ପିନ୍ଧାଇଛି ତାହା ପ୍ରଦର୍ଶନ ପାଇଁ ନୁହେଁ ବରଂ ବିରହ ବ୍ୟଥାକୁ ଗୋପନ କରିବା ପାଇଁ । କବି ଲେଖନ୍ତି, ‘ବିରହେ ପାଣ୍ଡୁର ଗଣ୍ଡ ନବ ମନୋହର । ତିଳଫୁଲ ନାସେ ନବ ମୁକୁତା ସୁନ୍ଦର । (୧୦।୯) ଏଠାରେ ଲକ୍ଷ୍ୟ କରିବାର କଥା ଅଙ୍ଗ ସୌନ୍ଦର୍ଯ୍ୟକୁ ନାୟକର ପ୍ରୀତି ଅନୁକୂଳ କରିବା ପାଇଁ ସଖୀମାନେ ରାଧାଙ୍କ ବେଶ ରଚନା କରିଛନ୍ତି । ସଖୀମାନଙ୍କ ଏକମାତ୍ର ଉଦ୍ଦେଶ୍ୟ ହେଉଛି ‘ବିରହ ପାଣ୍ଠୁର ମୁଖ’ର ପ୍ରିୟ ପରମଙ୍କ ସୁଖ ପାଇଁ । ‘ପୁଣ୍ଡରିକ ଶୋଭା’ରେ ପରିଣତ କରାଇବା (୧୦।୧୬। ଦଶମ ଛାନ୍ଦର ଛଅପଦରୁ ଅଠର ପଦ ଦୀର୍ଘ ତେରଗୋଟି ପଦରେ ଏହି ଅଭିସାର ବେଶର ବର୍ଣ୍ଣନା କରାଯାଇଛି । ଶେଷ ପଦରେ କବି ମୁକୁନ୍ଦ ରାଧାଙ୍କ ଅଭିସାରିକା ବେଶର ଯଥାର୍ଥ୍ୟକୁ ଆମ ନିକଟରେ ସ୍ପଷ୍ଟ କରିଛନ୍ତି । ‘ଗଭୀର ଗୁଣ ଗଉରୀ, କୁଳବତୀ ଧୀରା । ହୋଇଲା ଅଭିସାରିକା ହୋଇଣ ଅଧୀରା ।’ (୧୦।୧୮) । ଏଠାରେ ଲକ୍ଷ୍ୟ କରିବାର କଥା ରାଧା ଗଭୀର ଗୁଣବିଶିଷ୍ଟା ସ କୁଳବତୀ । ବୈର୍ଯ୍ୟରେ ଅତୁଳନୀୟା-। ମାତ୍ର ଅଭିସାରିକା ବେଶ ଯାହା ତାଙ୍କ ଭଳି ସ୍ଵଭାବ ସମ୍ପନ୍ନାଙ୍କ ପାଇଁ ଅନୁକୂଳ ନୁହେଁ । ସେ ସେହି ବେଶ ଧାରଣ କରିବାର ଏକମାତ୍ର ବାରଣ ହେଉଛି, ତାଙ୍କର ଅଧୀରପଣ । ଏହାଦ୍ୱାରା କବି ପ୍ରକାରାନ୍ତରେ ରାଧାଙ୍କ କୁଳଜା ଗଣର ପ୍ରଶଂସା କରିଛନ୍ତି ।

 

ଶୃଙ୍ଗାର ରସର ଉଦ୍ଦୀପନ ବିଭାଗ ଭାବରେ କାବ୍ୟରେ ପ୍ରଭାତ, ସନ୍ଧ୍ୟା, ବୃନ୍ଦାବନ ଏବଂ କେଳିକୁଞ୍ଜର ବର୍ଣ୍ଣନା ଅତି ନିପୁଣ ଭାବରେ କରାଯାଇଛି । ଏହା ସଂକ୍ଷିପ୍ତ ଅଥଚ ଶାଣିତ, ଏଣୁ ଆକର୍ଷଣୀୟ । ସଂକେତ ଦେଇ ଶ୍ରୀକୃଷ୍ଣ ରାଧାଙ୍କ ପାଖକୁ ଆସିନାହାନ୍ତି । କ୍ରମେ ସକାଳ ହୋଇଯାଇଛି । ପ୍ରଭାତରେ ଚିତ୍ର ଦେବାବେଳେ କବି ମୁଖ୍ୟତଃ ପ୍ରସଙ୍ଗାନୁସାରୀ ହୋଇଛନ୍ତି । ବିଗତ ସନ୍ଧ୍ୟାରେ ଭ୍ରମର ପଦ୍ମକୁ ପରିତ୍ୟାଗ କରି ରାତ୍ରିରେ କୁସୁମ ସହ ସଂପର୍କ ରଖିଥିଲା । ମାତ୍ର ପ୍ରଭାତରେ ବାମାତ୍ରେ ପୁନର୍ବାର ପଦ୍ମପାଖକୁ ଆସିବାରୁ ପଦ୍ମ ମନା କରିବାର ଚିତ୍ର ବ୍ୟଞ୍ଜକ ରୀତିରେ ପ୍ରଦତ୍ତ ହୋଇଛି (୨।୪୬-୪୭) । ଏହା ମୁଖ୍ୟପ୍ରସଙ୍ଗକୁ ଉଦ୍ଦୀପିତ କରୁଛି । ଅନ୍ୟତ୍ର ସନ୍ଧ୍ୟାର ଚିତ୍ର ଦେବାବେଳେ କବି ବିରହିଣୀ ରାଧାଙ୍କ ଶ୍ରୀକୃଷ୍ଣଙ୍କ ପ୍ରତି ଅନୁରାଗ ବୃଦ୍ଧି ପାଇଁ ପ୍ରୟାସୀ ହୋଇଥିବାର ଲକ୍ଷ୍ୟ କରାଯାଏ । ରାଧାଙ୍କ ଅଭିମାନ ବଢ଼ି ବଢ଼ି ଚାଲିଛି । ସଖୀ ଶ୍ରୀକୃଷ୍ଣଙ୍କ ପାଖରେ ରାଧାଙ୍କ ବିରହବାର୍ତ୍ତା ପ୍ରଦାନ କରିବାବେଳେ ସନ୍ଧ୍ୟା ଆସିଛି । କବି ମୁକୁନ୍ଦ ଲେଖନ୍ତି-

 

‘ଅତି ଅନୁରାଗେ ରଜନୀ ପ୍ରିୟାକୁ ଆଲିଙ୍ଗନ କଲେ ଇନ୍ଦୁ

ପୁଲକିତ ହୋଇ ଚୁମ୍ବନ ଦେବାରେ ଭରୁଅଛି ସୁଧାବିନ୍ଦୁ ।’’

(୭।୪୪)

 

କେବଳ ସେତିକି ନୁହେଁ ଚନ୍ଦ୍ରର ଗାଢ଼ ଆଲିଙ୍ଗନରେ ରଜନୀ ବଧୂର ମୁକ୍ତାହାର ଛିଡ଼ିଯାଇଛି । ତାହା ତାରାହୋଇ ଆକାଶରେ ଗଳି ପଡ଼ିଛନ୍ତି । ଏ ବର୍ଣ୍ଣନା ନାୟକନାୟିକାଙ୍କୁ ଉଦ୍ଦୀପିତ କରିବା ପାଇଁ ଯଥେଷ୍ଟ ନୁହେଁ କି ? ପରବର୍ତ୍ତୀ ଛାନ୍ଦରେ ଚନ୍ଦ୍ରର କଳଙ୍କ ବର୍ଣ୍ଣନା ପ୍ରସଙ୍ଗରେ ସେହି ଏକାକଥା । ରଜନୀ ଏଠାରେ ଅଭିସାରିକା ନାୟିକା । ଚନ୍ଦ୍ରର ସଙ୍ଗମ ପାଇଁ ସେ ଆତୁରା । ଏ ଦୁହିଁଙ୍କ ମିଳନ (୮।୧) ମଧ୍ୟରେ ସେହି ଉଦ୍ଦୀପନ ପ୍ରସଙ୍ଗର ଚିତ୍ର କବି ପ୍ରଦାନ କରିଛନ୍ତି । ବୃନ୍ଦାବନ ବର୍ଣ୍ଣନାରେ ଏହି ଉଦ୍ଦୀପନ ପ୍ରସଙ୍ଗ ଏକାନ୍ତ ଲକ୍ଷଣୀୟ (୩୧୪-୧୫) । ଏଠାରେ ବୃନ୍ଦାବନ ନିଜେ ଫୁଲ ଶର ଧରିଥିବା କନ୍ଦର୍ପ, ବାସନ୍ତୀଲତା ରୂପଜୀବା ବାରାଙ୍ଗନା ଏବଂ ପାଟଳୀ ଫୁଲ କାନ୍ତାନୁରାଗୀ ନବାଙ୍ଗନା । ଏ ସବୁ ଉଦ୍ଦୀପନ ଉପାଦାନ । ବୃନ୍ଦାବନର ମିଳନ କୁଞ୍ଜ ସକଳ କାମୋଦ୍ଦୀପନର ଭଣ୍ଡାର । ଭ୍ରମର, ମଳୟ, ଚନ୍ଦ୍ର କିରଣ, ସୁଶୀତଳ ଯମୁନା ପୁଳିନ ଏ ସମସ୍ତ ଉଦ୍ଦୀପନ ଉପାଦାନକୁ ମାତ୍ର ଗୋଟିଏ ପଦରେ ଏକତ୍ରିତ କରିଛନ୍ତି କବି । (୧୨/୧)

 

ରାଧାକୃଷ୍ଣଙ୍କ ମିଳନ ଲୀଳାର ଅନ୍ୟତମ ସହାୟକ ଉପାଦାନ ହେଉଛନ୍ତି ରାଧାଙ୍କ ପ୍ରିୟସଖୀଗଣ । ମଧ୍ୟକାଳୀନ କୃଷ୍ଣଭକ୍ତିକାବ୍ୟରେ ଗୋପୀ ଏବଂ ସଖୀଙ୍କ ମଧ୍ୟରେ ଭିନ୍ନତା ଲକ୍ଷ୍ୟ କରାଯାଏ । ଗୋପୀଗଣ କୃଷ୍ଣଗତ ପ୍ରାଣା ହୋଇଥିବାବେଳେ ସଖୀଗଣ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ନିତ୍ୟ ବିଳାସର ଅଭିଳାଷିଣୀ । ଗୋପୀମାନଙ୍କର ବେଳେବେଳେ କୃଷ୍ଣ ସୁଖ ବ୍ୟତୀତ ସ୍ଵସୁଖ ପାଇଁ ଆଗ୍ରହ ଥାଏ । ଭାଗବତରେ ଏଇଥିପାଇଁ ଶ୍ରୀକୃଷ୍ଣ ରାସସ୍ଥଳୀରେ ଗୋପୀମାନଙ୍କୁ ପରିହାର କରିଛନ୍ତି । ମାତ୍ର ସଖୀମାନଙ୍କର ସେ ଭାବନା ନାହଁ । ସ୍ଵସୁଖ ଲାଳସାକୁ ପରିହାର କରି ଏମାନେ ଯୁଗଳ ମୂର୍ତ୍ତିଙ୍କ ଉପାସନା ଓ ସୁଖ ସମ୍ପାଦନରେ ଆପଣାକୁ ନିତ୍ୟ ନିଯୁକ୍ତ କରିଥାନ୍ତି । ଗୋପୀମାନଙ୍କ ଆଧାରଭୂମି ପୁରାଣ ହୋଇଥିବାବେଳେ ସଖୀମାନଙ୍କର ଆଧାର ଭୂମି ସମାଜ ଓ ସାମାଜିକ ଜୀବନଚର୍ଯା ହୋଇଥାଏ । ଶ୍ରୀରାଧାଙ୍କ ଏହି ସଖୀ ପାଞ୍ଚଭାଗରେ ବିଭକ୍ତ । ଯଥା-ସଖୀ, ନିତ୍ୟସଖୀ, ପ୍ରାଣସଖୀ, ପ୍ରିୟସଖୀ ଓ ପରମ ଶ୍ରେଷ୍ଠ ସଖୀ (ଉ.ନୀ. ରାଧା ପ୍ରକରଣ । ଶ୍ଲୋକ-୫୦-୫୧, ପୃ-୯୭) । ‘କୃଷ୍ଣ ଅଭିଳାଷ’ର ସଖୀ ଶ୍ରୀକୃଷ୍ଣ ଏବଂ ରାଧାଙ୍କ ମିଳନର ମୁଖ୍ୟ ସଂଯୋଜକ ଉପାଦାନ । ଉଭୟଙ୍କ ମଧ୍ୟରେ ମିଳନର ଯୋଗସୂତ୍ର ରକ୍ଷା କରନ୍ତି ସେମାନେ । ପ୍ରଥମେ ଶ୍ରୀକୃଷ୍ଣ ବିମୁଖିନୀ ରାଧାଙ୍କୁ ଅଭିମାନ ପାଇଁ ଦୋଷୀ କରିଛନ୍ତି ସେମାନେ । ଚତୁରୀ ସଖୀଗଣ ଜାଣିଛନ୍ତି ଯେ ଏହାଦ୍ଵାରା ରାଧାଙ୍କ କ୍ରୋଧ ପ୍ରଶମିତ ହେବ । ପରେ ତାଙ୍କୁ ବେଶ କରାଇ ଚିତ୍ତ ବିନୋଦନ ଗାଇ ବୃନ୍ଦାବନକୁ ବୁଲାଇ ନେଇଛନ୍ତି । ରାଧାଙ୍କ ବେଶ ରଚନାରେ ସଖୀମାନଙ୍କର ଭୂମିକା ଲକ୍ଷଣୀୟ-

 

‘ସହଚରୀମାନେ ମିଳି କୁଙ୍କୁମ ଚନ୍ଦନ ବୋଳି ଘନସାର କୁଞ୍ଚି କୁଞ୍ଚି ବାସ ପିନ୍ଧାଇ

ହାରାବଳୀ ଆହରଣ ଶରୀର କଲେ ଭୂଷଣ ତାଟଙ୍କ ମଣ୍ଡିଲେ ଗଣ୍ଡେ ମକରୀ ଲିହି ।’

(୩/୧୦)

 

ବୃନ୍ଦାବନ ଯାତ୍ରାପଥରେ ସଖୀମାନଙ୍କର ଭୂମିକା ମଧ୍ୟ ଲକ୍ଷଣୀୟ । ରାଧାଙ୍କ ନିକଟରେ ଫୁଲ ଭ୍ରମର ଢାଳିବାଠାରୁ କୁସୁମ ବିଞ୍ଚଣାରେ ବିଞ୍ଚିବା ଓ ବାଟରେ ପରାଗ ସିଞ୍ଚିବା ପର୍ଯ୍ୟନ୍ତ ସମସ୍ତ କର୍ମ ଏମାନେ ସୁଚାରୁରୂପେ ସମ୍ପାଦନ କରିଛନ୍ତି (୩/୧୯) । ଅବଶିଷ୍ଟ ଥିବା ଅଭିମାନକୁ ରାଧାଙ୍କର ଉଜ୍ଜଳ କରିବା ପାଇଁ ଏମାନଙ୍କ ପ୍ରୟାସର ଅନ୍ତ ନାହିଁ । ମାତ୍ର ଏହା ଯେତେବେଳେ ଅଧିକରୁ ଅଧିକତର ହୋଇଛି ସେତେବେଳେ ସଖୀମାନେ ନିରୁପାୟ ହୋଇ କେବଳ ପ୍ରିୟ ସଖୀର ସେବାରେ ଲାଗିଯାଇଛନ୍ତି । (୬୯-୧୦)

 

ସଖୀ ପରି ଏହି କାବ୍ୟରେ ଦୂତୀର ଭୂମିକା ମଧ୍ୟ ଗୁରୁତ୍ଵପୂର୍ଣ୍ଣ । ରାଧାକୃଷ୍ଣଙ୍କ ମିଳନ ପର୍ବରେ ଏହାର ଏକ ବିଶେଷ ଭୂମିକା ଲକ୍ଷ୍ୟ କରିହୁଏ । ଏମାନେ ମୁଖ୍ୟତଃ ସମ୍ବାଦ ବାହିକା । ସ୍ଥାନେ ସ୍ଥାନେ ପରିଚର୍ଯ୍ୟାକାରିଣୀ । କୃଷ୍ଣ ଅଭିଳାଷକାର ବେଳେବେଳେ ଦୂତୀ ଓ ସଖୀ ମଧ୍ୟରେ କୌଣସି ପାର୍ଥକ୍ୟ ରଖିନାହାନ୍ତି । ଏଠାରେ ଦୂତୀ ଶ୍ରୀରାଧାଙ୍କ ବିରହିଣୀ ଅବସ୍ଥା ଦେଖି କାଳବିଳମ୍ବ ନ କରି ଶ୍ରୀକୃଷ୍ଣଙ୍କ ନିକଟରେ ବାର୍ତ୍ତା ପ୍ରଦାନ ପାଇଁ ଯାତ୍ରା କରନ୍ତି (୨/୧) । ଶ୍ରୀକୃଷ୍ଣଙ୍କ ନିକଟରେ ପହଞ୍ଚିବା ପରେ ରାଧାଙ୍କ ଦୁଃଖ ସେ ଏହିପରି ବର୍ଣ୍ଣନା କରିଛି-

 

‘ତୁମ ରତିରସ ସୁମରି ସୁମରି ଦୁର୍ବଳ ଅତି ଅବଳା ।

କଳାନିଧି ଶେଷକଳା ପ୍ରାୟେ ହୋଇ କଳାକେ ରହିଛି ବାଳା ।’

(୭/୨୬)

 

ପରେ ଶ୍ରୀକୃଷ୍ଣଙ୍କ ନିକଟରୁ ସନ୍ଦେଶ ଆଣି ରାଧାଙ୍କ ନିକଟରେ ପହଞ୍ଚିଛି ସେ । ଦୂତୀର ବିଳମ୍ବରେ ରାଧାଙ୍କ ମନୋବେଦନା ବ୍ୟକ୍ତ କରିବାବେଳେ କବି ମୁକୁନ୍ଦ ଦୂତୀର ସଖୀ ଭାବେ ଚିତ୍ରଣ କରିଛନ୍ତି (ପ୍ରିୟ ସଖୀ ଆସିବାର ହୋଇଲା ବିଳମ୍ବ ୯/୧) । ଦୂତୀ ଆସି ରାଧାଙ୍କ ନିକଟରେ କୃଷ୍ଣଙ୍କ ସମ୍ମତିର ବାର୍ତ୍ତା ଜଣାଇଛି ଏବଂ ବେଶ ଭୂଷଣ ହୋଇ ବୃନ୍ଦାବନର କେଳି ମନ୍ଦିରକୁ ଯିବାକୁ ଅନୁରୋଧ କରିଛି । ରାଧାଙ୍କୁ କେଳି କୁଞ୍ଜରେ ବସାଇ ଦୂତୀ ଶ୍ରୀକୃଷ୍ଣଙ୍କ ନିକଟରେ ବିରହିଣୀ ରାଧାଙ୍କ ବର୍ଣ୍ଣନା କରିଛି ଏବଂ ସେ ଯେ ଆସି ଅଭିସାର କୁଞ୍ଜରେ ପହଞ୍ଚି ସାରିଲାଣି ସେ ସୂଚନା ମଧ୍ୟ ପ୍ରଦାନ କରିଛି । ଦୂତୀ ମୁଖରେ ବିରହିଣୀ ଶ୍ରୀରାଧାଙ୍କ ଅପେକ୍ଷମାଣ ମନୋସ୍ଥିତି ଜୟଦେବଙ୍କ ଗୀତଗୋବିନ୍ଦର ଭାବ ବିଭବକୁ ସ୍ମରଣ କରାଇଦିଏ-

 

‘ପବନେ ପଲ୍ଲବ ଚଳିଲେ ଅବଳା ତୁମ୍ଭଗଲା ପ୍ରାୟେ ବୁଝିଣ

କର ପଲ୍ଲବେ ପଲ୍ଲବ ତଳ୍ପ ଉଞ୍ଚି ନ ଦେଖି କରଇ ରୋଦନ୍ୟ

ଭୋ ନାଥ, କୁଳଶୀଳ ଲାଜ ତେଜିଣ

ବାସକସେଜା ହୋଇଣ ବାସଗୃହେ ବସିଅଛି ପଥ ଚାହିଁଣ ।’

 

ଶୃଙ୍ଗାର ରସର ଏକ ପ୍ରମୁଖ ଉପାଦାନ ମାନଭଞ୍ଜନ । ମାନିନୀ ନାୟିକାର ମାନକୁ ଦୂର କରିବା ପାଇଁ ନାୟକ ବହୁବିଧ ଭାବେ ନାୟିକାର ଚାଟୁ କରିଥାଏ । ଅଭିମାନିନୀ ରାଧା ଶ୍ରୀକୃଷ୍ଣଙ୍କର ଅତୀତରେ ତାଙ୍କ ପ୍ରତି ଅନୁରାଗର ଚିତ୍ର ସଖୀ ନିକଟରେ ବ୍ୟକ୍ତ କରିଛନ୍ତି (୫।୨୬-୨୮) । ଅଭିସାର ବେଶ ରଚନାର ବର୍ଣ୍ଣନା ‘କୃଷ୍ଣ ଅଭିଳାଷ’ରେ ଦୁର୍ଲକ୍ଷ୍ୟ ନୁହେଁ । ସଖୀମାନେ ପ୍ରିୟ ସମାଗମ ଉଦ୍ୟତା ରାଧାଙ୍କୁ ସୁନ୍ଦର ଭାବେ ବେଶ କରି ଦେଇଛନ୍ତି (୧୦।୬-୧୮) । ଶ୍ରୀରାଧାଙ୍କ କୃଷ୍ଣାଭିସାର ଲୀଳା ମଧ୍ୟ ମୁକୁନ୍ଦଙ୍କ ଲେଖନୀରେ ଅତ୍ୟନ୍ତ ରସାଳ । ଏଠାରେ କବିଙ୍କ ବ୍ୟଙ୍ଗ ବିନୋଦର ମଧ୍ୟ ଅନ୍ତ ନାହିଁ । ରାଧାଙ୍କର ପ୍ରିୟ ସମାଗମ ପାଇଁ ବ୍ୟଗ୍ରତା ତଥା ଉତ୍ସୁକତା ଅଛି-। ମାତ୍ର ନିରୂପାୟ ସେ । ପ୍ରଥମତଃ ପୃଥୁଳ ନିତମ୍ବ ଓ ଘନ ଜଘନ ତାଙ୍କ ଯାତ୍ରାପଥର ଅନ୍ତରାୟ ହେଉଛନ୍ତି । ଦ୍ୱିତୀୟତଃ ନେତ୍ରର ଘୃଣିତାବସ୍ଥା ଓ ତୁଙ୍ଗ ପୟୋଧରର ବିଗୁଳ ବିସ୍ତାର ତାଙ୍କୁ ସମ୍ମୁଖର ପଥକୁ ସ୍ପଷ୍ଟଭାବେ ଦେଖାଇ ଦେଇପାରୁ ନାହୁଁ (୧୦।୨୩-୨୪) । କୃତକର୍ମର ଅନୁଶୋଚନା ଓ ଅବାରିତ ଅଶ୍ରୁପାତ ତାଙ୍କ ଗତିକୁ ମନ୍ଥର କରିଦେଉଛି । ମାତ୍ର ସେ ଅକୁତୋଭୟା । ଚିତ୍ରତର ସାପକୁ ଡରୁଥିବା ନାୟିକା ଶେଷରେ ସର୍ଗ ସମାକୁଳ ରାସ୍ତାରେ ପଥଚାଳନା କରିଛି (୧୦/୨୫) ।

 

ଶୃଙ୍ଗାର ରସର ପ୍ରମୁଖ ଉପାଦାନ ହେଲା ମିଳନ । ଏହି ଉପାଦାନର ଦୀର୍ଘ ବର୍ଣ୍ଣିନା ଗ୍ରନ୍ଥର ଦ୍ୱାଦଶ ଛାନ୍ଦରେ କରିଛନ୍ତି କବି । ଏ କ୍ଷେତ୍ରରେ କବି ମୁକୁନ୍ଦ ଉପେନ୍ଦ୍ରଙ୍କ ଉତ୍ତର ସୂରୀ ହୋଇଥିବାର ସ୍ପଷ୍ଟ ହୁଏ । ଶେଷରେ ଆପଣାର ଦୈନ୍ୟଭାବ ଦର୍ଶାଇ କବି ଶୃଙ୍ଗାର ରସର ବୈଶିଷ୍ଟ୍ୟକୁ ଏହିପରି ପ୍ରଖ୍ୟାପନ କରିଛନ୍ତି-
 

 

‘ବଢ଼ିଲା ଯେତେଯେତେ ରସ ଇଷିତ ନ ଜାଣେ ମନସୀଜ ବାଣୀ /ମହାକବି ନ ପାଇବେ ଉପମା/

ବିପରୀତ ଆଜି ଚଉଷଠି କଳା ରତି ପଣ୍ଡିତ ମନୋରମା । ରତି ସମରେ କୁଶଳ ଦମ୍ପତି ।’

(୧୨/୮)

 

ଶୃଙ୍ଗାର ରସର ଦେବତା କନ୍ଦର୍ପ ଓ ତାଙ୍କ ପତ୍ନୀ ରତିଙ୍କୁ ପରାଭୂତ କରିବାର ସକଳ କ୍ଷମତା ମୁକୁନ୍ଦ ନିଜ ନାୟକ ନାୟିକାଙ୍କ ନିକଟରେ ଶୃଙ୍ଗାର ରସର ଦେବତା କନ୍ଦପ ଓ ତାଙ୍କ ପତ୍ନୀ ରତିଙ୍କୁ ପରାଭୂତ କରିବାର ସକଳ କ୍ଷମତା ମୁକୁନ୍ଦ ନିଜ ନାୟକନାୟିକାଙ୍କ ନିକଟରେ ଥିବାର ପ୍ରମାଣ କରିଛନ୍ତି ଏହି ପଂକ୍ତିରେ । ଅଙ୍ଗବସନ ଦୂର, ଚନ୍ଦ୍ରଚାଳନ, ନାନା ବନ୍ଧରେ ରତି, ନିବିଡ଼ ଆଲିଙ୍ଗନ ଆଦିର ଅନୁଷଙ୍ଗରେ ମିଳନ ଲୀଳା ଅଧିକ ରସଘନ ହୋଇଛି କାବ୍ୟରେ । ପ୍ରତ୍ୟକ୍ଷ ବର୍ଣ୍ଣନା ଅପେକ୍ଷା ଅଳଙ୍କାରାଶ୍ରୟୀ ଅପ୍ରତ୍ୟକ୍ଷ ବର୍ଣ୍ଣନାରେ କବିଙ୍କ କବିତ୍ୱକୁ ଲକ୍ଷ୍ୟ କରିହୁଏ । ଶୃଙ୍ଗାରର ସକଳ ଉପାଦାନକୁ ମେଘ ସହ ତୁଳନା କରିବା ଏହାର ଉଦାହରଣ (୧୨/୭) । ମିଳନୋପରାନ୍ତ ଶ୍ରାନ୍ତି ଅପନୋଦନର ଚିତ୍ର ମଧ୍ୟ ‘କୃଷ୍ଣ ଅଭିଳାଷ’ର ଅନ୍ୟ ଏକ ବୈଶିଷ୍ଟ୍ୟ । ଚନ୍ଦ୍ରକିରଣରେ ରତିଶ୍ରମ ତାପିତା ପ୍ରିୟାକୁ ସୁବେଶ କରିବା, ଦିବ୍ୟ କୁସୁମରେ କବରୀ ସଜାଇବା, ସୀମାନ୍ତରେ ମୁକ୍ତା ଖଞ୍ଜିବା । କପାଳରେ ଚନ୍ଦନ ଲେଖିବା, ଆଖିରେ ଅଞ୍ଜନ ଓ ଓଠାରେ ତାମ୍ବୁଳଦେବା, ନାକରେ ମୁକ୍ତା ଓ କର୍ଣ୍ଣରେ ତାଟଙ୍କ ଖଞ୍ଜିବା, ଗଣ୍ଡରେ ମକରୀ ଲେଖିବା ଏବଂ ପାଦରେ ଅଳତା ଲଗାଇଦେବା ଆଦି ମଧ୍ୟରେ ନାୟକର ନାୟିକା ପ୍ରତି ସ୍ନେହ ତଥା ସମ୍ମାନକୁ ଲକ୍ଷ୍ୟ କରାଯାଇପାରେ । ‘କୃଷ୍ଣ ଅଭିଳାଷ’ର ମୁଖ୍ୟ ରସ ଶୃଙ୍ଗାର । ଏହାର ମୁଖ୍ୟ ଚରିତ୍ର ଶ୍ରୀକୃଷ୍ଣ ଓ ଶ୍ରୀରାଧା ଶୃଙ୍ଗାରରସର ମୂର୍ତ୍ତିମନ୍ତ ବିଗ୍ରହ । ଭକ୍ତି ନୁହେଁ ପ୍ରୀତି ଏହାର ମୁଖ୍ୟ ଉପଜୀବ୍ୟ ଉପାଦାନ ।

 

-ତିନି-

 

‘କୃଷ୍ଣ ଅଭିଳାଷ’ ଶୃଙ୍ଗାର ରସାଶ୍ରିତ ରାଧାକୃଷ୍ଣ ରସାଶ୍ରିତ ଏକ ଅନୁପମ କେଳିଚରିତ୍ର ହୋଇଥିଲେ ମଧ୍ୟ ଏହାର କଳାନୈପୁଣ୍ୟ ଦୁର୍ଲକ୍ଷ୍ୟ ନୁହେଁ । ରୀତି କାବ୍ୟର ଅଳଙ୍କାରଧର୍ମିତା ଏଥିରେ ଅଧିକ ନାହିଁ । କୌଣସି କ୍ଲୀଷ୍ଟ ରାଗର ପ୍ରୟୋଗ ଏହି କାବ୍ୟରେ କବି କରିନାହାନ୍ତି । ପ୍ରତ୍ୟେକ ରାଗ ଶ୍ରବଣ ସୁଖକର । ଏଥିରେ ବ୍ୟବହୃତ ରାଗଗୁଡ଼ିକ ଯଥାକ୍ରମେ ହେଲେ ସଂଗମ ତିଆରୀ, କେଦାର ଚକ୍ରକେଳି, ବିରାଡ଼ି, କଲ୍ୟାଣ ଆହାରୀ, ମାଳବ, ମଙ୍ଗଳଧନାଶ୍ରୀ, ବଙ୍ଗାଳଶ୍ରୀ (ବଙ୍ଗଳାଶ୍ରୀ । ଆଷାଢ଼ ଶୁକ୍ଳବାଣୀ ଯୁକ୍ତ ବିରାଡ଼ି, କଳସା ବାଣୀଯୁକ୍ତ ବରାଡ଼ି, ସଙ୍ଗମ ତିଆରି ବାଣୀଯୁକ୍ତ ମଙ୍ଗଳଗୁଜ୍ଜରୀ, କଲ୍ୟାଣ ଆହାରୀ ଓ କନଡ଼ା । ରାଗଗୁଡ଼ିକ ପରସ୍ପର ସାପେକ୍ଷ ଓ ଭାବାନୁସାରୀ । କ୍ଳୀଷ୍ଟପଦଯୋଜନାରେ କୌଣସିଟି ପଦ କାବ୍ୟରେ ଭାରାକ୍ରାନ୍ତ ହୋଇନାହିଁ । ଶଙ୍କର ଲଳିତ ବିନ୍ୟାସରେ ଏହା ଅତ୍ୟନ୍ତ ଶ୍ରୁତିସୁଖକର । ଉଭୟ ଶବ୍ଦାଳଙ୍କାର ଓ ଅର୍ଥାଳଙ୍କାର ପ୍ରୟୋଗରେ କଟକ ନିପୁଣତା ଲକ୍ଷ୍ୟ କରିହୁଏ । ଶବ୍ଦାଳଙ୍କାର ମଧ୍ୟରେ ପ୍ରାୟତଃ ମଧ୍ୟକାଳୀନ କବିଙ୍କ ଅତିପ୍ରିୟ ଅଳଙ୍କାର ଅନୁପ୍ରାସ ଓ ଯମକ ଏହି କାବ୍ୟରେ ପ୍ରାୟତଃ ବ୍ୟବହୃତ ହୋଇନାହିଁ । ଶବ୍ଦାଳଙ୍କାରର ନିରର୍ଥକତା ସମ୍ଭବତଃ କବି ହୃଦୟଙ୍ଗମ କରି ଅର୍ଥାଳଙ୍କାରରେ ଆପଣାର କାବ୍ୟ ନାୟିକାକୁ ସେ ମଣ୍ଡନ କରିଛନ୍ତି । ତଥାପି ଶବ୍ଦାଳଙ୍କାର ମଧ୍ୟରେ ଶୃଙ୍ଖଳା ଅଳଙ୍କାରର ପ୍ରୟୋଗ ସୁଗମ ଛାନ୍ଦର କେତେଗୋଟି ପଦରେ ଲକ୍ଷ୍ୟ କରାଯାଏ । ନିମ୍ନ ପଦକେତୋଟିକୁ ଏହାର ଉଦାହରଣ ଭାବେ ପ୍ରଦାନ କରାଗଲା-

 

‘ଦେଖିଣ ସୁନ୍ଦରୀ ବିରହ ବେଦନା ତୁରିତେ ଚଳିଲା ଦୂତୀ

ଦ୍ୱିତୀୟା ତିଥି ଚନ୍ଦ୍ରକଳା ପରାୟେ ହୋଇଅଛି କୁଳଦନ୍ତୀ ।

ଦନ୍ତୀବର ଘୋର ସଙ୍କଟ ନାଶନ ନିକଟେ ହୋୟେ ପ୍ରବେଶ

ବେସନ ବସନ ବିହୀନେ ଅତୁସୀ କୁସୁମ କାନ୍ତି ବିରସ ।

ରସବତୀ ରାଧା ସନ୍ଦେଶ ଘେନିଣ ଦ୍ରଶନ କଲା ଚତୁରୀ

ତୁରିତେ ଯାଇ ଚରଣ ତଳେ ପଡ଼ି କହିଲା ବିନୟ କରି ।’

(୭।୧-୩)

 

ଏଠାରେ ପାଦର ଶେଷ ଦୁଇଟି ଅକ୍ଷରକୁ ନେଇ ପରବର୍ତ୍ତୀ ପଦର ପ୍ରଥମ ଦୁଇଟି ଅକ୍ଷର ଆରମ୍ଭ ହୋଇଛି । ଶୃଙ୍ଖଳ ଆକାରରେ ପଦର ପ୍ରତ୍ୟେକ ପାଦ ପରବର୍ତ୍ତୀ ପାଦକୁ ଛନ୍ଦି ରଖିଛନ୍ତି । କେବଳ ଗୋଟିଏ ସ୍ଥାନରେ ଯମବର ବ୍ୟବହାର କାବ୍ୟରେ ଲକ୍ଷ୍ୟ କରାଯାଏ । ରାଧାଙ୍କ ବିରହ ଅବସ୍ଥାର ଚିତ୍ରଣ କରିବାବେଳେ କବି ଏହି ଅଳଙ୍କାରର ପ୍ରୟୋଗ କରିଛନ୍ତି । ଜଳଜ ଓ ଇଦୀବର ଏହି ଶବ୍ଦ ଦୁଇଟିକୁ ପ୍ରୟୋଗ କରି କବି ଏହି ଅଳଙ୍କାର ସୃଷ୍ଟି କରିଛନ୍ତି (୧୧।୭) ।

 

ଶବ୍ଦାଳଙ୍କାର ଅପେକ୍ଷା ‘କୃଷ୍ଣା ଅଭିଳାଷ’ରେ ଅର୍ଥଅଳଙ୍କାରର ପ୍ରାଧାନ୍ୟ ପରିଲକ୍ଷିତ ହୁଏ । କବିଙ୍କ ପ୍ରିୟ ଅଳଙ୍କାର ହେଉଛି ଉପମା । ରାଧାଙ୍କ ବିରହ ଚିତ୍ର ପ୍ରଦାନ କରିବାବେଳେ କବି ମୁଖ୍ୟତଃ ଏହି ଅଳଙ୍କାରର ପ୍ରୟୋଗ କରିଛନ୍ତି । ବିରହିଣୀ ଶ୍ରୀରାଧାଙ୍କୁ ଦେଖିବାବେଳେ ଦୂତୀ ତାଙ୍କ ଶୀର୍ଣ୍ଣ ରୂପଶୋଭାର ଉପମାନ ଭାବେ ଦ୍ୱିତୀୟା ତିଥିର ଶୀର୍ଣ୍ଣ ଶଶିକଳାର ପରିକଳ୍ପନା କରିଛି (୭।୧୨) । ଅନ୍ୟତ୍ର କବି ନାୟିକାର ମୁଖ୍ୟ ଶୋଭାକୁ ଶରତ ପୂର୍ଣ୍ଣିମାର ଚନ୍ଦ୍ର ସହିତ ଉପମିତ କରିଛନ୍ତି (୪।୨୦) । ବିରହିଣୀ ନାୟିକା ନାୟକର ଉପସ୍ଥିତି ସମ୍ବାଦରେ ଆନନ୍ଦିତ ହେଲାବେଳେ ପୁନର୍ବାର ଅନୁପସ୍ଥିତିର ସମ୍ବାଦଗାଇ ଦୁଃଖିତା ହୋଇଉଠିଛି । କବି ଏହାର ଉପଗାନ ଭାବେ ପୂର୍ଣ୍ଣଚନ୍ଦ୍ର ଦର୍ଶନରେ ଚକୋରର ଆନନ୍ଦ ପୁନର୍ବାର ମେଘ ଉଦୟରେ ତାର ଅଦର୍ଶନ ଜନିତ ବିଷାଦକୁ ଉପସ୍ଥାପନ କରିଛନ୍ତି (୨।୩୫-୩୬) । ରସଘନ ଶୃଙ୍ଗାରର ଚିତ୍ର ଦେବାବେଳେ କବି ଏହାର ପାରମ୍ପରିକ ଉପମାନ ମେଘକୁ ହିଁ ଗ୍ରହଣ କରିଛନ୍ତି । ଶୃଙ୍ଗାରର ପରିପୂରକ ଉପାଦାନମାନଙ୍କୁ ମେଘର ପରିପୂରକ ଉପାଦାନ ଯଥା ଦନ୍ତ ସହିତ ବିଜୁଳିରେଖା, ଶ୍ରେଷ୍ଠ ରସ ଶୃଙ୍ଗାର ସହିତ ବିଦ୍ୟୁତ୍‌ ସଂଜାତ ଅଗ୍ନି, ଆମୋଦିତ ହୃଦୟ ସହିତ ଜଳପରି ପୂର୍ଣ୍ଣ ପୁଷ୍କରିଣୀ, ମେଘ ସହ ବକ୍ଷୋଜ (ପୟୋଧର ଶବ୍ଦ ପ୍ରୟୋଗ ହେତୁ), କବରୀରୁ ଖସି ପଡ଼ୁଥି‌ବା ଫୁଲ ସହିତ ବକପଙ୍‍କ୍ତି ଏବଂ ସୁରତିକାଳୀନ ଦୀର୍ଘଶ୍ୱାସ ସହ ମାଳତୀ ଫୁଲରେ ସୁବାସିତ ପବନ ମଧ୍ୟରେ ଅତି ଚତୁରତାର ସହ ବ୍ୟଞ୍ଜିତ କରାଯାଇଛି (୧୨।୭) । ଶ୍ରୀକୃଷ୍ଣଙ୍କ ଅଭାବିତ ଶଠ ପଣରେ ବିଚଳିତା ରାଧାଙ୍କ ପ୍ରଶ୍ନିଳ ମନୋସ୍ଥିତିର ଚିତ୍ର କବି ଲେଖନୀରେ ଅତ୍ୟନ୍ତ କଳାତ୍ମକଭାବେ ଉତ୍କୀର୍ଣ୍ଣ । ଉଦାହରଣ ଏହିପରି-

 

‘ସୁଧାକର ବରଷିବ ଗରଳ । ଗନ୍ଧ ଅନିଳ ହୋଇବ ଅନଳ ।

ତାହା ଶରୀର ଧରିକେ ସହିବ । ଯାହା ପାଷାଣ ହିଁ ଦହି ହୋଇ ।’

(୨।୧୫-୧୬)

 

ଏଠାରେ ଚନ୍ଦ୍ର ଗରଳ ବର୍ଷା କରିବା ଏବଂ ସୁଗନ୍ଧ ପବନ ଅଗ୍ନିହେବା ଅସମ୍ଭବ, ଯଦିବା ହୁଏ ତେବେ ଭାଗ୍ୟଦୋଷ । ଏତେ ଆଦର କରୁଥିବା ଶ୍ରୀକୃଷ୍ଣ ଯେ ଶେଷରେ ବେଦନାର କାରଣ ହେବେ ଏହି ଏକାନ୍ତ ଅବିଶ୍ୱାସ୍ୟ ତଥ୍ୟ ଏହି ଅସମ୍ଭବ ପ୍ରତୀତ ହେଉଥିବା ଉପାଦାନ ଦ୍ୱାରା ବ୍ୟଞ୍ଜିତ ହୋଇଛି ।

 

‘କୃଷ୍ଣ ଅଭିଳାଷ’ ଗଜପତି ମୁକୁନ୍ଦଦେବଙ୍କର ଏକମାତ୍ର ଓଡ଼ିଆ କାବ୍ୟ । ଗଜପତି ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ହୋଇଥିବାରୁ ଗ୍ରନ୍ଥାରମ୍ଭରେ ତାଙ୍କ ସ୍ତୁତି କରାଯାଇଥିବାବେଳେ ପ୍ରତ୍ୟେକ ଛାନ୍ଦର ଶେଷରେ କବି ତାକୁ ହିଁ ସ୍ମରଣ କରିଛନ୍ତି । ଅବଶ୍ୟ ପ୍ରଥମ ଛାନ୍ଦର ମଙ୍ଗଳାଚରଣରେ କବି ଜଗନ୍ନାଥ ଓ ଶ୍ରୀକୃଷ୍ଣଙ୍କୁ ଏକଧରାତଳର ଉପସ୍ଥିତ କରାଇଛନ୍ତି । ଜଗନ୍ନାଥ ପଦହୀନ ହୋଇଥିବାବେଳେ କବିଙ୍କ ‘ଅରୁଣ ଅରୁଣ କଞ୍ଜଙ୍କ ଚରଣ’ (୧।୩) ପଦରୁ ଏହି ଚରଣ ଯେ ଶ୍ରୀକୃଷ୍ଣଙ୍କ ଅର୍ଥରେ ବ୍ୟବହୃତ ଏହା ସ୍ପଷ୍ଟ ହୋଇଥାଏ । ଜଗନ୍ନାଥଙ୍କ ବର୍ଣ୍ଣନାରେ କବି ମୁଖ୍ୟତଃ ତାଙ୍କ ସୌନ୍ଦର୍ଯ୍ୟ ଓ ତାଙ୍କ ଅଲୌକିକତା ସମ୍ପର୍କରେ ଆପଣାର ଭାବଧାରା ଉପସ୍ଥାପନ କରିଛନ୍ତି । ଜଗନ୍ନାଥଙ୍କ ରୂପଶୋଭା ବର୍ଣ୍ଣନା ଅବସରରେ କବି ଲେଖନ୍ତି :-

 

‘ଶ୍ରୀମୁଖ ସୁନ୍ଦର ଦିଶେ ଚନ୍ଦନ ଜଳେ । ସଜବେଶ ହୋଇ ଉଭା ବୀର କ୍ଷେତ୍ର ତଳେ ।

ବନ୍ଦାପନା କରି ବିଜେ କରୁଣା ନିଧି । ମ୍ରଦଳ ଘଣ୍ଟ ଚହଳେ ଉଛୁଳେ ଜଳଧି ।’

(୬/୪୮-୪୯)

 

ଏହି ଅବସରରେ କଳି ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା (୫।୬୦-୬୨), ରଥଯାତ୍ରା (୮।୨୦) ଏବଂ ବାହୁଡ଼ା ଯାତ୍ରା (୧୧।୨୭)ର ସଂକ୍ଷିପ୍ତ ବର୍ଣ୍ଣନା ନିଜ କାବ୍ୟରେ କରିଛନ୍ତି । ଏହି ତିନୋଟି ଯାତ୍ରାର ମାହାତ୍ମ୍ୟ ବର୍ଣ୍ଣନା କରିଥିବାରୁ କବି ଉପେନ୍ଦ୍ରଙ୍କ ସମକାଳୀନ ଅଥବା ପରବର୍ତ୍ତୀ ବୋଲି ଜଣାଯାଏ । କାରଣ ଉପେନ୍ଦ୍ର ଜଗନ୍ନାଥଙ୍କ ସମସ୍ତ ଯାତ୍ରା ମଧ୍ୟରେ ସ୍ନାନ ଓ ଗୁଣ୍ଡିଚାକୁ ସ୍ୱୟଂଲୀଳା ବୋଲି କହି ତାର ଶ୍ରେଷ୍ଠତ୍ୱ ପ୍ରମାଣିତ କରିଛନ୍ତି । ନୀଳ ସମୁଦ୍ର କୂଳରେ ନୀଳ କନ୍ଦରରେ ବିଜେ କରିଥିବା ଏହି ଠାକୁର ଯେ ସଂସାର ତାରଣର ଏକମାତ୍ର ପଥ ଏହା ଅନ୍ୟତ୍ର କବି ସ୍ପଷ୍ଟ କରିଛନ୍ତି (୩।୨୩) । ସେହି ଅଲୌକିକ ଦେବତା ଭକ୍ତର ପୋଷଣ ପାଇଁ ରତ୍ନ ସିଂହାସନରେ ଚତୁର୍ଦ୍ଧା ରୂପରେ ବିଜେ ହୋଇଥାନ୍ତି । ତାଙ୍କ ବର୍ଣ୍ଣରହସ୍ୟ ସଂପର୍କରେ କବି ଲେଖନ୍ତି-

 

‘ଅଶେଷ କୋଟି ବ୍ରହ୍ମାଣ୍ଡର ଠାକୁର ବିଜୟେ ରତ୍ନ ସିଂହାସନେ

ସିତ ଅସିତ ରୋହିତ ପୀତବର୍ଣ୍ଣ ନିବାସ ପ୍ରମାଣ ବିଧାନେ

ସେ ପ୍ରଭୁ ଅଶେଷ କଳୁଷ ହରଣ

ପରମାନନ୍ଦ ପରମ ସୁଖ ପ୍ରଭୁ ନୃପତି ସଦାନନ୍ଦ ଜାଣ ।’

(୪।୨୪)

 

ଏଥିରୁ ସ୍ପଷ୍ଟ ହୁଏ ଯେ କବି ନୃପତି ମୁକୁନ୍ଦଦେବ ପ୍ରକୃତରେ ଥିଲେ ଶ୍ରୀ ଜଗନ୍ନାଥଙ୍କ ସେବକ । ତାଙ୍କର କୃପା ହେତୁ ତାଙ୍କୁ ଅଲୌକିକ କବିତ୍ୱ କଳା ମିଳିପାରିଥିଲା । ‘କୃଷ୍ଣ ଅଭିଳାଷ’ ଗଜପତି ମୁକୁନ୍ଦଦେବଙ୍କ ଯେ ଏକ ଉଲ୍ଲେଖଯୋଗ୍ୟ କୃଷ୍ଣକାବ୍ୟ, ଏଥିରେ ସନ୍ଦେହର ଅବକାଶ ନାହିଁ-

 

***

 

Unknown

କାର୍ବି ଜନଗୋଷ୍ଠୀର ସୃଷ୍ଟି ଇତିହାସ ଏବଂ ସଂସ୍କୃତିରେ

‘‘ଚ’ ଜୁନ୍‌ପୂଜା’’ ତଥା ‘ନଖା ମାଗା’

ଡକ୍ଟର ଜ୍ୟୋତ୍ସ୍ନା ବିଶ୍ୱାଳ ରାଉତ

 

ଭାରତ ବର୍ଷର ଉତ୍ତର ପୂର୍ବାଞ୍ଚଳର ବିଭିନ୍ନ ଜନଗୋଷ୍ଠୀଙ୍କ ଭିତରେ ‘କାର୍ବି’ ହେଉଛନ୍ତି ଅନ୍ୟତମ ଆଦିମ ଜନଗୋଷ୍ଠୀ । ଏହି ଜନଗୋଷ୍ଠୀ ନିଜର ଜୀବନଧାରଣ ପ୍ରଣାଳୀ, ଖାଦ୍ୟ, ବାସସ୍ଥାନ, ସାମାଜିକ ରୀତି-ନୀତି, ସାଂସ୍କୃତିକ ଜୀବନ, ନୃତ୍ୟ-ଗୀତ ଆଦି ସବୁ କ୍ଷେତ୍ରରେ ଅନ୍ୟାନ୍ୟ ଜନଗୋଷ୍ଠୀଙ୍କ ସହିତ ମିଳିଯିବାକୁ ଚାହିଁଲେ ବି ଏମାନଙ୍କର ଜୀବନ ପରିକ୍ରମା ବହୁ ସମୟରେ ନିଜସ୍ଵ ବୈଶିଷ୍ଟ୍ୟରେ ବର୍ଣ୍ଣାଢ଼୍ୟ ରୂପରେ ପ୍ରକାଶ ପାଇ ଉଠେ । କାର୍ବିମାନଙ୍କର ସୃଷ୍ଟି ସମ୍ପର୍କରେ ସେମାନଙ୍କର ଲୋକବିଶ୍ଵାସରେ ବହୁ କୌତୁହଳୋଦ୍ଦୀପକ କଥା ଶୁଣାଯାଇଥାଏ । ସେହି ବିଶ୍ୱାସମତେ ପ୍ରଥମେ ବିଶ୍ଵବ୍ରହ୍ମାଣ୍ଡରେ ପୃଥିବୀ ନାମରେ କୌଣସି ସ୍ଥାନ ନଥିଲା । ଦେବତାମାନେ ସମଗ୍ର ସୌରମଣ୍ଡଳ ପରିଭ୍ରମଣ କରି ଦେଖିଲେ ଯେ ପାଣିରେ ପରିପୂର୍ଣ୍ଣ ଗୋଟିଏ ଛୋଟ ଜାଗା ଥିଲେ ବି ସେଠି ଅଳ୍ପ ଟିକେ ଶୁଖିଲା ଜାଗା ନାହିଁ । ଦେବତାମାନେ ଆଲୋଚନା କରି ଭଗବାନ ‘ହେମଫୁ (ବିଷ୍ଣୁ)ଙ୍କୁ ଖଣ୍ଡେ ଶୁଖିଲା ଜାଗା ସୃଷ୍ଟି କରିବା ପାଇଁ ଆମନ୍ତ୍ରଣ କଲେ । ସେମାନଙ୍କ ଆହ୍ୱାନ କ୍ରମେ ଭଗବାନ୍‌ ବିଷ୍ଣୁ ପୃଥିବୀକୁ ସ୍ରଜନ କଲେ ।

 

ଆଦିମ ଯୁଗରେ ପରମବ୍ରହ୍ମଙ୍କ ନିର୍ଦ୍ଦେଶରେ ପ୍ରଥମେ ରାଂବିନୀ ଏବଂ ଚ’ ମାବିନୀ ନାମକ ଦୁଇଜଣ ଦେବତା ମାନବବିହୀନ ପୃଥିବୀରେ ପଦାର୍ପଣ କରି ମାନବଜାତି ସୃଷ୍ଟି କରିବା ବିଷୟରେ ଚିନ୍ତା କଲେ । କିନ୍ତୁ ବିଶାଳ ପୃଥିବୀରେ କିଭଳି ମାନବଜାତି ସୃଷ୍ଟି କରି ଏହି ପୃଥିବୀକୁ ପରିପୂର୍ଣ୍ଣ କରିବେ-ସେହି ବିଷୟକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ପଡ଼ିଲେ । ଶେଷରେ ସେମାନେ ଉପାୟହୀନ ହୋଇ ପରମବ୍ରହ୍ମଙ୍କୁ ଏହି ସମସ୍ୟା ବିଷୟରେ ଜଣେଇଲେ । କିନ୍ତୁ ଭଗବାନଙ୍କ ଆଦେଶ ପାଳନ କରି ନଥିବା ଜନିତ ଅପରାଧ ପାଇଁ ଭଗବାନ କ୍ଷୁବ୍‌ଧ ହୋଇ ସେହି ଦୁଇଜଣ ଦେବତାଙ୍କ ପତ୍ନୀଙ୍କୁ ପୃଥିବୀ ବକ୍ଷକୁ ପଠେଇ ମାନବଙ୍କୁ ଜନ୍ମଦେବା ପାଇଁ ଆଦେଶ ଦେଲେ । ସେହି ପତ୍ନୀଦ୍ୱୟଙ୍କ ଗର୍ତ୍ତ ସଞ୍ଚାରରୁ ‘ରାଣାମ ପାଥେୱାଂ’ ଏବଂ ‘ସେଲିରଏତ୍‌’ ନାମରେ ଦୁଇଜଣ ମାନବ ସନ୍ତାନ ଜନ୍ମହେଲେ-। ସେହି ଦୁଇଜଣ ସନ୍ତାନମାନଙ୍କୁ କାର୍ବି ଜନଗୋଷ୍ଠୀ ବିସ୍ତାର ଲାଭ କଲେ ।

 

ଅନ୍ୟ ଏକ ଜନବିଶ୍ଵାସ ମତେ ପୃଥିବୀରେ ପ୍ରକାଣ୍ଡ ଆକାରର ବାଦୁଡ଼ି ଜାତୀୟ ପ୍ରାଣୀର ହଜାରଟା ଅଣ୍ଡାରୁ କାରବି, ନାଗା, ଆହୋମ, କଚାରୀ ଇତ୍ୟାଦି ଜାତିର ଆବିର୍ତ୍ତାବ ଘଟିଥିଲା । କିନ୍ତୁ କାରବି ଜ୍ୟେଷ୍ଠ ସନ୍ତାନ ହୋଇ ମଧ୍ୟ ପୃଥିବୀରେ ରାକ୍ଷସ-ସୟତାନ ଇତ୍ୟାଦିଙ୍କ ଆଧିପତ୍ୟ ଯୋଗୁ ସେ ଅଣ୍ଡା ଭିତରୁ ଭୟରେ ବାହାରକୁ ଆସି ପାରି ନଥିଲା । ଈଶ୍ୱର ସମୟ ମତେ ରାକ୍ଷସ ତଥା ସୟତାନ କୁଳଙ୍କୁ ପୃଥିବୀର ଅନ୍ୟ ଏକ କୋଣକୁ ପଠେଇ ଦେଲା ପରେ କାରବି ସନ୍ତାନ ବାହାରକୁ ଆସିଲା । ସେଥିପାଇଁ ବାଦୁଡ଼ି ଜାତୀୟ ପକ୍ଷୀଟା ପ୍ରଥମେ ଦେଇଥିବା ଅଣ୍ଡାରୁ କାରବି ଜାତି ଜନ୍ମନେଲେ ହେଁ ଅଣ୍ଡା ଭିତରୁ ବାହାରକୁ ସେମାନେ ଆଗ ଆସି ପାରି ନଥିବାରୁ ‘କାର୍ବି’ ଜ୍ୟେଷ୍ଠ ହୋଇପାରିଲେନି । ଏହି କଥା କାର୍ବିମାନେ ‘ଚମାଂକାନ’ ନାମରେ ପାଳନ କରୁଥିବା ମୃତକର ଶ୍ରାଦ୍ଧଜନିତ ଉତ୍ସବର ଶେଷଦିନରେ ଏକାଠି ସମସ୍ତେ ଲଙ୍ଘାରେ ବସି ଘୁଷୁରି ମାଂସ ଖାଇଲାବେଳେ ଗାଉଥିବା ଗୀତରେ ବର୍ଣ୍ଣନା କରିଥାଆନ୍ତି ।

 

ଅନ୍ୟ ଏକ ଜନବିଶ୍ଵାସ ମତେ ହେମ୍‌ଫୁ ପୃଥିବୀ ସୃଷ୍ଟି କଲାପରେ ଖାଳି ପଡ଼ିଥିବା ଏହି ପୃଥିବୀ ବକ୍ଷରେ ନିଜ ଶରୀରର ଏକ ଅଂଗରୁ ମାନବଜାତି ସୃଷ୍ଟି କଲେ । ସେହି ମାନବ ହେଉଛନ୍ତି ଆଜିର କାରବି ଜନଗୋଷ୍ଠୀ ।

 

ଐତିହାସିକ ତଥ୍ୟମତେ କାରବିମାନେ ମଙ୍ଗୋଲୀୟ ଜନଗୋଷ୍ଠୀର କୌଣସି ଏକ ଶାଖାର ଅନ୍ତର୍ଗତ । ମଙ୍ଗୋଲୀୟ କହିଲେ ଚୀନଦେଶର ଜନଗୋଷ୍ଠୀଙ୍କୁ ବୁଝାଯାଇଥାଏ । ଏହି ସମ୍ପର୍କରେ କାର୍ବି ଲୋକଗୀତରେ ଏକ କାହାଣୀ ଶୁଣିବାକୁ ମିଳିଥାଏ । ସେହି କାହାଣୀର ବର୍ଣ୍ଣନା ମତେ ଧାନ ଉତ୍ପତ୍ତି ହେବା ପୂର୍ବରୁ କାର୍ବିମାନେ ଚୀନଦେଶର କୌଣସି ଏକ ଅଞ୍ଚଳରେ ଥିଲେ । କାରଣ ଚୀନ ଲୋକମାନଙ୍କ ସହ କାର୍ବିମାନେ ବନ୍ଧୁତ୍ଵ ସ୍ଥାପନର ସୁବିଧା ପାଇଥିଲେ । ତେଣୁ କାର୍ବିମାନେ ମଂଗୋଲୀୟ ଶାଖାର ଜାତି ବୋଲି ପଣ୍ଡିତମାନେ ମତପୋଷଣ କରିବାଟା ଯୁକ୍ତିସଂଗତ ।

 

କାର୍ବି ଶବ୍ଦର ଅର୍ଥ ସମ୍ପର୍କେ ବିଭିନ୍ନ ଜନ ଭିନ୍ନ ଭିନ୍ନ ମତ ପ୍ରଦାନ କରିଥାଆନ୍ତି । ‘‘ଓ୍ୱେ ଥେକାର+ ୱି’ରୁ କାର୍ବି ଶବ୍ଦର ଉତ୍ପତ୍ତି ହୋଇଛି ବୋଲି ବହୁ ସମାଲୋଚକ ମତବ୍ୟକ୍ତ କରିଛନ୍ତି । ‘ଲାଂମିଂପ’ ବା ହେମଫୁ ଅର୍ଥାତ୍‌ ଗୃହଦେବତା ବିଷ୍ଣୁ ପ୍ରବର୍ତ୍ତନ କରିଥିବା ରୀତିନୀତିକୁ ‘ଥେକାର’ କୁହାଯାଇଥାଏ । ଏହିଭଳି ଥେକାର ପାଳନ କରୁଥିବା ଲୋକକୁ ‘କାର୍ବି’ କୁହାଯାଇଥାଏ ।

 

ଅନ୍ୟପଟେ ଆଦିମ ଯୁଗରେ ନିଆଁ ପାଇଁ ନିଆଁଶାଳ ବାକ୍‌ସ ନ ଥିଲା । କାର୍ବିମାନେ ବାଉଁଶରେ ତମାଳଗଛକୁ ଘଷି, ପଥରରେ ପଥରକୁ ଘଷି ଅତି କଷ୍ଟରେ ନିଆଁ ଜଲାଉଥିଲେ । ଏହିଭଳି କଷ୍ଟକରି ନିଆଁ ଜଳେଇବାଠୁ ଜୁଇଶାଳରେ ଅନବରତ ନିଆଁ ଜଳେଇ ରଖିବା ପରମ୍ପରା (କାର୍ବି ଭାଷାରେ ମେକାର+ ବି)ରୁ ହିଁ କାର୍ବି ଶବ୍ଦ ଉତ୍ପତ୍ତି ହୋଇଛି ବୋଲି ଅନ୍ୟ କେତେଗୁଡ଼ିଏ ସମାଲୋଚକ ମତବ୍ୟକ୍ତ କରିଥାଆନ୍ତି ।

 

ମାନବ ସଭ୍ୟତାର ଏକ ମହତ୍ତମ ଅବଦାନ ହେଉଛି ସଂସ୍କୃତି । ଜୀବନର ପ୍ରୟୋଜନୀୟତାକୁ ଆଧାର କରି ଏହି ସଂସ୍କୃତି ଜନ୍ମଲାଭ କରିଛି । ଆଦିମ ଯୁଗରୁ ମାନବ ସମାଜ ଏ ଯାବତ୍‌ ବିଭିନ୍ନ ଘାତ-ପ୍ରତିଘାତ ସତ୍ତ୍ୱେ ନିଜକୁ ସାଂସ୍କୃତିକ ଚେତନା ହଁ ଆତ୍ମପ୍ରତିଷ୍ଠାର ମୂଳମନ୍ତ୍ର ହୋଇଆସିଛି । ସଂସ୍କୃତିର ସଂଜ୍ଞା ତଥା ପରିଭାଷା ସମ୍ପର୍କରେ ବିଶ୍ଵର ବିଶିଷ୍ଟ ସମାଲୋଚକ ଏବଂ ଗବେଷକମାନେ ବିଭିନ୍ନ ସମୟରେ ଭିନ ଭିନ୍ନ ମତ ପ୍ରଦାନ କରିଯାଇଛନ୍ତି । ସେଗୁଡ଼ିକ ଭିତରେ ସବୁଠୁ ଜନପ୍ରିୟ ସଂଜ୍ଞା ପ୍ରଦାନ କରିଛନ୍ତି E.B. Tylor । ତାଙ୍କ ମତରେ Culture or civilization is that complex whole which includes knowledge, belief, art, morals, custom and any other capabilities and habits acquired by man as a member of society. ‘‘ଏହି ସୂତ୍ର ସଂସ୍କୃତିର ପ୍ରାୟତଃ ସବୁ କଥାଗୁଡ଼ିକୁ ଆଦରି ନେଲେ ହେଁ ନୃ-ତାତ୍ତ୍ୱିକମାନେ ପ୍ରଦାନ କରିଥିବା ସହଜ ସୂତ୍ରକୁ ଏହି କ୍ଷେତ୍ରରେ ଗ୍ରହଣ କରିବାଟା ସମିଚୀନ ହେବ । ସେମାନେ ସଂସ୍କୃତିକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରିଛନ୍ତି । ଗୋଟିଏ ଭାଗ ହେଉଛି material culture ଅର୍ଥାତ୍ ‘‘ବସ୍ତୁ ସଂସ୍କୃତି’’ ଏବଂ ଅନ୍ୟଟି ହେଉଛି non-material culture ଅର୍ଥାତ୍ ‘‘ମାନସିକ ସଂସ୍କୃତି’ । ମଣିଷର ଘର-ଦ୍ୱାର, କପଡ଼ା-ପତ୍ର, ବେଶ-ପୋଷାକ, ସାଜ-ସରଞ୍ଜାମ ଇତ୍ୟାଦିକୁ ବସ୍ତୁ ସଂସ୍କୃତି ବା material culture ଏବଂ ସମାଜର ଭାଷା, ଧର୍ମ, ଆଚାର-ବ୍ୟବହାର, ଉତ୍ସବ-ପାର୍ବଣ, ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟକ୍ରମ ଇତ୍ୟାଦିକୁ ମାନସିକ ସଂସ୍କୃତି ବା non-material culture କୁହାଯାଇଥାଏ ।

 

ସାମାଜିକ ଜୀବନ-ଯାପନ ପ୍ରଣାଳୀ ମଧ୍ୟରେ ପରମ୍ପରାଗତ ଭାବେ ପାଳିତ ହୋଇ ଆସୁଥିବା ଉତ୍ସବ-ପାର୍ବଣ ତଥା ଅନୁଷ୍ଠାନ ସମୂହ କେବଳ ଗୋଟିଏ ଜାତିର ସାଂସ୍କୃତିକ ଉପାଦାନ ନୁହେଁ । ଏହା ପ୍ରତିଟି ଜାତିର ପ୍ରାଣସ୍ପନ୍ଦନ ସ୍ୱରୂପ । ଏହି ଉତ୍ସବ-ପାର୍ବଣ ତଥା ଅନୁଷ୍ଠାନ ମାଧ୍ୟମରେ ସାମାଜିକ ଜୀବନ ନିୟନ୍ତ୍ରିତ ତଥା ଗତିଶୀଳ ହେବା ସହ ଜାତିର ବୈଶିଷ୍ଟ୍ୟ ଫୁଟି ଉଠେ । ବର୍ଣ୍ଣଢ଼୍ୟ ସାଂସ୍କୃତିକ ଐତିହ୍ୟରେ ସମୃଦ୍ଧ ଅସମର ଭୂମିପୁତ୍ର ନାମରେ ପରିଚିତ ଏହି କାର୍ବି ଜନଗୋଷ୍ଠୀ ପୂର୍ବେ ‘ମିକିର’ ନାମରେ ଖ୍ୟାତ ଥିଲେ । କାର୍ବି ଜନଗୋଷ୍ଠୀର ସଂସ୍କୃତି କେବଳ କୃଷିଭିତ୍ତିକ ନୁହେଁ, ଅଲୌକିକ ଜନବିଶ୍ଵାସ ଉପରେ ଏହାର ସଂସ୍କୃତି ବିକାଶଲାଭ କରିଛି । ଅନ୍ୟ ପଟେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ-ଏହା ଭିତରେ ସୀମାବଦ୍ଧ ନ ରହି ମୃତ୍ୟୁରୁ ପୁନର୍ଜନ୍ମ ପର୍ଯ୍ୟନ୍ତ କାର୍ବି ସଂସ୍କୃତି ବିସ୍ତାର ଲାଭ କରିଛି । ଯା’ର ପରିଣତି ସ୍ଵରୂପ ସେମାନେ କୃଷିକର୍ମ ସହିତ ଜଡ଼ିତ ବିଭିନ୍ନ ବିଶ୍ୱାସଭିତ୍ତିକ ଉତ୍ସବ ଅନୁଷ୍ଠାନ ସମୂହ ଶହଶହ ବର୍ଷ ଧରି ପାଳନ କରି ଆସୁଛନ୍ତି । ସେମାନଙ୍କର ଏହି ଉତ୍ସବ ଅନୁଷ୍ଠାନ ସମୂହକୁ ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ । ୧-କୃଷିଭିତ୍ତିକ, ୨-ପୁନର୍ଜନ୍ମ ସହିତ ଜଡ଼ିତ ଲୋକବିଶ୍ଵାସ ଭିତ୍ତିକ ।

 

କୃଷିଭିତ୍ତିକ ଉତ୍ସବ ସମୂହ ଭିତରେ ୧-ନଖା ମାଗା (ବର୍ଷାକୁ ଆହ୍ୱାନ କରିବା), ୨-କେଫ୍ଲା (ଯୁଗଦେବତାଙ୍କ ପୂଜା), ୩-ରିତ ନଂ ଚିନ୍ଦି (କୃଷିଯାତ୍ରା), ୪-ଚକେରୟ ବା ହାସାକେକାନ (ଧାନ ଅମଳ ଉତ୍ସବ), ୫-ହରଲିନ କେ ଜୁମ, ହାନ ହତା-ଆ-ହି, ଅକ୍‌ କିପ୍ରୁ (ମାଛଧରା ଉତ୍ସବ), ୬-ଜିରଅ’ରି, ଫାକ ଅକ ଆରଚଡ଼ା ଏବଂ ରିଚ’ଚ’ ଜୁନ (ସ୍ୱର୍ଗପୂଜା) ଆଦି ପ୍ରଧାନ । ଅନ୍ୟପଟେ ପୁନର୍ଜନ୍ମ ସହିତ ଜଡ଼ିତ ଲୋକବିଶ୍ଵାସ ଭିତ୍ତିକ ଉତ୍ସବ ଭିତରେ ‘ଚମାଂକାନ’, ହାଚାକେକାନ ଏବଂ ‘ଅକକିପ୍ରୁ’ ଇତ୍ୟାଦି ପ୍ରଧାନ ।

 

ସୀମିତ ପରିସରକୁ ଦୃଷ୍ଟିରେ ରଖି କାର୍ବି ଜନଗୋଷ୍ଠୀମାନଙ୍କର କୃଷି ସହିତ ଜଡ଼ିତ ଦୁଇଟି ମୁଖ୍ୟ ଉତ୍ସବ ‘ଚ’ ଜୁନ୍‌ ଏବଂ ‘ନଖା ମାଗା’ ସଂପର୍କରେ ନିମ୍ନରେ ଆଲୋଚନା କରାଯାଇଛି ।

 

ଚ’ ଜୁନ୍ ପୂଜା - ପ୍ରକୃତି ସହିତ ଏକାତ୍ମ ହୋଇପଡ଼ିଥିବା କାର୍ବି ଜନଗୋଷ୍ଠୀ ସାଧାରଣତଃ ଅତ୍ୟନ୍ତ ଧର୍ମବିଶ୍ୱାସୀ । ଅନ୍ୟାନ୍ୟ ଜନଗୋଷ୍ଠୀଙ୍କ ଭଳି କାର୍ବିମାନଙ୍କ ଦେବଦେବୀଙ୍କର ଅବୟବ ବା ଆକାର ନାହିଁ । ସେମାନେ ନଦ-ନଦୀ, ପାହାଡ଼ପର୍ବତ, ଗଛ-ଲତା, ଶିଳା ଇତ୍ୟାଦିକୁ ଦେବଦେବୀଙ୍କ ପ୍ରତୀକରୂପେ କଳ୍ପନା କରି ପୂଜା ଅର୍ଚ୍ଚନା କରନ୍ତି । ସେହିଭଳି ସ୍ଵର୍ଗରାଜ ଇନ୍ଦ୍ରଙ୍କୁ ପ୍ରମୁଖ୍ୟ କରି ସ୍ଵର୍ଗର ଅନ୍ୟାନ୍ୟ ଦେବଦେବୀଙ୍କ ଉଦ୍ଦେଶ୍ୟରେ କାର୍ବିମାନେ ଆୟୋଜିତ କରିଥିବା ପୂଜାକୁ ‘ସରଗପୂଜା’ ବା ‘ଚ’ ଜୁନ୍’ ଅଥବା ‘ଚ’ ଜୁନ ଆର୍ଣ୍ଣାମ’ କୁହାଯାଇଥାଏ । ଏହି ପୂଜା ମୁଖ୍ୟତଃ ପରିବାରର ମଙ୍ଗଳ କାମନା ସହ ବିଘ୍ନ ଏବଂ ଅମଙ୍ଗଳର ଦୂରୀକରଣାର୍ଥେ ପାଳନ କରାଯାଇଥାଏ । ଚ’ ଜୁନ ପୂଜା କରି କେହି ଯଦି ଅସମ୍ପୂର୍ଣ୍ଣ ରଖନ୍ତି ତା ହେଲେ ଗୃହସ୍ଥଙ୍କର ଅମଙ୍ଗଳ ହୁଏ ବୋଲି ବିଶ୍ଵାସ କରାଯାଇଥାଏ । ରଖନ୍ତି ତା ହେଲେ ଗୃହସ୍ଥଙ୍କର ଅମଙ୍ଗଳ ହୁଏ ବୋଲି ବିଶ୍ଵାସ କରାଯାଇଥାଏ । ଏପରିକି ଏହି ପୂଜା ନ କଲେ ଘରେ ବଜ୍ରପାତ ହେବା ସହ ପରିବାରର ଲୋକମାନେ କୋଷ୍ଠରୋଗରେ ଆକ୍ରାନ୍ତ ହୁଅନ୍ତି ବୋଲି ଜନଶ୍ରୁତିରେ ପ୍ରଚଳିତ ହୋଇଆସିଛି । ଏହି ପୂଜାର ସମସ୍ତ ଖର୍ଚ୍ଚ ସାଧାରଣତଃ ବ୍ୟକ୍ତିଗତ ଭାବେ ଗୋଟିଏ ପରିବାର ବହନ କରିବା ନିୟମ । କିନ୍ତୁ ଏହି ଚ’ ଜୁନ ପୂଜା ବ୍ୟୟବହୁଳ ହେତୁ କେବଳ ସାମର୍ଥ୍ୟବାନ୍‌ ବ୍ୟକ୍ତି ଏହି ପୂଜା ଆୟୋଜନ କରିବା ପାଇଁ ସାହସ କରନ୍ତି । ପୂଜା ପାଇଁ କୌଣସି ନିର୍ଦ୍ଦିଷ୍ଟ ଦିନ ତଥା ତାରିଖ ଅଥବା ବାର ନଥିଲେ ବି ଧାନଫସଲ ଅମଳ ପରେ ମାଘ ବା ଫଗୁଣ ମାସରେ ନିଜ ସୁବିଧା ମତେ ଗୃହସ୍ଥ ଗ୍ରାମବାସୀଙ୍କ ସହ ଆଲୋଚନା କରି ଏହି ପୂଜାର ଆୟୋଜନ କରନ୍ତି । ଏହି ପୂଜା ପାଇଁ ଗୃହସ୍ଥ ଏକ ଖୋଲା ବିସ୍ତୀର୍ଣ୍ଣ ପଡ଼ିଆକୁ ଗ୍ରାମବାସୀଙ୍କ ସହ ମିଶି ସଫାସଫି କରି ଠିକ୍‌ କରନ୍ତି । ତିନିଚାରି ବର୍ଷରେ ଥରେ ଜଣେ ଗୃହସ୍ଥ ଏହି ପୂଜାର ଆୟୋଜନ କରି ଥାଆନ୍ତି । ଚ’ ଜୁନ ପୂଜାରେ ଘୁଷୁରି ଏବଂ କୁକୁଡ଼ା ତଥା କୁକୁଡ଼ା ଅଣ୍ଡା ଉତ୍ସର୍ଗ କରିବାଟା ବାଧ୍ୟତାମୂଳକ । ପ୍ରତ୍ୟେକ ପର୍ଯ୍ୟାୟରେ ସାଧାରଣତଃ ଆଠଟା କରି ଘୁଷୁରି ଏବଂ କୁକୁଡ଼ା ତଥା କୁକୁଡ଼ା ଅଣ୍ଡା ଉତ୍ସର୍ଗ କରିବା ନିୟମ ପ୍ରଚଳିତ ହୋଇଆସିଛି ।

 

ଚ’ ଜୁନ ପୂଜାରେ ସରଗପୂଜା ହିସାବେ ସ୍ଵର୍ଗରାଜ ଇନ୍ଦ୍ରଙ୍କୁ ବିଶେଷ ଭାବେ ପୂଜା କରାଗଲେ ହେଁ ଗୃହଦେବତା ‘ହେମଫୁ’ (ବିଷ୍ଣୁ )ଙ୍କୁ ମଧ୍ୟ ଗୁରୁତ୍ଵ ସହକାରେ ପୂଜା କରାଯାଇଥାଏ । ଏହା ସହିତ ‘ହାରାଢ଼ା’ (ବରୁଣ ଦେବତା), ହାରାଢ଼ା ଆମପରତକ (ବରୁଣଙ୍କ ସହଯୋଗୀ ଦେବୀ), ବିରନେ (ଇନ୍ଦ୍ରଙ୍କ ଦୂତ), ଲଂଲେ ଆହି-ଈ (ଲକ୍ଷ୍ମୀଦେବୀ), ଛାର (ଗୃହସ୍ଥଙ୍କ ଆଦି ପୁରୁଷ) ଏବଂ ଆରନି (ସୂର୍ଯ୍ୟଦେବତା)ଙ୍କ ସହ ବଂଶର ପୂର୍ବପୁରୁଷମାନଙ୍କୁ ଦେବତୁଲ୍ୟ ଜ୍ଞାନରେ ଆହ୍ୱାନ କରି ପୂଜା କରାଯାଇଥାଏ । ପୂଜା ପୂର୍ବଦିନ ରାତିରେ ଗୃହସ୍ଥଙ୍କ ଘରେ ନାମକୀର୍ତ୍ତନ ଇତ୍ୟାଦି ଅନୁଷ୍ଠିତ କରି ଦେବତାମାନଙ୍କୁ ଆହ୍ୱାନ କରାଯାଇଥାଏ । ଏଥିପାଇଁ ଗୃହସ୍ଥଙ୍କ ଘରେ ଖାରଦିଆ ତରକାରୀ ରନ୍ଧା ହୋଇ ଦେବତାମାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥାଏ । ଏହି ସମୟରେ ବହୁ କେତେଜଣ ପୁରୋହିତ ମନ୍ତ୍ରପାଠ କରନ୍ତି । ମନ୍ତ୍ରରେ ‘‘ବିଷ୍ଣୁ ସମସ୍ତ ଦେବତାଙ୍କର ପୂଜ୍ୟ ଏବଂ ଦେବତାମାନେ ମାନବ ସମାଜର ଆରାଧ୍ୟ’ ଏହି କଥା ବାରମ୍ବାର ଉଚ୍ଚାରିତ ହୋଇଥାଏ । ଏହି ଆହ୍ୱାନ ପର୍ବ ଶେଷ ହେଲା ପରେ ଗ୍ରାମବାସୀମାନେ ମିଳିତ ହୋଇ ଖୋଲା ପଡ଼ିଆରେ ଆୟୋଜିତ ମୂଳ ପୂଜା ସ୍ଥାନକୁ ଆସନ୍ତି । ପଡ଼ିଆରେ ନିର୍ଦ୍ଦିଷ୍ଟ ନିୟମାନୁଯାୟୀ ବିଭିନ୍ନ ଦେବତାଙ୍କ ଉଦ୍ଦେଶ୍ୟରେ ପୂଜା ବେଦୀ, ପୁରୋହିତ ତଥା ନିମନ୍ତ୍ରିତ ଅତିଥି ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ, ଆତ୍ମୀୟ ସ୍ଵଜନ ତଥା ପରିବାରର ସଦସ୍ୟମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସଂରକ୍ଷିତ ସ୍ଥାନ, ମହିଳାମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ, ମଦ-ପାଣି ଏବଂ ମାଂସ ଇତ୍ୟାଦି ରଖିବା ପାଇଁ ସୁନିର୍ଦ୍ଦିଷ୍ଟ ସ୍ଥାନର ବ୍ୟବସ୍ଥା କରାଯାଇଥାଏ । ପୂଜା ବେଦୀଗୁଡ଼ିକ ମଧ୍ୟରେ ମୁଖ୍ୟତଃ ମୂଳ ପୂଜା ବେଦୀ, ଇନ୍ଦ୍ରବେଦୀ, ବରୁଣବେଦୀ ଏବଂ ସୂର୍ଯ୍ୟବେଦୀ ନିର୍ମିତ ହୋଇଥାଏ । ଦେବତାମାନଙ୍କ ଉଦ୍ଦେଶ୍ୟରେ ବେଦୀଗୁଡ଼ିକ ସାଧାରଣତଃ ପୂର୍ବଦିଗରେ ଢିପ ଉପରେ ନିର୍ମାଣ କରାହୋଇଥାଏ । ଏଥିପାଇଁ ନିୟମମତେ ସରୁ ବାଉଁଶ ପଳାକୁ ଦୁଇଫାଳ କରି ବେଦୀରେ ସ୍ଥାପନ କରାଯାଇଥାଏ । ଏହି ବାଉଁଶ ଦିଖଣ୍ଡକୁ ବେଦୀରେ ପୋତିଲାବେଳେ ଯଦି ଗୋଟାଏ ଫାଳ ଉପରମୁହାଁ ଏବଂ ଅନ୍ୟ ଗୋଟାଏ ଫାଳ ତଳମୁହାଁ ହୋଇ ରହେ, ତା’ ହେଲେ ଗୃହସ୍ଥର ମଙ୍ଗଳ ହେବ ବୋଲି ବିଶ୍ଵାସ କରାଯାଇଥାଏ । ନ ହେଲେ ଏହାର ଫଳ ବିପରୀତ ହେବାର ଧାରଣା କରାଯାଇଥାଏ । ଏହାପରେ ବେଦୀରେ ଲରୁ ନାମକ ଏକ ପ୍ରକାର ଜଙ୍ଗଲୀ ଗଛର ପତ୍ରକୁ ରଖାଯାଇଥାଏ । ଏହା ପାଖରେ ଆଉ ଗୋଟିଏ ବାଉଁଶ ପଳାକୁ ଫଟେଇ ପୋତି ଦିଆଯାଇଥାଏ । ‘ଲରୁ’ ପତ୍ରରେ ତିନିଭାଗ କରି ଚାଉଳ ରଖାଯାଇଥାଏ ଏବଂ ମଝିଭାଗ ଚାଉଳ ପାଖରେ ଦୀପ ଏବଂ ପିତଳର ଖଡ଼ୁ ସ୍ଥାପନ କରାଯାଇଥାଏ । ମୂଳ ଦେବତା ଇନ୍ଦ୍ରଙ୍କ ବେଦୀ ଚାରିପଟେ ଚାରିଟା ଖୁଣ୍ଟି ପୋତିବା ସହ ମଝିରେ ଗୋଟାଏ ମୁଖ୍ୟ ଖୁଣ୍ଟ ପୋତା ଯାଇଥାଏ । ‘ପଂରଂ’ ନାମକ ଏକପ୍ରକାର ଜଙ୍ଗଲୀ ଗଛର ଡାଳପତ୍ରରେ ଏହି ଖୁଣ୍ଟିଗୁଡ଼ିକୁ ସଜ୍ଜେଇ ତା ଉପରେ ଛଣଛପର ଦେଇ ମଜଭୁତ କରି ଗୋଟାଏ ଭାଜିଘର ତିଆରି କରାହୁଏ । ଭାଡ଼ିକୁ ଯିବା ପାଇଁ ତଳୁ ନଅଟା ପାହାଚ ତିଆରି କରାହୁଏ-। ଭାଜି ଉପରେ ଗୋଟାଏ ଘୁମ ରଖି ଏହା ମୁହଁକୁ କପଡ଼ାରେ ଭଲଭାବେ ବାନ୍ଧି ଦିଆହୁଏ । ଏହା ଭିତରେ ଦେବତାଙ୍କ ଉଦ୍ଦେଶ୍ୟରେ ପାନୀୟ (ଗୃହରେ ପ୍ରସ୍ତୁତ ମଦ) ରଖାଯାଇଥାଏ । ପଂରଂ ନାମକ ଗଛଖୁଣ୍ଟିରେ ଏବଂ କଦଳୀ ପୁଆରେ ବିଭିନ୍ନ ପ୍ରକାରର ଜଙ୍ଗଲୀ ପତ୍ର ବନ୍ଧା ହୁଏ । ବେଦୀତଳେ ଜୀଅନ୍ତା ଚେଙ୍ଗମାଛ, ଚିଙ୍ଗୁଡ଼ି ମାଛ ଏବଂ କଙ୍କଡ଼ା ଇତ୍ୟାଦିକୁ ଘୁମ ଭିତରେ ରଖିବା ସହ ଖଣ୍ଡେ କଟୁରୀ ମଧ୍ୟ ରଖାହୁଏ ।

 

ବରୁଣଙ୍କ ବେଦୀରେ ‘ପୁରୁଷ ଓ ସ୍ତ୍ରୀ’ ଉଭୟଙ୍କ ପାଇଁ ଦୁଇଟି ସ୍ଵତନ୍ତ୍ର ବେଦୀ ନିର୍ମିତ ହୁଏ । ବେଦୀରେ କଦଳୀ ଗଛ, କୁଟା ମୂର୍ତ୍ତି, ତିନିଟା ଛୋଟ ଛୋଟ ଭାଡ଼ି ତଥା ପାନୀୟ (ମଦ) ଇତ୍ୟାଦି ରଖିବା ସହ ବେଦୀପାଖରେ, ଗୋଟାଏ ଗାତ ଖୋଳି ସେଥିରେ ଅଣ୍ଡା, ଧାନ କଣ୍ଠା ଏବଂ ଲରୁ ନାମକ ଗଛର ପତ୍ରକୁ ରଖାହୁଏ । ଭାଡ଼ି ଉପରେ ଅନ୍ୟାନ୍ୟ ବେଦୀ ଭଳି ଚାଉଳ ଏବଂ ଖଡ଼ୁ ରଖାହୁଏ ।

 

ଉଚ୍ଚା ଜାଗାରେ ନିର୍ମିତ ସୂର୍ଯ୍ୟବେଦୀରେ ନାନାରଙ୍ଗର ମୁରୂଜରେ ସୂର୍ଯ୍ୟାକୃତିର କୋଠରି ନିର୍ମିତ ହୁଏ । ପାଖରେ ଆର୍ହି ନାକ ଗଛପୋତା ହୁଏ । ଏହା ପାଖରେ କୁକୁଡ଼ା ଛୁଆ ଏବଂ କୁକୁଡ଼ା ଅଣ୍ଡା ରଖାହୁଏ । ତା’ ପାଖରେ ଅନ୍ୟାନ୍ୟ ବେଦୀ ଭଳି ଚାଉଳ, ଖଡ଼ୁ ଆଦି ରଖିବା ସହ ଶାଳଗଛ ଡାଳକୁ ପୋତି ଦିଆହୁଏ ।

 

ଉପରୋକ୍ତ ବେଦୀଗୁଡ଼ିକୁ ବାଦ୍‌ଦେଲେ ଅନ୍ୟାନ୍ୟ ଦେବଦେବୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ବେଦୀଗୁଡ଼ିକ ସାଧାରଣ ବେଦୀ ଭଳି ସଜ୍ଜା ଯାଇଥିଲେ ହେଁ ସୂର୍ଯ୍ୟ ଏବଂ ଆଦି ପୁରୁଷଙ୍କ ବେଦୀରେ ଆର୍ହିଗଛ ପୋତା ହୁଏନି । ପୂର୍ବପୁରୁଷଙ୍କ ସ୍ମରଣାର୍ଥେ ନିର୍ମିତ ଛୋଟ ଏବଂ ସାଧାରଣ ବେଦୀ ପାଞ୍ଚଟାକୁ ସୁସଜ୍ଜିତ କରାହୁଏନି ।

 

ପୂଜାସ୍ଥଳୀରେ ଉତ୍ତରରେ ବାଉଁଶ, ଛଣ ଏବଂ ଜଙ୍ଗଲୀଗଛର ପତ୍ରରେ ସଜ୍ଜିତ କରି ଗୋଟାଏ ବଡ଼ ଲମ୍ବା ଚାଳିଘର ନିର୍ମାଣ କରିହୁଏ । ଏହାକୁ ‘ଅଂନିଂ’ ଫାଇଲା କୁହାଯାଇଥାଏ । ଏଠାରେ ପୁରୋହିତ ତଥା ନିମନ୍ତ୍ରିତ ମୁଖ୍ୟ ଅତିଥି ଏବଂ ଦାୟିତ୍ୱଶୀଳ ବ୍ୟକ୍ତିମାନେ ବିଶ୍ରାମ କରନ୍ତି । ସେହିଭଳି ଦକ୍ଷିଣପଟେ ‘ଛାର ହାବେ ଫାଇଲା’ ନାମକ ନିର୍ମିତ ଚାଳିଘରେ ଗୃହସ୍ଥର ଭିଣୋଇ, ମାମୁଁ, ଭଣଜା, ଜ୍ୱାଇଁ ତଥା ଅନ୍ୟାନ୍ୟ ବନ୍ଧୁବର୍ଗ ବିଶ୍ରାମ କରନ୍ତି । ପୂଜାସ୍ଥଳୀର ପଶ୍ଚିମ ଦିଗରେ ମହିଳାମାନେ ବିଶ୍ରାମ କରିବା ପାଇଁ ଏକ ଚାଳିଆ ନିର୍ମାଣକରା ହୋଇଥାଏ, ଏହି ଚାଳିଆକୁ ‘କୁମ୍ଭିରୀ’ କୁହାଯାଇଥାଏ । ଏହାର ତିନିଦିଗକୁ ଅତି ସୁନ୍ଦରଭାବେ ବାଉଁଶ ପଟିରେ ଆବୃତ୍ତ କରାଯାଇଥାଏ । ଏଠାରେ ମହିଳାମାନେ ପୂଜା ପାଇଁ ଆଣିଥିବା ବ୍ୟବହୃତ ସରଞ୍ଜାମ ଇତ୍ୟାଦିକୁ ମଧ୍ୟ ରଖିଥାଆନ୍ତି ।

 

ପୂଜାସ୍ଥଳୀ ମଝିରେ ଚାରିଟା ଖୁଣ୍ଟ ପୋତି ଚାରିପଟେ ବାଉଁଶ ପଟିଦେଇ ଭାଡ଼ି ତିଆରି କରାହୋଇଥାଏ । ଏହାକୁ ‘ଅକରାପ’ କୁହାଯାଇଥାଏ । ଏହି ଭାଡ଼ିର ଖୁଣ୍ଟିଗୁଡ଼ିକରେ ପୂଜାପାଇଁ ଉତ୍ସର୍ଗିତ କୁକୁଡ଼ା ଏବଂ ଘୁଷୁରି ଆଦିକୁ ବାନ୍ଧି ଦିଆଯାଇଥାଏ । ଏଗୁଡ଼ିକୁ ପୂଜା ବେଦୀରେ ବଳିଦେଲାପରେ ବଳି ମାଂସକୁ ଭାଡ଼ି ଉପରେ ରଖାହୁଏ ।

 

ବର୍ତ୍ତମାନ ନିମନ୍ତ୍ରିତ ଅତିଥି ସହ ଗ୍ରାମବାସୀମାନଙ୍କ ପାଇଁ ନିର୍ମିତ ନିର୍ଦ୍ଦିଷ୍ଟ ଚାଳିରେ ସମସ୍ତେ ବିଶ୍ରାମ କରି ପୂଜା ପାଇଁ ଅପେକ୍ଷା କରନ୍ତି । ମୂଳପୂଜା ଆରମ୍ଭ ହେବା ପୂର୍ବରୁ ବେଦୀ ସମ୍ମୁଖରେ ପୂଜାରୀ ଏବଂ ସହଯୋଗୀ ହିସାବେ ଗୃହସ୍ଥ-ଜଣକ ନିଜ ଘରେ ପ୍ରସ୍ତୁତ ମଦକୁ ପିଇସାରି ଦେବତାଙ୍କ ଉଦ୍ଦେଶ୍ୟରେ ମନ୍ତ୍ର ଉଚ୍ଚାରଣ କରନ୍ତି । ଏହାକୁ ‘ଛେକାଛାଦି’ ଅନୁଷ୍ଠାନ କୁହାଯାଇଥାଏ । ଏହି ଅନୁଷ୍ଠାନରେ ଗୃହସ୍ଥ ଜଣକ ଗାଉଥିବା ମନ୍ତ୍ରଗୁଡ଼ିକ ଏହିଭଳି-

 

‘‘ପି ଆନ ପାରତକ

ପୁ ଆନ ପାରତକ

ଛିଂ ହାରାଣ....’’

 

ଏହାର ଅର୍ଥ ହେଉଛି-ଆଜିର ଏହି ଶୁଭ ମୁହୂର୍ତ୍ତରେ ଦେବତାମାନଙ୍କ ଉଦ୍ଦେଶ୍ୟରେ ଯେଉଁ ପୂଜାର ଆୟୋଜନ କରାହୋଇଛି, ଏହାକୁ ମୋର ବିନମ୍ର ନିବେଦନ ରୂପେ ଯେମିତି ଆପଣମାନେ ଗ୍ରହଣ କରନ୍ତି । ମୋ ଅଜଣାରେ ପୂଜା ଅନୁଷ୍ଠାନରେ ହୋଇଥିବା ଭୁଲ୍‌ଭ୍ରାନ୍ତିକୁ ଆପଣମାନେ ଯେପରି ଆପଣଙ୍କ ମହାନ୍‌ଗୁଣରେ କ୍ଷମା କରିଦିଅନ୍ତି ।’’ ଏହାପରେ ପୁରୋହିତ ମନ୍ତ୍ରପାଠ କରି ବିଭିନ୍ନ ବେଦୀ ଆଗରେ କୁକୁଡ଼ା ଏବଂ ଘୁଷୁରି ବଳି ଦିଅନ୍ତି । ଇନ୍ଦ୍ର, ଇନ୍ଦ୍ରଙ୍କ ଦୂତ, ଲକ୍ଷ୍ମୀ ଏବଂ ଆଦି ଦେବତାଙ୍କ ଉଦ୍ଦେଶ୍ୟରେ ଗୋଟାଏ କୁକୁଡ଼ା ଛୁଆ ବଳିଦିଆ ହୁଏ । ବରୁଣ ଦେବତାଙ୍କ ଉଦ୍ଦେଶ୍ୟରେ ଗୋଟାଏ କୁକୁଡ଼ା ଛୁଆ ବଳି ଦିଆହୁଏ । ସୂର୍ଯଙ୍କ ଉଦ୍ଦେଶ୍ୟରେ ଗୋଟାଏ ଧଳା କୁକୁଡ଼ା ଏବଂ ଅଣ୍ଡା ବଳି ଦିଆହୁଏ ।

 

ବଳି ଉତ୍ସବ ପରେ ରନ୍ଧନଶାଳାରେ ଭାତ-ମାଂସ ରନ୍ଧାପର୍ବ ଆରମ୍ଭ ହୁଏ । ରନ୍ଧା ପର୍ବରେ ଯୋଗ ଦେଇଥିବା ରୋଷେଇୟାମାନଙ୍କୁ ‘ରାଣତିନି’ କୁହାଯାଇଥାଏ । ଏହାପରେ ଯୁବତୀମାନେ ଅତିଥିମାନଙ୍କୁ ଭାତ, ଯୁବକମାନେ ମଦତଥା ମାଂସ ପରିବେଷଣ କରନ୍ତି ।

 

ମୂଳବେଦୀରେ ପ୍ରଥମେ ଦେବତାମାନଙ୍କ ଉଦ୍ଦେଶ୍ୟରେ ଭାତ, ମାଂସ ତଥା ଭଜା ମାଛ ଅନ୍ତ ଇତ୍ୟାଦି ଉତ୍ସର୍ଗ କଲାପରେ ଗୃହସ୍ଥ ପ୍ରଥମେ ମାନ୍ୟ ବ୍ୟକ୍ତି ଜଣଙ୍କୁ ଅର୍ଥାତ୍‌ ଗାଁ ମୁଖିଆଙ୍କୁ ନିୟମମତେ ସର୍ବପ୍ରଥମେ ମଦ ଏବଂ ମାଂସ ବାଢ଼ି ଦିଅନ୍ତି । ତା’ପରେ ଗ୍ରାମର ପୂଜାରୀ । ପୁରୋହିତ ତଥା ନିଜ ମାମୁଁଙ୍କୁ ଗୃହସ୍ଥ ଗୋଟାଏ ଗୋଟାଏ ବୋତଲମଦ ଉପହାର ଦେବା ସହ ସମ୍ମାନର ଚିହ୍ନ ସ୍ୱରୂପେ ତାଙ୍କ ପତ୍ରରେ ଗୋଟାଏ ଗୋଟାଏ ପୋଡ଼ା କୁକୁଡ଼ା ମୁଣ୍ଡ ବାଢ଼ି ଦେଇଥାଆନ୍ତି । ଏହାପରେ ଭଗବାନଙ୍କ ନାମ ନେଇ ସମସ୍ତେ ନିଜ ନିଜ ବିଶ୍ରାମ ଚାଳିଆରେ ଭୋଜିଭାତ ଖାଆନ୍ତି । ଏହି ସମୟରେ ପାନୀୟ ହିସାବେ ଗୃହରେ ପ୍ରସ୍ତୁତ ମଦ ସମସ୍ତଙ୍କୁ ପରିବେଷଣ କରାଯାଇଥାଏ ।

 

ଭୋଜିଭାତ ଶେଷ ହେଲାପରେ ଗୃହସ୍ଥ ନିଜ ବଡ଼ ଭଉଣୀଙ୍କୁ ଘୁଷୁରିର ପଛପଟ ଫଡ଼ିଆରୁ କିଛିମାଂସ, ଭଣଜାକୁ ଆଗପଟରୁ କିଛି ମାଂସ, ମାମୁଁ ତଥା ଗାଁ ମୁଖିଆଙ୍କୁ ଗୋଟାଏ ଗୋଟାଏ ପୁଡ଼ିଆ କଞ୍ଚାମାଂସ ଦେଇଥାଆନ୍ତି । ଏହା ପରେ ଗୃହସ୍ଥଙ୍କ ପରିବାରର ଜଣେ ଯୁବକ ଗୋଟାଏ ପତ୍ରରେ ଭାତ ଏବଂ ମାଂସ ନେଇ ସମସ୍ତ ବୟୋଜ୍ୟେଷ୍ଠଙ୍କ ଆଗରେ ଛିଡ଼ା ହୋଇ ସେମାନଙ୍କଠୁ ଆଶୀର୍ବାଦ ନିଅନ୍ତି । ଶେଷରେ ଏହି ଭାତ-ମାଂସକୁ ଗାଁର ମୁଖ୍ୟ ବ୍ୟକ୍ତି ସୟତାନଙ୍କ ଉଦ୍ଦେଶ୍ୟରେ ଅର୍ପଣ କରନ୍ତି ଯେମିତି କି ସୟତାନ ଏହାକୁ ଗ୍ରହଣ କରି ସନ୍ତୁଷ୍ଟ ହୁଅନ୍ତି ।

 

ଏହାପରେ ପୁରୋହିତ ଦେବତାମାନଙ୍କ ନାମ ଉଚ୍ଚାରଣ କରିବା ସହ ଭାଡ଼ି ଉପରେ ଥିବା ମଦଘୂମକୁ ପୂଜା କରି ମନ୍ତ୍ରପାଠ ସହ ପୂଜା ଶେଷ କରନ୍ତି । ଏହି ସମୟରେ ପୁରୋହିତ ଜଣକ ଗାଉଥିବା ମନ୍ତ୍ରର ଭାବାର୍ଥ ହେଲା- ‘‘ବର୍ତ୍ତମାନ ଆମେ ଘରକୁ ଯିବା ପାଇଁ ବିଦାୟ ମାଗୁଛୁ । ହେ ଦେବତାସମୂହ, ଆପଣମାନେ ଗୃହସ୍ଥର ମଙ୍ଗଳ କରନ୍ତୁ।’’ ଏହା କହି ପୁରୋହିତ ମଦ ଘୁମର ମୁହଁକୁ ଭଲ ଭାବେ ବାନ୍ଧି ଦେଇ ପୂଜାସ୍ଥଳୀରୁ ଗୃହ ଅଭିମୁଖେ ଯାତ୍ରା କରନ୍ତି । ବାଟରେ ପୁରୋହିତ ସମସ୍ତଙ୍କ ଉପସ୍ଥିତିରେ ମଦଘୁମକୁ ଖୋଲନ୍ତି । ଏହି ଘୁମ ଭିତରୁ ଯଦି କେଶ, ପୋକ-ଜୋକ ଅଥବା ହାଡ଼ ଇତ୍ୟାଦି ବାହାରେ, ତା’ ହେଲେ ଗୃହସ୍ଥର ଅମଙ୍ଗଳ ହୁଏ ବୋଲି ଧରାଯାଇଥାଏ । ମଦଘୁମ ଖୋଲିଲା ପରେ ଏଥିରେ ଥିବା ପାନୀୟ ଏବଂ ଚୋପାଛଡ଼ା ହୋଇନଥିବା ଶୁଖୁଆକୁ ଲୋକମାନଙ୍କ ଭିତରେ ବିତରଣ କରାଯାଇଥାଏ । ତା’ପରେ ପୂଜାରୀ ଭଗବାନଙ୍କ ନାମ ନେଇ ମନ୍ତ୍ର ପଢ଼ି ଗୃହସ୍ଥଙ୍କ ସମସ୍ତ ଦୁଃଖ-ଦୁର୍ଦ୍ଦଶା ଦୂର ହେବା ସହ ରାଜ୍ୟବାସୀ ସମେତ ଗୃହସ୍ଥଙ୍କ ମଙ୍ଗଳ କାମନା କରି ଭଗବାନଙ୍କ ପାଖରେ ଆବେଦନ ଜଣାନ୍ତି । ଏହି ଅନୁଷ୍ଠାନକୁ ‘ଥେକାର କିବି’ କୁହାଯାଇଥାଏ । ପୁରୋହିତ ଏହି ସମୟରେ ପୂଜା ଆଦି କରି ପାଠ କରୁଥିବା ମନ୍ତ୍ରର ଅର୍ଥ ହେଉଛି- ‘ହେ ଇନ୍ଦ୍ରଦେବତା ତୁମ ସନ୍ତୁଷ୍ଟି ବିଧାନ ଅର୍ଥେ ଗୃହସ୍ଥ ତୁମକୁ ମଦ-ଭାତ, ବଳି-ବିଧାନ ଆଦି ସହ ପୂଜା ଦେଉଛି । ଚାଷବାସ ସମୟ ପାଖେଇ ଆସିଲାଣି । ତମେ ବର୍ଷା ପ୍ରଦାନ କରି ପୃଥିବୀକୁ ଉର୍ବରା କରିବ । ପୃଥିବୀ ବକ୍ଷକୁ ବିଜୁଳି, ଘଡ଼ଘଡ଼ି ଆଣିବନି, ଝଡ଼-ତୋଫାନ ଆଣିବନି । ଚାଷଜମିକୁ ସବୁଜିମାରେ ଭରିଦେବ, ଗଛ ମୂଳକୁ ଆହୁରି ମଜଭୁତ କରିବ, ଧାନଗୋଛା ଭାରକୁ ଯେମିତି ଅଧିକ ଓଜନିଆ କରିବ ।’’ ଏହାପରେ ପୂଜାର ସମାପ୍ତି ଘଟେ । ଲୋକମାନେ ଗୃହସ୍ଥଙ୍କ ମଙ୍ଗଳ କାମନା କରି ମଦମାଂସ ଖାଇ ଘରକୁ ଫେରନ୍ତି ।

 

ନଖାମାଗା- କାର୍ବି ଜନଗୋଷ୍ଠୀର କୃଷକ ସମାଜ ବିଶ୍ଵାସ କରନ୍ତି ଯେ ବର୍ଷା ଦେବତା ‘ବରୁଣ’ଙ୍କ ଅନୁଗ୍ରହରୁ ପୃଥିବୀ ବକ୍ଷରେ ବର୍ଷା ହୁଏ । ସେଥିପାଇଁ ଯଦି କୌଣସି ବର୍ଷ ବର୍ଷା ଅଭାବରୁ ପ୍ରଚଣ୍ଡ ଖରାପାଗ ହୁଏ, ଯାହାଫଳରେ କୃଷି କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୁଏ, ସେତେବେଳେ କୃଷକ ସମାଜ ଏକତ୍ରିତ ହୋଇ ଭାଦ୍ରବମାସରେ ‘ନଖାମାଗା’ ଅର୍ଥାତ୍ ‘ବର୍ଷାକୁ ଆହ୍ୱାନ କରିବା’ ଅନୁଷ୍ଠାନ ପାଳନ କରନ୍ତି । ଏହି ଅନୁଷ୍ଠାନକୁ ‘ହଡ଼ଲ ଟଣା’ (ଖୁନ୍ଦଣି ମାରା) ଅନୁଷ୍ଠାନ କୁହାଯାଇ, ଜିନିଷକୁ କୁଟିବା ପାଇଁ ଭରାଣ୍ଡିରେ ସେହି ଜିନିଷକୁ ଭରେଇ ଢିଙ୍କି ପରିବର୍ତ୍ତେ ଗୋଟିଏ ଲମ୍ବା କାଠକୁ ହାତରେ ଧରି ଲୋକମାନେ କୁଟନ୍ତି । ସେହି କାଠତଳେ ଢିଙ୍କି ଶମା ଭଳି ଗୋଟାଏ ଶମା ଲାଗିଥାଏ । କାର୍ବି ସମାଜରେ ପାଳିତ ‘ନଖାମାଗା’ ଉତ୍ସବରେ ଶମାଲାଗିଥିବା କାଠଖଣ୍ଡକ ଅତ୍ୟାବଶ୍ୟକ । ଏହି କାଠଖଣ୍ଡକୁ ‘ଉଡ଼ଲ’ କୁହାଯାଇଥାଏ ।

 

ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ ଇତ୍ୟାଦି ମାସ ପାର ହୋଇଯିବା ପରେ ବି ଯଦି ଜମି ଶୁଷ୍କ ପଡ଼ିଥାଏ, ତା’ହେଲେ କୃଷକର ଭାଳେଣି ପଡ଼େ । ସେତେବେଳେ ଲୋକବିଶ୍ଵାସ ଉପରେ ଭିତ୍ତିକରି କୃଷକସମାଜ ଏକତ୍ରିତ ହୋଇ ପାରମ୍ପରିକ ରୀତିରେ ବରୁଣ ଦେବତାଙ୍କୁ ପୂଜା ଅର୍ଚ୍ଚନା କରି ବର୍ଷାଦାନ କରିବା ପାଇଁ ଆହ୍ୱାନ କରନ୍ତି । ଏଥିପାଇଁ କୃଷକସମାଜ ଏକତ୍ରିତ ହୋଇ କୌଣସି ଜଣେ କୃଷକଙ୍କ ଲଂଘାରେ ଗୋଟାଏ ଉଡ଼ଳକୁ ଉପରମୁହାଁ କରି ରଖି ତା ଉପରେ ଗୋଟାଏ ଡାଲାକୁ ଢାଙ୍କି ଦିଅନ୍ତି । ଡାଲା ଉପରେ ଗୋଟାଏ ସରୁ ବେତକୁ ଗଣ୍ଠି ପକେଇ ବାନ୍ଧି ଦେଇ ବାହାରପଟକୁ ଟାଣି ଆଣନ୍ତି । ବର୍ତ୍ତମାନ ଡାଲା ଉପରେ ଜଣେ ଲୋକ ଛିଡ଼ା ହୋଇ ହାତରେ ଛୋଟ ଚୋଟ ଦୁଇଖଣ୍ଡ ଓଦା କପଡ଼ା ଧରି ଆଗପଟକୁ ଅଳ୍ପ ନଇଁ ଡାଲା ବାହାରକୁ ବାହାରିଥିବା ବେତକୁ ନିଜ ଆଡ଼କୁ ଟାଣନ୍ତି । ଫଳସ୍ୱରୂପ ଓଦା କପଡ଼ା ସାଙ୍ଗରେ ବେତଟା ନିଜ ଆଡ଼କୁ ଟାଣି ଆଣିବା ଦ୍ଵାରା ବେତରୁ ଏକପ୍ରକାର ଘାଇଁ ଘାଇଁ ଶବ୍ଦ ସୃଷ୍ଟି ହୁଏ ।

 

ଉଡ଼ଲକୁ କୃଷକମାନଙ୍କ ମଝିରେ ସ୍ଥାପନ କରାଯାଇଥାଏ । ଏହି ଉଡ଼ଲ ଏବଂ ଉଡ଼ଲକୁ ଟାଣୁଥିବା ଲୋକଜଣଙ୍କୁ କେନ୍ଦ୍ରକରି ବାଁ ପଟରୁ ଡାହାଣ ଆଡ଼କୁ ବୃତ୍ତାକାରରେ କାର୍ଯ୍ୟସୂଚୀରେ ଅଂଶଗ୍ରହଣ କରୁଥିବା କୃଷକମାନେ ଗୀତ ଗାଇ ଘୂରିବାକୁ ଆରମ୍ଭ କରନ୍ତି । ସେମାନେ ହାତରେ ଗୋଟାଏ ଗୋଟାଏ ମୁନିଆ ବାଡ଼ି ଧରିଥାଆନ୍ତି । ବାଡ଼ିରେ ଗୀତର ତାଳେ ତାଳେ କୃଷକମାନେ ପୃଥିବୀ ବକ୍ଷକୁ ଖେଞ୍ଚି ଦେଇ ନାଚନ୍ତି । ମଝିରେ ମଝିରେ କୃଷକମାନେ ନାଚୁଥିବା ସ୍ଥାନରେ ପାଣି ଢାଳି ଦିଆ ହୁଏ, ଯେମିତି କି ସେହି ସ୍ଥାନଟା ନରମ ହୋଇଯିବ । ଏହିଭଳି କୃଷକମାନଙ୍କ ପାଦର ଆଘାତ ଏବଂ ବାଡ଼ି ଖେଞ୍ଚାଇ ଆଘାତରେ ସେହି ନିର୍ଦ୍ଦିଷ୍ଟ ଜାଗାଟା କାଦୁଆ କାଦୁଆ ହୋଇପଡ଼େ । ସେହି କାଦୁଅ ପରେ କୃଷକମାନେ କିଛି ସମୟ ଯାଏ ନାଚିଲାପରେ ପୁନର୍ବାର ଆଉ ଜଣେ କୃଷକଙ୍କ ଘରକୁ ଯାଇ ତାଙ୍କ ଲଙ୍ଘାରେ ଏହିଭଳି ନାଚନ୍ତି । କୃଷକମାନଙ୍କ ଗୀତ ଏବଂ ନାଚ ସହ ପାଦର ଆଘାତରେ ପ୍ରତିଟି କୃଷକ ପରିବାରର ଅଗଣା କମ୍ପି ଉଠେ । ଏହି ପୂଜାରେ ଉପସ୍ଥିତ କୃଷକ ପରିବାର ସମେତ ସମଗ୍ର ଗ୍ରାମବାସୀ ଖୁସୀରେ ବିଭୋର ହୋଇ ପଡ଼ନ୍ତି । ‘ଉଡ଼ଲ’ର ବେତ ଶବ୍ଦ ସହ ତାଳଦେଇ କୃଷକମାନେ ନାଚିଲାବେଳେ ଆନନ୍ଦରେ କେତେଗୁଡ଼ିଏ ଗୀତ ଗାଇଥାଆନ୍ତି-। ଯେପରି-

 

ଅସମୀୟା

ଓଡ଼ିଆ ଅନୁବାଦ

(୧) ଏଇ ଆଷ୍ଠୁ ରଜା ନା ବାଷ୍ଠୁ ରଜା

୧- ଏଇ ଆଷ୍ଠୁରାଜା ନା ବାଷ୍ଠୁରାଜା

ନଖା ନ ବଲାଓ କିୟା ?

ମେଘ ଦେଉନ କାହିଁକି ?

ନଖା ଯେ ବ’ ବା ଲାଗେଇ

ତମେ ଆମକୁ ମେଘ ଦେବା କଥା

ପୂଜା ନି ଦିଓ କିୟା ?

ଆମେ ତୁମକୁ ପୂଜା ଦେଉନୁ କି ?

୨- ତ’ର ବାରୀର ଆଦା ଐ

୨- ତୋ ବାଡ଼ିରେ ଅଦା ହେଇ

ମ’ର ବାରୀର ଆଦା

ମୋ ବାଡ଼ିଅରେ ଅଦା

ତ’ର ଜୀୟେର ଆଦା ଖାଲେ

ତୋ ଝିଅ ମୋ ଅଦା ଖାଇ

ମ’କ ବୁଲିଲେ ଦାଦା ।

ମତେ ଡାକିଲା ଦାଦା (ଭାଇ) ।

୩- ଆମ ପକା ପକା ଐ

୩- ପାଚିଲା ଆମ୍ଭ ପାଚିଲା ଏଇ

କଁଠାଲ ପକା ପକା

ପାଚିଲା ପଣସ ପାଚିଲା

ଆଧଲୀ ଏଟା ନିଦ (ଅ) ଓ ମାନେ

ଅଧୁଲି ଗୋଟାଏ ଦେଉନ ମାନେ

ଚତାଲ କରିବ ବକା ।

ଜାଣ ତୁମ ଅଗଣା ବଙ୍କା ହେଲା ।

 

ଏହିଭଳି ଭାବେ କୃଷକସମାଜ ପ୍ରକୃତିର ବିଭିନ୍ନ ଉପାଦାନ ସହ ସାମାଜିକ ଜୀବନ ଚିତ୍ରକୁ ଯୋଡ଼ି ଗୀତ ଗାଇ ନାଚି ନାଚି ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି । ତା’ ସହିତ ପ୍ରତିଟି କୃଷକ ପରିବାର ଦେଇଥିବା ଟଙ୍କା, ପଇସା ଏବଂ ଚାଉଳ, ପରିବା ଇତ୍ୟାଦିରେ ସବୁଯାକ କୃଷକ ମିଶି ବରୁଣ ଦେବତାଙ୍କ ପୂଜା ଅର୍ଚ୍ଚନା ମିଶି କରି ଭୋଜିଭାତ ଖାଇ ‘ନଖାମାଗା’ ପର୍ବର ଉଦ୍‌ଯାପନ କରନ୍ତି ।

 

ଚ’ଜୁନ୍ ପୂଜା ଏବଂ ‘ନଖାମାଗା’ ଯଥାର୍ଥତେ କାର୍ବି ଗ୍ରାମ୍ୟ ଜୀବନରେ ଗୋଟିଏ ଗୋଟିଏ ପରମ୍ପରାଗତ କୃଷି ଉତ୍ସବ । ଉପରୋକ୍ତ ଉତ୍ସବ ଦୁଇଟିରେ ସ୍ଵର୍ଗରାଜ ଇନ୍ଦ୍ର ଏବଂ ବରୁଣ ଦେବତାଙ୍କୁ ପୂଜା କରାଯାଇଥାଏ । ଏହି ପୂଜାଗୁଡ଼ିକରେ ବ୍ୟବହୃତ ବେତ-ବାଉଁଶ ତଥା ମାଟିରେ ନିର୍ମିତ ସାମଗ୍ରୀ ଏବଂ ଅନ୍ୟାନ୍ୟ ଦରକାରୀ ଜିନିଷ ଯେପରି ବାଉଁଶ ପାଚିଆ, କଂସା-ବାସନ, ପଟିଆ, ଲାଉଖୋଳରେ ନିର୍ମିତ ପାତ୍ର, ମଦ ପିଇବାପାଇଁ ନିର୍ମିତ ପାତ୍ର, ବାଉଁଶ ପଳା, ଦୀପ, ପିତଳ ଖଡ଼ୁ, ମାଛରଖା ଘୁମ, ଖସାଗୁଣ୍ଡ ତଥା ଲୁଣ ରଖିବା ପାଇଁ ମାଟି ଝୋବା, ମାଟି ଦୋରୁଅ, ପାନ-ଗୁଆ ଆଦି ରଖିବା ପାଇଁ ବାଉଁଶ ପାଚିଆ ତଥା ମାଟି କଳସ, ମଦ ରଖା ମାଠିଆ କୁକୁଡ଼ା ରଖା ଝୁଡ଼ି ଆଦି ମୁଖ୍ୟତଃ ନାରୀମାନେ ଘରେ ପ୍ରସ୍ତୁତ କରିଥାଆନ୍ତି । ତା’ ଛଡ଼ା ଚ’ ଜୁନ ପୂଜାରେ ଗୃହସ୍ଥ ଅତିଥିମାନଙ୍କୁ ଅଭ୍ୟର୍ଥନା କଲାବେଳେ ଏବଂ ବିଦାୟ ଦେଲାବେଳେ ମୁଣ୍ଡରେ ପଗଡ଼ି ବାନ୍ଧିବା ନିୟମ । ଏହି ପଗଡ଼ି ନିଜ ପରିବାରର କେହି ଜଣେ ନାରୀ ବୁଣିବା ବାଧ୍ୟତାମୂଳକ । ତେଣୁ ଏହିସବୁ କାମ ଭିତରେ କାର୍ବି ନାରୀମାନଙ୍କର ଶିଳ୍ପୀ ସୁଲଭତାର ପରିଚୟ ମିଳିଥାଏ । କାର୍ବି ସମାଜ ଏକତ୍ରିତ ହୋଇ ଏକ ମନ ଏକପ୍ରାଣରେ ଉପରୋକ୍ତ ପର୍ବଗୁଡ଼ିକୁ ପାଳନ କରୁଥିବା ଭିତରେ ସେମାନଙ୍କର ସହଯୋଗ ତଥା ତ୍ୟାଗ ମନୋବୃତ୍ତିର ପରିଚୟ ମିଳିଥାଏ । ତା’ ସହିତ ଏହି ଉତ୍ସବଗୁଡ଼ିକ ଭିତରେ ଅନ୍ୟର ମନୋବଳ ଦୃଢ଼ ହେବା ପାଇଁ ପ୍ରେରଣା ମିଳିଥାଏ । କୃଷକ ସମାଜ ‘ନଖାମାଗା’ରେ ଆଣିଥିବା ପରିବା, ଚାଉଳ ଇତ୍ୟାଦିରେ ଭୋଜିଭାତ କରି ବାଣ୍ଟିକୁଣ୍ଟି ଖାଇଲା ଭିତରେ ଜଣେ ଅନ୍ୟଜଣଙ୍କର ସୁଖଦୁଃଖରେ ଭାଗୀ ହେବା ପାଇଁ ପ୍ରେରଣା ପାଇବା ସହ ନିଃସ୍ଵାର୍ଥପର ମନୋଭାବର ପରିଚୟ ମିଳିଥାଏ । ଚ’ ଜୁନ ପୂଜାରେ ପୂର୍ବପୁରୁଷଙ୍କୁ ପୂଜା କରି ଆହ୍ୱାନ କଲା ଭିତରେ ବୟୋଜ୍ୟେଷ୍ଠଙ୍କୁ ସମ୍ମାନ କରିବା ଭଳି ପରମ୍ପରା କାର୍ବି ସମାଜ ବଜେଇ ରଖି ଆସିଛନ୍ତି । ଉପରୋକ୍ତ ପୂଜାଗୁଡ଼ିକରେ କାର୍ବିମାନଙ୍କର ଭଗବାନଙ୍କ ପ୍ରତି ଭକ୍ତି ଓ ପ୍ରଗାଢ଼ ନିଷ୍ଠା ସମ୍ବନ୍ଧରେ ଧାରଣା କିଭଳି ଦୃଢ଼, ତାହା ସହଜେ ଅନୁମିତ ହୁଏ । ତା’ ସହିତ କାର୍ବି ସମାଜ କିଭଳି କର୍ମଠ, କଷ୍ଟ ସହିଷ୍ଣୁ ପରିଶ୍ରମୀ-ତାହା ମଧ୍ୟ ଉପରୋକ୍ତ ପୂଜା ଭିତରେ ଭାସ୍ଵର ହୋଇଉଠେ । ଚ’ ଜୁନ ପୂଜାରେ ଅତି ଯତ୍ନରେ ବନ୍ଧା ହୋଇ ବିତରଣ କରାଯାଉଥିବା ଶୁଖୁଆକୁ କାର୍ବିମାନେ ବର୍ଷକଯାଏ ସେହିଭଳି ଥୋଇଦିଅନ୍ତି । ବର୍ଷକପରେ ଏହାକୁ ଖୋଲି ଖାଇଲେ ବି ଶୁଖୁଆରେ ପୋକ-ଜୋକ ଲାଗି ନ ଥାନ୍ତି । ତେଣୁ କାର୍ବି ସମାଜ ଖାଦ୍ୟ ସଂରକ୍ଷଣ ପ୍ରଣାଳୀ ସମ୍ପର୍କୀୟ ଅଭିଜ୍ଞତା ହାସଲ କରିବା ସହ ପରିଷ୍କାର ପରିଚ୍ଛନ୍ନତା ଉପରେ ଯଥେଷ୍ଟ ଗୁରୁତ୍ଵ ଦେଇଥାନ୍ତି । ଏହିଭଳି ଭାବେ ପ୍ରତିବର୍ଷ କୃଷିକର୍ମ ଆରମ୍ଭ ହେବା ପୂର୍ବରୁ ପାଳନ କରାଯାଉଥିବା ଚ’ ଜୁନ ଏବଂ ‘ନଖାମାଗା’ ପୂଜା କେବଳ କୃଷକ ସମାଜର ନୁହେଁ ସମଗ୍ର କାର୍ବି ଜନଗୋଷ୍ଠୀର ଅତ୍ୟନ୍ତ ପ୍ରିୟ ଉତ୍ସବ, ତାହା ମାଧ୍ୟମରେ ସେମାନଙ୍କର ଜୀବନ-ଯାପନ ପ୍ରଣାଳୀ ତଥା ସାମାଜିକ ରୀତି-ନୀତି, ଆଚାର-ବ୍ୟବହାର ଏବଂ ଅତିଥିପରାୟଣ ଅତି ସୁନ୍ଦରଭାବେ ପ୍ରତିଫଳିତ ହୋଇଥାଏ ।

 

 

ରିଡ଼ର, ଆଧୁନିକ ଭାରତୀୟ ଭାଷାବିଭାଗ

ଚୌହାଟୀ ବିଶ୍ୱବିଦ୍ୟାଳୟ

ଆସାମ

 

 

ସହାୟକ ଗ୍ରନ୍ଥସୂଚୀ :

୧.

ଆସାମର ଲୋକସଂସ୍କୃତିର ରୂପରେଖା-ଉମେଶ ଚେତିୟା ।

୨.

ଦେଉରୀ ଲୋକସଂସ୍କୃତିର ରୂପରେଖା-ନନ୍ଦେଶ୍ଵର ଦେଉରୀ ।

୩.

ଆସାମର ସଂସ୍କୃତି-ବୈଚିତ୍ର୍ୟ ଆରୁ ସମନ୍ଵୟ-ସମ୍ପାଦନା ।

 

କରବୀ ଦେଉରୀ

 

ନନ୍ଦେଶ୍ୱର ଦେଉରୀ

 

ଆସାମର ସଂସ୍କୃତି : ବୈଚିତ୍ର୍ୟ ଆରୁ ସମନ୍ଵୟ-ସମ୍ପାଦନା ବଗେନ ଗଗୈ

 

ଲୋକସଂସ୍କୃତିର ସୁରଭି-ସତୀଶ ଚନ୍ଦ୍ର ଚୌଧୁରୀ ।

 

ସହାୟକ ପତ୍ରିକା :

.୧

କାର୍ବି ସଂସ୍କୃତିର ଚ’ ଜୁନ-ମୁକୁଲ ପାଟର

୨.

‘ପ୍ରତିଦିନ’-ଶନିବରୀୟା ଏନାଜରୀ-୧୯ ଫେବୃୟାରୀ-୨୦୦୫

୩.

ଜଙ୍କାଟେରଣ ଗାଁଓତ ଚ’ ଜୁନ-ମୁରୁଲୀଧର ଦାସ

 

ଅସମୀୟା ପ୍ରତିଦିନ-ଶନିବରୀୟା ଏନାଜରୀ-୪ ଏପ୍ରିଲ୍‌-୨୦୦୯

୪.

 

କାର୍ବି ସକଳର ଚ’ ଜୁନ ପୂଜା-ସୁରେନ୍ଦ୍ର ବରୁଓ୍ୱା-

‘ଆଜିର ବାତରି’-ଏପ୍ରିଲ-୨୦୦୯

 

***

 

ଜଗନ୍ନାଥପ୍ରସାଦ ଦାସଙ୍କ କବିତା : ଆଦ୍ୟ ଉନ୍ମେଷ ପର୍ବ

ଡକ୍ଟର ଶତ୍ରୁଘ୍ନ ପାଣ୍ଡବ

 

ସରସ୍ଵତୀ ସମ୍ମାନ ପ୍ରାପ୍ତ ବିଶିଷ୍ଟ ଲେଖକ ଜଗନ୍ନାଥ ପ୍ରସାଦ ଦାସ (୧୯୩୬) ଆମ ସାହିତ୍ୟର ବିଭିନ୍ନ ଦିଗନ୍ତ ଯଥା : କବିତା, ଗଳ୍ପ, ନାଟକ, ଉପନ୍ୟାସ, ପ୍ରବନ୍ଧ, ଗବେଷଣା ନିବନ୍ଧ ଆଦିରେ ସ୍ଵପରାକାଷ୍ଠା ପ୍ରଦର୍ଶନ କରିଛନ୍ତି । ଅନୁବାଦ (ବିଶେଷତଃ ହିନ୍ଦୀ ଓ ଇଂରାଜୀ) ଜରିଆରେ ଏକ ବୃହତ୍ତର ଭାରତୀୟ ପାଠକଗୋଷ୍ଠୀ ପାଖରେ ପହଞ୍ଚି ପାରିଛନ୍ତି । ଏହି ସାହିତ୍ୟ ଶିଳ୍ପୀଙ୍କ ସୃଷ୍ଟିଧାରାର ଆଦ୍ୟ ଉଚ୍ଚାରଣ ହିଁ କବିତାର ସଂଘଟିତ ହୋଇଥଲା । ସ୍କୁଲ ଜୀବନରେ କୈଶୋର ପ୍ରାଣର ଅଭିବ୍ୟକ୍ତି ନେଇ ‘ସ୍ତବକ’ ନାମରେ ସଂକଳନଟିଏ ପ୍ରକାଶ ପାଇଥିଲା ତେବେ ଆଦ୍ୟ ଯୌବନରୁ ସେ ପ୍ରୟୋଗବାଦୀ ଓଡ଼ିଆ କାବ୍ୟଧାରା ସହ ନିଜକୁ ସାମିଲ କରିଛନ୍ତି । ୧୯୫୨ରୁ ୧୯୫୬ ମସିହା ଯାଏ ପାଞ୍ଚବର୍ଷ ଧରି ନିରବଚ୍ଛିନ୍ନ ଭାବେ ସେ କବିତା ସାଧନା ମଗ୍ନ ରହିଛନ୍ତି । ଆବେଗପ୍ରବଣ ଛାନ୍ଦସିକତା ସହ ପ୍ରଚଳିତ ଗଦ୍ୟପଦ୍ୟ ସମନ୍ୱିତ ମୁକ୍ତଛନ୍ଦ ପ୍ରତି ଅନୁବଦ୍ଧତା ପୋଷଣ କରିଛନ୍ତି । କବିତାର ଭାଷା ଓ ଭଙ୍ଗୀରେ ପରିପକ୍ୱତା ଓ ନୃତନତା ପରିଲକ୍ଷିତ ହୁଏ । ସେହି ନୂତନସ୍ୱର ଭିତରେ ଥିବା ଯଥେଷ୍ଟ ପ୍ରାଣଶକ୍ତି ଓ ସଂଭାବନାର ସୂଚନା ଓ ସଂକେତକୁ ଅନ୍ୟୂନ ଦେଢ଼ ଦଶନ୍ଧି ପରେ କବି ସାକାର କରିଛନ୍ତି । ୧୯୭୦-୭୧ରେ ରଚିତ କବିତାକୁ ନେଇ ଆତ୍ମପ୍ରକାଶ କରିଛି-ଜଗନ୍ନାଥ ପ୍ରସାଦଙ୍କ ଭିନ୍ନ ଚିନ୍ତନ ଓ ଅଭ୍ୟବ୍ୟକ୍ତିର କବିତା ସଂକଳନ ‘ପ୍ରଥମ ପୁରୁଷ’ (୧୯୭୧) । ଏହି ପର୍ଯ୍ୟାୟରୁ ଅଦ୍ୟାବଧି ଚାରିଦଶନ୍ଧିଧରି କବିତା ଓ ସାହିତ୍ୟର ବିଭିନ୍ନ ଦିଗ ଓ ଧାରାରେ କବି କ୍ରିୟାଶୀଳ ରହିଛନ୍ତି । ବିପୁଳ ସୃଷ୍ଟି ସମ୍ଭାର ସହିତ ସିଦ୍ଧି ଓ ସ୍ଵୀକୃତିର ଅଧିକାରୀ ହୋଇଛନ୍ତି । ଏ ଚର୍ଚ୍ଚାଟି ତାଙ୍କ ଅନାଲୋଚିତ ଆଦ୍ୟ ଉନ୍ମେଷ ପର୍ବର ସ୍ୱରୂପ ସମ୍ପର୍କରେ ଏକ ସଶ୍ରଦ୍ଧ ଆକଳନ ।

 

କବି ଜଗନ୍ନାଥ ପ୍ରସାଦଙ୍କ କାବ୍ୟ ଚେତନାର ସ୍ଫୂରଣ ଯଦିଓ ବିଦ୍ୟାଳୟକାଳୀନ ଜୀବନରେ ସଂଘଟିତ ହୋଇଥିବା ଆଦ୍ୟ ତାରୁଣ୍ୟର ପ୍ରଥମ ସ୍ଵାକ୍ଷର ସ୍ୱରୂପ ଖ୍ରୀଷ୍ଟ ମହାବିଦ୍ୟାଳୟର ମୁଖପତ୍ର (୧୯୫୨)ରେ ‘ଚିଲିକା’ (୧) ଶୀର୍ଷକର କବିତା ଆତ୍ମପ୍ରକାଶ କରେ । ସେ ବେଳକୁ ଜଗନ୍ନାଥ ପ୍ରସାଦ ପ୍ରଥମ ବର୍ଷର କଳା ଛାତ୍ର । ଏଥିରେ କବିଙ୍କ କଳ୍ପନାବିଳାସ ଓ ରୂପପ୍ରାଣତାର ପ୍ରତିଫଳନ ଘଟିଛି । ଚିଲିକାକୁ କବି ‘ରୂପସୀ ଯୌବନା’, ‘ସୌନ୍ଦର୍ଯ୍ୟର ସ୍ୱପ୍ନ’, ‘ମୁଗ୍‌ଧ କବିର କଳ୍ପନା’, ‘କଳ୍ପନାର ଛବି’, ‘ମୃଦୁ ସଂଗୀତର ଉଚ୍ଛ୍ୱସିତ ଅମୀୟ ଝଙ୍କାର’ ଆଦି କହିବା ସହିତ ତାର ସୌନ୍ଦର୍ଯ୍ୟକୁ ସ୍ୱର୍ଗୀୟ ବୋଲି ଅଭିହିତ କରିଛନ୍ତି ।

 

ଧରାର ନନ୍ଦନେ ତୁମେ ପାରିଜାତ ପୁଷ୍ପର ବିକାଶ

ଲତାର ଗହଳେ ଅର୍ଦ୍ଧ ନିମୀଳିତ କୁସୁମର ହାସ ।

 

ଅଥବା,

ଦେଖିବି ପାରେନା ଦେଖି ‌ତୁମ ତନୁ ସ୍ଵର୍ଗୀୟ ସୁଷମା । ଚିଲିକାର ସୌନ୍ଦର୍ଯ୍ୟକୁ ଚକ୍ଷୁଭରି ଦେଖି‌ଲେ ମଧ୍ୟ କବିତାକୁ ଅନୁଭବ କରିପାରିନାହାନ୍ତି । ତା’ର ଅପରୂପ ସୌନ୍ଦର୍ଯ୍ୟରେ ମୁଗ୍ଧ ଓ ମଗ୍ନ ହେବାକୁ କବି ଆଶାୟୀ । କାବ୍ୟ ଭାବନା ସଂହତ ହୋଇନଥିବା କାରଣରୁ କବି କବିତାର ମଝି ପଂକ୍ତିରେ କହି ବସିଛନ୍ତି - ‘ଧୂସର ମରୁର ବୁକେ ଆଶାମୟୀ ତୁମେ ମରିଚୀକା’ । ‘ମରୁଦ୍ୟାନ’ର ଉଲ୍ଲେଖ ହୁଏତ ସଠିକ୍‌ଅଭିବ୍ୟକ୍ତି ହୋଇଥାନ୍ତା ବୋଲି ମନେହୁଏ । ଚତୁର୍ଦ୍ଦଶୀପଦୀ ଆଙ୍ଗିକରେ ରଚିତ ଏ କବିତା ସନେଟ୍‌ ଧର୍ମକୁ ଅବଶ୍ୟ ଅନୁସରଣ କରି ନାହିଁ । ଛନ୍ଦୋବଦ୍ଧ ସରଳ ଅଭିବ୍ୟକ୍ତି ତରୁଣ ପ୍ରାଣର କଳ୍ପନାପ୍ରବଣତା ଓ ସୌନ୍ଦର୍ଯ୍ୟବୋଧକୁ ରୂପ ଦେଇଛି ।

 

୧୯୫୩ ମସିହାରେ ‘ପ୍ରଜାତନ୍ତ୍ର’ର ସାହିତ୍ୟ ପୃଷ୍ଠାରେ ଜଗନ୍ନାଥ ଦାସଙ୍କ ଛଅଗୋଟି କବିତା ଆତ୍ମପ୍ରକାଶ କରେ । ୧୯୫୪-୫୬ ସମୟ ଖଣ୍ଡର ପ୍ରତିଷ୍ଠିତ ପତ୍ରିକା ‘ଆସନ୍ତା କାଲି, ‘ଝଙ୍କାର’, ‘ପ୍ରଭାତୀ’, ଓ ‘ଏକଚକ୍ର’’ ଆଦିରେ ପ୍ରକାଶିତ ହୁଏ ବାରଗୋଟି କବିତା । ସମକାଳୀନ ଯୁଗଯନ୍ତ୍ରଣାକୁ ଉପଜୀବ୍ୟ କରି ଏଗୁଡ଼ିକ ମୁଖ୍ୟତଃ ଏକ ସମାଜନିଷ୍ଠ ମାନବବାଦୀ ଆଭିମୁଖ୍ୟ ଓ ଚିନ୍ତନର ପ୍ରତିଫଳନ । ତରୁଣ ପ୍ରାଣର ସ୍ଵାଭାବିକ ରୋମାଣ୍ଟିକ ଉଚ୍ଛ୍ୱାସ ସେଠି ଅନୁପସ୍ଥିତ । ଦ୍ୱିତୀୟ ବିଶ୍ଵଯୁଦ୍ଧ, ଭାରତର ସ୍ଵାଧୀନତା ସଂଗ୍ରାମ ଓ ପ୍ରଗତିବାଦୀ କାବ୍ୟ ଚିନ୍ତନକୁ ଏହି ଆଭିମୁଖ୍ୟର ପୃଷ୍ଠଭୂମି ଭାବେ ଗ୍ରହଣ କରାଯାଇପାରେ । ସଚ୍ଚିଦାନନ୍ଦ ରାଉତରାୟ ଓ ଗୁରୁପ୍ରସାଦ ମହାନ୍ତି ଆଦିଙ୍କ ସୃଷ୍ଟିଶିଳ୍ପରେ ଯେଉଁ ତଥାକଥିତ ୟୁରୋପୀୟ ଆଧୁନିକତାର ପ୍ରବେଶ ଘଟିଥିଲା ଜଗନ୍ନାଥ ପ୍ରସାଦଙ୍କ ଆଦ୍ୟ କାଳୀନ ସ୍ଵାକ୍ଷର ସେଥରୁ ମୁକ୍ତ ଯଦିଓ ‘ବାଜିରାଉତ’ର ଛନ୍ଦବିନ୍ୟାସ ଓ ଗୁରୁପ୍ରସାଦଙ୍କ କବିତାର ଉପସ୍ଥାପନ ରୀତିର ଅନୁରଣନ ସାମନ୍ୟ ଭାବେ ପରିଲକ୍ଷିତ ହୁଏ । ତରୁଣ ପ୍ରାଣର ଏକ ରଚନାତ୍ମକ ଉଚ୍ଛ୍ୱାସ ଓ ଆବେଦନ ଉଲ୍ଲିଖିତ ଅଠର ଗୋଟି କବିତାରେ ଲିପିବଦ୍ଧ ।

 

‘ସଖି’ ଓ ‘ବନ୍ଧୁ ହେ’ ସଂବୋଧନ ଓ ‘ଗୋ’ ଉଚ୍ଚାରିତ ପଂକ୍ତିରେ ସମୃଦ୍ଧ ‘କର ନାହିଁ ଶୋଚନା’ (୨) କବିତା ଏକ ଛନ୍ଦୋବଦ୍ଧ ଉଚ୍ଚାରଣ । ଅମା ଅନ୍ଧାର, ଝଡ଼ଝଞ୍ଜା, ଦୁଃଖ ବିଷାଦ ପରେ ଆଲୋକ ଓ ଜ୍ୟୋତ୍ସ୍ନାର ସଂଭାବନା ଅଛି ବୋଲି ଏ କବିତାରେ କବି ଏକ ଆଶାବାଦୀ ମନୋଭାବ ପୋଷଣ କରନ୍ତି । ହତାଶା, ବେଦନା, ବିଫଳତା, କାନ୍ଦ, ଅନୁଶୋଚନା ଏପରିକି ମୃତ୍ୟୁ ଚେତନରୁ ମୁକ୍ତ ରହିବା ପାଇଁ ନିଜ ସଖି ଓ ବନ୍ଧୁଙ୍କୁ ଆହ୍ଵାନ ଦିଅନ୍ତି । ଅବଶ୍ୟ ଏ ବେଦନାବୋଧ ପଛରେ କବି କୌଣସି ସ୍ଥିଳ ବା ସାମାଜିକ କାରଣର ଉଲ୍ଲେଖ କରିନାହାନ୍ତି । କବିତାଟିରେ ଆବେଗର ପ୍ରାବଲ୍ୟ ରହିଛି । ଜୀବନ ପ୍ରତି ଏକ ସକାରାତ୍ମକ ମନୋଭାବ ଏଠି ପ୍ରକାଶିତ । ଦୁଃଖ ଓ ବିଫଳତା ଭିତରେ ଏବଂ ତା’ର ଅନ୍ତିମ ପର୍ଯ୍ୟାୟରେ ଆନନ୍ଦର ପରିପ୍ରକାଶ ଘଟେ ବୋଲି କବି ପ୍ରତ୍ୟୟ ବାଢ଼ିଛନ୍ତି । ତାଙ୍କ ଭାଷାରେ :

 

ଅମା ଅନ୍ଧାର ପରେ ପରେ ପୁଣି ଆସୁଛି ଅମୀୟ ଜୋଛନା

ଝଡ଼ଝଞ୍ଜାର ତଳେତଳେ ଅଛି ସଂଚିତ ପୁଣି ଝଲକ

ଦୁଃଖ ଶୋକର ଅନ୍ତିମେ ଅଛି ଅନ୍ତରତମ ପୁଲକ ।

ବିଷାଦ ତଳେ ହରଷ ରହିଛି ଭରି ଗୋ ।

ଅନୁଶୋଚନାର ବହ୍ନିରେ ତେଣୁ ଯାଅନାହିଁ ଆଉ ଜଳିଗୋ ॥

 

‘ଆତ୍ମପ୍ରକାଶ’ (୩) ଏଇ ଧାରାର ଆଉ ଏକ ଉଚ୍ଚାରଣ । ଜୀବନର ମହିମାଗାନ ସହିତ ବିଶ୍ଵର ଆଲୋକ ଓ ଅମୃତର ପରିପ୍ରକାଶରେ ଚେତନାସିକ୍ତ ହେଉ ବୋଲି କବି କାମନା କରନ୍ତି । ‘କାରାର ପାହାଡ଼େ ଶୃଙ୍ଖଳ ପଡ଼େ ଭାଜି’, ‘କାରାଗାରେ କିଏ ବନ୍ଦୀ କରିବ ମୋତେ’, ‘ବନ୍ଦୀ ରହିବି ଜୀବନର କାରାଗାରେ’ ଆଦି ପଂକ୍ତିରେ କାରାଗାରର ନିର୍ଦ୍ଦିଷ୍ଟତା ହୁଏତ ସୂଚିତ ହୁଏନା । ଏ ସବୁ ସତ୍ତ୍ୱେ ସର୍ବତ୍ର ଜୀବନର ପରିପ୍ରକାଶ ଓ ସୌନ୍ଦର୍ଯ୍ୟରେ କବି ସତ୍ତା ଅଭିଭୂତ । ହୃଦୟାବେଗର ପ୍ରଚ୍ଛନ୍ନରେ ଏକ ବୈପ୍ଲବିକ ଚେତନାର ସଂକେତ ରହିଛି । ‘ଧୂମକେତୁ’ ଉପମାର ପ୍ରୟୋଗ କରିଛନ୍ତି କବି ଯଥା: ‘ଧୂମକେତୁ ସମ ସଚକିତେ ଜାଳି ନିଆଁ’ ଅଥବା ‘କିଏ ବାଧାଦେବ ଧୂମକେତୁ ଗତିପଥେ’ । କିନ୍ତୁ ସୂର୍ଯ୍ୟ ସମ ଅଭିବ୍ୟକ୍ତିଙ୍କୁ ସମର୍ଥନ ଦେବାରେ ଧୂମକେତୁ କିଛି ବିରୋଧାଭାସ ଆଣେ । କବିଙ୍କ ଉକ୍ତି ହେଉଛି-

 

ସୂର୍ଯ୍ୟ ଉଠିଛି ପୂର୍ବ ଗଗନ ତଳେ

ଦିଗେ ଦିଗେ ତେଣୁ ଆଲୋକ ବନ୍ୟା ଝରେ

ଆଲୋକ-ପିପାସୀ ପକ୍ଷୀର କଳରବେ

ମନ୍ଦ୍ରି ଉଠଇ ସୁପ୍ତ- ଧରଣୀ ସାରା

ସୂର୍ଯ୍ୟ ଉଠିଛି- ଆଲୋକ ଛୁଟିଚି ନଭେ ।

 

ଆବେଗପ୍ରବଣ କାବ୍ୟସତ୍ତାର ଶାଣିତ ଅଭିବ୍ୟକ୍ତି ଏ କବିତାର ପ୍ରତିଟି ପଂକ୍ତିରେ ପ୍ରମୂର୍ତ୍ତ । କିଞ୍ଚିତ୍‌ ଦୀର୍ଘକବିତା ‘ଆତ୍ମପ୍ରକାଶ’ ତରୁଣ ଜଗନ୍ନାଥ ପ୍ରସାଦ ଦାସଙ୍କ ଯଥାର୍ଥ ଆତ୍ମପ୍ରକାଶ । କବିଙ୍କ ଭାଷା ଶବ୍ଦଚୟନ ଓ ଅଭିବ୍ୟକ୍ତିକୁ ଲକ୍ଷ୍ୟ କରନ୍ତୁ -

 

ଜୀବନ କାହିଁକି ହେବରେ ଚେତନାହୀନ

ଜୀବନ କାହିଁକି ସହିବ ଏ ଦୁର୍ଦ୍ଦିନ

କାହିଁକିରେ ଆଜି ଜୀବନ ସାଜିବ ଜଡ଼

ମତେ ଆଉ ତେବେ ବାଧା ଦିଅ ନାହିଁ କେହି

ବଞ୍ଚିବି ପୁଣି, ସୃଜିବି ପୁଣି ମୁଁ ଝଡ଼ ।

 

କବିଙ୍କ ‘ବାସନା’ (୪) କବିତା ଅନ୍ୟକୁ ସମ୍ୱୋଧିତ ବୋଲି ମନେହେଉଥିଲେ ହେଁ ଏହା ଏକ ଆତ୍ମକଥନିକା । ହୃଦୟ ଭିତରେ ବନ୍ଦୀଥିବା କାମନାବାସନାରୁ ମୁକ୍ତି ପାଇବା ଜନିତ ବିଶ୍ୱାସ ବା ପ୍ରତ୍ୟୟ କବିତାରେ ଅଭିବ୍ୟକ୍ତି ପାଇଛି । ଏ ବାସନା ‘ଶିଳା- କାରାଗାରେ ବନ୍ଦୀ ନଦୀଟି ସରି’ ବୋଲି କବିଙ୍କ ଉକ୍ତି । କବି ଓ ପ୍ରାବନ୍ଧିକ ଶଶୀଭୂଷଣ ରାୟଙ୍କ ତିରୋଧାନ (୪.୯.୧୯୫୩)ରେ ରଚିତ ଶୋକଗୀତିକା ‘ଶଶିଭୂଷଣ’(୫)ରେ କବି ଶଶୀଭୂଷଣଙ୍କ ସାଧନା ଓ ଜୀବନର ଗରିମା ରୂପାୟିତ ହୋଇଛି । ଏହା ଶଶୀଭୂଷଣଙ୍କ ଜୀବିତାବସ୍ଥାରେ ରଚିତ ବୋଲି ସୂଚିତ ହୋଇଛି । ସମାଜରେ ନିଗୃହୀତ ହେବା ସତେ କି ସାଧନାମଗ୍ନ କବିର ନିୟତି ବୋଲି କବିଙ୍କର ଖେଦ । ଶଶୀଭୂଷଣଙ୍କ ମହିମାଗାନ କରି କବି ଜଗନ୍ନାଥ ପ୍ରସାଦ କହନ୍ତି-

 

ନିରବେ ଭାରତୀ - ଆରାଧନା କରେ ନୀରବ ସାଧକ ଜଣେ

ଜନ ନୟନର ଅଗୋଚରେ ଯହିଁ ବନର ମଲ୍ଲୀ ଫୁଟେ

ମୃଦୁ ସମୀରଣେ ସ୍ନିଗ୍ଧ ମଧୁର ସୌରଭ ଯହିଁ ଛୁଟେ

ଗୋପନେ ଯେଉଁଠି ମେଘର ଉହାଡ଼େ ଚନ୍ଦ୍ର ଉଠଇ ହସି

ସାହିତ୍ୟାକାଶ ‘‘ଶଶୀ’’ ସେ ତହଁ ସାଧନା କରଇ ବସି ।

 

କବିଙ୍କ ‘ସନ୍ଧାନ’(୬) ଓ ‘ଅବରୋଧ’ (୭) କବିତାଦ୍ଵୟ ପଦ୍ୟଧର୍ମୀ ପରିପ୍ରକାଶ । ପ୍ରଥମଟିରେ ଏକ ରୋମାଣ୍ଟିକ ବେଦନାବୋଧ ଓ ଦ୍ୱିତୀୟ କବିତାରେ ବୈୟକ୍ତିକ ଦ୍ଵନ୍ଦ୍ୱଯାତନା ରୂପାୟିତ ହୋଇଛି । ‘ସନ୍ଧାନ’ରେ ଆତ୍ମସତ୍ତାକୁ ‘ପକ୍ଷୀ’ ପ୍ରତୀକ ଜରିଆରେ କବି ରୂପ ଦେଇଛନ୍ତି । ଗଗନଚ଼ାରୀ ପକ୍ଷୀର ଝଡ଼ଝଞ୍ଜା, ଅନ୍ଧାକାର, ନିର୍ଜନତା ଓ ନିଃସଙ୍ଗତା ଭିତରେ ନୀଡ଼ ଓ ସାଥୀ ଖୋଜିବାର ବ୍ୟାକୁଳତା ଓ ପ୍ରୟାସ ‘ସନ୍ଧାନ’ କବିତାର ପ୍ରତିପାଦ୍ୟ । କବିଙ୍କ ଅଭିବ୍ୟକ୍ତ ବେଶ୍‌ କୋମଳ ଓ ସଂହତ :

 

ଡେଣାତଳେ ଭରି ଅୟୁତ ଯୁଗର ବ୍ୟଥା

ବିସ୍ମୟେ ବେନି ମୁଦ୍ରିତ ଆଖି ତଳେ

ଗୁଞ୍ଜରି ଉଠେ ବୁକୁତଳେ କାତରତା

ଦୀର୍ଘ-ଶ୍ଵାସରେ ବେଦନା ଯେତକ ଝରେ ।

 

ସଂସାର ବା ପୃଥିବୀର ଜଟିଳତା କବିଙ୍କୁ କିପରି ଆହତ ଓ କଠୋର କରିଛି ‘ଅବରୋଧ’ କବିତା ତା’ର ଏକ ତର୍କଧର୍ମୀ ଉପସ୍ଥାପନ । କବିଙ୍କ ଶାନ୍ତ ମନକୁ ସଂସାରର ଜଞ୍ଜାଳ ଓ ଜଟିଳତା କ୍ରମଶଃ ଜଟିଳ ଓ ବିଦ୍ରୋହୀ କରି ଦେଇଚି । କବି ଏହି ସ୍ଥିତିଗତ ଉଦ୍‌ବିଗ୍ନତା ଓ ଦ୍ଵନ୍ଦ୍ୱରୁ ମୁକ୍ତିପାଇବା ପାଇଁ ଚାହାଁନ୍ତି । ସଂଗ୍ରାମଶୀଳ ଅଥବା କଠୋରହେବା କବିର ଧ୍ୟେୟ ନୁହେଁ, ଅଥଚ ତାହା ହୋଇଉଠୁଛି ଅନିବାର୍ଯ୍ୟ । ବାସ୍ତବତାକୁ ସାମ୍‌ନା କରିବା ନେଇ କବିଙ୍କ ଦ୍ୱନ୍ଦ୍ୱ ନିମ୍ନ ପଂକ୍ତିରେ ପ୍ରମୂର୍ତ୍ତ :

 

ମୁଁ ଚାହେଁ ହେବାକୁ ଶାନ୍ତ ନିରୀହ ଅତି ।

      ମଣିଷ ରୂପରେ ଦେବତାର ପ୍ରତିନିଧି

ସମାଜ ଯେ ମତେ ଦିଏ ନାହଁ ଅନୁମତି

      ମାନିବାକୁ ହୁଏ ଜୀବନ ଯୁଦ୍ଧ-ବିଧି ।

ଏ ଜୀବନେ କେବେ ହିଂସା ନେଇନି ମାଗି

      ତଥାପି ହୋଇଛି ସଂଗ୍ରାମଶୀଳ ମୁହିଁ ।

 

ନୂତନ ଭାବେ ଆତ୍ମପ୍ରକାଶ କରିଥିବା ଏ କାବ୍ୟସ୍ଵରରେ ବିବିଧତା, ହୃଦୟବେଗର ଉଚ୍ଛ୍ୱସିତ ସ୍ଫୂରଣ ସହିତ ନୂତନ କିଛି ସନ୍ଧାନ ବା ଅନ୍ଵେଷଣର ଆକୁଳତା ଉପର୍ଯ୍ୟୁକ୍ତ କବିତାଗୁଡ଼ିକରେ ଲକ୍ଷ୍ୟ କରାଯାଏ ।

 

ଆଦ୍ୟ ତାରୁଣ୍ୟର ଏ କାବ୍ୟସ୍ଵର ୧୯୫୪ ମସିହା ସମୟ ଅବଧିରେ ସବିଶେଷ କ୍ରିୟାଶୀଳ ହୋଇଥିବା ଲକ୍ଷ୍ୟ କରାଯାଏ । ଆବେଗ ସହିତ ସମିଶ୍ରିତ ହୋଇଛି ବୌଦ୍ଧିକତା । ଏହି ବର୍ଷ କବି ଜଗନ୍ନାଥ ପ୍ରସାଦଙ୍କ ସାତଗୋଟି କବିତା ପ୍ରକାଶିତ ହୋଇଛି । ‘ଜୀବାଣୁ’ (୮) କବିତାଟି ପ୍ରତୀକାତ୍ମକ ଅଭିବ୍ୟକ୍ତିସମ୍ପନ୍ନ ଏକ ଶକ୍ତିଶାଳୀ କଳାତ୍ମକ ଉଚ୍ଚାରଣ । ଏଇ ଜୀବାଣୁ ହୁଏତ ଶୋଷଣକଷଣ, ଯୁଦ୍ଧ ଆଶଙ୍କା ବା ଅପ ସଂସ୍କୃତି । ଏହା ପୃଥିବୀର ସଭ୍ୟତା, ସଂସ୍କୃତି ଓ ଐକ୍ୟକୁ ବ୍ୟାଧଗ୍ରସ୍ତ କରେ । ଦ୍ୱିତୀୟ ବିଶ୍ଵଯୁଦ୍ଧ ପରବର୍ତ୍ତୀ ଯୁଦ୍ଧ ଆଶଙ୍କାରେ ଥରଥର ପୃଥିବୀ ଯେଉଁ ବିପର୍ଯ୍ୟୟ ଓ ଶୂନ୍ୟତାକୁ ସାମ୍‌ନା କରିଛି ମୁଖ୍ୟତଃ କବିଙ୍କ ଅଭିବ୍ୟକ୍ତି ପଛରେ ଏହାର ଅନୁରଣନ ଥାଇପାରେ । ଏଣୁ ଏ ଜୀବାଣୁର ସଂକ୍ରମଣ ଭୟଙ୍କର ଯାହା ପୃଥିବୀର କୋଣ ଅନୁକୋଣରେ ବିଷ ସଂଚାର କରେ । ଏ ଜୀବାଣୁର ପ୍ରତିରୋଧ ପାଇଁ ମାନବ ସମାଜ ପ୍ରସ୍ତୁତ ହେବା ଲୋଡ଼ା ବୋଲି କବିଙ୍କର ଆହ୍ଵାନ ।

 

ଆଜିକାର ଏଇ ପୃଥିବୀର ବୁକେ କେଉଁ ସେ ଜୀବାଣୁ ଦଳ

ରକ୍ତେ ତାହାର ସଂଚରିଯାଏ ଘେନି ସମଗ୍ର ବଳ;

ସବୁଦେଶ ଭରି ବ୍ୟାପ୍ତି ତାହାର-ପୃଥିବୀରେ ଯାଏ ମାଡ଼ି

ହୁଃସହ ରୋଗେ ସବୁଜ ପୃଥିବୀ ଅଙ୍ଗେ ଦେବାକୁ ଜାଳି ।

xxx ପ୍ରତିରୋଧ ତା’ର ଆଜିର ମଣିଷ ହୁଅ ତେଣୁ ସାବଧାନ ।

 

ଏ ପର୍ଯ୍ୟାୟର ଅଭିବ୍ୟକ୍ତିରେ କବିଙ୍କ ଚିନ୍ତନ ଜଗତରେ ଏକ ସମାଜ ଚେତନା ଭିତ୍ତିକ ଆଭିମୁଖ୍ୟ ଦାନାବାନ୍ଧେ । ଜଗନ୍ନାଥ ପ୍ରସାଦ ଦାସଙ୍କ ‘ସ୍ମାରକପତ୍ର’ (୯) କବିତା ‘ଝଙ୍କାର’ରେ ପ୍ରକାଶିତ ହୁଏ । ଅଭାବ ଦୈନ୍ୟ ପୀଡ଼ିତ ମଣିଷଙ୍କ ବ୍ୟଥାବେଦନା ତରୁଣ ପ୍ରାଣକୁ ଜର୍ଜରିତ କରିଛି-। କବି ସଚ୍ଚିରାଉତରାୟଙ୍କ ‘ବାଜିରାଉତ’ ଓ ପ୍ରଗତିବାଦୀ ଆଭିମୁଖ୍ୟ ସମ୍ପନ୍ନ କବିତା ତଥା ଅନ୍ୟାନ୍ୟ ବୈପ୍ଳବିକ ଚିନ୍ତନର କବିତାରୁ ଜଗନ୍ନାଥ ପ୍ରସାଦ ପ୍ରେରଣା ଖୋଜନ୍ତି । ସ୍ମାରକପତ୍ର ହେଉଛି କବିଙ୍କ କାବ୍ୟ ସନନ୍ଦ ବା ଇସ୍ତାହାର । ତାଙ୍କ ଉଚ୍ଚାରଣ: ‘ଭାଙ୍ଗି ପଡ଼େ ଭେଦର ପାଚେରୀ/ପୁରୁଣା ମୀନାର ତୁମ ପଡ଼ୁଚିରେ ତୁଟି’, ‘ଆଜି ତେଣୁ ଆମେ ଚାହୁଁ ବଞ୍ଚିବାର ଜନ୍ମଗତ ଅଧିକାର’ ଅଥବା ‘ସ୍ମାରକପତ୍ରରେ ତେଣୁ/ଲେଖବନ୍ଧୁ ରକ୍ତର ସ୍ୱାକ୍ଷର’ ଇତ୍ୟାଦି । ସମୟର ଆହ୍ୱାନ ଓ ଶ୍ରେଣୀହୀନ ସମାଜ ଗଠନର ସ୍ୱପ୍ନରେ କବି ନିଜକୁ ସାମିଲ୍‌ କରନ୍ତି । ‘ସ୍ମାରକପତ୍ର’ରେ ତେଣୁ ପୂର୍ବସୂରୀ କବିଙ୍କ ପରି ସେ କହନ୍ତି (କବି କାଳିନ୍ଦୀଚରଣ ସ୍ମର୍ତ୍ତବ୍ୟ) :

 

ପୃଥି‌ବୀରେ ମଣିଷ ସମାନ/ଜୀବନର ତୃଷ୍ଣା ତେଣୁ

ବୁକେ ମୋର ଉଠେ ଆଜି ଭରି ।

ଖାଇବାର, ପିନ୍ଧିବାର, କଥା କହିବାର

ମୁକ୍ତ ମଣିଷର ଅଛି/ଜନ୍ମଗତ ଯେତେ ଅଧିକାର,

ନିର୍ଯ୍ୟାତିତ ହୁଏ ଯେବେ / ମାଗେ ଆଜି ତା’ର ପ୍ରତିକାର ।

 

‘ସଭ୍ୟତା’ (୧୦) ଏଇ ସମାଜ ସଚେତନ ଆଭିମୁଖ୍ୟର ଆଉ ଏକ ସଶକ୍ତ ପ୍ରତିଫଳନ । ଏ ସଭ୍ୟତା କ୍ରମଶଃ ଯନ୍ତ୍ରମୁଖୀ ହୋଇ ଦୁର୍ନୀତି ଓ ବ୍ୟଭିଚାରର ବୀଜ ବୁଣିଛି, ଆଗ୍ନେୟାସ୍ତ୍ର ଓ ପରମାଣବିକ ଅସ୍ତ୍ରର ନିର୍ମାଣ କରି ପୃଥିବୀରେ ସଂକ୍ରାମକ ବ୍ୟାଧିତର ସଂଚାର କରିଛି ବୋଲି କବି ଦୃପ୍ତ ଭାବରେ ଘୋଷଣା କରନ୍ତି । ୧୯୫୦ ମସିହାରେ ପ୍ରକାଶିତ ଏ କବିତାରେ ଯୁଦ୍ଧଜନିତ ଯେଉଁ ବିଭୀଷିକା ଓ ପରମାଣବିକ ଅସ୍ତ୍ର ପରୀକ୍ଷା କବିଙ୍କୁ ବ୍ୟଥିତ କରିଛି- ଲକ୍ଷ୍ୟ କରାଯାଇପାରେ ଯେ ଜଗନ୍ନାଥ ପ୍ରସାଦ ଦାସଙ୍କ ପରିରତ ପର୍ଯ୍ୟାୟର କାବ୍ୟ ଚିନ୍ତନରେ ସେଇ ଆଭିମୁଖ୍ୟ ‘ଆହ୍ନିକ’ (୧୯୯୦), ‘ସ୍ଥିରଚିତ୍ର’ (୧୯୯୧) ଏବଂ ‘ଅସମୟ’ (୨୦୦୪) ସଂକଳନର ସମକାଳୀନତାକୁ ଆଧାର କରି ମୂର୍ତ୍ତିମନ୍ତ ହୋଇଛି । ୨୦୦୪ରେ ପ୍ରକାଶିତ ‘ଅସମୟ’ ସଂକଳନର ‘ଅସମୟ’, ‘ଅକାଳ’, ‘ପୋଖରାନ୍‌’, ‘ଗୁଜରାତ୍‌ ପରେ’ ଆଦି ଏଇ ଧାରାର ଉଜ୍ଵଳ ପ୍ରତିଫଳନ । ‘ସଭ୍ୟତା’ କବିତାର କତିପୟ ପଂକ୍ତିରୁ ତରୁଣ ପ୍ରାଣର ଅଭିବ୍ୟକ୍ତିକୁ ଲକ୍ଷ୍ୟ କରାଯାଇପାରେ ।

 

ଏ ସଭ୍ୟତା ମାନବ ସମାଜେ, ଦୁର୍ନୀତିର ବୀଜଅଛି ବୁଣି

ଶୃଙ୍ଖଳାର ଆବରଣ ତଳେ ବ୍ୟଭିଚାର ଭରିଅଛି ପୁଣି×××

ହିଂସା ମିଥ୍ୟା ଅତ୍ୟାଚାର ତଳେ ସରଳତା ଘେନିଛି ସମାଧି

ପ୍ରାଣେପ୍ରାଣେ ସଂକ୍ରମିତ ହୁଏ ସଂକ୍ରାମକ ସଭ୍ୟତାର ବ୍ୟାଧି ।×××

ଶାନ୍ତି ନାମେ ଧ୍ଵଂସ ଲାଗି ହୁଏ ଆଗ୍ନେୟାସ୍ତ୍ର ପରମାଣୁ ଗଢ଼ା

ଗର୍ବ ଭରେ ହସଇ ମଣିଷ, ପାଶବିକ ପରିତୃପ୍ତି ଭରା ।

 

ଧ୍ୱଂସକାମୀ ଏ ସଭ୍ୟତାର ବିଭୀଷିକା କବି ସତ୍ତାକୁ ମଥିତ ଓ ବେଦନା ଦଗ୍‌ଧ କରିଛି । ସେଇ ଧାରାର ‘ମହାଯୁଦ୍ଧ’ (୧୧) ଆଉ ଏକ ଉଚ୍ଚାରଣ । ଦ୍ଵିତୀୟ ଯୁଦ୍ଧ ଆଶଙ୍କାଜନିତ ମ୍ରିୟମାଣ ଭାବ ଏ କବିତାର ଉପଜୀବ । ସନ୍ଧି ଓ ଚୁକ୍ତିପତ୍ର ସ୍ଵାକ୍ଷର, ‘‘ଶାନ୍ତିକପୋତର ପରିକ୍ରମା ଓ ସମ୍ମିଳନୀ - ସହାବସ୍ଥାନ ସତ୍ତ୍ୱେ ପୃଥିବୀର ବିଭିନ୍ନ ରାଷ୍ଟ୍ର ଓ ରାଷ୍ଟ୍ରନାୟକଙ୍କର ଯୁଦ୍ଧଖୋର ମାନସିକତା ଏବଂ ପରମାଣୁବୋମାର ପ୍ରସ୍ତୁତି ଏହି ମ୍ରିୟମାଣବୋଧର କାରଣ ହୋଇଛି । ଅଭାବ କ୍ଲିଷ୍ଟ, ଦୁଃଖଦୈନ୍ୟ ପୀଡ଼ିତ ମଣିଷ ପାଇଁ ଏଠି ସମ୍ବେଦନାର ଘୋର ଅଭାବ । ଯୁଦ୍ଧ ଘାଟିରେ ଫସଲ ହସନ୍ତା ବୋଲି କବିର କାମନା । କବିଙ୍କ ‘ବାଲିଆପାଳ’ କବିତା ଏ ପ୍ରସଙ୍ଗରେ ସ୍ମର୍ତ୍ତବ୍ୟ । କବିଙ୍କ ଉଚ୍ଚାରଣ ଏହିପରି :

 

ଦୂରକର ତେଣୁ ପରମାଣୁ ବୋମା

ରଖିଦିଅ ଆଜି କମାଣ ତୋର

ଯୁଦ୍ଧ ଘାଟିରେ ଫସଲ ହସୁରେ

ମଣିଷ ହସୁରେ ଯୁଦ୍ଧ ଖୋର ।

 

ଏହି ପରିପ୍ରେକ୍ଷୀରେ ଏଇ ଧାରାର ଆଉ ଏକ କଳାତ୍ମକ ଉଚ୍ଚାରଣ ‘ନୂତନ ସୂର୍ଯ୍ୟ’ (୧୨)-। ନୂଆ ସର୍ଜନା ଓ ସମ୍ଭାବନା ମୋ ପ୍ରତ୍ୟାଶାର ଦୀପ୍ତି ନେଇ ଯାବତୀୟ ଅନ୍ୟାୟର ଧ୍ଵଂସ ଓ ମଣିଷର ମୁକ୍ତି ହିଁ କବିତାର ନିର୍ଯ୍ୟାସ । ମନୁଷ୍ୟତାର ଜୟ, ପ୍ରତିଟି ପ୍ରାଣଶକ୍ତିର ବିକାଶ ଲୋଡ଼ା । ଏଣୁ ପୁରୁଣା ସୂର୍ଯ୍ୟ ବିଗତ ସମୟର ପ୍ରତୀକ । ତା’ର ପରିବର୍ତ୍ତନ ଓ ରୂପାନ୍ତର କାମ୍ୟ, ଏ ଶତାବ୍ଦୀ କବି ଦୃଷ୍ଟିରେ କ୍ଷୟଶୀଳ ଓ ପଚମାନ ଶତାବ୍ଦୀ- ବ୍ୟର୍ଥତା, ଭୟ ଓ ଆଶଙ୍କାରେ ଜର୍ଜରିତ । ‘ନୂତନ ସୂର୍ଯ୍ୟ’ର ପ୍ରାରମ୍ଭରେ କବି କହନ୍ତି-

 

ଶତାବ୍ଦୀର ବିବର୍ଣ୍ଣ ଆକାଶେ

ସୂର୍ଯ୍ୟର ଆଲୋକ ଆଜି ମ୍ଳାନ ହୋଇ ଆସେ

ସୂର୍ଯ୍ୟ ଆଜି ଅସ୍ତଯାଏ କ୍ଷୁଧିରେ ତ୍ରସ୍ତ ହାହାକାରେ

ସୂର୍ଯ୍ୟର ଆଲୋକ ନିଭେ

ବ୍ୟଥିରେ ବ୍ୟର୍ଥ ଅଶ୍ରୁଧାରେ

ସୂର୍ଯ୍ୟର ଉତ୍ତାପ ଆଜି କ୍ଷୀଣ ହୋଇଆସେ

ଜଳିବାର ବିଫଳ ପ୍ରୟାସେ ।

 

ନୂତନ ସୂର୍ଯ୍ୟର କାମନା ଭିତରେ ପ୍ରତିଟି ମଣିଷ ଆଲୋକଦୀପ୍ତ ହେବେ । ସେମାନେ ସତେ କି ହେବେ କୋଟି କୋଟି ସୂର୍ଯ୍ୟ । ଆବେଗପ୍ରବଣତା ସହିତ ବୌଦ୍ଧିକତା, କଳାତ୍ମକ ପରିପ୍ରକାଶ, ବ୍ୟଞ୍ଜନାଧର୍ମୀ ଅଭିବ୍ୟକ୍ତି ଆଦି ଦୃଷ୍ଟିରୁ ନୃତନ ସୂର୍ଯ୍ୟ, ତରୁଣ ସ୍ଵରର ଏକ ଶକ୍ତିଶାଳୀ ଅଭିବ୍ୟକ୍ତି । ବେଦନାଦଗ୍‌ଧ ବିଶ୍ଵମଣିଷ ପାଇଁ ଏଇ ସମାଜ ସଚେତନ ଆଭିମୁଖ୍ୟଟି କାବ୍ୟସ୍ଵରରେ ବଳବତ୍ତର ରହିଛି । ବୈପ୍ଳବିକ ଦୃଷ୍ଟିଭଙ୍ଗୀ ସହ ପ୍ରକାଶ ପାଇଛି କାରୁଣ୍ୟ ଓ ସମ୍ବେଦନା । ଯୁବପ୍ରାଣର ଉଦ୍ଦାମତା ତାଙ୍କ ସ୍ଵରକୁ କରିଛି ଅଧିକ ଶାଣିତ । ‘ଛୋଟ କଥା’ (୧୩) ଓ ‘ମୁହୂର୍ତ୍ତ’ (୧୪) କବିତାଦ୍ୱୟ ଏଇ ଧାରାର ପ୍ରତିଫଳନ । ସ୍ୱପ୍ନବିଳାସ ଅପେକ୍ଷା ବାସ୍ତବତା, ବିଶ୍ଵଶାନ୍ତିର ଭାବନା, ରାଜନୈତିକ ଶଠତା ଦ୍ଵାରା ବଳି ପଡ଼ୁଥିବା ମାନବଜାତିର ଅଭ୍ୟୁତ୍‌ଥାନ ବା ଉତ୍ତରଣ ହୋଇଉଠିଛି କବିର କାମ୍ୟ । ‘ଛୋଟ କଥା’ କବିତାରେ ‘ଚିର ଅଭିମାନୀ ବନ୍ଧୁ’ଙ୍କୁ କାବ୍ୟ ଇସ୍ତାହାର ବାଢ଼ିବା ଉପସ୍ଥାପନରେ ସାମାନ୍ୟ ଭିନ୍ନ ମନେହୁଏ । କୋଟି ମଣିଷର ବଂଚିବା ଦାବୀ, ଭୋକ ଉପାସର ସମାଧାନ ଆମ ପ୍ରଗତି ଓ ଶକ୍ତିର ମାପକାଠି ହେଉ ବୋଲି କବି ଅଭୀପ୍‌ସା ପୋଷଣ କରନ୍ତି । ତଥାକଥିତ ଜ୍ଞାନ ବିଜ୍ଞାନ ଓ ରାଜନୀତିଠାରୁ ଭୋକ ଉପାସ ଓ ତେଲଲୁଣ ସଂସାରର ସମସ୍ୟା ସଂକଟ ସମକାଳର ମୁଖ୍ୟ ଆହ୍ୱାନ ବୋଲି କବିଙ୍କ ଅଭିମତ ।

 

କୋଟି ମାନବର ଅନ୍ନଚିନ୍ତା,/ମଣିଷ ଯା’ଘେନି ଅସହାୟ/ ଅତି ଦୁର୍ବଳ ।

ଭୋକ ଉପାସରେ ଜୀବନ ମଉଳେ/ ମଣିଷ ମରଇ ମୁଠାଏ କେବଳ

ଭାତ ପାଇଁ/ରୁଟି ଡାଲି ଲାଗି ଚିତ୍କାର ଶୁଭେ

କ୍ଷୁଧିତ ଆକୁଳେ ରହେ ଚାହିଁ ।

 

‘ମୁହୂର୍ତ୍ତ’ କବିଙ୍କ ବୈପ୍ଳବିକ ଚିନ୍ତନର ଶାଣିତ ପରିପ୍ରକାଶ । ଅଗ୍ନିଝଡ଼ ଓ ପ୍ରଳୟର ଆବାହନ କରିଛନ୍ତି କବି । ମୁହୂର୍ତ୍ତ ଏଠାରେ ସାମ୍ପ୍ରତିକ ଚଳମାନ ସମୟର ପ୍ରତିନିଧିତ୍ୱ କରେ । କବିଙ୍କ ମତରେ ଚେତନାକୁ ରୁଦ୍ର ଓ ଝଞ୍ଜାମୟ କରିବାର ସମୟ ଆଜି ଉପଗତ । ଶତାବ୍ଦୀର ଜଡ଼ତା ଭାଙ୍ଗି ନୂଆ ଦିଗନ୍ତର ସନ୍ଧାନରେ କାବ୍ୟପୁରୁଷ ବିପ୍ଳବର ଅଗ୍ନିରେ ଝାସ ଦିଏ । ଏହି ଆଭିମୁଖ୍ୟକୁ ସାକାର କରୁଥିବା କତିପୟ ଭାବଗର୍ଭକ ପଂକ୍ତିର ଉଲ୍ଲେଖ କରାଯାଇପାରେ ।

 

ଝଞ୍ଜା ଜାଗେ ଜୀବନେ ଯେବେ ରକ୍ତ ଜଳେ ଅଗ୍ନି ରାଗେ

ବିପ୍ଳବର ଜୁଆର ଲାଗେ ଅଭୀକ ମୋ ଚିତ୍ତଭାଗେ । ×××

ମୁଁ ଆଜି ନାଚେ ଧ୍ଵଂସ ସାଥେ ସଂହାରେ ମୁଁ ରୁଦ୍ର ସାଜେ

ବଜ୍ର ଗୁରୁ ପ୍ରଳୟ ତାନେ, ପୁରାତନର ପହୁଡ଼ ଭାଜେ ×××

ମୋ ଆଖି କଣେ ସୂର୍ଯ୍ୟଜଳେ ଚାହାଣିରେ ମୋ ଉଲ୍‌କା ଛୁଟେ

ଦୃପ୍ତ ମୋର ଦେହର ତଳେ ଦିଗନ୍ତର ଦୀପ୍ତି ଫୁଟେ ।

 

କବି ତଥାକଥିତ ପ୍ରଗତିବାଦୀ ଆଭିମୁଖ୍ୟର ଅଂଗୀକାରବଦ୍ଧ କାବ୍ୟଶିଳ୍ପୀ ନୁହଁନ୍ତି । ତରୁଣ ପ୍ରାଣର ବ୍ୟଥା ଜର୍ଜରିତ ମଣିଷ ପାଇଁ ସମ୍ବେଦନା ଓ ସର୍ବୋପରି ଜୀବନର ଜୟଗାନ ବେଶ୍‌ ସ୍ପଷ୍ଟ । ଅତଏବ ୧୯୫୪ ମସିହା ଅବଧିରେ ପ୍ରକାଶିତ ଉପର୍ଯ୍ୟୁକ୍ତ ସାତଗୋଟି କବିତା କବି ଜଗନ୍ନାଥ ପ୍ରସାଦ ଦାସଙ୍କ ବିଶ୍ୱକଲ୍ୟାଣକାମୀ ମାନବବାଦୀ ଆଭିମୁଖ୍ୟର ଦୃପ୍ତ ଇସ୍ତାହାର । ପୁଣି ଥରେ କୁହାଯାଇପାରେ ଯେ ତରୁଣ ପ୍ରାଣର ରୋମାଣ୍ଟିକ ଉଚ୍ଛ୍ୱାସସଂପନ୍ନ ଚେତନାର ଅନୁପସ୍ଥିତି ଏଠାରେ ସହଜ ଲକ୍ଷ୍ୟ । ପ୍ରାରମ୍ଭ କାଳରେ କଳ୍ପନା ପ୍ରବଣତା, ସୌନ୍ଦର୍ଯ୍ୟ ଅନୁରାଗ ଏଠି ଲେଶମାତ୍ର ନାହିଁ । ରହିଛି ରୁଢ଼ ବାସ୍ତବତା ।

 

ସ୍ଵାଧୀନତା ପରବର୍ତ୍ତୀ ସ୍ଵପ୍ନଭଙ୍ଗର ରୂପାୟନ ଓ ବାସ୍ତବବାଦୀ ଚିନ୍ତନ ପଚାଶ ପରବର୍ତ୍ତୀ ଓଡ଼ିଆ କବିତାର ସ୍ଵାଭାବିକ ଆଭିମୁଖ୍ୟ ଥିଲା । ୟୁରୋପୀୟ ଆଧୁନିକତା ପ୍ରଭାବରୁ ଯେଉଁ ଭିନ୍ନ ଭାବଧାରା ଓ ଶୈଳୀ ସଚ୍ଚିଦାନନ୍ଦ ରାଉତରାୟ, ଗୁରୁପ୍ରସାଦ ମହାନ୍ତି, ଭାନୁଜୀ ରାଓ ପ୍ରଭୃତିଙ୍କ ଦ୍ଵାରା ଅନୁସୃତ ହେବା ଆରମ୍ଭ କରିଥିଲା ତା’ ସହିତ କବି ଜଗନ୍ନାଥ ପ୍ରସାଦ ସମ୍ପର୍କିତ ହୋଇନାହାନ୍ତି । ପୂର୍ବରୁ ସୂଚିତ ହୋଇଛି ଯେ ସଚ୍ଚିରାଉତରାୟଙ୍କ ‘ବାଜି ରାଉତ’ ଏବଂ ଗୁରୁପ୍ରସାଦଙ୍କ ଉପସ୍ଥାପନ ରୀତି ତରୁଣ ସ୍ଵରକୁ ସାମାନ୍ୟ ଭାବେ ପ୍ରଭାବିତ କରିଛି । ସମକାଳୀନ କବିତାର ଅନ୍ୟତମ ଶକ୍ତିଶାଳୀ ତରୁଣ ସ୍ଵର ରମାକାନ୍ତ ରଥଙ୍କର ସାମାଜିକ ଆଭିମୁଖ୍ୟ ସଂପନ୍ନ କବିତାର ଆତ୍ମିକ ଦିଗନ୍ତ ସହ ଏହା ସାଜୁଯ୍ୟ ରକ୍ଷାକରେ । ‘କେତେ ଦିନର’ (୧୯୬୨) କତିପୟ କବିତାକୁ ଉଦାହରଣ ଭାବେ ନିଆଯାଇପାରିବ ।

 

୧୯୫୫-୫୬ ସମୟ ଅବଧିର କବିତାରେ ଏହି ସାମାଜିକ ଆଭିମୁଖ୍ୟ ନାନା ଅନୁସଙ୍ଗ ଦେଇ ପ୍ରକାଶମାନ୍ୟତା ପାଇଛି । ‘ଲଗ୍ନ’ କବିତାରେ ମାନବିକ ଦୃଷ୍ଟିଭଙ୍ଗୀ ଓ ବୈପ୍ଳବିକ ଚେତନାର ପରିପ୍ରକାଶ ଘଟିଛି । ମନୁଷ୍ୟତାର ଜୟଗାନ ଓ ସକଳ ବ୍ୟଭିଚାରର ଅପନୋଦନ ହୋଇଉଠିଛି କାବ୍ୟପୁରୁଷର କାମ୍ୟ ।

 

×××ବିକ୍ଷତ ବୁକେ ବ୍ୟଥା ଓ ବେଦନା ଭରି

ଆଗ୍ନେୟଗିରି ଉଦ୍‌ଗାର ସମ ମୁଁ ଯେବେ ଉଠିବି ଜାଗି

ଲାଭାର ସୁଅରେ ପ୍ରତିରୋଧ ଯିବ ଜଳି ।

 

ଏହି ପର୍ଯ୍ୟାୟର ‘ତ୍ରିଶଙ୍କୁ’ (୧୬) ଏକ ଭିନ୍ନ ସ୍ଵାଦ ଓ ବ୍ୟଞ୍ଜନାର କବିତା । ପୁରାଣକଳ୍ପନର ଚରିତ୍ର ତ୍ରିଶଙ୍କୁର ସ୍ଥିତିର ମାଟି ଓ ଆକାଶର ମଧ୍ୟ ଭାଗର ଅର୍ଦ୍ଧ ସ୍ୱର୍ଗରେ । ଦେବତାଙ୍କ ବିଦ୍ରୂପ ଏବଂ ଅଭିଶାପ ଏହି ସ୍ଥିତି ଭିଆଇ ଥିଲା । ସ୍ଵର୍ଗ ମାୟାମୟ ସୌନ୍ଦର୍ଯ୍ୟର ଭୂମି ବୋଲି ତର୍କଣା କରି କବି ତାଙ୍କୁ ମର୍ତ୍ତ୍ୟମନସ୍କ ହେବା ପାଇଁ ନିବେଦନ କରିଛନ୍ତି । ଏଣୁ କବି ତାର ଆଭିମୁଖ୍ୟରେ କବିର ମର୍ତ୍ତ୍ୟସୋହାଗ ହିଁ ଅନୁରଣିତ ।

 

କବି ଜଗନ୍ନାଥ ପ୍ରସାଦ ଦାସଙ୍କ ଆଦ୍ୟ ଉନ୍ମେଷ ପର୍ବର ଶେଷ ତିନୋଟି ଉଚ୍ଚାରଣ ‘ହାତ ମିଳାଅ’ (୧୭), ‘ଆଜି ତାକୁ ବଂଚିବାକୁ ଦିଅ’ (୧୮), ‘ମୋର ଦୁଇ ହାତରେ’ (୧୯) ଆଦି ସମାଜନିଷ୍ଠ ଆଭିମୁଖ୍ୟର କବିତା । ପଦ୍ୟଛନ୍ଦକୁ କବି ପରିହାର କରି ନଥି‌ଲେ ବି ଏଥି‌ରେ ଗଦ୍ୟରୀତି ପ୍ରତି ପ୍ରବଣତା ବାରିହୁଏ । ପ୍ରଥମପଦ ଓ ତୃତୀୟ ପଦର, ଦ୍ୱିତୀୟ ପଦ ଓ ଚତୁର୍ଥ ପଦର ପ୍ରାନ୍ତ୍ୟମିଳନ ପ୍ରାୟତଃ ପରିଲକ୍ଷିତ । ଏ ତିନୋଟିଯାକ କବିତାରେ ଆବେଗଧର୍ମତା ସହ ଏକ ପରିପକ୍ୱ ମନନଶୀଳତା ରହିଛି । ‘ହାତ ମିଳାଅ’ କବିତାର ସମକାଳୀନ ଘଟଣା ସଂଘଟନ ସହ ଏକ ଶିକ୍ଷିତ ଚାକିରି ଅନ୍ଵେଷୀ ବନ୍ଧୁର ନିତିଦିନିଆ ଜୀବନଚର୍ଯ୍ୟା ରୂପ ପାଇଛି । ଏଥିରେ ସମକାଳର କିଛି ବସ୍ତୁ, ପ୍ରତିଷ୍ଠାନ ଓ ଚିନ୍ତାବିତ୍‍ଙ୍କର ଉଲ୍ଲେଖ ମିଳେ ଯଥା : କ୍ଲବ, ଲାଇବ୍ରେରୀ, ସରକାରୀ ଅଫିସ୍‌, ବସ୍‌, ଟ୍ରାମ୍‌, ପାର୍କ, ରେସନ୍ ଦୋକାନ, ଫିଲମ୍‌ଗୀତ, ଫ୍ରଏଡ଼୍‌, ମାର୍କସ୍‌ ପ୍ରଭୃତି । ଚାକିରି ଅନ୍ୱେଷୀ ବନ୍ଧୁଙ୍କ ସହ କବି ସତ୍ତା ଏକାତ୍ମ ହୋଇଛି । ଅନ୍ୟ ଅର୍ଥରେ ସମକାଳୀନ ସାମାଜିକ ବାସ୍ତବତା ସହ କବି ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି । ଏଣୁ ଏ କବିତାର ବକ୍ତବ୍ୟ ଏହିପରି :

 

ଫ୍ରଏଡ଼୍‌ ଓ ମାର୍କସ୍‌ର ବାଣୀ ଶୁଣେ ତମରି ମୁହଁରେ

ତୁମେ ଗାଅ ଫିଲମ୍‌ଗୀତ, ତୁମେ ପୁଣି କହିବସ ରାଜନୀତିକଥା ।

××× ତମକୁ ମୁଁ ଦେଖେ ଆଜି ମଣିଷର ଆହତ ପ୍ରାଣରେ

ତମର କଥାରେ ଯୁଗେ ଭାତ ଆଉ ରୁଟି ଲାଗି କ୍ଷୁଧାର୍ତ୍ତ ଚିତ୍କାର

ତମକୁ ମୁଁ ଦେଖେ ପୁଣି ସୈନିକର ବଳିଷ୍ଠ ମନରେ

ମଣିଷର ଯେତେଦାବୀ-ତମେ ଅବା ତା’ର ଇସ୍ତାହାର ।

 

ଏ କବିତାର ଉପସ୍ଥାପନ ରୀତିରେ ଗୁରୁପ୍ରସାଦ ମହାନ୍ତିଙ୍କ ଅଳକା ସାନ୍ୟାଲ (୧୯୫୨)କୁ ମିଳାଇ ଦେଖନ୍ତୁ । କିଛି ସାଜୁଯ୍ୟ ଓ ଅନୁରଣନ ଖୋଜି ପାଇବେ । ‘ଆଜି ତାକୁ ବଂଚିବାକୁ ଦିଅ’’ କବିତାରେ ଭୂମିଷ୍ଠ ହୋଇଥିବା ଶିଶୁ ବା ନବଜାତକ ପ୍ରତି ପ୍ରକାଶ ପାଇଛି ସ୍ରଷ୍ଟା ପ୍ରାଣର ସଂବେଦନା । ସମକାଳର ଦୁଃସ୍ଥିତିରେ ଅତୀତର କୁସଂସ୍କାର, ‘ଅସୁସ୍ଥ ସମାଜର ବିଷର ଦୁଆର’କୁ ଅତିକ୍ରମ କରି ନୂତନର ବାର୍ତ୍ତାବହ ଭାବେ ସେ ବଂଚିବ । ଏ କବିତା ଏକ ଆଶାବାଦୀ ପ୍ରତ୍ୟୟ ଓ ନୀରବ ବିପ୍ଳବର ସ୍ଵର ବହନ କରେ ।

 

ତା’ ମୁହଁର ଉଜ୍ଜଳ ହସରେ/ତା’ ଦେହର ସରଳ ଛନ୍ଦରେ,

ତା’ ଆଖିର ସତେଜ ସ୍ୱପ୍ନରେ/ ନୂତନର ଶୁଣ ଜୟଗାନ

ଆଜି ତାକୁ ବଞ୍ଚିବାକୁ ଦିଅ,

ଅଭୀକ ଆତ୍ମା ଯେ ତା’ର ଜଳେ ଆଜି ଚିର ଦୀପ୍ତିମାନ

ଆଜି ତାକୁ ବଞ୍ଚିବାକୁ ଦିଅ,

ଅଭୀକ ଆତ୍ମା ଯେ ତା’ର ଜଳେ ଆଜି ଚିର ଦିପ୍ତମାନ

ଆଜି ତାକୁ ଳଳିବାକୁ ଦିଅ ।

 

‘ମୋର ଦୁଇଟି ହାତରେ’ କବିତାଟିରେ ତରୁଣ କବି ପ୍ରାଣରେ ଏକ ନୂତନ ପୃଥିବୀର ପରିକଳ୍ପନା ଦାନା ବାନ୍ଧିଛି । ମାଟି ଓ ପଥରରେ ନିଜ ହାତରେ ହୃଦୟର ସବୁ ସରସତା ଦେଇ ସେ ଗଢ଼ିବାକୁ ଚାହାଁନ୍ତି ଏକ ସୁନ୍ଦର ପୃଥିବୀ । ସେଠି ପ୍ରେମ ପ୍ରଣୟର ଅଭିବ୍ୟକ୍ତି ନୁହେଁ; ଶ୍ରମ ଓ ସ୍ଵେଦର କାହାଣୀ ଲିପିବଦ୍ଧ ହେବ । କବିଙ୍କ ଭାଷାରେ-

 

ମୋ ମୀନାର ତାଜ ନୁହେଁ ବାଦଶାହୀ ପ୍ରେମର

ମର୍ମରେ ଲେଖା ନୁହଁ ପ୍ରଣୟର କବିତା

ବାସ୍ତବ କାହାଣୀ ସେ ସ୍ଵେଦ ଆଉ ଶ୍ରମର

ମ୍ଳାନ କେଉଁ ମରମର ନିଷ୍ପ୍ରଭ ସଳିତା ।

 

କବି ଏହି ନୂଆ ସର୍ଜନାର ସ୍ୱପ୍ନରେ ଶ୍ରମଜୀବନୀ ମଣିଷର ସ୍ଵପ୍ନ ଓ ସାନା ସହ ନିଜକୁ ଏକାତ୍ମ କରନ୍ତି । କବିଙ୍କ ‘ମୁଁ’ ଟି ଦଳିତ ମଣିଷର ‘ମୁଁ’ ରେ ରୂପାନ୍ତରିତ ହୋଇଯାଏ । ଶ୍ରମଜୀବୀ ମଣିଷର ପ୍ରତିବାଦ, ବିଦ୍ରୋହ ଓ କାରୁଣ୍ୟ ସହ କବିଙ୍କ ଏହି ନୂତନ ସର୍ଜନାର ସ୍ଵପ୍ନ ବିଭିନ୍ନ ପଂକ୍ତିରେ ରୂପ ପାଇଛି ।

 

ପଥର ପିଠିରେ ବୋଲି ହୋଇଛି ମୁଁ କୂର୍ମ

ତମ ଲାଗି ଗଢ଼ିଛି ମୁଁ ବିଳାସର ହର୍ମ୍ୟ

××× ଫସଲ କରିଛି ପୁଣି ଫସଲ ମୁଁ କାଟିଚି

କାରଖାନା ଘରେ ପୁଣି ଦିନରାତି ଖଟିଚି ।

 

ଅଥବା,

 

ସମତୁଲ କରିଚି ମୁଁ ବନ୍ଧୁର କେତେ ପଥଘାଟରେ

ଆଣିଚି ମୁଁ ଡାକି କେତେ ପ୍ରଗତିର ସକାଳ

ଜାଳିଚି ମୁଁ କେତେ କାହିଁ ଆଲୋକର ମଶାଲ

ଅନ୍ଧାର ବାଟରେ ।

 

କବି ଜଗନ୍ନାଥ ପ୍ରସାଦ ଦାସ ଉନ୍ମେଷ ପର୍ବର କାବ୍ୟସ୍ଵରର ଉପର୍ଯ୍ୟୁକ୍ତ ବୈଶିଷ୍ଟ୍ୟ, ଦୀପ୍ତି ଓ ଔଜଲ୍ୟ ତାଙ୍କ ଶକ୍ତିସତ୍ତା ଓ ଭାଷାଛନ୍ଦର ପରିପକ୍ୱତାକୁ ସୂଚାଏ । ପରବର୍ତ୍ତୀ ଦେଢ଼ ଦଶନ୍ଧିର ନୀରବତା (୧୯୫୬-୭୦) ପରେ ସେ କବିତା ସର୍ଜନାକୁ ଫେରନ୍ତି ସଂପୂର୍ଣ୍ଣ ନୂତନ ରୂପରେ । ପୂର୍ବରୁ ଅନୁପସ୍ଥିତ ରୋମାଣ୍ଟିକ ଚେତନା ବା ପ୍ରେମ ପ୍ରଣୟ ଅନୁରାଗ, ନିଃସଙ୍ଗତା ଓ ବିଚ୍ଛିନ୍ନତାବୋଧ ପ୍ରଥମ କବିତା ଗ୍ରନ୍ଥ ‘ପ୍ରଥମ ପୁରୁଷ’ (୧୯୭୧)ରେ ଜୀବନ୍ୟାସ ପାଏ । ପରେ ପରେ ଆଧୁନିକ ପ୍ରୟୋଗବାଦୀ ଧାରାର ମୃତ୍ୟୁ ଚିନ୍ତନ, ସମୟବୋଧ, ସ୍ଵପ୍ନଭଙ୍ଗ, ଶୂନ୍ୟତାବୋଧ ଆଦି ଭାବଧାରା ତାଙ୍କ କାବ୍ୟ ଦିଗନ୍ତରେ ଦୃଶ୍ୟମାନ ହୁଏ । ବୈଚିତ୍ର୍ୟ ଓ ବିବିଧତାର ବର୍ଣ୍ଣମୟ ହୋଇଉଠେ ତାଙ୍କ କବିତାର ଆତ୍ମିକ ଦିଗନ୍ତ । ସମକାଳନିଷ୍ଠ ସମାଜ ସଚେତନତା ବିକଶିତ ହୋଇ କବିଙ୍କ କାବ୍ୟ ବଳୟକୁ ସଂପ୍ରସାରିତ କରେ । କଳାହାଣ୍ଡି, କାଶୀପୁରରୁ ଇଥିଓପିଆ, ହିରୋସିମାରୁ ପୋଖରାନ୍‌ ଯାଏ ସମକାଳର ବହ୍ନିମାନ ସମସ୍ୟା ସଂକଟ କବିତାକୁ ସାର୍ବଜନୀନତା ଦିଏ ।

 

ମାନବିକ ସମ୍ବେଦନା ଓ କରୁଣାର ସ୍ଵର ନୂଆ ରୂପରେ କବିଙ୍କ ସାମାଜିକ ପ୍ରତିବଦ୍ଧତା ସଂପନ୍ନ କବିତାରେ ରୂପପାଏ । କାବ୍ୟ ଚେତନାର ଘଟେ ବିପୁଳ ଉତ୍ତରଣ । ଆଦ୍ୟ ଉନ୍ମେଷ ପର୍ବର ବିସ୍ମୟକର ସମ୍ଭାବନା ଫଳବତୀ ହୁଏ ।

 

 

ରିଡ଼ର୍‌, କେନ୍ଦ୍ରାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ

କେନ୍ଦ୍ରାପଡ଼ା-୭୫୪୨୧୧

 

 

***